BRISTOL, ENGLAND - JUNE 01: David Warner of Australia bats during the Group Stage match of the ICC Cricket World Cup 2019 between Afghanistan and Australia at Bristol County Ground on June 01, 2019 in Bristol, England. (Photo by Harry Trump-IDI/IDI via Getty Images)
ବ୍ରିଷ୍ଟଲ, ୨।୬- ଆଇସିସି ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶନିବାର ଏଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏକପାଖିଆ ଭାବେ ୭ ଉଇକେଟ୍ରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୩୮.୨ ଓଭରରେ ୨୦୭ ରନ କରି ଅଲ୍ଆଉଟ୍ ହୋଇଯାଇଥିଲା। ଆଫଗାନିସ୍ତାନର ଦୁଇ ଓପନର ମହମ୍ମଦ ଶେହଜାଦ ଓ ହଜରତ୍ଉଲ୍ଲା ଜାଜାଇ ଖାତା ଖୋଲି ନ ପାରି ଆଉଟ୍ ହୋଇଥିଲେ। ତେବେ ମଧ୍ୟକ୍ରମରେ ରହମତ୍ ଶାହ (୪୩), ଅଧିନାୟକ ଗୁଲାବଦିନ ନାଇବ (୩୧), ନଜିବୁଲ୍ଲା ଜର୍ଡାନ (୫୧) ଓ ରଶିଦ୍ ଖାଁ (୨୭ ରନ, ୧୧ ବଲ)ଙ୍କ ଦ୍ରୁତ ଇନିଂସ ଯୋଗୁ ଏକ ସମ୍ମାନଜନକ ସ୍କୋର ଠିଆ କରିପାରିଥିଲା। ସଫଳ ବୋଲରଭାବେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କୁମିନ୍ସ ଓ ଆଡାମ ଜାମ୍ପା ୩ଟି ଲେଖାଏ, ମାର୍କସ ଷ୍ଟୋଇନିସ ୨ ଓ ମିଚେଲ ଷ୍ଟାର୍କ ଗୋଟିଏ ଉଇକେଟ୍ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୩୪.୫ ଓଭରରେ ୩ଟି ଉଇକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଡେଭିଡ୍ ଓ୍ବାର୍ନର ୮୯ ରନ (୧୧୪ ବଲ୍, ୮ ଚୌକା) ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍ ୬୬, ଉସମାନ ଖ୍ବାଜା ୧୫, ଷ୍ଟିଭ ସ୍ମିଥ୍ ୧୮ ଓ ଗ୍ଲେନ ମ୍ୟାକ୍ସଓ୍ବେଲ ୪* ରନ କରିଥିଲେ। ବିଜୟ ସହ ଅଷ୍ଟ୍ରେଲିଆ ୨ ପଏଣ୍ଟ ପାଇଛି।