ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ଉତ୍କଟ

ଶିଳ୍ପାଞ୍ଚଳରେ ବାୟୁ ପ୍ରଦୂଷଣ ଉତ୍କଟ

ଯାଜପୁର ଅଫିସ,(ହର୍ଷବର୍ଦ୍ଧନ ବେହେରା),୧୪।୨: ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ଶିଳ୍ପ, ଖଣି ଓ ରାଇସ ମିଲ ସଂସ୍ଥାଗୁଡିକ ଦ୍ୱାରା ବାୟୁ ପ୍ରଦୂଷଣ କେବଳ ଅନିୟନ୍ତ୍ରିତ ନୁହେଁ ବରଂ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି। ବାୟୁ ପ୍ରଦୂଷଣ ନିରୀକ୍ଷଣ କେନ୍ଦ୍ର ପକ୍ଷରୁ ୨୦୧୫ରୁ ୨୦୧୭ ମଧ୍ୟରେ ସଂଗୃହୀତ ତଥ୍ୟ ଅନୁସାରେ ରାଜ୍ୟର ୩୪ଟି ସହର ମଧ୍ୟରୁ ଯାଜପୁର ଜିଲାର କଳିଙ୍ଗନଗର ମଧ୍ୟ ବାୟୁ ପ୍ରଦୂଷଣ ତାଲିକାରେ ରହିଛି। ଏହି ସହରରେ ପ୍ରତି ଘନମିଟର(କ୍ୟୁବିକମିଟର) ପିଛା ୧୧୩ ମାଇକ୍ରୋଗ୍ରାମ ରହିଛି। ବେଳହୁଁ ପ୍ରତିକାର ସ୍ବରୂପ କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କଲେ ଏହା ବିଭୀଷିକାମୟ ପରିସ୍ଥିତି ସୃଷ୍ଟି କରିବ ବୋଲି ବିଭିନ୍ନ ଅନୁଷ୍ଠାନ ଓ ପରିବେଶବିତମାନେ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି)ଦ୍ୱାରା ନିର୍ଦ୍ଧାରିତ ବାର୍ଷିକ ବାୟୁ ଗୁଣାମତ୍କ ମାନ ଘନମିଟର ପିଛା ୬୦ ମାଇକ୍ରୋଗ୍ରାମ କଣିକା ରହିବା କଥା, କିନ୍ତୁ କଳିଙ୍ଗନଗର ଅଞ୍ଚଳରେ ଏହାର ପ୍ରାୟ ଦୁଇଗୁଣ ପ୍ରଦୂଷଣ କଣିକା ରହୁଥିବା ଜଣାପଡ଼ିଛି। ଫଳରେ ଶିଳ୍ପାଞ୍ଚଳରେ ଗତ ୧୦ବର୍ଷ ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବାୟୁ, ଜଳ ଓ ଧୂଳିଧୂଆଁଜନିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏପରିକି ମାନପୁର ରେଳୱେ ସାଇଡିଂ ନିକଟରେ ଥିବା ଧୂଳିଗଡ ପଞ୍ଚାୟତର ୭୦ଜଣଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ ଲୋକ ଅକାଳରେ ମୃତ୍ୟୁବରଣ କଲେଣି ।
ଅନ୍ତର୍ଜାତୀୟସ୍ତରରେ ୨୦୧୧ ମସିହାଠାରୁ ଭାରତର ବାୟୁ ପ୍ରଦୂଷଣ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କଳିଙ୍ଗନଗର ବ୍ୟତୀତ ଓଡିଶାର ଅନୁଗୋଳ, ବାଲେଶ୍ୱର, ବ୍ରହ୍ମପୁର, କଟକ, ଭୁବନେଶ୍ୱର, ପୁରୀ, କେନ୍ଦୁଝର, ପାରାଦୀପ, କୋଣାର୍କ, ରାୟଗଡା, ତାଳଚେର, ସମ୍ବଲପୁର, ରାଉରକେଲା, ରାଜଗାଙ୍ଗପୁର ଓ ଝାରସୁଗୁଡା ସହରରେ ବାର୍ଷିକ ବାୟୁ ପ୍ରଦୂଷଣ ଘନମିଟର ପିଛା ୧୦୦ ମାଇକ୍ରୋଗ୍ରାମରୁ ଅଧିକ ରହିଛି । ତେବେ ୨୦୧୫ରୁ ୨୦୧୬ ମଧ୍ୟରେ କଳିଙ୍ଗନଗର ସମେତ ଭୁବନେଶ୍ୱର, ପୁରୀ ଓ କୋଣାର୍କରେ ବାୟୁ ପ୍ରଦୂଷଣ ବୃଦ୍ଧି ହେବାରେ ଲାଗିଛି । ଅନ୍ୟପକ୍ଷେ ଅନୁଗୋଳ, ରାଉରକେଲା ଓ ତାଳଚେର