ADELAIDE, AUSTRALIA - DECEMBER 02: The Australian team celebrate victory with the trophy after day four of the Second Test match in the series between Australia and Pakistan at Adelaide Oval on December 02, 2019 in Adelaide, Australia. (Photo by Mark Kolbe/Getty Images)
ଆଡିଲେଡ, ୩।୧୨- ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ (ଦିବାରାତ୍ର) କ୍ରିକେଟ ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ଇନିଂସ ୪୮ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ୨ ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଅର୍ଦ୍ଧଶତକ ହାସଲକାରୀ ଶାନ ମାସୁଦ ଓ ଅସଦ ସଫିକଙ୍କ ସମେତ ମୋଟ ୫ ଉଇକେଟ ହାସଲ କରି ତାରକା ସ୍ପିନର ନାଥାନ ଲିୟନ ଅଷ୍ଟ୍ରେଲିଆକୁ ଇନିଂସ ବିଜୟୀ କରାଇଛନ୍ତି। ତ୍ରିଶତକ ହାସଲକାରୀ ଅଷ୍ଟ୍ରେଲିଆର ଡେଭିଡ ଓ୍ବାର୍ନର ମ୍ୟାନ ଅଫ ଦି ମ୍ୟାଚ ଓ ସିରିଜ ବିବେଚିତ ହୋଇଛନ୍ତି। ଏହି ମ୍ୟାଚରୁ ୬୦ ପଏଣ୍ଟ ସହିତ ଆଇସିସି ବିଶ୍ୱ ଟେଷ୍ଟ ସିରିଜ ଟେବୁଲରେ ଅଷ୍ଟ୍ରେଲିଆର ପଏଣ୍ଟ ସଂଖ୍ୟା ୧୭୬ରେ ପହଞ୍ଚତ୍ଛି। ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ଏକ ଇନିଂସ ୫ ରନରେ ଜିତିଥିଲା। ପିଙ୍କ୍ବଲ୍ ଟେଷ୍ଟରେ ଅଷ୍ଟ୍ରେଲିଆର ଏହା କ୍ରମାଗତ ୬ଷ୍ଠ (କେବଳ ଆଡିଲେଡରେ ୪ଟି) ବିଜୟ। ୨୦୧୫ରୁ ଦିବାରାତ୍ର ଟେଷ୍ଟ ଆରମ୍ଭ ହେବା ପରଠାରୁ ପ୍ରତି ମ୍ୟାଚରୁ ଫଳାଫଳ ମିଳିଛି।
ପ୍ରଥମ ଇନିଂସରେ ୩୦୨ ରନ କରି ପାକିସ୍ତାନ ଫଲୋଅନ ହୋଇଥିଲା। ତୃତୀୟ ଦିବସ ଶେଷସୁଦ୍ଧା ଦ୍ୱିତୀୟ ଇନିଂସରେ ୩ ଉଇକେଟ ହରାଇ ୩୯ ରନ କରିଥିଲା। ଶାନ ମାସୁଦ ଓ ଅସଦ ସାଫିକ କିଛି ସମୟ ଅଷ୍ଟ୍ରେଲୀୟ ବୋଲରଙ୍କୁ ସଫଳ ମୁକାବିଲା କରି ୪ର୍ଥ ଉଇକେଟ ଭାଗୀଦାରିରେ ୧୦୩ ରନ ଯୋଗ କରିଥିଲେ। ଲିୟନ ଏହି ଯୋଡ଼ି ଭାଙ୍ଗିବାପରେ ଇଫତିକାର ଅହମଦ ଓ ମହମ୍ମଦ ରିଜଓ୍ବାନ କିଛି ସମୟ ଲଢ଼େଇ କରିଥିଲେ। ମାତ୍ର ପାକିସ୍ତାନକୁ ଇନିଂସ ପରାଜୟରୁ ରକ୍ଷା କରିବା ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ୮୨ ଓଭରରେ ପାକିସ୍ତାନ ଦ୍ୱିତୀୟ ଇନିଂସ ୨୩୯ ରନରେ ସୀମିତ ହୋଇ ଯାଇଥିଲା। ଦଳ ପକ୍ଷରୁ ଓପନର ମାସୁଦ ସର୍ବାଧିକ ୬୮, ସଫିକ ୫୭, ରିଜଓ୍ବାନ ୪୫ ଓ ଇଫତିକାର ୨୭ ରନ କରିଥିଲେ। ଅଷ୍ଟ୍ରେଲିଆ ବୋଲରଙ୍କ ମଧ୍ୟରେ ଲିୟନ ୫ଟି, ଜୋଶ୍ ହାଜେଲଉଡ ୩ଟି ଏବଂ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ ନେଇଥିଲେ।