Thief Stealing Burglar Identity Burglary Crime Criminal
ଅନୁଗୋଳ ଅଫିସ, ୨୧।୨ – ସୁନା ସଫା କରିଦେବା ଆଳରେ ଲୋକଙ୍କଠାରୁ ସୁନା ଲୁଟୁଥିବା ଏକ ଗ୍ୟାଙ୍ଗ ଅନୁଗୋଳ ସହରରେ ସେମାନଙ୍କ କାର୍ଯ୍ୟକଳାପ ଜାରି ରଖିଥିବା ବିଭିନ୍ନ ଆଡ଼ୁ ଅଭିଯୋଗ ବଢ଼ିବାରେ ଲାଗିଛି। ତେବେ ଲୁଟ୍ ହୋଇଥିବା ସୁନା ଫେରି ପାଇବାର ଆଶା ନ ଥିବାରୁ ଏ ନେଇ କ୍ଷତିଗ୍ରସ୍ତମାନେ ଥାନାରେ ଅଭିଯୋଗ କରିବାକୁ ଉଚିତ ମଣୁ ନ ଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଅନୁଗୋଳ ସହରର ବିଭିନ୍ନ ଗଳିକନ୍ଦିରେ ଏବେ ସୁନା ସଫେଇବାଲାଙ୍କୁ ଦେଖିବାକୁ ମିଳୁଛି। ସେମାନେ ଘର ଘର ବୁଲି କମ୍ ପଇସାରେ ଲୋକଙ୍କୁ ସୁନା ସଫେଇ କରିଦେବାକୁ କହୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ସଫେଇ ନଁାରେ କୌଶଳକ୍ରମେ ସୁନା ଅଳଙ୍କାର ଲୁଟି ନେଉଥିବା ଅଭିଯୋଗ ହେଉଛି। ଗତବର୍ଷ ଏପରି ଏକ ଲୁଟେରା ଗ୍ୟାଙ୍ଗ ସହରକୁ ଆସିଥିବା ଖବର ପାଇବା ପରେ ପୋଲିସ ସେମାନଙ୍କୁ ଘଉଡ଼ାଇ ଦେଇଥିଲା। ହେଲେ ଚଳିତବର୍ଷ ଏପରି ଗ୍ୟାଙ୍ଗ ସମ୍ପର୍କରେ ଏଯାଏ ପୋଲିସ ନିକଟରେ ସୂଚନା ନାହିଁ। ଏପରି କି ଠକେଇ ହୋଇଥିବା ଲୋକେ ମଧ୍ୟ ଏ ନେଇ ଥାନାରେ ଅଭିଯୋଗ କରିନାହାନ୍ତି। ନିକଟରେ ହାତୀଶାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ଏପରି ଠକେଇର ଶିକାର ହୋଇଥିଲେ ବି ଥାନାରେ ଏତଲା ଦେଇ ନ ଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଅନୁଗୋଳ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପୂର୍ବରୁ ଏପରି ଲୁଟେରା ଗ୍ୟାଙ୍ଗ ଅନୁଗୋଳକୁ ଆସିଥିଲେ। ଏମାନଙ୍କୁ ସହରରୁ ତଡ଼ା ଯାଇଥିଲା। ସେମାନେ ସୁନା ସଫା କରିବା ପାଇଁ ଆଣୁଥିବା ପାଣି ଓ କେମିକାଲ୍ରେ ସଫା କରିବା ସମୟରେ ସୁନା ଲୁଟ୍ କରିଥାନ୍ତି। ଏହି ଲୁଟେରା ଗ୍ୟାଙ୍ଗ ବେଶ୍ ସତର୍କତାର ସହ କାର୍ଯ୍ୟ କରୁଥିବାରୁ ଏମାନଙ୍କୁ ସାଧାରଣ ଲୋକେ ଚିହ୍ନିବା କଷ୍ଟକର। ତେଣୁ ଘର ଘର ବୁଲି ସୁନା ସଫା କରିବାକୁ କହୁଥିବା ବ୍ୟକ୍ତିଙ୍କ ନିକଟରେ ସୁନା ସଫା ନ କରାଇବାକୁ ଅନୁଗୋଳ ପୋଲିସ ପକ୍ଷରୁ କୁହାଯାଇଛି।