ସ୍ବପ୍ନରେ ବିଶ୍ୱସ୍ତରୀୟ ଟର୍ମିନାଲ

୧୮୦ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟସିଟିର ସ୍ମାର୍ଟ ବସ୍‌ ଟର୍ମିନାଲ ରୂପ ନେଇଥାନ୍ତା ବରମୁଣ୍ଡା ବସ୍‌ଷ୍ଟାଣ୍ଡ। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ ଭାବେ ଏହାକୁ ଗଢି ତୋଳାଯାଇଥାନ୍ତା। ୨୦୧୯ ଏପ୍ରିଲ୍‌ ସୁଦ୍ଧା ଏହା ଅତ୍ୟାଧୁନିକ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପରିଣତ ହୋଇଥାନ୍ତା। ହେଲେ ସବୁକିଛି ଏବେ ସ୍ବପ୍ନ ପାଲଟିଛି। ଯୋଜନାର ବାସ୍ତବ ରୂପ ଦିଆଯିବା ବଦଳରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌କୁ ଆହୁରି ବିକୃତ କରିଦିଆଯାଇଛି। ପାଣିକାଦୁଅ, ଦୁର୍ଗନ୍ଧ ଓ ଅବ୍ୟବସ୍ଥା ମଧ୍ୟରେ ଦୁର୍ଦ୍ଦଶା ଭୋଗୁଛନ୍ତି ଯାତ୍ରୀ।

ରାଜ୍ୟର ସବୁଠାରୁ ବଡ଼ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ୧୪.୪୩ ଏକର ଜମିରେ ପରିବ୍ୟାପ୍ତ। ଏହାର ପରିସୀମାକୁ ଆହୁରି ବୃଦ୍ଧି କରାଯାଇ ଅତ୍ୟାଧୁନିକ ବସ୍‌ ଟର୍ମିନାଲରେ ପରିଣତ କରିବାକୁ ଯୋଜନା ହୋଇଥିଲା। ମାଗଣା ଓ୍ବାଇଫାଇରୁ ଆରମ୍ଭକରି ମଲ୍ଟି ଲେବଲ୍‌ ପାର୍କିଂ ବ୍ୟବସ୍ଥା, ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଓ ସିସିଟିଭି କ୍ୟାମେରା ପର୍ଯ୍ୟନ୍ତ ସବୁକିଛି ସୁବିଧା କରାଯିବାର ଥିଲା। ପବ୍ଲିକ୍‌ ପ୍ଲାଜା ଡିଜାଇନ୍‌ରେ ହେବାକୁ ଥିବା ଏହି ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପରିବହନ ପାଇଁ ପ୍ରିପେଡ୍‌ ଅଟୋରିକ୍ସା, ଅତ୍ୟାଧୁନିକ ବାଇସାଇକେଲ, ଓଲା, ଉବର ଭଳି ଟ୍ୟାକ୍ସି ଆଗ୍ରିଗେଟର ବ୍ୟବସ୍ଥା, ପାସେଞ୍ଜର ଇନ୍‌ଫରମେଶନ ସେଣ୍ଟର, ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଉପଲବ୍ଧ କରାଯାଇଥାନ୍ତା। ଏଥିପାଇଁ ଦିଲ୍ଲୀର ଇଣ୍ଟିଗ୍ରେଟେଡ୍‌ ଟ୍ରାନ୍‌ଜିଟ୍‌ ସିଷ୍ଟମ୍‌ ଲିମିଟେଡ୍‌ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିଥିଲା। ଉକ୍ତ ଡିଜାଇନ୍‌କୁ ବିଡିଏ ତରଫରୁ ପରିବହନ ବିଭାଗ ନିକଟରେ ଉପସ୍ଥାପନ ମଧ୍ୟ କରାଯାଇଥିଲା। ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଡର୍ନ ବସ୍‌ ଟର୍ମିନାଲର କାମ ଆରମ୍ଭ ହେବା ତ ଦୂରର କଥା, ଏଠାରେ ଥିବା ଖାଲଖମାରେ ସାମାନ୍ୟ ମାଟି ପକାଗଲା ନାହିଁ।
୨୦୧୮ ଜାନୁୟାରୀ ୧୧ରେ ବରବୁଣ୍ଡା ବସ୍‌ଷ୍ଟାଣ୍ଡ୍‌ର ଆଧୁନିକୀକରଣ ପାଇଁ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ୨୦୧୯ ଏପ୍ରିଲ ମାସ ସୁଦ୍ଧା କାମ ଶେଷ କରି ଏହାକୁ ଯାତ୍ରୀଙ୍କ ପାଇଁ ଉନ୍ମୁକ୍ତ କରିବାକୁ ନିଷ୍ପତ୍ତି ବି ହେଲା। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଟୁଇଟରରେ ଟୁଇଟ୍‌ କରି ବେଶ୍‌ ପ୍ରଶଂସା ପାଇଲେ। ମାତ୍ର ଧାର୍ଯ୍ୟ ତାରିଖରୁ ଏହା ମଧ୍ୟରେ ୩ମାସ ବିତିଗଲାଣି। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଆହୁରି ଖରାପ ହୋଇପଡ଼ିଛି। ପ୍ରତିଥର ବର୍ଷାଦିନ ଭଳି ଏଥର ମଧ୍ୟ ନାଳନର୍ଦ୍ଦମା ଓ କାଦୁଅ ପାଣିରେ ଭର୍ତ୍ତିହୋଇଛି ବସ୍‌ଷ୍ଟାଣ୍ଡ ପରିସର। କୁଢ କୁଢ ଆବର୍ଜନା ପଚିଶଢ଼ି ଗନ୍ଧ ବାହାରୁଛି। ଶୌଚାଳୟ ନ ଥିବାରୁ ଲୋକେ ବାହାରେ ପରିସ୍ରା କରୁଛନ୍ତି। ଏହାର ଦୁର୍ଗନ୍ଧରେ ନାକ ଫାଟିପଡୁଛି। ବରମଣ୍ଡା ବସ୍‌ଷ୍ଟାଣ୍ଡ୍‌ର ଏଭଳି ଅଭାବନୀୟ ଅବସ୍ଥା କେବଳ ରାଜ୍ୟବାସୀଙ୍କୁ ନୁହେଁ, ରାଜ୍ୟ ବାହାରୁ ଆସୁଥିବା ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକଙ୍କୁ ତିକ୍ତ ଅନୁଭୂତି ଦେଉଛି। ଏଭଳିସ୍ଥଳେ ମୁଖ୍ୟମନ୍ତ୍ରୀ କରିଥିବା ପୁରୁଣା ଟୁଇଟ୍‌କୁ ଲୋକେ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ସହ ଟ୍ରୋଲ୍‌ କରିବାକୁ ବି ଭୁଲିନାହାନ୍ତି।

