Categories: ଅନୁଗୋଳ

ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର

ଅନୁଗୋଳ ସହର, ୬।୨ – ସାତକୋଶିଆ ବନଖଣ୍ଡ, ମହାନଦୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ, ଆଠଗଡ଼, କଟକ, ଢେଙ୍କାନାଳ, ଅନୁଗୋଳ ବନଖଣ୍ଡ ଓ ଯାଜପୁର ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ ମୋଟ୍‌ ୧୩୧ଟି କୁମ୍ଭୀର ଅଛନ୍ତି। ଗତ ଜାନୁୟାରୀ ୯ରୁ ୧୧ ତାରିଖ ଯାଏ ହୋଇଥିବା କୁମ୍ଭୀର ଗଣନାରୁ ଏହା ଜଣାପଡ଼ିଛି। ତେବେ ମୋଟ୍‌ ୮ଟି ବନଖଣ୍ଡ ମଧ୍ୟରୁ କେବଳ ସାତକୋଶିଆ, ମହାନଦୀ ଓ ଆଠମଲ୍ଲିକ ବନଖଣ୍ଡରେ ଏହି ୧୩୧ଟି କୁମ୍ଭୀର ଥିବା ସ୍ପଷ୍ଟ ହୋଇଛି।
ସାତକୋଶିଆ ମହାନଦୀ ଗଣ୍ଡର ୨୧ କିଲୋମିଟର ମଧ୍ୟରେ ଥିବା କଦଳୀଖୋଲା ୱାଚ ଟାୱାର, ଟିକରପଡ଼ା କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ ପୋଲ୍‌, ଆଠମଲ୍ଲିକ ବନଖଣ୍ଡର ମାନଜୋର ପ୍ରୋଜେକ୍ଟ, ମହାନଦୀ, ଜାମୁଡ଼ୋଲି ଓ ମହାନଦୀ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଜାଗାରେ କୁମ୍ଭୀର ଗଣନା କରାଯାଇଥିଲା। ମହାନଦୀର ସାତକୋଶିଆ ଗଣ୍ଡରେ ୮ଟି ଘଡ଼ିଆଳ ଥିବାବେଳେ ୮୫ଟି ମଗର ରହିଛନ୍ତି। ସେହିପରି ସାତକୋଶିଆ ଓ ଆଠମଲ୍ଲିକ ବନଖଣ୍ଡର ବିଭିନ୍ନ ଜଳାଶୟରେ ୨୮ଟି ମଗର ରହିଛନ୍ତି। ଟିକରପଡ଼ା କୁମ୍ଭୀର ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରରେ ୪ଟି ଘଡ଼ିଆଳ ଥିବାବେଳେ ୬ ମଗର ଅଛନ୍ତି। ମୋଟ୍‌ ଉପରେ ୧୨ଟି ଘଡ଼ିଆଳ ଓ ୧୧୯ ମଗରକୁ ମିଶାଇ ଅନୁଗୋଳ ବନମଣ୍ଡଳରେ ୧୩୧ କୁମ୍ଭୀର ଥିବା କୁହାଯାଇଛି। ଏଠାରେ ୨୦୧୪ରେ ୯୬ଟି ଘଡ଼ିଆଳ ଓ ମଗର ଥିବାବେଳେ ୨୦୧୫ରେ ୧୦୭ଟି, ୨୦୧୬ରେ ୧୧୧, ୨୦୧୭ରେ ୧୦୬, ୨୦୧୮ରେ ୧୦୮ ଓ ୨୦୧୯ରେ ୧୧୨ଟି କୁମ୍ଭୀର ଥିବାବେଳେ ଚଳିତବର୍ଷ ଉକ୍ତ ସଂଖ୍ୟାରେ ୧୯ ବୃଦ୍ଧି ଘଟିଥିବା ଅନୁଗୋଳ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ ତଥା ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ପ୍ରଦୀପରାଜ୍‌ କରାଟେ ପ୍ରକାଶ କରିଛନ୍ତି।