ପିତା-ପୁତ୍ର ସମ୍ପକ

ସପ୍ତର୍ଷି ନାୟକ

ଭାରତରେ ବିଭିନ୍ନ ଚଳଚ୍ଚିତ୍ର ମାଧ୍ୟମରେ ଆମ ଜୀବନର ସତ୍ୟକୁ ଦେଖାଇବାର ପ୍ରୟାସ ଲେଖକମାନେ କରିଥାଆନ୍ତି। କିଛି ଦିନ ହେବ ସେଭଳି ଏକ ଚଳଚ୍ଚିତ୍ର ‘ଆନିମଲ୍‌’ ଯାହାକି ଭାରତୀୟ ଯୁବପିଢ଼ିଙ୍କ ଦ୍ବାରା ଆଦୃତ ହୋଇଛି । ଅନେକ ସ୍ଥାନରେ ଏ ଚଳଚ୍ଚିତ୍ରକୁ ନିନ୍ଦା ମଧ୍ୟ କରାଯାଇଛି। ତେବେ ଚଳଚ୍ଚିତ୍ରର ମୁଖ୍ୟ ବିଷୟବସ୍ତୁ ଥିଲା ପିତା ଓ ପୁତ୍ର ମଧ୍ୟରେ ଥିବା ନକାରାତ୍ମକ ସଂକୀର୍ଣ୍ଣ ସମ୍ପର୍କ। ବାସ୍ତବରେ ଦେଖିବାକୁଗଲେ ଭାରତୀୟ ପରିବାରରେ ପିତା ଓ ପୁତ୍ର ମଧ୍ୟରେ ଥିବା ସମ୍ପର୍କରେ ସର୍ବଦା ଏକ କଠୋରତା ପରିଲକ୍ଷିତ ହୋଇଥାଏ। ଉଦାହରଣ ସ୍ବରୂପ କିଛି ପିଲା କୁହନ୍ତି ସେମାନଙ୍କର କିଛି ବିଷୟ ପ୍ରତି ରୁଚି ଥିଲାବେଳେ ବାପାଙ୍କ ଚାପରେ ଆଉ କିଛି ବିଷୟ ପଢ଼ିବାକୁ ବାଧ୍ୟ ହୁଅନ୍ତି। ଯାହା ଫଳରେ ଚାକିରି ପରେ ମଧ୍ୟ ସେସବୁ ତାଙ୍କ ମନରୁ ଲିଭିନଥାଏ। ଅଧିକନ୍ତୁ ଚାକିରି ପରେ ମଧ୍ୟ ସେମାନେ ଖୁସିରେ ରହିପାରନ୍ତି ନାହିଁ। କିଛି ଲୋକଙ୍କର ଅଭିଯୋଗ ଥାଏ, ତାଙ୍କ ପିଲାମାନଙ୍କୁ ଯେତେ ବୁଝେଇଲେ ମଧ୍ୟ ସେମାନେ ବୁଝିବାକୁ ଅସମର୍ଥ। କିଛି କ୍ଷେତ୍ରରେ ଏହାର ବିପରୀତ ମଧ୍ୟ ପରିଲକ୍ଷିତ ହୁଏ। ଏସବୁ ବହୁପିଢ଼ିରୁ ଚାଲିଆସିଛି। ସର୍ବଦା ପାଖରେ ଥାଇ ପରସ୍ପର ବିଷୟରେ ଭାବୁଥିଲେ ମଧ୍ୟ ସେମାନଙ୍କ ସମ୍ପର୍କରେ ଏକ ଦୂରତା ସର୍ବଦା ରହିଥାଏ। ଏସବୁ ସମସ୍ତେ ଅନୁଭବ କଲେ ମଧ୍ୟ ୟା’ ବିଷୟରେ କିଛି ବି ଆଲୋଚନା ହୁଏନାହିଁ।
ପିତା ଓ ପୁତ୍ର ମଧ୍ୟରେ ଦେଖାଯାଉଥିବା ଏହି ସମ୍ପର୍କର ଦୂରତ୍ୱକୁ ବୁଝିବାକୁ ହେଲେ ଏହାକୁ ୩ଟି ସ୍ତରରେ ବିଶ୍ଳେଷଣ କରାଯାଇପାରେ। ପ୍ରଥମତଃ ଯେତେବେଳେ ପିଲାଟି ଛୋଟଥାଏ। ସାଧାରଣତଃ ଛୋଟପିଲାଙ୍କ ମନରେ କିଛି ବି ମୋହମାୟା ନ ଥାଏ। ଯାହା ସହ ସେମାନେ ଖେଳନ୍ତି ଓ ସମୟ ଅତିବାହିତ କରନ୍ତି, ସେମାନଙ୍କୁ ସେମାନେ ଭଲପାଇଯା’ନ୍ତି। ଛୋଟ ପିଲାମାନେ ସେଥିପାଇଁ ନିଜ ମା’ ସହ ଥିବା ସ୍ନେହ ମମତାର ବନ୍ଧନକୁ ଅନୁଭବ କରନ୍ତି। କର୍ମକ୍ଷେତ୍ରରେ ଥିବା ଚାପ, ପାରିବାରିକ ଓ ସାମାଜିକ ଚାପରେ ଥିବା ଜଣେ ପୁରୁଷ କେବେବି ନିଜ ପୁତ୍ର ସହ ସମୟ ଅତିବାହିତ କରିବା କି ତାକୁ ସ୍ନେହ କରିବାକୁ ଗୁରୁତ୍ୱ ଦିଅନ୍ତି ନାହଁି। ଛୋଟବେଳୁ ହିଁ ମାଆ ସହ ସବୁବେଳେ ରହିଥିବା ପୁଅ ମାଆ ଉପରେ ଯେତିକି ନିଜର ଅଧିକାର ଓ ସ୍ନେହ ଅନୁଭବ କରେ, ତାହା ସେ ପିତାଙ୍କ ସହ କରିପାରେ ନାହଁି। ଉଦାହରଣ ସ୍ବରୂପ ଛୋଟ ବେଳେ କିଛି ବି ଆର୍ଥିକ ସମସ୍ୟା ହେଲେ ସେ ମା’କୁ ଅଳି କରି ମାଗିଥାଏ। କିନ୍ତୁ ଯେତେବେଳେ ପିଲା ୨୫ ବର୍ଷର ଜଣେ ଯୁବକ ହୁଏ, ସେ ନିଜର ଆର୍ଥିକ ସମସ୍ୟାକୁ ଘରେ କହିବାକୁ ଲଜ୍ଜା ବୋଧକରେ। ପିତାଙ୍କ ପାଖରେ ସେଭଳି ନିଜସ୍ବଭାବ କେବେବି ଜଣେ ପୁରୁଷ ଅନୁଭବ କରିପାରେ ନାହଁି। ପିତା ସର୍ବଦା ଚାହାନ୍ତି, ଯାହା କଷ୍ଟ ସେ ଭୋଗିଛନ୍ତି ସେସବୁ ଆଗରୁ ପିଲାଙ୍କୁ ସତର୍କ କରିଦେବା ପାଇଁ। ସେଥିପାଇଁ ୧୫-୧୬ ବର୍ଷ ହେଲେ ସେ ବିଭିନ୍ନ ଉପାୟରେ ଗାଳି ମାଧ୍ୟମରେ, କଠୋର ଭାବେ ଏସବୁକୁ ବୁଝେଇବାକୁ ଚେଷ୍ଟା କରନ୍ତି। ଏସବୁ ବୁଝେଇବାର ଶୈଳୀ କେବେକେବେ ଏତେ କଠୋର ହେଇଯାଏ ଯେ, ସେ ଭୁଲିଯା’ନ୍ତି କି ସବୁ ମଣିଷ ସମାନ ନୁହନ୍ତି କି ସମସ୍ତଙ୍କର କାର୍ଯଦକ୍ଷତା ମଧ୍ୟ ସମାନ ନୁହେଁ। ୧୫-୧୬ ବର୍ଷରେ ନିଜ ସ୍ବପ୍ନର ଦୁନିଆରେ ଥିବା ପିଲା ମଧ୍ୟ ଏସବୁକୁ ବୁଝିବାକୁ ଅସମର୍ଥ ହେଇଥାଏ। ତେବେ ଛୋଟବେଳୁ ଥିବା ସମ୍ପର୍କର ଦୂରତ୍ୱ ଆହୁରି ଅଧିକ ବଢ଼ିଯାଏ। ପିତା-ପୁତ୍ର ମଧ୍ୟରେ ଥିବା ଏହି ଅଦୃଶ୍ୟ ପାଚେରି ସମୟ ସହ ଆହୁରି ବଢ଼ି ବଢ଼ି ଚାଲେ। କେବେ ପାଠପଢ଼ାକୁ ନେଇ କି, କେବେ ଚାକିରି କି ନେଇକି ତ କେବେ ବାହାଘରକୁ ନେଇ କି ପିତା-ପୁତ୍ର ମଧ୍ୟରେ ସର୍ବଦା ଭାବନାର ଦୁଇ ମତ ଦେଖାଯାଇଥାଏ। ନିଜ ଜାତିରେ ବାହା ହବା ପ୍ରଥା ପ୍ରାଚୀନ କାଳରୁ ରହିଆସିଛି। ଏହି ପ୍ରଥାକୁ ଆଗକୁ ବଢ଼େଇବାର ଭାର ରହିଥାଏ ଘରର ମୁରବି ତଥା ପୁରୁଷ ସଦସ୍ୟଙ୍କ ଉପରେ। କିନ୍ତୁ ବର୍ତ୍ତମାନର ପିଢ଼ି ବାହାଘରକୁ ନେଇକି ସ୍ବାଧୀନତା ଚାହାନ୍ତି। ଏସବୁ ନେଇ ସବୁବେଳେ ପିତା-ପୁତ୍ର ମଧ୍ୟରେ ମନୋମାଳିନ୍ୟ ଦେଖାଯାଏ। କିଛି କ୍ଷେତ୍ରରେ ପିତା-ପୁତ୍ର ନିଜ ଭିତରେ ଥିବା ସମ୍ପର୍କକୁ ଏତେ କଠୋର ନକରି ଆଲୋଚନା ଦ୍ବାରା ଏସବୁର ସମାଧାନ କରିଦିଅନ୍ତି। ଆଗକୁ ଏସବୁ ଏକ ସୁସ୍ଥ ପରିବାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣକରେ।
ଆଗକାଳରୁ ପିତା-ପୁତ୍ର ମଧ୍ୟରେ ଥିବା ଭୟର ସମ୍ପର୍କ ବର୍ତ୍ତମାନ ପରିବର୍ତ୍ତନ ହେବା ଆବଶ୍ୟକ। ଭୟରୁ ଜାତ ହୋଇଥିବା ଭକ୍ତି କିଛି ସମୟ ପରେ ଘୃଣାର ରୂପ ନେଇଥାଏ। ଏବେ ଆଧୁନିକ ସମାଜରେ ପିତା-ପୁତ୍ର ସମ୍ପର୍କରେ ବହୁତ ପରିବର୍ତ୍ତନ ମଧ୍ୟ ଆସିଛି। ଏବେ ପିତା-ପୁତ୍ର ସହ ମିତ୍ର ଭଳି ଆଚରଣ କରୁଛନ୍ତି। ସମ୍ମାନ, ସଂସ୍କାର ସହ ପିଲାଙ୍କ ମନକୁ ବୁଝିବାକୁ ଆଧୁନିକ ବାପାମାନେ ମଧ୍ୟ ଚେଷ୍ଟା କରୁଛନ୍ତି। ଦେଖାଯାଇଛି କଠୋର ଶାସନରେ ଥିବା ପିଲାମାନେ ସମାଜରେ ବଞ୍ଚତ୍ବାକୁ ମିଛର ସାହାରା ନେଇଥାଆନ୍ତି। ତେବେ ଏସବୁ ମନୋଭାବର ପରିବର୍ତ୍ତନ ଆବଶ୍ୟକ। ବାପା ପୁଅକୁ ଜୀବନରେ କ’ଣ କରିବୁ ବୋଲି ପଚାରେ, କିନ୍ତୁ କେବେ ପୁଅ କେମିତି ଅଛୁ କ’ଣ ଚାଲିଛି ତୋ ଜୀବନରେ ଏକଥା ପଚାରନ୍ତି ନାହିଁ। ଏଭଳି ଛୋଟ ଛୋଟ କଥା ପିତା-ପୁତ୍ର ମଧ୍ୟରେ ଦୂରତା ସୃଷ୍ଟି କରିଥାଏ। ଅନେକ ଲୋକ ସାମାଜିକ ଚାପରେ ରହି ନିଜ ପୁଅକୁ ଭଲପାଇଲେ ମଧ୍ୟ ମନର ଭାବନାକୁ ବର୍ଣ୍ଣନା କରିବାରେ ଅସମର୍ଥ ହୁଅନ୍ତି। ଆଧୁନିକ ଯୁବପିଢ଼ି ନିଜ ଭାବନାକୁ ସର୍ବୋପରି ନ ଭାବି ଆଲୋଚନା ଦ୍ୱାରା ପିତା-ପୁତ୍ର ମଧ୍ୟରେ ଥିବା ସଂକୀର୍ଣ୍ଣ ସମ୍ପର୍କକୁ ସମାଧାନ କରିବା ଉଚିତ।
ଗବେଷକ, ପଦାର୍ଥ ବିଜ୍ଞାନ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଭଞ୍ଜବିହାର, ଓଡ଼ିଶା
ମୋ: ୮୨୪୯୯୯୭୬୭୭


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri