ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ କରିପାରିବା ନାହିଁ। ଏହାର ଉପଯୁକ୍ତ ଯତ୍ନ ନ ନେଲେ ଆମକୁ ହୁଏତ ବାକି ଜୀବନ ବିଛଣାରେ ଶୋଇ ରହି କଟାଇବାକୁ ପଡ଼ିପାରେ। ତେବେ ଏହାକୁ କିପରି ସୁସ୍ଥ ରଖିବେ ସେ ବିଷୟରେ ଜାଣିବା ନିହାତି ଦରକାର। ପ୍ରଥମ କଥା ହେଲା ସନ୍ତୁଳିତ ଓଜନ। ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯଦି ଆପଣ ଅଧିକ ଥର ଚା’ କିମ୍ବା ଥଣ୍ଡା ପାନୀୟ ପିଉଛନ୍ତି ତେବେ ଏଭଳି ଅଭ୍ୟାସ ତୁରନ୍ତ ପରିହାର କରନ୍ତୁ। କାରଣ ଏହାର ପ୍ରଭାବ ଅସ୍ଥି ଉପରେ ପଡିଥାଏ। ଅଧିକ ଲୁଣଜାତୀୟ ଖାଦ୍ୟ ଖାଇଲେ ଅସ୍ଥି ଧୀରେ ଧୀରେ ଦୁର୍ବଳ ହୋଇଥାଏ। ତେଣୁ ସେପରି ଖାଦ୍ୟ ଯେତେ କମ ଖାଇବେ ସେତେ ଭଲ। ନିଶାଦ୍ରବ୍ୟ ସେବନ କୁପ୍ରଭାବ ମଧ୍ୟ ଅସ୍ଥି ଉପରେ ପଡିଥାଏ। ଏପରି ଅଭ୍ୟାସ ଛାଡିବାକୁ ଚେଷ୍ଟା କରନ୍ତୁ। ଅସ୍ଥିକୁ ସୁସ୍ଥ ରଖିବା ପଛରେ ଭିଟାମିନ୍‌ ‘ଡି’ର ପ୍ରମୁଖ ଭୂମିକା ରହିଛି ଆଉ ଏହାର ମୁଖ୍ୟ ଉତ୍ସ ହେଲା ସକାଳର ସୂର୍ଯ୍ୟକିରଣ। ଶରୀରରେ କ୍ୟାଲସିୟମ ପରିମାଣ ଅସନ୍ତୁଳିତ ରହିଲେ ଅସ୍ଥି ଦୁର୍ବଳ ହୋଇଯାଏ। ଏପରି ସମସ୍ୟାର ସମାଧାନ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆଉ ଏକ ସରଳ ଉପାୟ ରହିଛି ଯାହାକୁ ଆପଣେଇଲେ ଅସ୍ଥି ସୁସ୍ଥ ରହିବ। ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରନ୍ତୁ।