ସୁନ୍ଦରବନ ଛୁଇଁବ ବୁଲ୍‌ବୁଲ୍‌

ଭୁବନେଶ୍ୱର,୯।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍‌’ ଉଗ୍ରରୂପ ଧାରଣ କରିଛି। ଏହା ଅଧିକରୁ ଅଧିକ ବଳ ଗୋଟାଇ ଉତ୍ତର ଦିଗକୁ ମାଡ଼ି ଚାଲିଛି। ଘଣ୍ଟା ପ୍ରତି ଏହା ୧୭ କିମି ବେଗରେ ଗତି କରୁଛି। ଶନିବାର ମଧ୍ୟରାତ୍ରରେ ବୁଲ୍‌ବୁଲ୍‌ ପଶ୍ଚିମବଙ୍ଗର ସାଗରଦ୍ୱୀପ ଏବଂ ବାଂଲାଦେଶର ଖେପୁପଡ଼ା ମଧ୍ୟରେ ସୁନ୍ଦରବନ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବାତ୍ୟା ସୁନ୍ଦରବନ ଦେଇ ଯାଉଥିବାରୁ ଏହାକୁ ଛାରଖାର କରିଦେଇପାରେ ବୋଲି ଆଶଙ୍କା କରାଯାଉଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବୁଲୁବୁଲ୍‌ ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୨୬୦ କି.ମି. ଏବଂ ପଶ୍ଚିମବଙ୍ଗର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ସାଗରଦ୍ୱୀପଠାରୁ ୫୧୦ କି.ମି. ଦୂରରେ ରହିଛି। ଏହା ଶନିବାର ସକାଳ ଯାଏ ଉତ୍ତର ଦିଗ ଦେଇ ଗତି କରିବ। ଏହାପରେ ଦିଗ ବଦଳାଇ ଉତ୍ତର ପୂର୍ବକୁ ଭୟଙ୍କର ବେଗରେ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ବେଳେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୫୦ କିଲୋମିଟର ଏବଂ ବେଳେ ବେଳେ ଏହା ୧୬୦ କି.ମି. ବେଗରେ ଝଟକା ଦେବ ବୋଲି ଅନୁମାନ କରାଯାଇଛି।
ଓଡ଼ିଶା ନିକଟ ଦେଇ ଗତି କରୁଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ୬୦ରୁ ୭୦ କିମି, ବେଳେବେଳେ ୯୦ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି। ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ୁ ନ ଥିଲେ ମଧ୍ୟ ୮ ତାରିଖ ରାତ୍ରିରୁ ୧୦ ତାରିଖ ସକାଳ ଯାଏ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ଏନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ପବନ ମାଡ଼ରେ ଗଛ ଉପୁଡ଼ିବା, ଚାଳଘର ଭାଙ୍ଗିବା ସହ ବିଦ୍ୟୁତ୍‌, ଟେଲିଫୋନ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ରାଜ୍ୟ ସରକାର ଉପକୂଳବର୍ତ୍ତୀ ଜିଲାର ଜିଲାପାଳମାନଙ୍କୁ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଲୁଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରିବା ସହ ବାତ୍ୟା ଆଶ୍ରୟସ୍ଥଳଗୁଡିକରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି।
ସ୍ବତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା ଜିଲାପାଳଙ୍କ ସହିତ ବାତ୍ୟା ପ୍ରସ୍ତୁତି ନେଇ ନିୟମିତ ଯୋଗାଯୋଗ କରୁଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ବୁଲ୍‌ବୁଲ୍‌ର ଗତିବିଧି ଉପରେ କେନ୍ଦ୍ର ସରକାରଙ୍କର ମଧ୍ୟ ନଜର ରହିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭକରି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ, କେନ୍ଦ୍ର କ୍ୟାବିନେଟ ସଚିବ ରାଜ୍ୟ ସରକାରଙ୍କ ସହିତ ନିୟମିତ ବ୍ୟବଧାନରେ ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ନୂଆଦିଲ୍ଲୀଠାରେ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ଆପତ୍‌ ପରିଚାଳନା କମିଟି(ଏନ୍‌ସିଏମ୍‌ସି) ବୈଠକରେ ବାତ୍ୟା ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଏଥିସହିତ କ୍ୟାବିନେଟ ସଚିବ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ବୈଠକ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଏସ୍‌ଆର୍‌ସି କହିଛନ୍ତି ଯେ, ବୁଲ୍‌ବୁଲର ପ୍ରଭାବ ଓଡ଼ିଶା ଉପରେ ଅଧିକ ନ ଥିଲେ ମଧ୍ୟ ଉପକୂଳବର୍ତ୍ତୀ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୬୦ରୁ ୯୦ କିମି ବେଗରେ ପବନ ବହିବ। ରାଜ୍ୟର ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ସ୍ଥାନରେ ରହିଛନ୍ତି। ତେବେ ପଶ୍ଚିମବଙ୍ଗର ୫୦ ଜଣ ମତ୍ସ୍ୟଜୀବୀ ଧାମରା ପହଞ୍ଚିବେ ବୋଲି ପଶ୍ଚିମବଙ୍ଗ ସରକାର ଜଣାଇଛନ୍ତି। ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି। ବାଲେଶ୍ୱର ତଳସାରୀ ସମୁଦ୍ର କୂଳକୁ ପର୍ଯ୍ୟଟକ ଯେପରି ନ ଯିବେ ସେ ନେଇ ପଦକ୍ଷେପ ଗ୍ରହଣ କରିବା ଲାଗି ଜିଲାପାଳଙ୍କୁ କୁହାଯାଇଛି। ପ୍ରଭାବିତ ଆଶଙ୍କା ଥିବା ୬ ଜିଲାରେ ଓଡ୍ରାଫ୍‌, ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଏବଂ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି। ବାତ୍ୟା ପ୍ରସ୍ତୁତି ସମ୍ପର୍କରେ କ୍ୟାବିନେଟ ସଚିବଙ୍କୁ ଅବଗତ କରାଯାଇଛି। ବାତ୍ୟା ପରବର୍ତ୍ତୀ ସମୟରେ ଟେଲି ଯୋଗାଯୋଗ ସେବା ପ୍ରଭାବିତ ହେଲେ ଟେଲିଫୋନ୍‌ କମ୍ପାନୀଗୁଡିକୁ ତୁରନ୍ତ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେବାକୁ କ୍ୟାବିନେଟ ସଚିବ ପ୍ରତିଶ୍ରୁତି କହିଛନ୍ତି।
ବାତ୍ୟା ପ୍ରଭାବରେ ଶୁକ୍ରବାର ଦିନତମାମ ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲାରେ ହାଲକା ପବନ ସହିତ ବର୍ଷା ଲାଗି ରହିଛି। ସମୁଦ୍ର କୂଳରେ ପବନର ବେଗ ୩୦ରୁ ୪୦ କି.ମି. ରହିଥିବାବେଳେ କେତେକ ସ୍ଥାନରେ ତୁହାକୁ ତୁହା ବର୍ଷା ହେଉଥିବା ସୂଚନା ମିଳିଛି। ବାତ୍ୟା ପାଇଁ ରାଜ୍ୟ ସରକାର ପୂରା ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଇବାକୁ ନ ପାଇ ୨ଶିଶୁଙ୍କୁ ହତ୍ୟା କଲା ଆଦିବାସୀ ମା’:  ତଦନ୍ତ ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧।୭(ବ୍ୟୁରୋ): ରାଜ୍ୟରେ କେହି ଗରିବ ରହିବେ ନାହିଁ। ଖାଲି ପେଟରେ କାହାକୁ ରହିବାକୁ ଦିଆଯିବ ନାହିଁ। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର...

