ଅଜଣା ଗାଡ଼ିଧକ୍କାରେ ବ୍ୟକ୍ତିଙ୍କ ଜୀବନ ଗଲା: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

କେସିଙ୍ଗା,୨୮।୯: କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ଗ୍ରାମ ନିକଟସ୍ଥ ଜାତୀୟ ରାଜପଥ ୨୯ରେ ଅଜଣାଗାଡ଼ି ଧକ୍କାରେ ନିଳାମ୍ବର ବିଶି (୫୭) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ମୃତ ନିଳାମ୍ବରଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଶୁକ୍ରବାର ମୃତଦେହ ରଖି ସକାଳ ୬ଟାରୁ ୧୦ଟା ଯାଏ ଦୀର୍ଘ ୪ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରିଥିଲେ । ଫଳରେ ଭବାନୀପାଟଣା-ବଲାଙ୍ଗୀର ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ପରେ କେସିଙ୍ଗା ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି କେସିଙ୍ଗା ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ନିଳାମ୍ବର ପ୍ରତିଦିନ ପରି ସେଦିନ କେସିଙ୍ଗା ରେଳ ଷ୍ଟେଶନ ପାଖରେ ଥିବା ଏକ ହୋଟେଲରୁ କାମସାରି ବସ୍‌ରେ ଫେରିଥିଲେ। ତେବେ ଜାତୀୟ ରାଜପଥ ପାରି ହୋଇ ଘରକୁ ଯିବା ସମୟରେ ତାଙ୍କୁ ଏକ ଅଜଣାଗାଡ଼ି ଧକ୍କା ଦେଇଥିଲା।

Share