ନୂଆଦିଲ୍ଲୀ,୩୦।୧୧: ଆଗାମୀ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ମସିହାରେ ଜୁନ୍ ମାସରେ ଆୟୋଜିତ ହେବ। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଏହି ମେଗା ଇଭେଣ୍ଟ ଆୟୋଜନ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଫ୍ରିକୀୟ ଦେଶ ଉଗାଣ୍ଡା ଶେଷ ଦଳ ଭାବରେ ଯୋଗ୍ୟତା ଅର୍ଜନ କରିଛି। ଆଗାମି ଟି୨୦ ବିଶ୍ୱକପରେ ସମୁଦାୟ ୨୦ ଟି ଦଳ ଅଂଶଗ୍ରହଣ କରିବେ।
ଆଫ୍ରିକା ମହାଦେଶରୁ ଦୁଇଟି ଦଳ ଆଇସିସି ପୁରୁଷ ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିବାର ଥିଲା। ଯେଉଁଥିରେ ନାମିବିଆ ପ୍ରଥମ ଦଳ ଭାବରେ ସ୍ଥାନ ପାଇଥିଲାବେଳେ ଉଗାଣ୍ଡା ଦଳ ଦ୍ୱିତୀୟ ତଥା ଶେଷ ଦଳ ଭାବରେ ଏହାର ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛି। ତେବେ ଜିମ୍ବାୱେ ଦଳ ମଧ୍ୟ ଏହି ଯୋଗ୍ୟତା ପର୍ଯ୍ୟାୟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଦିନିକିଆ ବିଶ୍ୱକପ ପରି ଏଠାରୁ ମଧ୍ୟ ଖାଲି ହାତରେ ଫେରିଛି।
https://twitter.com/ICC/status/1730162871126904891
ଆଫ୍ରିକୀୟ ଅଞ୍ଚଳରୁ ଆଇସିସି ଟି -୨୦ ବିଶ୍ୱକପ ୨୦୨୪ ପାଇଁ ଖେଳାଯାଉଥିବା ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ୭ ଦଳ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ନାମିବିଆର ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ଥିବାବେଳେ ଉଗାଣ୍ଡା ଦଳ ୬ ଟି ମ୍ୟାଚରେ ପାଞ୍ଚଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି।
ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି -୨୦ ବିଶ୍ୱକପରେ ୨୦ ଟି ଦଳ ଅଂଶଗ୍ରହଣ କରିବେ। ହୋଷ୍ଟ ହୋଇଥିବାରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ସେମାନଙ୍କ ସ୍ଥାନ ନିଶ୍ଚିତ କରିସାରିଛନ୍ତି। ଏହା ବ୍ୟତୀତ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ, ଆୟର୍ଲାଣ୍ଡ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି, କାନାଡା, ନେପାଳ, ଓମାନ, ନାମିବିଆ ଏବଂ ଉଗାଣ୍ଡା ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