ବଲାଣି ସେଲ୍‌ ଖଣିରେ ଦୁର୍ଘଟଣା: କ୍ରଶରରେ ଚାପି ହୋଇ ଶ୍ରମିକଙ୍କ ୩ ଆଙ୍ଗୁଠି କଟିଲା

ବଡ଼ବିଲ, ୧୦।୧(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଲାଣି ସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଷ୍ଟିଲ ଅଥରିଟି ଅଫ୍‌ ଇଣ୍ଡିଆ ଲିଃ(ସେଲ) ଖଣିରେ ଶୁକ୍ରବାର ସକାଳେ ଦୁର୍ଘଟଣା ଘଟିଛି। କ୍ରଶର...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ନିୟମ: ଫେରିବା ପୂର୍ବରୁ ସରପଞ୍ଚଙ୍କୁ ସମସ୍ତ ତଥ୍ୟ ଦେବା ଜରୁରୀ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆ(ଶ୍ରମିକ)ମାନେ ଚିନ୍ତାର କାରଣ ପାଲଟିଛନ୍ତି। ସମ୍ପ୍ରତି...

ସରକାରୀ ହସ୍ପିଟାଲରୁ ଦଲାଲ ହଟାଇବାକୁ ସ୍ପେଶାଲ ଡ୍ରାଇଭ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗିରଫ ହେଲେ ୩୫

ଭୁବନେଶ୍ୱର,୨୭ା୯(ବ୍ୟୁରୋ) :ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ନାନା ଭାବେ ପ୍ରଭାବିତ ଓ ପ୍ରଲୋଭିତ କରି ଘରୋଇ ହସ୍ପିଟାଲକୁ ପଠାଯାଉଛି। ସେଠାରେ ନାନା ଭାବେ ରୋଗୀଙ୍କୁ ଶୋଷଣ...

ଭୁବନେଶ୍ୱରରୁ ଆଜି ୩୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୧୭।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୦୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୪...

ଗାଁଗୁଡିକରେ ପୁଣି ସକ୍ରିୟ ହେବ କୋଭିଡ ପରିଚାଳନା କମିଟି: ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କୁ ଦିଆଯିବ ଦାୟିତ୍ୱ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଗାଁଗୁଡିକରେ ପୁଣି କୋଭିଡ ପରିଚାଳନା କମିଟି ସକ୍ରିୟ ହେବ। ତେବେ ସ୍ଥିତି ଦେଖି ଲକ୍‌ଡାଉନ କି ଅନ୍ୟ ଦିଗ ଉପରେ ନିଷ୍ପତ୍ତି ନିଆଯିବ। ସୋମବାର...

ବ୍ଲକସ୍ତରୀୟ ଜନଶୁଣାଣି ଶିବିର: ୩୮ ପରିବାର କଲେ ଶହେ ଦିନର କାମ

ବିଜେପୁର, ୩।୧ (ଡି.ଏନ.ଏ): ବରଗଡ ଜିଲା ବିଜେପୁର ବ୍ଲକ ସଭା କକ୍ଷରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଶୁକ୍ରବାର...

ମାଣିଙ୍ଗପଦର ଗାଁ ରାସ୍ତାକଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଭବାନୀପାଟଣା, ୨୦।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମାଣିଙ୍ଗପଦର ଗାଁ ମୁଣ୍ଡ ରାସ୍ତା କଡ଼ରୁ ସୋମବାର ସକାଳେ ଏକ ନବଜାତ ଶିଶୁ କନ୍ୟା...

Advertisement


Archives

Model This Week

Why Dharitri