ବସ୍‌ଷ୍ଟାଣ୍ଡ ଭିତରକୁ ଯିବାକୁ ଡରୁଛନ୍ତି ଯାତ୍ରୀ

ଅଧିକାଂଶ ଯାତ୍ରୀ ବସ୍‌ଷ୍ଟାଣ୍ଡ ଭିତରକୁ ଯିବାକୁ ଡରୁଥିବାବେଳେ ବାହାରେ ଛିଡ଼ାହୋଇ ବସ୍‌କୁ ଅପେକ୍ଷା କରୁଛନ୍ତି। ଫଳରେ ଟର୍ମିନାଲର ପ୍ରବେଶ ପଥରେ ଯାତ୍ରୀଙ୍କ ଭିଡ଼ ଲାଗୁଥିବାବେଳେ ବସ୍‌ଗୁଡିକ ଅଟକି ରହି ଯାତ୍ରୀଙ୍କୁ ଉଠାଉଥିବାରୁ ଅଧିକାଂଶ ସମୟରେ ଜାମ୍‌ ହୋଇ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି। ସେହିଭଳି ଶୌଚାଳୟ ଅବସ୍ଥା ନ କହିବା ଭଲ। ଏଠାରେ ପାଣି ଆସୁ ନ ଥିବାବେଳେ ଏହାକୁ ସଫାସୁତୁରା କରିବାକୁ ମଧ୍ୟ କେହି ନାହାନ୍ତି। ଫଳରେ ୟୁରିନ୍‌ ଇନ୍‌ଫେକ୍‌ଶନ ଭୟରେ ଯାତ୍ରୀମାନେ ଏହାକୁ ବ୍ୟବହାର ନ କରି ମୁକ୍ତାକାଶରେ ପରିସ୍ରା କରୁଛନ୍ତି। ଏପଟେ ମହିଳା ଯାତ୍ରୀମାନେ ଆହୁରି ଦୁର୍ଦ୍ଦଶା ଭୋଗୁଛନ୍ତି। ବସ୍‌ଷ୍ଟାଣ୍ଡ ଭିତରକୁ ଯିବାବେଳେ ରୁମାଲ୍‌ ନ ବାନ୍ଧିଲେ ଦୁର୍ଗନ୍ଧରେ ନାକ ପାଟିପଡ଼ୁଛି। ସ୍ମାର୍ଟସିଟିର ଏହି ବସ୍‌ଷ୍ଟାଣ୍ଡ ସ୍ମାର୍ଟ ନ ହୋଇପାରିଲେ ବି ନିଜ ସ୍ଥିତିକୁ ସୁଧାରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବଡ଼ ବଡ଼ ଖାଲରେ ଅଧିକାଂଶ ସମୟରେ ଯାତ୍ରୀମାନେ ପଡ଼ି ଆହତ ହେଉଛନ୍ତି। କେବଳ ଯାତ୍ରୀ ନୁହନ୍ତି, ବସ ଚାଳକମାନେ ମଧ୍ୟ ବସ୍‌ ଚଲାଇବାକୁ ନାକେଦମ୍‌ ହେଉଛନ୍ତି। ସ୍ଥିତି ଏପରି ହୋଇଛି ବସ୍‌ଷ୍ଟାଣ୍ଡ୍‌ରୁ ଗୋଟିଏ ବସ୍‌ ବାହାରିବାକୁ ୨୦ରୁ ୩୦ ମିନିଟ ଲାଗିଯାଉଛି।
ଏନେଇ ବିଡିଏ ଉପାଧ୍ୟକ୍ଷ ପ୍ରେମ ଚନ୍ଦ୍ର ଚୌଧୁରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାବେଳେ ଅନ୍ୟ ଅଧିକାରୀମାନେ ଏନେଇ କିଛି କହିପାରିବେ ନାହିଁ ବୋଲି କହିଥିଲେ।

