Categories: ଅନୁଗୋଳ

ଅନୁଗୋଳ ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର କାୟାକଳ୍ପ ଟିମ୍‌ର ୩ ଜଣିଆ ସଦସ୍ୟ ପରିଦର୍ଶନ କରିଛନ୍ତି। ସେମାନେ ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲିବା ପରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ତେବେ ରୋଗୀସେବା ଓ ପରିଚାଳନା ନେଇ ଉକ୍ତ ଟିମ୍‌ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ଓ ପାଚେରି ଚତୁଃପାର୍ଶ୍ୱ ଜବରଦଖଲ ଦେଖି ଖପ୍ପା ହୋଇଥିଲେ।
କେନ୍ଦୁଝର ଏଡିଏମ୍‌ଓ ମେଡିକାଲ ଡାକ୍ତର ଗୌରପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମେଡିକାଲ ମ୍ୟାନେଜର ସଙ୍ଗୀତା ସ୍ବାଇଁ, ଜିକେଏସ୍‌ ଆଶିଷ୍ଟାଣ୍ଟ ମ୍ୟାନେଜର ଅଭିଶେଷ ପ୍ରମୁଖ ଅନୁଗୋଳ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ଟିମ୍‌ ପୂର୍ବାହ୍ନ ୧୦.୩୦ରେ ପହଞ୍ଚତ୍ବା ପରେ ଅନୁଗୋଳ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଆଲୋଚନା କରିଥିଲେ। ପରେ ମେଡିକାଲ ପରିସରରେ ୫ମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନରେ ଯାଇଥିଲେ। ୩ୟ ମହଲାରେ ରୋଗୀଙ୍କୁ ଭେଟି ଆଲୋଚନା କରିଥିଲେ। କେତେକ ପୁରୁଣା ୱାର୍ଡ ସହ ମେଡିକାଲର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଚାଲିଛି ତାହା ପରିଦର୍ଶନ କରିଥିଲେ। ପରେ ସ୍ବଚ୍ଛତା, ସଫେଇ, ବର୍ଯ୍ୟବସ୍ତୁ ପରିଚାଳନା ଓ ଭିତ୍ତିଭୂମି, ରୋଗୀ ସେବା, କର୍ମଚାରୀଙ୍କ ବ୍ୟବହାର ଅନୁଧ୍ୟାନ କରିଥିଲେ। ଏଥିସହ ତୁରନ୍ତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିବା ମେଡିକାଲ ମ୍ୟାନେଜର ଦେବାଶିଷ ଦାସ ସୂଚନା ଦେଇଛନ୍ତି।