ହାରିଯାଇଛି କ୍ୟାନ୍‌ସର

ଭୁବନେଶ୍ୱର, ୪ା୨(ବ୍ୟୁରୋ): କ୍ୟାନ୍‌ସର ନାଁ ଶୁଣିଲେ ଲୋକେ ଡରିଯାଆନ୍ତି। ଜୀବନ ସରିଗଲା, ମୃତ୍ୟୁ ସୁନିଶ୍ଚିତ ବୋଲି ଭାବନ୍ତି। କ୍ୟାନ୍‌ସର ଆକ୍ରାନ୍ତଙ୍କୁ ଛୁଇଁବାକୁ ବି ଭୟ କରନ୍ତି। ମା’, ବାପା ଓ ପରିବାର ଲୋକେ ପୂରା ଭାଙ୍ଗିପଡ଼ନ୍ତି। କିନ୍ତୁ କ୍ୟାନ୍‌ସର ସହ ଲଢ଼ି ଜିତିଥିବା ସ୍ବାଗତିକା, ଦୁର୍ଲଭି ଓ ଗୁଲାପି ଏଭଳି ସାମାଜିକ ଚିନ୍ତାଧାରାକୁ ଭୁଲ୍‌ ବୋଲି ପ୍ରମାଣିତ କରିଛନ୍ତି। ସେମାନଙ୍କ ନିକଟରେ ହାରିଯାଇଛି କ୍ୟାନ୍‌ସର। ଏହା ଏକ ଦୁରାରୋଗ୍ୟ ବ୍ୟାଧି ନୁହଁ, ଠିକ୍‌ ସମୟରେ ଚିକିତ୍ସା ଓ ସଚେତନତା ଦ୍ୱାରା ଅନ୍ୟ ରୋଗ ଭଳି ଭଲ ହୋଇପାରିବ। ପରିବାରର ସହଯୋଗ ମିଳିଲେ ଓ ନିଜେ ଭାଙ୍ଗି ନ ପଡ଼ି ଦୃଢ଼ମନା ରହିଲେ; ମୃତ୍ୟୁ ନୁହେଁ, ନୂଆ ଜୀବନ ମିଳିବ ବୋଲି ସେମାନେ ସମାଜକୁ ବାର୍ତ୍ତା ଦେଇଛନ୍ତି। ମଙ୍ଗଳବାର ବିଶ୍ୱ କର୍କଟ ଦିବସ ପରିପ୍ରେକ୍ଷୀରେ ଏହି କ୍ୟାନ୍‌ସର ବିଜୟିନୀଙ୍କ ଜୀବନକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।
ରିପୋର୍ଟ : ଅସମାପିକା ସାହୁ

ଭାଙ୍ଗି ପଡ଼ି ନ ଥିଲି, ପଜିଟିଭ୍‌ ଥିଲି

ସ୍ବାଗତିକା ଆଚାର୍ଯ୍ୟ। ଘର କଟକ ବିଡ଼ାନାସୀରେ। ୨୨ବର୍ଷ ବୟସ୍କା ସ୍ବାଗତିକା ସୋଆର ଚତୁର୍ଥ ବର୍ଷ ଲ’ ଛାତ୍ରୀ। ଦିନଥିଲା ସେ କ୍ୟାନ୍‌ସରର ଶିକାର ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ କର୍କଟ ରୋଗୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୭ ଅକ୍ଟୋବରରେ ସ୍ବାଗତିକାଙ୍କ ବାମପଟ କାନ ତଳକୁ ଯନ୍ତ୍ରଣା ଆରମ୍ଭ ହେଲା। ଥଣ୍ଡା ଯୋଗୁ ଏପରି ହେଉଥିବା ଡାକ୍ତର କହି କିଛି ଔଷଧ ଲେଖିଥିଲେ। କିନ୍ତୁ ଦିନକୁ ଦିନ ସେହି ସ୍ଥାନଟି ଫୁଲିବା ସହ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା। ଡାକ୍ତରଙ୍କୁ ପୁଣି ଦେଖାଇବା ପରେ ଟିବି ହୋଇଥିବା ସନ୍ଦେହ କରି ପରୀକ୍ଷା ପାଇଁ ଲେଖିଥିଲେ ମଧ୍ୟ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏମିତି ୪ମାସ ଔଷଧ ଖିଆ ଚାଲିଥିଲାବେଳେ ବେକ ପୂରା ଫୁଲିଯାଇଥିଲା। ୨୦୧୮ ଫେବୃୟାରୀ ୨୨ରେ ହଠାତ୍‌ ସେ ଅଚେତ୍‌ ହୋଇପଡ଼ିଥିଲେ। ଏହାପରେ ମଧ୍ୟ ଡାକ୍ତର ଟିଭିର ଲକ୍ଷଣ ବୋଲି ପୁଣି ଦୋହରାଇଥିଲେ। ପରିବାର ଲୋକଙ୍କର କିନ୍ତୁ ସନ୍ଦେହ ବଢ଼ିଥିଲା। ତାଙ୍କ ବାପାଙ୍କର ଜଣେ ସମ୍ପର୍କୀୟ ଡାକ୍ତରଙ୍କ ପରାମର୍ଶକ୍ରମେ ବାୟୋସ୍ପି ପରେ କ୍ୟାନ୍‌ସର ହୋଇଥିବା ଜଣାପଡିଥିଲା। ମାର୍ଚ୍ଚ ୨୨ରେ ବମ୍ବେ ଟାଟା ମେମୋରିଆଲ ହସ୍ପିଟାଲକୁ ଯାଇ ବିଭିନ୍ନ ପରୀକ୍ଷା କରାଯିବା ପରେ ନାଜୋଫାରିଞ୍ଜେଲ୍‌ କାର୍‌ସିନୋମା କ୍ୟାନ୍‌ସର ହୋଇଥିବା ସ୍ପଷ୍ଟ ହୋଇଥିଲା। ତାହା ପ୍ରାଥମିକ ଅବସ୍ଥା ଥିଲା। ଏପ୍ରିଲ ୨୨ରେ ସ୍ବାଗତିକା ପ୍ରଥମେ କେମୋ ନେଇଥିଲେ। ଜୁନ୍‌ରେ କେମୋ ଚିକିତ୍ସା ସରିବା ପରେ ରେଡିଏଶନ ଚିକିତ୍ସା କରାଯାଇଥିଲା। ଚିକିତ୍ସା ଶେଷ ହେବାର ୩ମାସ ପରେ ହିଁ ସ୍ବାଗତିକା କ୍ୟାନ୍‌ସର ଉପରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିଲେ।
ସ୍ବାଗତିକ କୁହନ୍ତି, ମୋର ବାୟୋପ୍ସି ରିପୋର୍ଟ ଦେଖିବା ପରେ ପରିବାର ଲୋକେ ପୂରା ଭାଙ୍ଗି ପଡିଥିଲେ। ମୁଁ କିନ୍ତୁ ଏହାକୁ ପଜିଟିଭ୍‌ ଓ୍ବେରେ ଧରିନେଇ ନିଜ ମନକୁ ଦୃଢ଼ କରିଥିଲି। ମୋତେ କ୍ୟାନ୍‌ସର ହୋଇଥିବା ସମସ୍ତଙ୍କୁ କହୁଥିଲି। ଅନେକେ ଭଲରେ ଗ୍ରହଣ କରିଥିବାବେଳେ ଆଉ କେହି ମୋତେ ଛୁଇଁବାକୁ ମନା କରୁଥିଲେ। ତେବେ ମୁଁ ନିଜକୁ କେବେ ବି ଭାଙ୍ଗିବାକୁ ଦେଇ ନ ଥିଲି। କେମୋ ନେଲାବେଳେ ମୁଁ ଖୁସିରେ ଥାଏ, ବେଡ୍‌ରେ ଫଟୋ ମଧ୍ୟ ଉଠାଏ। କିନ୍ତୁ ମୋ ପାଖ ବେଡ୍‌ରେ ଚିକିତ୍ସିତ ହେଉଥିବା କ୍ୟାନ୍‌ସର ରୋଗୀଙ୍କୁ ଦେଖିଲେ ଦୁଃଖ ଲାଗେ। କାରଣ ସେମାନେ ସବୁବେଳେ ମନ ଦୁଃଖରେ ରହିଥାନ୍ତି ଓ ଏହି ରୋଗ ଯେମିତି କେବେ ଭଲ ହେବନି ବୋଲି ଭାବିଥାନ୍ତି। ସଚେତନତାର ଅଭାବ ଯୋଗୁ ଲୋକେ ଏହି ରୋଗର ଅର୍ଥ ମୃତ୍ୟୁ ବୋଲି ମନେକରନ୍ତି। ଏହାଛଡ଼ା ଛୁଇଁଦେଲେ ଏହି ରୋଗ ହୋଇଯିବ ବୋଲି ଭାବନ୍ତି। ତେଣୁ ସମାଜରେ କଳଙ୍କି ପରି ମାଡ଼ି ରହିଥିବା ଏଭଳି ଭୁଲ୍‌ ଭାବନାକୁ ଦୂର କରିବା ପାଇଁ ମୁଁ କିଛି କରିବାକୁ ଚାହିଁଲି। ପୂର୍ବରୁ ମୁଁ ସାମାଜିକ କାର୍ଯ୍ୟରେ ସାମିଲ୍‌ ଥିବାରୁ କ୍ୟାନ୍‌ସର ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରି ଆସୁଛି। ମୁଁ ଆଗରୁ ଯେମିତି ଥିଲି ଏବେ ମଧ୍ୟ ସେମିତି ରହିଛି। ଓଡ଼ିଶୀନୃତ୍ୟ କରୁଛି, ସାଙ୍ଗସାଥୀଙ୍କ ସହିତ ବୁଲିବାକୁ ଯାଉଛି। ଏଥିସହ ଅନେକ ଉଦାହରଣ ଦେଇ ସାଧାରଣ ଲୋକ ଓ କ୍ୟାନ୍‌ସର ଆକ୍ରାନ୍ତଙ୍କୁ ବୁଝାଉଛି। ଯେତେବେଳେ ସେମାନେ ମୋ କଥାକୁ ଗ୍ରହଣ କରନ୍ତି, ସେତେବେଳେ ମୋତେ ଭାରି ଖୁସି ଲାଗେ।

ଜୀବନ ଶେଷ ହୋଇଗଲା ଭାବିଥିଲି

ଦୁର୍ଲଭୀ ବିଶ୍ୱାଳ। ବରଗଡ଼ ଜିଲା ଭେଡେନ ବ୍ଲକ ଶାନ୍ତପିପିଲିପାଲି ଗ୍ରାମର ଝିଅ ଦୁର୍ଲଭୀ ଏବେ ସେଠାରେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ଗତବର୍ଷ ସରକାରୀ ସିଟି କଲେଜରେ ପଢ଼ୁଥିବାବେଳେ ତିନିମାସ ଧରି ଥଣ୍ଡା, କାଶ ଲାଗି ରହିଲା। ଅନେକ ପ୍ରକାର ଔଷଧ ଖାଇଥିଲେ ମଧ୍ୟ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇ ନ ଥିଲା। ଏହାପରେ ସେ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଦେଖାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ବାୟୋପ୍ସି ପରେ ସେ କ୍ୟାନ୍‌ସରରେ ଆକ୍ରାନ୍ତ ଥିବା ଜଣାପଡିଥିଲା। ତାଙ୍କୁ ସେଲ୍‌ ଲିମ୍ଫୋମା(ବ୍ଲଡ୍‌ କ୍ୟାନସର) ହୋଇଥିଲା। ତାହା ପୁଣି ତୃତୀୟ ଷ୍ଟେଜ୍‌ରେ ଥିବା ଡାକ୍ତରଙ୍କଠାରୁ ଶୁଣିବା ପରେ ଦୁର୍ଲଭୀ ପୂରା ଭାଙ୍ଗି ପଡ଼ିଥିଲେ। ଏହି ରୋଗ କେବେ ଭଲ ହେବ ନାହିଁ ଧରିନେଇଥିଲେ। ମା’ ବାପା ପୂରା ଚିନ୍ତାରେ ରହୁଥିଲେ। କିନ୍ତୁ ଡାକ୍ତରଙ୍କ ପ୍ରେରଣା ତାଙ୍କୁ ସାହାସ ଦେଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସା ଆରମ୍ଭ ହୋଇଥିଲା। ପ୍ରଥମେ ୬ଟି କେମୋ ପରେ ହୋଇଥିବା ପରୀକ୍ଷାରୁ ଆଉ ଅଳ୍ପ ଜୀବାଣୁ ରହିଯାଇଥିବା ଦେଖାଯାଇଥିଲା। ତେଣୁ ୭ ନମ୍ବର କେମୋ ନେବା ପରେ ତାଙ୍କର ୧୫ଥର ରେଡିଏଶନ ଚିକିତ୍ସା ହୋଇଥିଲା। ଏହାପରଠାରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏବେ ସେ କ୍ୟାନ୍‌ସରଠାରୁ ଜିତିଯାଇଛନ୍ତି। ଆଉ ନିଜକୁ ଦୃଢ଼ କରି ଅନ୍ୟମାନଙ୍କୁ ସଚେତନ କରାଉଛନ୍ତି। ବରଗଡ଼ ଜିଲା କ୍ୟାନ୍‌ସର ସଚେତନତା କେନ୍ଦ୍ରରେ ଜଣେ ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୨୦୦ଜଣ କ୍ୟାନ୍‌ସର ରୋଗୀଙ୍କୁ ସଚେତନ କରାଇସାରିଲେଣି। ଦୁର୍ଲଭୀ କୁହନ୍ତି, ଯେତେବେଳେ ମୁଁ ଅନ୍ୟମାନଙ୍କୁ ବୁଝାଇବାକୁ ଚେଷ୍ଟା କରେ ସେମାନଙ୍କ ମଧ୍ୟରୁ କେତେଜଣ ପଜିଟିଭ୍‌ ନଜରରେ ଦେଖନ୍ତି। ଆଉ କେତେଜଣ ଏହି ରୋଗ କେବେ ଭଲ ହେବ ନାହିଁ ବୋଲି କୁହନ୍ତି। ତେଣୁ ଏଭଳି ଚିନ୍ତାଧାରାକୁ ଦୂର କରିବାକୁ ଚେଷ୍ଟା ଜାରି ରହିଛି। ମନ ଯଦି ଦୃଢ଼ ରହିବ, କ୍ୟାନ୍‌ସରା ନିଶ୍ଚିତ ପରାଜିତ ହେବ।

