Categories: ଅନୁଗୋଳ

ଆଇଏନ୍‌ଟିୟୁସିର ନୂତନ କର୍ମକର୍ତ୍ତା ନିଯୁକ୍ତି

ଅନୁଗୋଳ ଅଫିସ, ୨୮।୭ – ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା (ଆଇଏନ୍‌ଟିୟୁସି)କୁ ଅନୁଗୋଳ ଜିଲାରେ ସୁସଙ୍ଗଠିତ କରିବା ପାଇଁ ନୂତନ ଶ୍ରମିକ ନେତା ନିଯୁକ୍ତ କରାଯାଇଛି। ଜିଲା ସଭାପତି ସୁଦୀପ ମିଶ୍ରଙ୍କ ସୁପାରିଶ କ୍ରମେ ଆଇଏନ୍‌ଟିୟୁସି ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ ଜିଲାରେ ନୂତନ ନେତାଙ୍କୁ ବିଭିନ୍ନ ପଦରେ ଅବସ୍ଥାପିତ କରିଛନ୍ତି। ଅନୁଗୋଳର ଯୁବ ଶ୍ରମିକ ନେତା ରଶ୍ମିରଞ୍ଜନ ସାହୁଙ୍କୁ ସଙ୍ଗଠନର ଜିଲା ସାଧାରଣ ସମ୍ପାଦକ, ବିଷ୍ଣୁମୋହନ ରଥଙ୍କୁ ଉପସଭାପତି, ବାପୁଜୀ ପ୍ରଧାନ ଓ ରଣଜିତ ପ୍ରଧାନଙ୍କୁ ସମ୍ପାଦକ ଭାବେ ମନୋନୀତ କରାଯାଇଛି। ଆଗାମୀ ଦିନରେ ଅନୁଗୋଳ ଜିଲାରେ କଳକାରଖାନା, କୃଷି ନିର୍ମାଣ ଓ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯୁବ ଶ୍ରମିକମାନଙ୍କୁ ସଙ୍ଗଠିତ କରି ସେମାନଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ ବୋଲି ସଙ୍ଗଠନର ଜିଲା ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ଉପସଭାପତି(କ) ସଞ୍ଜୀବ କୁମାର ମାଣ୍ଡୋଠିଆ ଜଣାଇଛନ୍ତି। ନବନିଯୁକ୍ତି ଯୁବ ଶ୍ରମିକମାନେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ରାଜ୍ୟ ସଭାପତି ସତ୍ୟବ୍ରତ ନାୟକ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଯୁବ ଶାଖା ଅନୁଗୋଳ ଜିଲା ସଭାପତି ସୁଦୀପ ମିଶ୍ର ଓ ଜିଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି।