ଛତ୍ରପୁର, ୨୯ା୧୧ (ଦିଲୀପ ସାମଲ): କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ହୋଇଥିବା ଆସିକା ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ଉପରୁ ଜାତିରୁ ବାସନ୍ଦ କଟକଣା ହଟିଛି।
ବେହେରାଙ୍କ ପରିବାର କୁଳରେ ସାମିଲ ହେବା ପାଇଁ କୁଳ ସମାଜର କର୍ମକର୍ତ୍ତା ରାଜି ହୋଇଛନ୍ତି । ଶନିବାର ଛତ୍ରପୁର ଥାନାରେ ପୋଲିସ, କୁଳ ସମାଜର କର୍ମକର୍ତ୍ତା ଓ ତହସିଲଦାରଙ୍କ ପରିବାର ମଧ୍ୟରେ ଏକ ତ୍ରିପାକ୍ଷିକ ବୈଠକ ହୋଇଥିଲା। ଏଥିରେ କୁଳରେ ଅତିରିକ୍ତ ତହସିଲଦାରଙ୍କ ପରିବାର ମିଳିମିଶି ଚଳିବେ।
କୌଣସି ବାଧାବିଘ୍ନ ଆଉ ରହିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏନେଇ ଛତ୍ରପୁର ଥାନା ଅଧିକାରୀଙ୍କ ଉପସ୍ଥିତିରେ କୁଳ ସମାଜର କର୍ମକର୍ତ୍ତା ଲିଖିତ ଭାବେ ଜଣାଇଛନ୍ତି। ଆଗକୁ କୌଣସି ପରିବାରକୁ ମଧ୍ୟ ଏଭଳି ହଇରାଣ କରାଯିବ ନାହିଁ ବୋଲି କୁଳ ସମାଜ ପକ୍ଷରୁ କୁହାଯାଇଛି।
ଏହାପରେ ଶୁକ୍ରବାର କୁଳ ସମାଜର ୯ ଜଣଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ରଦ୍ଦ କରାଯାଇଛି। ସୂଚନାଯୋଗ୍ୟ, ଛତ୍ରପୁର ଥାନା ଅଧୀନ ମୁନିଷିପେଣ୍ଠ ଗ୍ରାମର ଅତିରିକ୍ତ ତହସିଲଦାର ବେହେରା ଅନ୍ୟ ଏକ ଜାତିର ଝିଅଙ୍କୁ ବିବାହ କରିଥିବାରୁ ତାଙ୍କ ପରିବାରକୁ କୈବର୍ତ୍ତ କୁଳ ସମାଜରୁ ବାସନ୍ଦ କରାଯାଇଥିଲା। ଏନେଇ ବେହେରାଙ୍କ ବାପା ବିଜୟ ବେହେରା କୈବର୍ତ୍ତ ସମାଜର କେତେଜଣ ବ୍ୟକ୍ତିଙ୍କ ବିରୋଧରେ ଛତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୂର୍ବରୁ ଥରେ ଆଲୋଚନା ହୋଇଥିଲେ ମଧ୍ୟ କିଛି ସମାଧାନ ହୋଇପାରି ନ ଥିଲା। ଅନ୍ୟପକ୍ଷରେ ଅତିରିକ୍ତ ତହସିଲଦାର ବେହେରାଙ୍କ ପରିବାରକୁ କୁଳରୁ ବାସନ୍ଦ କରାଯାଇନାହିଁ, ଏହା ଭିତ୍ତିହୀନ ଅଭିଯୋଗ ବୋଲି ସେତେବେଳେ ସଭାପତି ରମେଶ ବେହେରା କହିଥିଲେ।