ପରିବାର, ପଡ଼ୋଶୀଙ୍କ ସାହସ ଓ ସହଯୋଗ ଥିଲା

ଗୁଲାପୀ ପଟେଲ। ବୟସ ୪୯ ଛୁଇଁବ। ଗୁଲାପି ବରଗଡ଼ର ଭାଙ୍କୁର ଅଙ୍ଗନଓ୍ବାଡିରେ ପାଠ ପଢ଼ାଉଛନ୍ତି। ୨୦୦୯ରେ ତାଙ୍କୁ କ୍ୟାନ୍‌ସର ହୋଇଥିଲା। ଏହାର ପ୍ରାୟ ୨ବର୍ଷ ପୂର୍ବରୁ ତାଙ୍କ ବ୍ରେଷ୍ଟରେ ଏକ ଘା’ ହୋଇଥିଲା। ରାଜ୍ୟ ତଥା ବାହାରେ ଏକାଧିକ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଔଷଧ ଖାଇଥିଲେ। କିନ୍ତୁ ଘା’ ଆଦୌ ଶୁଖି ନ ଥିଲା। ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଡାକ୍ତର ତାଙ୍କୁ ବାୟୋପ୍ସି କରିବାକୁ କହିଥିଲେ। ବାୟୋପ୍ସି ରିପୋର୍ଟରୁ କ୍ୟାନ୍‌ସର ହୋଇଥିବା ଜାଣିବାକୁ ପାଇଥିଲେ। କିନ୍ତୁ ଏଥିରେ ଗୁଲାପୀ ଭାଙ୍ଗି ପଡ଼ି ନ ଥିଲେ। ସେ ମନକୁ ଦୃଢ଼ କରି ଚିକିତ୍ସା ଆରମ୍ଭ କରିଦେଇଥିଲେ। ୬ କେମୋ ସହିତ ୨୦ ରେଡିଏଶନ ଚିକିତ୍ସା ହୋଇଥିଲା। ଗୁଲାପୀ କୁହନ୍ତି, ମୋତେ ଯେତେବେଳେ କ୍ୟାନ୍‌ସର ହୋଇଥିଲା ମୋ ଘର ଲୋକ ସହିତ ପଡୋଶୀ ମୋତେ ସହଯୋଗ କରିଥିଲେ। ନାନା ଉଦାହରଣ ଦେଇ ସାହସ ଦେଇଥିଲେ। କୌଣସି ସାମାଜିକ ପରିସ୍ଥିତିର ମୁଁ ଶିକାର ହୋଇ ନ ଥିଲି। ତେବେ ଅନେକ ଲୋକଙ୍କର ଚିନ୍ତାଧାରା ଥାଏ ଯେ ଏହି ରୋଗର ଅର୍ଥ ମୃତ୍ୟୁ। ଜୀବନଧାରା ପରିବର୍ତ୍ତନ ହୋଇଯାଏ ବୋଲି ଭାବନ୍ତି। କିନ୍ତୁ ମୁଁ ଆଗରୁ ଯେଉଁଭଳି କାମ କରୁଥିଲି ଏବେ ମଧ୍ୟ ସେହିଭଳି କାମ କରୁଛି। ମୋର ଜୀବନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଲୋକେ ଏହା ବୁଝିବା ଉଚିତ୍‌। ପ୍ରଥମେ ଏହି ରୋଗର ଲକ୍ଷଣ ଜାଣିବା ଆବଶ୍ୟକ। ଲୋକଙ୍କ ମନରୁ ଭୁଲ୍‌ ଚିନ୍ତାଧାରାକୁ ବଦଳାଇବା ପାଇଁ ମୁଁ ଚେଷ୍ଟା କରୁଛି। ଅଙ୍ଗନଓ୍ବାଡ଼ିରେ ପାଠ ପଢ଼ାଇବା ସହିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛି।

