ଆଇଏଫ୍‌ଏଫ୍‌ଏମ୍‌ରେ ପ୍ରଦର୍ଶିତ ହେବ ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’

ମେଲବୋର୍ନ,୧୧ା୭: ଅଗଷ୍ଟ ୮ରେ ହେବାକୁ ଥିବା ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ ମେଲ୍‌ବୋର୍ନ (ଆଇଏଫ୍‌ଏଫ୍‌ଏମ୍‌)ର ଉଦ୍‌ଘାଟନୀ ମହୋତ୍ସବରେ ରିମା ଦାସଙ୍କ ଦ୍ୱାରା ନିର୍ମିତ ଅହମିୟା ଫିଲ୍ମ ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’ ପ୍ରଦର୍ଶିତ ହେବ। ୨୦୧୯ରେ ଉକ୍ତ ଫିଲ୍ମ ଫେଷ୍ଟିଭାଲ୍‌ର ୧୦ବର୍ଷ ପୂର୍ତ୍ତି ପାଳିତ ହେବାକୁ ଯାଉଛି। ଏ ସମ୍ପର୍କରେ ରିମା ଏକ ବିବୃତିରେ କହନ୍ତି, ‘ବୁଲ୍‌ବୁଲ୍‌ କ୍ୟାନ୍‌ ସିଙ୍ଗ୍‌’ ଭାରତୀୟ ଫିଲ୍ମ ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ସଂଧ୍ୟାରେ ପ୍ରଦର୍ଶିତ ହେବାକୁ ଯାଉଥିବାରୁ ଅତ୍ୟନ୍ତ ଉତ୍ସାହିତ। ଜଣେ ନିର୍ମାତା ହିସାବରେ ଏହି ଫିଲ୍ମ ମୋ ପାଇଁ ସ୍ବତନ୍ତ୍ରତା ବହନ କରେ। ଯେଉଁଠାରେ ଏହି ଫିଲ୍ମ ପ୍ରଦର୍ଶିତ ହୋଇଛି ସବୁଠି ଦର୍ଶକଙ୍କ ପ୍ରଶଂସା ମିଳିଛି। ଅଷ୍ଟ୍ରେଲିଆରେ ଉକ୍ତ ଫିଲ୍ମର ପ୍ରଦର୍ଶନକୁ ଅପେକ୍ଷା କରାଯାଇଛି। ଫିଲ୍ମ ପ୍ରଦର୍ଶନ ପରେ ସେଠିକା ଦର୍ଶକଙ୍କ ସହିତ ବାର୍ତ୍ତାଳାପ କରି ସେମାନଙ୍କ ମତାମତ ସଂଗ୍ରହ କରିବୁ। ରିମା ଦାସ ‘ଭିଲେଜ ରକ୍‌ଷ୍ଟାର୍ସ’ ଫିଲ୍ମ ନିର୍ମାଣ ପାଇଁ ବେଶ୍‌ ଚର୍ଚ୍ଚିତ। ଏହା ଏକ ଅହମିୟା ଭାଷାର ଫିଲ୍ମ। ୨୦୧୮ରେ ଏହା ବେଷ୍ଟ ଫିଚର ଫିଲ୍ମ ଭାବରେ ଜାତୀୟ ପୁରସ୍କାର ପାଇଥିଲା। ଓସ୍କାର୍ସ ପାଇଁ ମଧ୍ୟ ଏହାକୁ ଚୟନ କରାଯାଇଥିଲା।