Categories: Home Leftଖେଳ

୨୦୧୧ ବିଶ୍ୱକପ୍‌ ଫାଇନାଲ ସ୍ମୃତି ଉଜ୍ଜୀବିତ: ପୁଣି ଦେଖିବାକୁ ମିଳିବ ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ରାୟପୁର,୧୯।୩- ପ୍ରାୟ ୧୦ ବର୍ଷ ତଳେ ଖେଳାଯାଇଥିଲା ୨୦୧୧ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌, ଯେଉଁଥିରେ ଶ୍ରୀଲଙ୍କାକୁ ହରାଇ ଚାମ୍ପିୟନ ହୋଇଥିଲା ଟିମ୍‌ ଇଣ୍ଡିଆ। ପୁଣି ଥରେ ଏଭଳି ଏକ ମ୍ୟାଚ୍‌ ଆସନ୍ତା ୨୧ ତାରିଖରେ ଦେଖିବାକୁ ମିଳିବ। ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ୍‌ ଫାଇନାଲରେ ପରସ୍ପରକୁ ଭେଟିବେ ସମାନ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦଳରେ ୨୦୧୧ ବିଶ୍ୱକପ୍‌ ଖେଳିଥିବା ବହୁ ଖେଳାଳି ରହିଛନ୍ତି। ଇଣ୍ଡିଆ ଲିଜେଣ୍ଡ୍ସରେ ୨୦୧୧ ଚାମ୍ପିୟନ ଦଳର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ବାଗ, ଯୁବରାଜ ସିଂ, ମୁନାଫ ପଟେଲ ଓ ୟୁସୁଫ ପଠାନ ରହିଛନ୍ତି। ଶ୍ରୀଲଙ୍କା ଲିଜେଣ୍ଡ୍ସ ପାଇଁ ଖେଳୁଛନ୍ତି ୨୦୧୧ ଉପ ବିଜେତା ଦଳର ତିଲକରତ୍ନେ ଦିଲସାନ, ଅପୁଲ ଥରାଙ୍ଗା, ନୂଆନ କୁଲସେକରା, ରଙ୍ଗନା ହେରାଥ ଓ ଚାମାରା ସିଲଭା। ଏହାବାଦ୍‌ ୨୦୧୧ ବିଶ୍ୱକପ୍‌ ଭଳି ସଚିନ, ସେହ୍ବାଗ ଓ ଯୁବି ଫୁଲ ଫର୍ମରେ ଅଛନ୍ତି। ଆଉ ଶ୍ରୀଲଙ୍କାର ଦିଲଶାନ ଓ ଥରଙ୍ଗାଙ୍କ ବ୍ୟାଟର ଯାଦୁ ମଧ୍ୟ ଦେଖିବାକୁ ମିଳିସାରିଛି।

ରାୟପୁରଠାରେ ଖେଳାଯାଇଥିବା ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ଶ୍ରୀଲଙ୍କା ଲିଜେଣ୍ଡ୍ସ ୮ ଉଇକେଟରେ ଦକ୍ଷିଣ ଆଫ୍ରିକା ଲିଜେଣ୍ଡ୍ସକୁ ହରାଇ ଦେଇଛି। ଏଥିପୂର୍ବରୁ ସଚିନଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଲିଜେଣ୍ଡ୍ସ ତା’ର ସେମିଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ୍‌ସକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା।