Categories: Home Leftଖେଳ

ଅବସର ପରେ ଚିତ୍ରକର ହେବେ ଧୋନୀ

ନୂଆଦିଲ୍ଲୀ, ୨୧ା୫ (ପି.ଟି.)- ଜଣେ ଚିତ୍ରକର ହେବାଲାଗି ମହେନ୍ଦ୍ର ସିଂ ଧୋନୀ ପିଲାଦିନେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସାକାର କରିବେ। କ୍ରିକେଟ ଛାଡ଼ିବା ପରେ ସେ ପେଣ୍ଟିଂ କାର୍ଯ୍ୟରେ ନିଜକୁ ନିୟୋଜିତ କରବା ଲାଗି ଯୋଜନା ରଖିଥିବା ଏକ ଭିଡିଓରେ କହିଛନ୍ତି। ଆସନ୍ତା ଆଇସିସି ବିଶ୍ୱକପ୍‌ ପରେ ସେ କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଏଥିରୁ ସୂଚନା ମିଳୁଛି। ଭେଟେରାନ ଉଇକେଟକିପର ବ୍ୟାଟ୍ସମ୍ୟାନ ଭିଡିଟିରେ ସେ ପ୍ରସ୍ତୁତ କରିଥିବା କିଛି ପେଣ୍ଟିଂ ଦେଖାଇଛନ୍ତି। ଏଥି ସହିତ ସେ କହିଛନ୍ତି, ମୁଁ ସମସ୍ତଙ୍କ ଆଗରେ ମୋର ଏକ ଗୋପନ କଥା ପ୍ରକାଶ କରିବାକୁ ଚାହୁଁଛି। ବାଲ୍ୟକାଳରେ ପ୍ରକୃତରେ ମୁଁ ଜଣେ ଚିତ୍ରକର ହେବାକୁ ଚାହୁଁଥିଲି। ବହୁତ କ୍ରିକେଟ ଖେଳ ହୋଇଗଲା। ମୁଁ ପ୍ରକୃତରେ ଯାହା ହେବାକୁ ଚାହୁଁଥିଲି ସେ ଦିଗରେ ଧ୍ୟାନ ଦେବା ସମୟ ଆସିଛି। ମୁଁ ନିଜେ ଇତିମଧ୍ୟରେ କିଛି ପେଣ୍ଟିଂ କରିସାରିଛି। ବିଶ୍ୱକପ୍‌ ବିଜୟୀ ଅଧିନାୟକ ୩୭ ବର୍ଷୀୟ ଧୋନୀ ୨୦୧୯ ବିଶ୍ୱକପ୍‌ ଖେଳିବାଲାଗି ୟୁନାଇଟେଡ କିଙ୍ଗଡମ୍‌ (ୟୁକେ) ଯିବା ଲାଗି ବର୍ତ୍ତମାନ ପ୍ରସ୍ତୁତ। ସମ୍ଭବତଃ ଏହି ମେଗା ଇଭେଣ୍ଟରେ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ପରିସମାପ୍ତି ଘଟିପାରେ। ତାଙ୍କ ପ୍ରଥମ ପେଣ୍ଟିଂ ପ୍ରାକୃତିକ ଦୃଶ୍ୟ ସମ୍ବଳିତ ଥିଲା। ଦ୍ୱିତୀୟଟି ଭବିଷ୍ୟତର ପରିବହନ ବ୍ୟବସ୍ଥାର ଚିତ୍ର ରହିଥିଲା। ତୃତୀୟଟି ତାଙ୍କର ସବୁଠାରୁ ଫେଭରାଇଟ୍‌ ରହିଥିଲା। ତାହା ହେଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଜର୍ସି ସହ ବ୍ୟାଟିଂ କରିଥିବା ଅବସ୍ଥାର ଏକ ପ୍ରତିଛବି। ଧୋନୀ ଆହୁରି ମଧ୍ୟ କହିଛନ୍ତି, ସେ ତାଙ୍କର ପେଣ୍ଟିଂଗୁଡ଼ିକୁ ନେଇ ଖୁବ୍‌ ଶୀଘ୍ର ଏକ ପ୍ରଦର୍ଶନୀର ଆୟୋଜନ କରିବେ। ଏ ନେଇ ସେ ତାଙ୍କ ପ୍ରଶଂସକଙ୍କ ମତାମତ ଲୋଡିଛନ୍ତି। ୨୦୧୪ରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଇତିମଧ୍ୟରେ ୩୪୧ ଅନ୍ତର୍ଜାତୀୟ ଦିନିକିଆ ଗେମ୍‌ ଖେଳି ୫୦.୭୨ ଆଭରେଜରେ ୧୦,୫୦୦ ରନ ସଂଗ୍ରହ କରିସାରିଛନ୍ତି। ସେଥିରେ ତାଙ୍କର ୧୦ଟି ଶତକ ଏବଂ ୭୧ ଅର୍ଦ୍ଧ ଶତକ ସାମିଲ। ଆଗାମୀ ବିଶ୍ୱକପ୍‌ରେ ଭାରତ, ଆୟୋଜକ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ଫେଭରାଇଟ୍‌ ମନେ କରାଯାଉଛି। ଜୁନ୍‌ ୫ରେ ସାଉଥାମ୍ପଟନର ରୋଜ ବାଓଲଠାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ ଖେଳି ଟୁର୍ନାମେଣ୍ଟରେ ଏହାର ଅଭିଯାନ ଆରମ୍ଭ।