Melbourne: Serbia's Novak Djokovic gestures as he holds the Norman Brookes Challenge Cup after defeating Austria's Dominic Thiem in the final of the Australian Open tennis championship in Melbourne, Australia, Monday, Feb. 3, 2020. AP/PTI(AP2_2_2020_000140B)
ମେଲ୍ବୋର୍ନ, ୩।୨(ଏଏଫ୍ପି)- ଅଭିଜ୍ଞ ସର୍ବିୟା ଟେନିସ୍ ତାରକା ନୋଭାକ ଜୋକୋଭିଚ୍ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ହାସଲ କରିଛନ୍ତି। ରବିବାର ଏଠାରେ ଖେଳାଯାଇଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ମାନ୍ୟତା ପାଇଥିବା ଜୋକୋଭିଚ୍ ୬-୪, ୪-୬, ୨-୬, ୬-୩, ୬-୪ ମାରାଥନ ସେଟ୍ରେ ପଞ୍ଚମ ସିଡ୍ ଖେଳାଳି ଅଷ୍ଟ୍ରିଆର ଡୋମିନିକ ଥିମ୍ଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ବିଜୟୀ ହେବା ପାଇଁ ଜୋକୋଭିଚ୍ଙ୍କୁ ପାଖାପାଖି ୪ ଘଣ୍ଟା ସମୟ ଆବଶ୍ୟକ ହୋଇଥିଲା। ଏଥିସହିତ ୩୨ ବର୍ଷୀୟ ଜୋକୋଭିଚ୍ ରେକର୍ଡ ଅଷ୍ଟମଥର ପାଇଁ ଏହି ଅଷ୍ଟ୍ରେଲିଆନ ଓପନ୍ ଟାଇଟଲ ହାସଲ କରିଛନ୍ତି। ସେ ମଧ୍ୟ କ୍ୟାରିୟରର ୧୭ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ଗୌରବ ଅର୍ଜନ କରିଛନ୍ତି। ଆଉ ୨/୩ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କଲେ ସେ ଯଥାକ୍ରମେ ନାଡାଲ ଓ ସୁଇଜରଲାଣ୍ଡର ରୋଜର ଫେଡରରଙ୍କ ସମକକ୍ଷ ହେବେ। ଏହି ସଫଳତା ସହ ସୋମବାର ପ୍ରକାଶିତ ହେବାକୁ ଥିବା ବିଶ୍ୱ ର଼୍ୟାଙ୍କିଙ୍ଗ୍ରେ ସ୍ପେନ୍ର ରାଫାଲ ନାଡାଲଙ୍କୁ ହଟାଇ ସେ ପୁଣିଥରେ ଶୀର୍ଷ ସ୍ଥାନ ଅଧିକାର କରିବା ସ୍ପଷ୍ଟ ହୋଇଛି। ର଼୍ୟାଙ୍କିଙ୍ଗ୍ରେ ନାଡାଲ ଦ୍ୱିତୀୟ, ଫେଡରର ପୂର୍ବପରି ତୃତୀୟ ଓ ଥିମ୍ ଗୋଟିଏ ପାହ୍ୟା ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିବେ।
ଜୋକୋଭିଚ୍ କ୍ରମାଗତ ୧୩ଟି ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆ ଓପନ୍ ମୋର ଫେଭରାଇଟ୍ ଟୁର୍ନାମେଣ୍ଟ। ପୁଣିଥରେ ଏହି ଟାଇଟଲ ଜିତିବାରୁ ନିଜକୁ ଭାଗ୍ୟବାନ୍ ମନେକରୁଛି। ଏହି ବିଜୟ ସହ ସେ ଏକ ବିରଳ କ୍ଲବ୍ରେ ସାମିଲ ହୋଇଛନ୍ତି। ତୃତୀୟ ବ୍ୟକ୍ତି ଭାବେ ସେ ଗୋଟିଏ ଗ୍ରାଣ୍ଡସ୍ଲାମ(ଅଷ୍ଟ୍ରେଲିଆନ ଓପନ୍)ରେ ୮ କିମ୍ବା ଅଧିକଥର ଟାଇଟଲ ଜିତିଛନ୍ତି। ନାଡାଲ ପୂର୍ବରୁ ଫ୍ରେଞ୍ଚ୍ ଓପନ୍ରେ ୧୨ଥର ଓ ଫେଡରର ଓ୍ବିମ୍ବେଲଡନ୍ରେ ୮ଥର ଟାଇଟଲ ଜିତିବାର ଗୌରବ ଅର୍ଜନ କରିସାରିଛନ୍ତି। ଗତ ୭ଟି ପ୍ରୟାସରେ ଜୋକୋଭିଚ୍ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିପାରି ନ ଥିଲେ। ତେଣୁ ଏହି ବିଜୟ ତାଙ୍କ ପାଇଁ ବିଶେଷ ଗୁରୁତ୍ୱ ବହନ କରୁଛି।
ଫାଇନାଲରେ ଥିମ୍ଙ୍କୁ ହରାଇବା ପାଇଁ ଜୋକୋଭିଚ୍ଙ୍କୁ ବେଶ୍ କଷ୍ଟ କରିବାକୁ ପଡ଼ିଥିଲା। ଜୋକୋଭିଚ୍ ଫେଭରାଇଟ ବିବେଚିତ ହେଉଥିଲେ ମଧ୍ୟ ୨୬ ବର୍ଷୀୟ ଥିମ୍ ଫିଟ୍ ଓ ବେଶ୍ ଫାଷ୍ଟ ଥିଲେ। ଗ୍ରାଉଣ୍ଡ ଷ୍ଟ୍ରୋକ୍ରେ ସେ ଜୋକୋଭିଚ୍ଙ୍କୁ ପଛରେ ପକାଇଥିଲେ। ପ୍ରଥମ ସେଟ୍ରେ ବିଜୟୀ ହୋଇଥିଲେ ମଧ୍ୟ ଜୋକୋଭିଚ୍ ଦ୍ୱିତୀୟ ଓ ତୃତୀୟ ସେଟ୍ରେ ପରାସ୍ତ ହୋଇ ୨-୧ରେ ପଛରେ ପଡ଼ି ବେଶ୍ ନିରାଶ ହୋଇଥିଲେ। ତେବେ ପ୍ରଦର୍ଶନରେ ଉନ୍ନତି ଆଣି ସେ ଚତୁର୍ଥ ଓ ପଞ୍ଚମ ସେଟ୍ରେ ବିଜୟୀ ହୋଇ ଶେଷରେ ବାଜି ମାରିଥିଲେ। ପୂର୍ବରୁ ଜୋକୋଭିଚ୍ ସେମିଫାଇନାଲରେ ତୃତୀୟ ସିଡ୍ ରୋଜର ଫେଡରରଙ୍କୁ ୭-୬, ୬-୪, ୬-୩ ସେଟ୍ରେ ଓ ଥିମ୍ ସପ୍ତମ ସିଡ୍ ଆଲେକ୍ଜାଣ୍ଡର ଜେଭରେଭଙ୍କୁ ୩-୬, ୬-୪, ୭-୬, ୭-୬ ସେଟ୍ରେ ହରାଇ ଫାଇନାଲକୁ ଉଠିଥିଲେ।