ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ଗସ୍ତରେ ଏକ ବଡ଼ ଝଟକା ପାଇଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ, ଆୟର ଅଷ୍ଟ୍ରେଲୀୟ ଉଇକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ କରିବାକୁ ଚେଷ୍ଟା କରିବା ସମୟରେ ପଡ଼ିଯାଇଥିଲେ। ଏହି ଘଟଣା ତାଙ୍କ ପ୍ଳିହାରେ ଆଘାତ ଦେଇଥିଲା ଏବଂ ଡାକ୍ତରୀ ପରୀକ୍ଷାରୁ ଭିତରେ ରକ୍ତସ୍ରାବ ହୋଇଥିବା ଜଣାପଡ଼ିଥିଲା। ଯେଉଁଥିଲାଗି ତାଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ଅସ୍ତ୍ରୋପଚାର ସମ୍ପର୍କରେ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି।
ଖୁସି ଖବର ହେଉଛି ଯେ ଶ୍ରେୟସ ଆୟରଙ୍କ Spleen(ପ୍ଳିହା) ଆଘାତ ପାଇଁ ଛୋଟ ଅସ୍ତ୍ରୋପଚାର କରାଯାଇଛି। ସେ ଏଥିରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। କ୍ରିକବଜ ରିପୋର୍ଟ ଅନୁଯାୟୀ ତାଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ଥିର ଅଛି ଏବଂ ତାଙ୍କୁ ICUରୁ ବାହାରକୁ ଅଣାଯାଇଛି। ଏହା ଏକ ଛୋଟ ଅସ୍ତ୍ରୋପଚାର ଥିଲା, କିନ୍ତୁ ତାଙ୍କୁ ଅତି କମରେ ପାଞ୍ଚ ଦିନ ଏବଂ ସର୍ବାଧିକ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ତେଣୁ ସେ ଆଗାମୀ କିଛି ଦିନ ପାଇଁ ହସ୍ପିଟାଲରେ ରହିବେ। ବର୍ତ୍ତମାନ ସେ ବିପଦରୁ ମୁକ୍ତ ଏବଂ ସୁସ୍ଥ ହେଉ ଥିବାରୁ, କ୍ରିକେଟ ପ୍ରଶଂସକମାନେ ଆଶ୍ୱସ୍ତ ହୋଇଛନ୍ତି।
ରିପୋର୍ଟ ଅନୁସାରେ, ଆୟରଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିଛି। ତାଙ୍କୁ ଏକ ସାଧାରଣ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ଏବଂ ସେ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଆଶା କରାଯାଉଛି। ବିସିସିଆଇ ଡାକ୍ତରୀ ଦଳ ସିଡନୀରେ ତାଙ୍କ ଆଘାତ ଉପରେ ମଧ୍ୟ ନଜର ରଖିଛନ୍ତି।
ଶ୍ରେୟସ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଭାରତ ଫେରିବେ। ତଥାପି ମଇଦାନକୁ ଫେରିବାକୁ ତାଙ୍କୁ ଚାରିରୁ ଛଅ ସପ୍ତାହ ଲାଗିପାରେ। ଫଳସ୍ବରୂପ ସେ ନଭେମ୍ବର ୩୦ ତାରିଖରୁ ଭାରତରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ODI ସିରିଜରେ ଖେଳି ନ ପାରନ୍ତି ବୋଲି କୁହାଯାଇଛି।
Dharitri – Odisha’s No.1 Odia Daily