West Indies' Nicholas Pooran (L) celebrates his half century with West Indies' captain Jason Holder during the 2019 Cricket World Cup group stage match between Afghanistan and West Indies at Headingley in Leeds, northern England, on July 4, 2019. (Photo by Dibyangshu Sarkar / AFP) / RESTRICTED TO EDITORIAL USE (Photo credit should read DIBYANGSHU SARKAR/AFP/Getty Images)
ଲିଡ୍ସ,୫।୭(ପି.ଟି.)- ଦୁଇଥର ବିଶ୍ୱକପ୍ ଟାଇଟଲ ଜିତିଥିବା ଓ୍ବେଷ୍ଟଇଣ୍ଡିଜ ଏକ ସାନ୍ତ୍ୱନାମୂଳକ ବିଜୟ ସହ ଏଥର ଅଭିଯାନ ଶେଷ କରିଛି। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଗୁରୁବାର ଖେଳଯାଇଥିବା ଚଳିତ ବିଶ୍ୱକପ୍ର ୪୨ତମ ମ୍ୟାଚ୍ରେ ୨୩ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ତାନ ୫୦ ଓଭରରେ ୨୮୮ ରନ କରି ଆଉଟ ହେବା ସହ ପରାସ୍ତ ହୋଇଛି। ଏଥିସହିତ ଆଫଗାନିସ୍ତାନକୁ ଖାଲି ହାତରେ ଘରକୁ ଫେରିଛି। ୯ଟି ମ୍ୟାଚ୍ ଖେଳି ଆଫଗାନିସ୍ତାନ ସବୁଥିରେ ପରାସ୍ତ ହୋଇ କୌଣସି ପଏଣ୍ଟ ନ ପାଇଁ ଟେବୁଲ ସର୍ବନିମ୍ନ ଦଶମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ୯ଟି ମ୍ୟାଚ୍ ଖେଳି ୨ ବିଜୟ, ୬ ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୫ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହି ବିଶ୍ୱକପ୍ ଅଭିଯାନ ଶେଷ କରିଛି। ୭୭ ରନର ଉପଯୋଗୀ ଇନିଂସ ଖେଳିଥିବା ଓ୍ବେଷ୍ଟଇଣ୍ଡିଜ ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।
୩୧୨ ରନ ବିଜୟ ଲକ୍ଷ୍ୟର ପିଛା କରି ଆଫଗାନିସ୍ତାନ ଓପନର ତଥା ଅଧିନାୟକ ଗୁଲବଦିନ ନାଇବଙ୍କୁ ହରାଇ ପ୍ରାରମ୍ଭିକ ଝଟ୍କା ଖାଇଥିଲା। ମାତ୍ର ୫ ରନ କରି ନାଇବ କେମର ରୋଚ୍ଙ୍କ ବଲ୍ରେ ସ୍କୋୟାର ଲେଗ୍ରେ ଲୁଇସ୍ଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଦ୍ୱିତୀୟ ଉଇକେଟରେ ରହମତ ଶାହ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ଇକରାମ ଅଲି ଖିଲି ସାହସିକ ବ୍ୟାଟିଂ କରି ୧୫୦ ବଲରୁ ୧୩୩ ରନ କରି ସ୍ଥିତି ସମ୍ଭାଳିଥିଲେ। ତେବେ ରହମତ ୬୨ ରନ କରି କ୍ରେଗ ବ୍ରାଥଓ୍ବେଟଙ୍କ ବଲ୍ରେ କ୍ରିସ୍ ଗେଲ୍ଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ତୃତୀୟ ଉଇକେଟରେ ଅଲିଖିଲ ଓ ନାଜିବୁଲ୍ଲା ଜଡ୍ରାନ ୫୧ ରନ ସଂଗ୍ରହ କରିଥିଲେ। ତେବେ ଅଲିଖିଲ ୯୩ ବଲରୁ ୮ ଚୌକା ସହ ଶତକ ହାସଲ ଆଡକୁ ଯାଉଥିବା ବେଳେ କ୍ରିସ୍ ଗେଲ୍ଙ୍କ ବଲ୍ରେ ସୁଇପ୍ କରିବାକୁ ଯାଇ ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ନାଜିବୁଲ୍ଲା ଗୋଟିଏ ଲେଖାଏ ଚୌକା ଓ ଛକା ସହ ୩୮ ବଲରୁ ୩୧ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ ହୋଇଥିଲେ। ୨ ରନ କରିଥିବା ବେଳେ ମହମ୍ମଦ ନବୀ ରୋଚଙ୍କ ବଲ୍ରେ ଆଲେନଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। ସମିଉଲ୍ଲା ସେନଓ୍ବାରୀ ୬ ରନ କରିଥିବା ବେଳେ ହେଟମେୟରଙ୍କୁ କ୍ୟାଚ୍ ଦେଇ ରୋଚ୍ଙ୍କ ତୃତୀୟ ଶିକାର ହୋଇଥିଲେ। ଏହା ପରେ ୩୨ ବଲ୍ରୁ ୪ ଚୌକା ଓ ୧ ଛକା ସହ ୪୦ ରନ କରି ଛକା ମାରିବାକୁ ପ୍ରୟାସ କରି ଅସଘର ଆଫଗାନ ବ୍ରାଥଓ୍ବେଟଙ୍କ ବଲ୍ରେ ହୋଲ୍ଡରଙ୍କୁ କ୍ୟାଚ୍ ଦେଇଥିଲେ। ଦଲତ ଜଡ୍ରାନ ୧ ରନ କରିଥିବା ବେଳେ ବ୍ରାଥଓ୍ବେଟଙ୍କ ତୃତୀୟ ଶିକାର ହୋଇଥିଲେ। ରସିଦ ଖାଁ ୯ ଓ ସୟଦ ଶିରଜାଦ ୧୭ ବଲରୁ ୨ଟି ଲେଖାଏ ଚୌକା ଓ ଛକା ସହ ୨୫ ରନ କରି ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ ବ୍ରାଥଓ୍ବେଟ ୪, ରୋଚ ୩, ଓସେନ ଥୋମାସ ଓ ଗେଲ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଓ୍ବେଷ୍ଟଇଣ୍ଡିଜ ଓପନର ଏଭିନ ଲୁଇସ, ଉଇକେଟକିପର ବ୍ୟାଟ୍ସମ୍ୟାନ ସାଇ ହୋପ, ନିକୋଲାସ ପୁରନଙ୍କ ଅର୍ଦ୍ଧଶତକ ଓ ସିମରନ ହେଟମେୟର, ଅଧିନାୟକ ଜାସନ ହୋଲ୍ଡରଙ୍କ ଧୂଆଁଧାର ବ୍ୟାଟିଂ ବଳରେ ୬ ଉଇକେଟ ହରାଇ ୩୧୧ ରନ ସଂଗ୍ରହ କରିଥିଲା। ପ୍ରଥମେ ବିସ୍ଫୋରକ ଓପନର କ୍ରିସ୍ ଗେଲ ୭ ରନ କରି ଦଲତ ଜଡ୍ରାନଙ୍କ ବଲ୍ରେ ଉଇକେଟକିପର ଇକରାମ ଅଲି ଖିଲିଙ୍କ ଦ୍ୱାରା ଆଉଟ ହୋଇଥିଲେ। ତେବେ ଏହାପରେ ଲୁଇସ୍ ଓ ହୋପ୍ ଦ୍ୱିତୀୟ ଉଇକେଟରେ ୮୮ ରନ କରି ସ୍ଥିତି ସମ୍ଭାଳିଥିଲେ। ଲୁଇସ୍ ୭୮ ବଲରୁ ୬ ଚୌକା ଓ ୨ ଛକା ସହ ୫୮ ରନ କରି ତାରକା ସ୍ପିନର ରସିଦ ଖାଁଙ୍କ ବଲ୍ରେ ମହମ୍ମଦ ନବୀଙ୍କୁ କ୍ୟାଚ୍ ଦେଇଥିଲେ। ସେହିପରି ହେଟମେୟର ୩ ଚୌକା ଓ ୨ ଛକା ସହ ୩୧ ବଲରୁ ଦ୍ରୁତ ୩୯ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ହୋପ୍ ୬ ଚୌକା ଓ ୨ ଛକା ସହ ୯୨ ବଲରୁ ୭୭ ରନ କରି ନବୀଙ୍କ ବଲ୍ରେ ଡିପ୍ ମିଡ୍ ଉଇକେଟରେ ରସିଦ ଖାଁଙ୍କୁ କ୍ୟାଚ୍ ଦେଇଥିଲେ। ପୁରନ ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ ହେବା ପୂର୍ବରୁ ୪୩ ବଳରୁ ୬ ଚୌକା ଓ ୧ ଛକା ସହ ୫୮ ରନ ସଂଗ୍ରହ କରି ଦଳର ସ୍କୋରକୁ ତିନିଶହ ରନ ପାଖରେ ପହଞ୍ଚାଇଥିଲେ। ଶେଷରେ ହୋଲ୍ଡର ୩୪ ବଲ୍ରୁ ୧ ଚୌକା ଓ ୪ ଛକା ସହ ୪୫ ରନ ସଂଗ୍ରହ କରି ସୟଦ ଶିରଜାଦଙ୍କ ବଲ୍ରେ ଦଲତ ଜଡ୍ରାନଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ। କ୍ରେଗ୍ ବ୍ରାଥଓ୍ବେଟ୍ ୪ ବଲରୁ ୨ ଚୌକା ଓ ୧ ଛକା ସହ ୧୪ ରନ କରି ଅପରାଜିତ ରହିଥିଲେ। ଶେଷ ୧୦ ଓଭରରେ ପୁରନ ଓ ହୋଲ୍ଡର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଦଲତ ଜଡ୍ରାନ ୨, ଶିରଜାଦ, ନବୀ ଓ ରସିଦ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଓ୍ବେଷ୍ଟଇଣ୍ଡିଜ ୫୦ ଓଭରରେ ୩୧୧/୬
(ହୋପ- ୭୭, ଲୁଇସ୍- ୫୮, ପୁରନ- ୫୮, ହୋଲ୍ଡର- ୪୫, ହେଟମେୟର- ୩୯, ଦଲତ- ୨/ ୭୩, ଶିରଜାଦ- ୧/ ୫୬, ନବୀ- ୧/୫୬, ରସିଦ- ୧/୫୨)।
ଆଫଗାନିସ୍ତାନ ୫୦ ଓଭରରେ ୨୮୮ ଅଲଆଉଟ
(ଅଲିଖିଲ- ୮୬, ରହମତ-୬୨, ଅସଘର-୪୦, ନାଜିବୁଲ୍ଲା- ୩୧, ଶିରଜାଦ- ୨୫, ବ୍ରାଥଓ୍ବେଟ- ୪/୬୩, ରୋଚ୍- ୩/୩୭)।