FILE PHOTO: Workers assemble a Tata Tiago car inside the Tata Motors car plant in Sanand, on the outskirts of Ahmedabad, India, August 7, 2018. REUTERS/Amit Dave/File Photo
ନୂଆଦିଲ୍ଲୀ,୮-୮: ଦେଶର ଅଟୋ ସେକ୍ଟର ଏବେ ବଡ଼ ଦୁର୍ଦ୍ଦିନ ଦେଇ ଗତି କରୁଛି। ଅର୍ଥନୀତି ଧିମା ହେବା କାରଣରୁ ଅଟୋ ସେକ୍ଟର ଏବେ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇଛି। ଏଥିରୁ ବର୍ତ୍ତିବା ପାଇଁ ପ୍ରମୁଖ ଅଟୋ ନିର୍ମାତା ମୁଖ୍ୟ ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଭେଟିଛନ୍ତି। ଉଦ୍ୟୋଗର ବିକାଶ ଲାଗି ସରକାର ଏକ ପ୍ୟାକେଜ ଦେବାକୁ ସେମାନେ ଦାବି କରିଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ, ଅଟୋ ଉଦ୍ୟୋଗରେ ଅଗ୍ରଣୀ ମାରୁତି ସୁଜୁକି ପକ୍ଷରୁ ଏହାର ଅଧ୍ୟକ୍ଷ ଆର୍.ସି.ଭାର୍ଗବ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ଏହାର ପ୍ରେସିଡେଣ୍ଟ(ଅଟୋମୋଟିଭ ସେକ୍ଟର) ରଞ୍ଜନ ଓ୍ବାଧେରା, ଅଟୋ ଯନ୍ତ୍ରାଂଶ,ଡିଲର ସମୂହ ସଂଘର ପ୍ରତିନିଧିମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ। ମାନ୍ଦାବସ୍ଥା କାରଣରୁ ଅଟୋ ସେକ୍ଟରରେ ନିଯୁକ୍ତି ଉଦ୍ବେଗଜନକ ଭାବେ ହ୍ରାସ ପାଇବାରେ ଲାଗିଛି ବୋଲି ସୀତାରାମନ୍ଙ୍କୁ ଜଣାଇ ଦିଆଯାଇଛି। ଏଣୁ ଅଟୋ ଉଦ୍ୟୋଗକୁ ଗତିଶୀଳ କରିବା ଲାଗି ସରକାର ପ୍ୟାକେଜ ଘୋଷଣା କରିବାକୁ ଦାବି କରାଯାଇଛି ବୋଲି ସୋସାଇଟି ଅଫ୍ ଇଣ୍ଡିଆନ ଅଟୋମୋବାଇଲ ମାନୁଫାକ୍ଚରର୍ସ(ସିଆମ) ପ୍ରେସିଡେଣ୍ଟ ଓ୍ବାଧେରା କହିଛନ୍ତି। ଏହି ଶିଳ୍ପରେ କାହିଁକି ମାନ୍ଦାବସ୍ଥା ଦେଖାଦେଲା ତାହା ଅର୍ଥମନ୍ତ୍ରୀ ପଚାରି ବୁଝିଥିଲେ।