ରିପୋର୍ଟ: ସସ୍ମିତା ପାଇକରାୟ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ

ଜଗତ୍‌ସିଂହପୁର ଅଫିସ, ୨୯।୬: ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସି ବିଭିନ୍ନ...

ଭୁବନେଶ୍ୱରରୁ ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଆଉ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୧୯ରୁ କ୍ୱାରାଣ୍ଟାଇନରୁ ୧୭୨ ଜଣ ଚିହ୍ନଟ ହୋଇଥିବାବେଳେ ୧୪୭ ଲୋକାଲ କଣ୍ଟାକ୍ଟ କେସ ରହିଛି।...

ଅଭିନେତ୍ରୀଙ୍କ ପ୍ରେମ ଠକେଇ, ମୁମ୍ବାଇରୁ ଭୁବନେଶ୍ୱର

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ):ମାଟ୍ରିମୋନି ସାଇଟ୍‌ରେ ଉଭୟଙ୍କର ହୋଇଥିଲା ପରିଚୟ। ତା’ପରେ ପ୍ରେମ ଆଉ ପ୍ରତାରଣା। ପ୍ରେମ ଓ ବିବାହ ବାହାନାରେ ପ୍ରେମିକଙ୍କଠାରୁ ଟଙ୍କା ଓ ସାମଗ୍ରୀ ହାତେଇନେବା ପରେ...

ଶ୍ରୀମନ୍ଦିର ହେବ ଆଲୋକୀକରଣ

ପୁରୀ ଅଫିସ,୧୬।୬: ଶ୍ରୀମନ୍ଦିରକୁ ଆଲୋକୀକରଣ କରାଯିବ। ରଙ୍ଗବେରଙ୍ଗ ଆଲୋକରେ ଶ୍ରୀମନ୍ଦିର ଚୂଡ଼ାରୁ ତଳ ଭାଗ ପର୍ଯ୍ୟନ୍ତ ଝଲସିବ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ (ଏଏସ୍‌ଆଇ)ର ପାଞ୍ଚଜଣିଆ...

କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାରେ ସାଇ ସୁକନ୍ୟା

ଭଦ୍ରକ, ୨ା୯ (ସନାତନ ରାଉତ): ଭାବର ଠାକୁର କାଳିଆ ପାଖକୁ ରାଖୀ ପଠାଇ ଚର୍ଚ୍ଚାକୁ ଆସିଛନ୍ତି ଭଦ୍ରକ ଜିଲା ତିହିଡ଼ି ଅଞ୍ଚଳର ସାଇ ସୁକନ୍ୟା। ଜଗନ୍ନାଥ...

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ବଳାତ୍କାର

ଭୁବନେଶ୍ୱର,୨୦।୪ (ବ୍ୟୁରୋ): ଧାର୍‌ ଟଙ୍କା ମାଗିବାରୁ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଛି। ପୁଣି ଏହାର ଭିଡିଓ ରେକର୍ଡ କରାଯିବା ସହ ଧମକ ଦିଆଯାଇ ମଞ୍ଚେଶ୍ୱର ଥାନା...

ଲୁଟିବାକୁ ଆସି ନେଲେ ଖାଲି ବ୍ୟାଗ

ଝାରସୁଗୁଡ଼ା ଅଫିସ,୨୨ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଏମ୍‌ସିଏଲ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଜଣେ...

ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ

ଛତିଆ,୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି...

Advertisement
Archives

Model This Week