Justice S A bobde speeks during the release of a coffee table book Architecture of Justice at IIC in New Delhi . 30/11/2018 photo by anil shakya
ନୂଆଦିଲ୍ଲୀ, ୨୫ା୧ (ଆଇଏଏନ୍ଏସ୍) : ଟିକସ ଠକେଇ ହେଉଛି ଭାରତୀୟ ନାଗରିକମାନଙ୍କ ପ୍ରତି ସାମାଜିକ ଅନ୍ୟାୟ। ସେହିପରି ସରକାରଙ୍କ ପକ୍ଷରୁ ଲୋକଙ୍କ ଉପରେ ସ୍ବେଚ୍ଛାଚାର ଭାବେ କିମ୍ବା ଅତ୍ୟଧିକ ଟାକ୍ସ ଲଗାଇବା ମଧ୍ୟ ସାମାଜିକ ଅନ୍ୟାୟ ଶ୍ରେଣୀରେ ଆସୁଛି ବୋଲି ଶୁକ୍ରବାର ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବ୍ଡେ ପ୍ରକାଶ କରିଛନ୍ତି।
ଇନ୍କମ୍ ଟାକ୍ସ ଅପିଲେଟ୍ ଟ୍ରିବ୍ୟୁନାଲର ୭୯ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସିଜେଆଇ ବୋବ୍ଡେ କହିଛନ୍ତି, ଦେଶ ପାଇଁ ସମ୍ପଦ ଜୁଟାଇବା କ୍ଷେତ୍ରରେ ଟାକ୍ସ ନ୍ୟାୟପାଳିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କିନ୍ତୁ ଲୋକଙ୍କ ଉପରେ ମନମୁଖି ଓ ଅତ୍ୟଧିକ ଟିକସ ବୋଝ ଲଦିଦେବା ସେମାନଙ୍କ ପ୍ରତି ଏକ ସାମାଜିକ ଅନ୍ୟାୟ ଭାବେ ଦେଖାଯାଇପାରେ। ଉପଯୁକ୍ତ ଓ ତ୍ୱରିତ ବିବାଦର ସମାଧାନକୁ ଟିକସଦାତାଙ୍କ ପାଇଁ ଏକ ଟାକ୍ସ ଇନ୍ସେଣ୍ଟିଭ୍ ଭାବେ ପରିଗଣିତ କରାଯାଇଥାଏ ବୋଲି ସିଜେଆଇ ମତବ୍ୟକ୍ତ କରିଛନ୍ତି। ଫେବୃୟାରୀ ୧ରେ ପାର୍ଲାମେଣ୍ଟରେ କେନ୍ଦ୍ରୀୟ ବଜେଟ ଆସିବାକୁ ଥିବାବେଳେ ଏହା ପୂର୍ବରୁ ସିଜେଆଇଙ୍କ ଏହି ମତକୁ ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ବିବେଚନା କରାଯାଉଛି। ବିଶେଷକରି ଦେଶରେ ମାନ୍ଦାବସ୍ଥା ଲାଗିରହିଥିବାବେଳେ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏଭଳି ସମୟରେ ବିରୋଧୀ ଦଳଗୁଡ଼ିକ କେନ୍ଦ୍ରକୁ ଟାର୍ଗେଟ କରୁଥିବାବେଳେ ସରକାରଙ୍କୁ ଅର୍ଥନୀତିର ପାଠ ପଢ଼ାଇଛନ୍ତି ସିଜେଆଇ।