ଆକ୍ରାନ୍ତ ସଂଖ୍ୟାରେ ଦେଶରେ ବରଗଡ଼ ୨ୟ

ଓଡ଼ିଶା ଏପର୍ଯ୍ୟନ୍ତ ନ୍ୟାଶନାଲ୍‌ କ୍ୟାନସର ରେଜିଷ୍ଟ୍ରିର ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଓଡ଼ିଶାରେ କର୍କଟ ରୋଗୀଙ୍କ ସ୍ଥିତି ନେଇ ସ୍ପଷ୍ଟ ହୋଇନାହିଁ। ତେବେ ସାମାଜିକ ଅନୁଷ୍ଠାନ ‘ଉମିଦେଁ’ର ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ୫୦ ହଜାର ଲୋକ କ୍ୟାନସରର ଶିକାର ହେଉଛନ୍ତି। ଓଡ଼ିଶାର ବରଗଡ଼ ଜିଲାରେ ସବୁଠାରୁ ଅଧିକ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବାବେଳେ ଦେଶର ଦ୍ୱିତୀୟ ସ୍ଥାନରେ ରହିଛି। ଅଧିକ ପେଷ୍ଟିସାଇଡ୍‌ ଓ ଫର୍ଟିଲାଇଜର ବ୍ୟବହାର ଦ୍ୱାରା ସେଠାରେ ଅଧିକ ଲୋକ କ୍ୟାନ୍‌ସରରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ସରକାର ଏବେ ସେଠାରେ କ୍ୟାନ୍‌ସର ହସ୍ପିଟାଲ ଖୋଲିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହା ସମାଧାନର ବାଟ ନୁହେଁ। ପେଷ୍ଟିସାଇଡ୍‌ ଓ ଫର୍ଟିଲାଇଜର ପାଇଁ ସେଠାକାର ସହରଠାରୁ ଆରମ୍ଭ କରି ଗାଁଗହଳିରେ ଶରୀର ପୋଡ଼ିଗଲା ଭଳି ଲାଗିବା ସହ ଆଖିରେ ଯନ୍ତ୍ରଣା ହୋଇଥାଏ। ଏହାକୁ ନେଇ ଉଠୁଥିବା ଅଭିଯୋଗ ଉପରେ ଅନୁଧ୍ୟାନ ଓ ଗବେଷଣା କରାଯିବାର ଆବଶ୍ୟକତା ରହିଛି ବୋଲି ‘ଉମିଦେଁ’ର ପ୍ରତିଷ୍ଠାତା ନିତାଇ ପାଣିଗ୍ରାହୀ କହିଛନ୍ତି।

ରୋଗୀଙ୍କୁ ପ୍ରଥମରୁ ଠିକ୍‌ ଡାଇଗ୍ନୋସିସ୍‌ କଲେ କ୍ୟାନ୍‌ସରକୁ ମୁକାବିଲା କରିପାରିବା। କ୍ୟାନ୍‌ସରକୁ ନେଇ ରହୁଥିବା ଭୟ ଛଡ଼ାଇବାକୁ ପଡ଼ିବ। ‘କ୍ୟାନସରକୁ ଜାଣିବା, କ୍ୟାନସରକୁ ଜିଣିବା’ ହେଉଛି ଏ ବର୍ଷର ସ୍ଲୋଗାନ। କ୍ୟାନସରକୁ ଜାଣିଲେ ହିଁ ଆମେ ଜିଣିପାରିବା। ଅନେକ ଲୋକ ରୋଗ ବିଷୟରେ ଜାଣିବା ପୂର୍ବରୁ ଆଖି ବୁଜୁଛନ୍ତି। ତେଣୁ ସଚେତନତା ନିହାତି ଆବଶ୍ୟକ। ସଚେତନତା ବିନା କ୍ୟାନସର ରୋକାଯାଇପାରିବ ନାହିଁ।
– ଲିଲି ଜେନାମଣି, ରୋଟାରିଆନ

