Categories: ମେଟ୍ରୋ

ଅସମାନତା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ଦେଶରେ ଅର୍ଥନୈତିକ ଅସମାନତା ଓ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ ତାହା ସାମ୍ବିଧାନିକ ନୈତିକତା ପ୍ରତି ଆହ୍ବାନ ସୃଷ୍ଟି କରିଛି ବୋଲି ପୂର୍ବତନ ପ୍ରଶାସକ ତଥା ବିଶିଷ୍ଟ ସ୍ତମ୍ଭକାର ଡକ୍ଟର ହର୍ଷ ମନ୍ଦେର କହିଛନ୍ତି। ଭୁବନେଶ୍ୱରସ୍ଥିତ ‘ନିଶ୍ୱାସ’ରେ ରବିବାର ଆୟୋଜିତ ‘ସାମ୍ବିଧାନିକ ନୈତିକତା ପ୍ରତି ଚ୍ୟାଲେଞ୍ଜ: ଡକ୍ଟର ଆମ୍ବେଡକରଙ୍କଠାରୁ ଶିକ୍ଷା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା କରି ସେ ଏଭଳି ମତବ୍ୟକ୍ତ କରିଛନ୍ତି।
ଆମ୍ବେଡକର ସ୍ମାରକୀ ବାର୍ଷିକ ବକ୍ତୃତାମାଳାରେ ଯୋଗଦେଇ ଡ. ମନ୍ଦେର ବର୍ତ୍ତମାନ ସ୍ଥିତିରେ ସାମ୍ବିଧାନିକ ମୂଲ୍ୟବୋଧ ଧାରଣାର କ୍ରମବର୍ଦ୍ଧିଷ୍ଣୁ ପ୍ରାସଙ୍ଗିକତା ଉପରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ସାମ୍ବିଧାନିକ ନୈତିକତା ଉପରେ ସୃଷ୍ଟି ହୋଇଥିବା ଚ୍ୟାଲେଞ୍ଜ ଯୋଗୁ ଅସମାନତା ଏତେ ବଢ଼ିଯାଇଛି ଯେ ଦେଶର ୫୦ ପ୍ରତିଶତ ଧନ ମାତ୍ର ୯ ଜଣ ବ୍ୟକ୍ତିଙ୍କ ହାତକୁ ଚାଲିଯାଇଛି। ଗତବର୍ଷ ଶୀର୍ଷ ଦେଢ଼ ପ୍ରତିଶତ ଧନୀଙ୍କ ସମ୍ପତ୍ତିର ପରିମାଣ କେନ୍ଦ୍ର ବଜେଟଠାରୁ ଅଧିକ ଥିଲା। ଦେଶବ୍ୟାପୀ କର୍ମଜୀବୀ ମହିଳା ଓ ଛାତ୍ର ଗୋଷ୍ଠୀର ବିଦ୍ରୋହକୁ ସେ ସ୍ବାଧୀନତା ସଂଗ୍ରାମ ସହ ତୁଳନା କରି କହିଛନ୍ତି, ଏହି ଦୁଇ ଆନ୍ଦୋଳନ ସାମ୍ବିଧାନିକ ମୂଲ୍ୟବୋଧ ପାଇଁ ଉଦ୍ଦିଷ୍ଟ, ଯାହାକି ନ୍ୟାୟ, ସ୍ବାଧୀନତା, ସମାନତା ଓ ଭ୍ରାତୃଭାବ ଭଳି ସମ୍ବିଧାନର ନୈତିକତାକୁ ବଜାୟ ରଖିବ। ସେମାନେ ହେଉଛନ୍ତି ଦେଶରେ ସାମ୍ବିଧାନିକ ନୈତିକତାର ରକ୍ଷକ। ତେଣୁ ବର୍ତ୍ତମାନ ସମୟର ସବୁଠୁ ବଡ଼ ଆବଶ୍ୟକତା ହେଉଛି ଗାନ୍ଧିଜୀଙ୍କ ‘ସମ୍ପୂର୍ଣ୍ଣ ପ୍ରେମ’ ଓ ଆମ୍ବେଡକରଙ୍କ ‘ସାମଗ୍ରିକ ସମାନତା’। ଏହି ଦୁଇ ଧାରଣା ସମ୍ବିଧାନର ଭ୍ରାତୃତ୍ୱ ବା ବନ୍ଧୁତ୍ୱର ମୌଳିକ ମୂଲ୍ୟବୋଧକୁ ବଳବତ୍ତର ରଖିଥାଏ ବୋଲି ଡକ୍ଟର ମନ୍ଦେର ପ୍ରକାଶ କରିଛନ୍ତି। ତାଙ୍କ ମତରେ ଭ୍ରାତୃତ୍ୱ ସମସ୍ତ ଧର୍ମ ଓ ଜାତିର ଲୋକଙ୍କୁ ସଂଖ୍ୟାଲଘୁଙ୍କ ସହ ଯୋଡ଼ିଥାଏ। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ଶିକ୍ଷାବିତ୍‌, ବୁଦ୍ଧିଜୀବୀ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ଅବସରପ୍ରାପ୍ତ କେନ୍ଦ୍ର ସଚିବ ତଥା ‘ନିଶ୍ୱାସ’ର ପ୍ରତିଷ୍ଠାତା ଡକ୍ଟର ରାଧାକାନ୍ତ ନାୟକ ଏହି ଅବସରରେ ହର୍ଷ ମନ୍ଦେରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।