ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଖବର କାଗଜକୁ ସାମିଲ୍‌ କରନ୍ତୁ ଲୋକେ: ବ୍ରିଟେନ୍‌ ସଂସ୍କୃତି ମନ୍ତ୍ରୀ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଗଣମାଧ୍ୟମ ଶିଳ୍ପ ବିଶେଷ ଫତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍‌ ସଂସ୍କୃତି ମନ୍ତ୍ରୀ ଓଲିଭର ଡାଓ୍ବଡେନ୍‌ କହିଛନ୍ତି ଯେ, ଲୋକେ ଖବର କାଗଜକୁ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ସାମିଲ୍‌ କରିବା ଉଚିତ୍‌। ଏହାଦ୍ୱାରା ଗଣମାଧ୍ୟମ ସଂସ୍ଥାଗୁଡ଼ିକର ରାଜସ୍ବ ବୃଦ୍ଧି ହେବାର ସମ୍ଭାବନା ରହିଛି। କରୋନା ସଙ୍କଟ ଯୋଗୁ ପୃଥିବୀରେ ମାନବ ଇତିହାସର ବହୁ ପରମ୍ପରା ଲୋପ ପାଇବାର ଆଶଙ୍କା ରହିଛି। ଏପରିସ୍ଥଳେ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ପାଲଟିଥିବା ଗଣମାଧ୍ୟମ ସଂସ୍ଥାକୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି। ସେହିପରି ସ୍ଥିତିରେ ସୁଧାର ପାଇଁ ଅଧିକ ବିଜ୍ଞାପନ ସରକାର ଗଣମାଧ୍ୟମ ସଂସ୍ଥା ଗୁଡ଼ିକୁ ଦେବା ଉଚିତ ବୋଲି ଓଲିଭର କହିଛନ୍ତି।