![](https://www.dharitri.com/wp-content/uploads/2019/09/96facba0-e680-4a63-abde-824f697fed4f.jpg)
ଗଣ୍ଡତୁରୁମ,୨୭।୯(ଡି.ଏନ୍.ଏ.): ବରଗଡ଼ ଜିଲା ଭେଡେନ ତହସିଲ ଅର୍ନ୍ତଗତ ଗଣ୍ଡତୁରୁମସ୍ଥିତ ରାଜସ୍ବ ଡାକବଙ୍ଗଳା ପରିସରରୁ ଗୁରୁବାର ବିଳମ୍ବିତ ରାତିରେ ଶାଗୁଆନ ଗଛ ଚୋରି ଉଦ୍ୟମ ବିଫଳ ହୋଇଛି। ଅଭିଯୁକ୍ତ ଭୟରେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ସେ ହେଲେ ଗ୍ରାମର ପ୍ରଫୁଲ୍ଲ ରାଉତିଆ।
ପ୍ରକାଶ ଯେ, ପ୍ରଫୁଲ୍ଲ ଗଛ କାଟୁଥିବା ବେଳେ ତାହା ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିଲା। ଖୁଣ୍ଟଟି ଭାଙ୍ଗିଯିବା ସହିତ ତାର ଛିଣ୍ଡି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେହି ସମୟରେ ପ୍ରଫୁଲ୍ଲ କୁରାଢ଼ୀ ଧରି ଦୌଡ଼ି ପଳାଉଥିବା ଗ୍ରାମବାସୀ ଦେଖି ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଫରେଷ୍ଟର ପି. ଝାଙ୍କର ଓ ଫରେଷ୍ଟଗାର୍ଡ ଚୁମ୍କି ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଗଛ ଗଣ୍ଡିକୁ ଜବତ କରିଛନ୍ତି। ପୂର୍ବରୁ ମଧ୍ୟ ପ୍ରଫୁଲ୍ଲ ଶାଗୁଆନ ଗଛ କାଟି କାରପେଣ୍ଟରଙ୍କୁ ବିକ୍ରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଅଭିଯୁକ୍ତ ପ୍ରଫୁଲ୍ଲ ଗିରଫ ଭୟରେ ରାତିରୁ ଫେରାର ଥିବା ଫରେଷ୍ଟର ଝାଙ୍କର ସୂଚନା ଦେଇଛନ୍ତି।