traffic sign quoting "Heatstroke"
କାକଟପୁର,୨୯।୫(ଡି.ଏନ୍.ଏ.): ଗତ କିଛିଦିନ ଧରି ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ନୟାହାଟ, ତୁଳସୀପୁର, ବାଙ୍ଗୁରିଙ୍ଗା ଆଦି ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୭ଟାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅସହ୍ୟ ଗୁଳଗୁଳି ଅନୁଭୂତ ହେଉଥିବା ବେଳେ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ବୁଧବାର ମଧ୍ୟାହ୍ନରେ ଜଣେ ଚାଷୀଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ହେଲେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ କେନ୍ଦ୍ରାପଟି ଗ୍ରାମର କାଳନ୍ଦୀ ଦାସ(୪୮)। କାଳନ୍ଦୀ ବୁଧବାର ମଧ୍ୟାହ୍ନରେ ବିଲକୁ ଯାଇଥିବା ବେଳେ ସେଠାରେ ହଠାତ୍ ଅଚେତ ହୋଇ ପଡ଼ିଥିଲେ। ଗ୍ରାମବାସୀ ଓ ତାଙ୍କ ପରିବାରଲୋକେ ତାଙ୍କୁ ଚିକିତ୍ସା ଲାଗି ପ୍ରଥମେ ଅସ୍ତରଙ୍ଗ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଚାରିଛକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଖୁବ୍ଶୀଘ୍ର ମୃତ ଚାଷୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅସ୍ତରଙ୍ଗ କଂଗ୍ରେସ ନେତା ବାଉରିବନ୍ଧୁ ମହାନ୍ତି ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି।