MELBOURNE, AUSTRALIA - JANUARY 24: Serena Williams of the United States reacts during her Women's Singles third round match against Qiang Wang of China on day five of the 2020 Australian Open at Melbourne Park on January 24, 2020 in Melbourne, Australia. (Photo by Cameron Spencer/Getty Images)
ମେଲବୋର୍ନ,୨୫।୧ (ଏଏଫ୍ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍ ଟେନିସ ଟୁର୍ନାମେଣ୍ଟରେ ଶୁକ୍ରବାର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଏକାଧିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଅଭିଜ୍ଞ ଆମେରିକୀୟ ଖେଳାଳି ସେରେନା ଓ୍ବିଲିୟମ୍ସ, ଡେନ୍ମାର୍କର କାରୋଲିନ୍ ଓଜନିଆକି ଓ ଗତଥରର ଚାମ୍ପିୟନ ତଥା ଜାପାନର ତୃତୀୟ ସିଡ ଖେଳାଳି ନାଓମି ଓସାକା ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଟୁର୍ନମେଣ୍ଟର ପଞ୍ଚମ ଦିବସରେ ଅଷ୍ଟମ ସିଡ ସେରେନା ୪-୬, ୭-୬, ୫-୭ ସେଟ୍ରେ ୨୭ତମ ସିଡ୍ ଖେଳାଳି ଚାଇନାର କିଆଙ୍ଗ୍ ଓ୍ବାଙ୍ଗ୍ଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ଓ୍ବାଙ୍ଗ୍ ଏବେ ଚତୁର୍ଥ ରାଉଣ୍ଡରେ ଟ୍ୟୁନିସିଆର ଓନ୍ସ ଜାବେଉରଙ୍କୁ ଭେଟିବେ। ବିଶ୍ୱର ୭୮ ନମ୍ବର ଖେଳାଳି ଜାବେଉର ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍ରେ ୭-୫, ୩-୬, ୭-୫ ସେଟ୍ରେ ଓଜନିଆକିଙ୍କୁ ପରାସ୍ତ କରିଛନ୍ତି। ୩୬ ନମ୍ବର ଖେଳାଳି ଓଜନିଆକି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ବିଦାୟ ନେଇଛନ୍ତି। ସେହିପରି ଅନ୍ୟ ଏକ ତୃତୀୟ ରାଉଣ୍ଡ ମୁକାବିଲାରେ ଓସାକା ଆମେରିକୀୟ ଟିନ୍ ସେନସେସନ କୋକୋ ଗଫ୍ଙ୍କଠାରୁ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱର ୬୭ ନମ୍ବର ଖେଳାଳି ଗଫ୍ ୬-୩, ୬-୪ ସେଟ୍ରେ ଓସାକାଙ୍କୁ ଅତି ସହଜରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗଫ୍ ଏବେ ନିଜ ଦେଶର ୧୪ତମ ସିଡ୍ ଖେଳାଳି ସୋଫିଆ କେନିନଙ୍କୁ ଭେଟିବେ। କେନିନ ଅନ୍ୟ ଏକ ମ୍ୟାଚ୍ରେ ଚାଇନାର ଶୁଆଇ ଝାଙ୍ଗଙ୍କୁ ୭-୫,୭-୬ ସେଟରେ ହରାଇ ଅଗ୍ରଗତି କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ଅଷ୍ଟ୍ରେଲିଆର ଆସଲେ ବାର୍ଟି ୬-୩, ୬-୨ ସେଟ୍ରେ କାଜାଖସ୍ତାନର ଏଲିନା ରିବାକିନାଙ୍କୁ ଓ ଆମେରିକାର ୧୮ତମ ସିଡ୍ ଖେଳାଳି ଅଲିସନ ରିସ୍କେ ୧-୬, ୭-୬,୬-୨ ସେଟ୍ରେ ଜର୍ମାନୀ ଜୁଲିଆ ଜର୍ଜେସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ଚତୁର୍ଥ ରାଉଣ୍ଡରେ ରିସ୍କେ ଓ ବାର୍ଟି ମୁହଁାମୁହିଁ ହେବେ। ଅନ୍ୟପଟେ ସପ୍ତମ ସିଡ ଖେଳାଳି ଚେକ ରିପବ୍ଲିକ୍ର ପେଟ୍ରା କ୍ୟୁଟୋଭା ୬-୧, ୬-୨ ସେଟ୍ରେ ରୁଷିଆର ଏକାଟେରିନା ଆଲେଜାଣ୍ଡ୍ରୋଭଙ୍କୁ ଏବଂ ୨୨ତମ ସିଡ୍ ଗ୍ରୀସ୍ର ମାରିଆ ସାକାରୀ ୬-୪, ୬-୪ ସେଟ୍ରେ ଦଶମ ସିଡ ଆମେରିକାର ମାଡିନସନ କେଜଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏବେ କ୍ୟୁଟୋଭା ଓ ସାକାରୀ ପରସ୍ପରକୁ ଭେଟିବେ।