CARDIFF, WALES - JUNE 04: Sri Lanka bowler Lasith Malinga celebrates after taking the final wicket during the Group Stage match of the ICC Cricket World Cup 2019 between Afghanstan and Sri Lanka at Cardiff Wales Stadium on June 04, 2019 in Cardiff, Wales. (Photo by Stu Forster-IDI/IDI via Getty Images)
କାର୍ଡିଫ୍,୫।୬(ଏଏଫ୍ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ବର୍ଷା ବାଧାପ୍ରାପ୍ତ ସପ୍ତମ ମ୍ୟାଚ୍ରେ ଶ୍ରୀଲଙ୍କା ଡକ୍ଓ୍ବର୍ଥ/ ଲୁଇସ୍ ନିୟମରେ ୩୪ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯାଇଥିବା ଲୋ- ସ୍କୋରିଂ ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ରନ କରି ଅଲଆଉଟ ହୋଇଥିଲା। ବର୍ଷା ଯୋଗୁ ମ୍ୟାଚ୍ ବାଧାପ୍ରାପ୍ତ ହେବା ଫଳରେ ଆଫଗାନିସ୍ତାନ ସମ୍ମୁଖରେ ୪୧ ଓଭରରେ ପୁନଃନିର୍ଦ୍ଧାରିତ ୧୮୭ ରନର ଟାର୍ଗେଟ ଧାର୍ଯ୍ୟ କରାଯାଇଥିଲା। ଜବାବରେ ଆଫଗାନିସ୍ତାନ ୩୨.୪ ଓଭରରେ ମାତ୍ର ୧୫୨ ରନକରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଏଥି ସହିତ ଶ୍ରୀଲଙ୍କା ତା’ର ପ୍ରଥମ ବିଜୟ ହାସଲ କରିଛି। ଅନ୍ୟପଟେ ଆଫଗାନିସ୍ତାନ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ଆଫଗାନିସ୍ତାନ ତରଫରୁ ନାଜିବୁଲ୍ଲା ଜଡ୍ରାନ ସର୍ବାଧିକ ୪୩, ହଜରତୁଲ୍ଲା ଜାଜାଇ ୩୦, ଅଧିନାୟକ ଗୁଲବଦିନ ନାଇବ ୨୩ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଶ୍ରୀଲଙ୍କାର ନୂଆନ ପ୍ରଦିପ ସର୍ବାଧିକ ୪, ଲସିଥ୍ ମାଲିଙ୍ଗା ୩, ଇସୁରୁ ଉଡାନା ଓ ଥିସାରା ପେରେରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଦଳ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ଏକଦା ବିନାକ୍ଷତିରେ ୯୨ ରନ ସଂଗ୍ରହ କରି ଶ୍ରୀଲଙ୍କା ବେଶ୍ ଦମ୍ଦାର ଆରମ୍ଭ କରିଥିଲେ ମଧ୍ୟ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଓ ଟେଲ ଏଣ୍ଡରଙ୍କ ବିଫଳତା ଯୋଗୁ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଓପନର କୁଶଲ ପେରେରା ସର୍ବାଧିକ ୭୮, ଅଧିନାୟକ ଦିମୁଥ କରୁଣାରତ୍ନେ ୩୦ ରନ କରି ଦଳକୁ ଭଲ ଆରମ୍ଭ ପ୍ରଦାନ କରିଥିଲେ। ପ୍ରଥମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୯୨ ରନ ସଂଗ୍ରହ କରିଥିଲେ। ସେହିପରି ଲାହିରୁ ଥିରିମାନେ ୨୫, ସୁରଙ୍ଗା ଲାକମଲ ଅପରାଜିତ ୧୫, ଇସୁରୁ ଉଡ଼ାନା ୧୦ ରନ କରିଥିବା ବେଳେ ବାକି ୬ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଅଫ୍ସ୍ପିନର ମହମ୍ମଦ ନବୀ ସର୍ବାଧିକ ୪, ଦଲତ ଜଡ୍ରାନ ଓ ରସିଦ୍ ଖାଁ ଦୁଇଟି ଲେଖାଏ, ହମିଦ ହାସନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ୩୬.୫ ଓଭରରେ ୨୦୧ ଅଲଆଉଟ
(କୁଶଲ ପେରେରା- ୭୮, କରୁଣାରତ୍ନେ- ୩୦, ଥିରିମାନେ- ୨୫, ନବି- ୪/୩୦, ଜଡ୍ରାନ- ୨/୩୪, ରସିଦ- ୨/୧୭)।
ଆଫଗାନିସ୍ତାନ ୩୨.୪ ଓଭରରେ ୧୫୨ ଅଲଆଉଟ୍
(ଜଡ୍ରାନ- ୪୩, ଜାଜାଇ- ୩୦, ଗୁଲବଦିନ- ୨୩, ପ୍ରଦୀପ- ୪/୩୧, ମାଲିଙ୍ଗା- ୩/୩୯)।