Categories: ଅନୁଗୋଳ

ଅଘୋଷିତ ବିଦ୍ୟୁତ୍‌କାଟରେ ପାଲଲହଡ଼ାବାସୀ ହନ୍ତସନ୍ତ; ଘଣ୍ଟାକୁ କଟୁଛି ୧୦ ଥରରୁ ଅଧିକ

ପାଲଲହଡା,୨୪।୬(ଡି.ଏନ.ଏ) ପାଲଲହଡ଼ା ଉପଖଣ୍ଡ ବିଭିନ୍ନ ଅଞ୍ଚଳରେ ପ୍ରତିଦିନ ଅଘୋଷିତ ବିଦ୍ୟୁତକାଟ ହେଉଥିବା ଅଭିଯୋଗ ହେଉଛି। ଘଣ୍ଟାକୁ ୧୦ରୁ ଊର୍ଦ୍ଧ୍ୱ ଥର ବିଦ୍ୟୁତ କାଟ ଯୋଗୁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆଯାଇ ସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଅଭିଯୋଗ ମୁତାବକ, ଉପଖଣ୍ଡରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଯିବା ପାଇଁ ପ୍ରଥମେ ରେଙ୍ଗାଳି ଗ୍ରୀଡ଼ରୁ ସଂଯୋଗ ଦିଆଯାଇଥିଲା। ପରେ ୨୦୧୦ରେ ଦେବଗଡ଼ ଜିଲା ବାରକୋଟ ଗ୍ରୀଡ଼ରୁ ସଂଯୋଗ ଦିଆଯାଇଥିଲା। ଉଦ୍ଦେଶ୍ୟ ଥିଲା ଗୋଟିଏ ଗ୍ରୀଡ଼ରେ ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ଅନ୍ୟ ଗ୍ରୀଡ଼ରୁ ଉପଭୋକ୍ତଙ୍କୁ ସେବା ଯୋଗାଇ ଦିଆଯାଇପାରିବ। କିନ୍ତୁ ସ୍ଥାନୀୟ ବିଦ୍ୟୁତ ବିଭାଗର ଅପାରଗତା ଯୋଗୁ ଦୀର୍ଘଦିନରୁ ରେଙ୍ଗାଳି ଗ୍ରୀଡ଼ର ସଂଯୋଗ ଖରାପ ହୋଇପଡ଼ିଥିବା ଅଞ୍ଚଳବାସୀ କହିଛନ୍ତି। ଫଳରେ ବାରକୋଟ ଗ୍ରୀଡ଼ରୁ ବର୍ତ୍ତମାନ ଅଞ୍ଚଳବାସୀ ସେବା ପାଉଛନ୍ତି। ଏହି ଗ୍ରୀଡ଼ରେ କୌଣସି ସମସ୍ୟା ଦେଖାଗଲେ ସମଗ୍ର ଅଞ୍ଚଳ ଅନ୍ଧକାର ହୋଇପଡ଼ଛି। ସେହିପରି ଉପଖଣ୍ଡରେ ଦୁଇ ଦୁଇଟି ଚିକିତ୍ସାଳୟ ଥିବାବେଳେ ବିଦ୍ୟୁତ୍‌ ବିଭ୍ରାଟ ଯୋଗୁ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ସଦର ମହାକୁମାରେ ପାଇପ ଜଳ ଯୋଗାଣଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ପାଲଲହଡ଼ା ଉପଖଣ୍ଡ ବିଦ୍ୟୁତ୍‌ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଫୋନ ନଂ. ୯୪୩୭୦୦୮୦୧୬ ସୁଇଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରିନାହିଁ । ବିଧାୟକ ମୁକେଶ କୁମାର ପାଲ କହିଛନ୍ତି, ଏ ନେଇ ବିଦ୍ୟୁତ୍‌ ବିଭାଗକୁ ତାଗିଦ କରାଯାଇଛି। ଖୁବଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।