ଅଞ୍ଚଳରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିବା ଜଣାପଡିଛି । ମାନପୁର ରେଳୱେ ସାଇଡିଂ ସମେତ ବିଭିନ୍ନ ଶିଳ୍ପସଂସ୍ଥା ଅଧିକ ଲାଭ ଉଦ୍ଦେଶ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କରିବା ଦିଗରେ ଅବହେଳା କରୁଥିବାରୁ ଏଭଳି ଫଳ ଭୋଗୁଛନ୍ତି କଳିଙ୍ଗନଗରବାସୀ । ଏହି ବେଆଇନ କାର୍ଯ୍ୟ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଙ୍କୁଶ ଲଗାଇବା ପରିବର୍ତ୍ତେ ଓଲଟା ଶିଳ୍ପପତିମାନଙ୍କୁ ସହାୟକ ହେଉଥିବାରୁ ଅକାଳରେ ଲୋକେ ମରଣ ମୁହଁକୁ ଠେଲି ହୋଇଯାଉଥିବା ଅଭିଯୋଗ ହୋଇଛି । ମାନପୁର ରେଳୱେ ସାଇଡିଂ ଗେଟ ଓ ଏହାର ଆଖପାଖ ଅଞ୍ଚଳରେ ସନ୍ଧ୍ୟା ହେଲେ ରଙ୍ଗ ବଦଳିଯାଏ । ଦିନ ବେଳା ବି କଳା ପାଉଁଶ କୁହୁଡି ଭଳି ଭ୍ରମ ସୃଷ୍ଟି ହୋଇଥାଏ। ଘରଦ୍ୱାର, ଗଛପତ୍ର, ଜମି, ବନ୍ଧ, ଜଳାଶୟ ଧୂଳିଧୂଆଁ ଆବରଣରେ ଛାଇ ହୋଇଯାଉଛି। ଉକ୍ତ ଅଞ୍ଚଳବାସୀଙ୍କ ପୋଷାକର ରଙ୍ଗ ମଧ୍ୟ ବଦଳି ଯାଉଛି। ଆଦିବାସୀ ଅଧ୍ୟୁଷିତ ସୁକିନ୍ଦା ବ୍ଲକର ଗୋବରଘାଟି, ଓଳିଆ, ସଂସାଇଲୋ, ଡୁବୁରୀ, ବାରଗାଡିଆ ଓ ସାରଙ୍ଗପୁର ଏବଂ ଦାନଗଦି ବ୍ଲକର ଚାନ୍ଦିଆ, ନଡିଆଭଙ୍ଗା, ଧୂଳିଗଡ, ତ୍ରିଜଙ୍ଗା, ମାନତିରା, ଯଖପୁରା, କିମ୍ଭୀରିଗଡିଆ ଗ୍ରାମ ପଞ୍ଚାୟତବାସୀଙ୍କ ଜୀବନ ବାୟୁ, ଜଳ ଓ ଧୂଳିଧୂଆଁ ପ୍ରଦୂଷଣରେ ଦୁର୍ବିଷହ ହୋଇପଡିଛି। ସମସ୍ତ ବୃହତ କମ୍ପାନୀରେ କ୍ଲିନର ବୈଷୟିକ ତ୍ରୁଟି, ଫିଲ୍‌ଟର ବ୍ୟାଗ କାମ ନ କରିବା, ଇଏସପି ମେଶିନକୁ ନିୟମିତ ଭାବେ ଚଲା ନ ଯିବା କାରଣରୁ ଏଭଳି ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହାସହ ରାସ୍ତାଘାଟରେ ପୁରୁଣା ଗାଡି ଚଳାଚଳ ଓ ଅତ୍ୟଧିକ ଧୂଆଁ ବାହାରିବା ପ୍ରଦୂଷଣର କାରଣ ହୋଇଛି । ଏ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅନୁପ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, କଳିଙ୍ଗନଗର ଅଞ୍ଚଳର ରାସ୍ତାଘାଟରେ ଅନ୍‌ଫିଟ ଗାଡି ଚଳାଚଳ ଯୋଗୁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଏନେଇ ବାରମ୍ବାର ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମାନପୁର ରେଲୱେ ସାଇଡିଂର ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ମାନପୁର ଓଭରବ୍ରିଜ କାର୍ଯ୍ୟକାରୀ ହେବାପରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇବ ବୋଲି ସେ କହିଛନ୍ତି ।

All Right Reserved By
I&PR

Model This Week

ସନ୍ତୋଷ