ଓଡ଼ିଶାରେ ପ୍ରତିବର୍ଷ କ୍ୟାନ୍‌ସରରେ ଶିକାର ହେଉଥିବା ପାଖାପଖି ୪୦ରୁ ୫୦ହଜାର ଲୋକଙ୍କ ମଧ୍ୟରୁ ୪୦-୫୦ ପ୍ରତିଶତ ମୁଖଗହ୍ବର କ୍ୟାନ୍‌ସରରେ ଆକ୍ରାନ୍ତ। ତମାଖୁ ସେବନ ଦ୍ୱାରା ଏହି କ୍ୟାନ୍‌ସର ହେଉଛି। ବର୍ତ୍ତମାନ ସ୍ଥିତିରେ ତମାଖୁ ବ୍ୟବହାର ଉପରେ କଟକଣା ଲଗାଇବା ଓ ଖାଦ୍ୟଶସ୍ୟରେ ରାସାୟନିକ ସାର ପ୍ରୟୋଗ କମାଇବା ଜରୁରୀ।
-ମହମ୍ମଦ ଇମ୍ରାନ ଅଲ୍ଲି, ଆବାହକ,
ମିଶନ ଆନ୍‌ସର ଟୁ କ୍ୟାନସର

ଠିକ୍‌ ସମୟରେ କ୍ୟାନ୍‌ସର ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ରୋଗ ଦୂର କରିପାରିବ। ପରିବାର ଲୋକ, ପଡୋଶୀ, ବନ୍ଧୁବାନ୍ଧବ ଓ ସାମାଜିକ କର୍ମୀଙ୍କ ପକ୍ଷରୁ ଆକ୍ରାନ୍ତଙ୍କୁ ସହଯୋଗ ମିଳିବା ଉଚିତ। ଆମେ ସମସ୍ତେ ମିଶି ଏହି ରୋଗର ମୁକାବିଲା କରିପାରିବା। କ୍ୟାନସର ରୋଗୀଙ୍କୁ ସୁସ୍ଥ ଜୀବନ ଜିଇଁବାକୁ ସୁଯୋଗ ଦେଇପାରିବା। ଅର୍ଗାନିକ୍‌ ଭେଜିଟେବଲ୍‌ ଖାଇବା, ପ୍ରତିଦିନ ଶାରୀରିକ ବ୍ୟାୟାମ ଏବଂ ପର୍ଯ୍ୟାୟକ୍ରମେ ସ୍ବାସ୍ଥ୍ୟ ପରୀକ୍ଷା ରୋଗର ପ୍ରତିକାର ଭାବେ ସହଯୋଗ କରିବ।
– ଡା. ମାଧବାନନ୍ଦ କର, ସର୍ଜିକାଲ ଅଙ୍କୋଲୋଜି ବିଭାଗ ମୁଖ୍ୟ, ଏମ୍‌ସ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ କମାଲ୍‌ କଲେ ଦେବଗଡର ପିୟୁଷ: ଦ୍ୱିତୀୟ ପ୍ରଚେଷ୍ଟାରେ ହାସଲ କଲେ ସଫଳତା

ଦେବଗଡ଼, ୨୭।୫(ଶଶାଙ୍କ ଶେଖର ଝାଙ୍କର): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓସିଏସ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦେବଗଡ ସହରର ପିୟୁଷ ସାହୁ ୪୦…

ଜୁନ୍‌ ୧ରୁ ଅଗ୍ନିପଥ ଯୋଜନା:ଜାଣନ୍ତୁ କେମିତି କରିବେ ଆବେଦନ

କଟକ,୨୭।୫(କାର୍ତ୍ତିକ ସାହୁ):ଭାରତୀୟ ସେନାରେ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଏବଂ ନିୟମିତ କ୍ୟାଡ୍‌ର ଅନ୍‌ଲାଇନ ସାଧାରଣ ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ…

ବରଗଡ଼ ଧନୁଯାତ୍ରା ତୋରଣ ଭଙ୍ଗା ଘଟଣା: ଜନପ୍ରିୟ ସରକାରକୁ ବଦନାମ କରିବାକୁ ଚାଲିଛି ଚକ୍ରାନ୍ତ,ବରଗଡ଼ ଏମପି…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା ସବୁଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାର ତୁରନ୍ତ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବରଗଡ଼…

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri