ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା: ପୂର୍ବତନ ଏମ୍‌ପିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୨ା୩(ପ୍ରଭୁକଲ୍ୟାଣ ପାଲ): ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି। ତାଙ୍କୁ ପୂର୍ବରୁ ମିଳିଥିବା ‘ଅନ୍ତରୀଣ ସୁରକ୍ଷା’ ଅବଧିକୁ ଆସନ୍ତା ଏପ୍ରିଲ ୧୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ହାଇକୋର୍ଟ। ଅନ୍ୟପଟେ ତାଙ୍କ ଠାରୁ ଜବତ କରାଯାଇଥିବା ଦଲିଲ ଓ ଦସ୍ତାବିଜ୍‌ର ଚିଠା ବା ତାଲିକା ଯୋଗାଇଦେବାକୁ କୋର୍ଟ କହିଛନ୍ତି। ଭୁବନେଶ୍ୱର ସିବିଆଇ ଅଦାଲତରେ ଚାଲିଥିବା ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରୁ ତାଙ୍କୁ ବାଦ ଦେବା ଲାଗି ସେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ପ୍ରାରମ୍ଭିକ ଶୁଣାଣିରେ ହାଇକୋର୍ଟ ରବୀନ୍ଦ୍ରଙ୍କ ଆବଦେନକୁ ଗ୍ରହଣ କରିବା ସହ ତାଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ। ତେବେ ସର୍ତ୍ତ ସ୍ବରୂପ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ସହ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଥିଲେ। ତେବେ ଗତ ଶୁଣାଣି ସମୟରେ ତାଙ୍କଠାରୁ ଜବତ କରାଯାଇ ଅବ୍ୟବହୃତ ସମସ୍ତ ଦଲିଲକୁ ଫେରାଇ ଦେବାକୁ ସେ କୋର୍ଟରେ ଦରଖାସ୍ତ କରିଥିଲେ। ତାଙ୍କଠୁ କ’ଣ କ’ଣ ଦଲିଲ ଦସ୍ତାବିଜ ଜବତ କରାଯାଇଛି ସେ ସବୁର ଏକ ତାଲିକା ଦାଖଲ ହୋଇଛି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

Dharitri – Odisha’s No.1 Odia Daily

Share