Categories: Home Leftଖେଳ

ଆଇସିସି ନିୟମ ଭାଙ୍ଗିଛନ୍ତି ୧୯ ବର୍ଷରୁ କମ୍‌ ବିଶ୍ୱକପ ଚାମ୍ପିୟନ ଦଳର ୩ ଖେଳାଳି

ଦୁବାଇ,୧୧।୨- ଦକ୍ଷିଣ ଆଫ୍ରିକାର ପୋଚେଫ୍ସଷ୍ଟ୍ରୁମଠାରେ ରବିବାର ଖେଳାଯାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ୩ ବାଂଲାଦେଶୀ ଓ ଦୁଇ ଭାରତୀୟ ଖେଳାଳି ଆଇସିସି କୋଡ୍‌ ଅଫ୍‌ କଣ୍ଡକ୍ଟ ଭଙ୍ଗ କରିଛନ୍ତି। ଫାଇନାଲ ଜିତିବା ପରେ ଦୁଇ ଦଳର ଖେଳାଳି ସାମ୍ନାସାମ୍ନି ହୋଇଥିଲେ। ଏଥିନେଇ ବିଶ୍ୱକପ୍‌ ଚାମ୍ପିୟନ ଅଧିନାୟକ ଆକବର ଅଲି କ୍ଷମାପ୍ରାର୍ଥନା ମଧ୍ୟ କରିଥିଲେ। ବାଂଲାଦେଶ ଖେଳାଳି ମହମ୍ମଦ ତୋହିଦ ହ୍ରିଦୟ, ଶାମିମ ହୋସେନ ଓ ରକିବୁଲ ହସନ ଆଇସିସି ଧାରା ୨.୨୧ ଓ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଆକାଶ ସିଂ ଓ ରବି ବିଷ୍ନୋଇ ଆଇସିସି ଧାରା ୨.୫ ଭଙ୍ଗ କରିଛନ୍ତି। ଅନ୍‌ଫିଲ୍ଡ ଅମ୍ପାୟର ଓ ତୃତୀୟ ଅମ୍ପାୟର ନିୟମ ଭଙ୍ଗ ହୋଇଥିବା ଅଭିଯୋଗ ଆଣିଥିଲେ। ମ୍ୟାଚ୍‌ ରେଫରି ଗ୍ରେମ ଲାବରୁଇଙ୍କ ଦ୍ୱାରା ଦିଆଯାଇଥିବା ଦଣ୍ଡାଦେଶକୁ ୫ ଖେଳାଳି ଗ୍ରହଣ କରିନେଇଛନ୍ତି। ହ୍ରିଦୟ ୧୦, ଆକାଶ ୮ ଓ ହୋସେନ ୪ ସସ୍‌ପେନଶନ ପଏଣ୍ଟ ଦିଆଯାଇଛି। ଫାଇନାଲରେ ଭାରତୀୟ ଦଳ ପାଇଁ ସବୁଠୁ ସଫଳ ପ୍ରଦର୍ଶନ କରିଥିବା ବିଷ୍ନୋଇ ମ୍ୟାଚ୍‌ରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସ୍ଲେଜିଂ କରିବା ସହ ଖରାପ ଇଙ୍ଗିତ କରିଥିଲେ। ଏଥିଯୋଗୁ ତାଙ୍କୁ ୨ ଅଧିକ ସସପେନଶନ ପଏଣ୍ଟ ମିଳିଛି। ଖେଳାଳିଙ୍କୁ ମିଳିଥିବା ସସପେନଶନ ପଏଣ୍ଟ ସେମାନଙ୍କ ଆଗାମୀ ଜୁନିୟର ବର୍ଗର ଅନ୍ତର୍ଜାତୀୟ ମ୍ୟାଚ୍‌ କିମ୍ବା ସିନିୟର ସ୍ତରରେ ଖେଳିଲାବେଳେ ବ୍ୟବହାର ହେବ।

Share