ଖେଳ |

ବୋଲର ଜିତାଇଲେ ଜୋହାନ୍ସବର୍ଗ ଟେଷ୍ଟ

ବୋଲର ଜିତାଇଲେ ଜୋହାନ୍ସବର୍ଗ ଟେଷ୍ଟ

ଜୋହାନ୍ସବର୍ଗ,୨୭। ୧(ପି.ଟି.) ଦ୍ରୁତ ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ଭ୍ରମଣକାରୀ ଭାରତ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ୍‌ ନାଟକୀୟ ଢଙ୍ଗରେ ୬୩ ରନରେ ପରାସ୍ତ କରିଛି। ‘ଅନ୍ତ ଭଲା ତୋ ସବ୍‌ ଭଲା’ ନ୍ୟାୟରେ ଭାରତ ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହୋଇ ସିରିଜ ହାତଛଡ଼ା କରିସାରିଥିଲେ ମଧ୍ୟ ଏହି ସାନ୍ତ୍ୱନାମୂଳକ ବିଜୟ ହାସଲ କରିବା ସହ ସମ୍ମାନ ବଞ୍ଚାଇବାକୁ ସମର୍ଥ ହୋଇଛି। ଏଥି ସହିତ ଭାରତ ସ୍ଥାନୀୟ ଓ୍ବାଣ୍ଡରର୍ସ ଷ୍ଟାଡିୟମରେ ତା’ର ଅପରାଜେୟ ଧାରାକୁ ବଜାୟ ରଖିଛି। ପରାସ୍ତ ହୋଇଥିଲେ ମଧ୍ୟ ଦ.ଆଫ୍ରିକା ୨-୧ରେ ସିରିଜ ବିଜୟୀ ହୋଇଛି। ପ୍ରଥମଥର ପାଇଁ ଭାରତ ବିଦେଶ ମାଟିରେ କୌଣସି ସ୍ପିନରଙ୍କୁ ଖେଳାଇ ନ ଥିଲେ ମଧ୍ୟ ସବୁ ପେସ୍‌ ବୋଲରଙ୍କୁ ନେଇ ବିଜୟୀ ହୋଇଛି।
ପ୍ରଥମ ଇନିଂସରେ ମାତ୍ର ୭ ରନରେ ପଛରେ ପଡିଥିବା ଭାରତ ଦ୍ୱିତୀୟ ଇନିଂସରେ ୨୪୭ ରନ କରି ଆଉଟ ହୋଇଥିଲା। ଫଳରେ ଦ.ଆଫ୍ରିକା ସମ୍ମୁଖରେ ୨୪୧ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଜବାବରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ଦ.ଆଫ୍ରିକା ମହମ୍ମଦ ସାମିଙ୍କ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଚତୁର୍ଥ ଦିନରେ ୭୩.୩ ଓଭରରେ ୧୭୭ ରନ କରି ଅଲଆଉଟ ହେବା ସହ ବିଜୟଠାରୁ ୬୪ ରନ ଦୂରରେ ରହିଯାଇଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ସେହିପରି ସାରା ସିରିଜରେ ଉଚ୍ଚକୋଟୀର ବୋଲିଂ କରିଥିବା ଦ.ଆଫ୍ରିକା ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଛନ୍ତି।
ବୋଲିଂ ଫ୍ରେଣ୍ଡଲି ଓ୍ବାଣ୍ଡରର୍ସର ଏହି ଉଇକେଟରେ ଦ.ଆଫ୍ରିକା ୨୪୧ ରନ ଟାର୍ଗେଟର ପିଛା କରି ମାତ୍ର ୫ ରନରେ ଏଡେନ ମାରାକ୍ରାମଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ମାରାକ୍ରାମ ୪ ରନ କରି ପ୍ରଥମେ ଆଉଟ ହୋଇଥିଲେ। ଏକଦା ଗୋଟିଏ ଉଇକେଟ ହରାଇ ଦ.ଆଫ୍ରିକା ୧୨୪ ରନ କରି ବେଶ ଦୃଢ଼ ସ୍ଥିତିରେ ଥିଲା ଓ ବିଜୟ ଆଡକୁ ଅଗ୍ରସର ହେଉଥିଲା। ଦ୍ୱିତୀୟ ଉଇକେଟ ଯୋଡିରେ ଓପନ ଡିନ ଏଲଗାର ଓ ଅଭିଜ୍ଞ ହାସିମ ଅମଲା ୧୧୯ ରନର ଭାଗୀଦାଥି ସ୍ଥାପନ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ତେବେ ଆମଲା ୫୨ ରନ କରି ଆଉଟ ହେବା ପରେ ଦ.ଆଫ୍ରିକା ଇନିଂସ ତାସ୍‌ଘର ପରି ଭୁଶୁଡି ପଡିଥିଲା। ଇଶାନ୍ତ ଶର୍ମା ଅମଲାଙ୍କୁ ଆଉଟ କରି ଏହି ମହତ୍ତ୍ୱପୂର୍ଣ୍ଣ ବ୍ରେକ୍‌ ଥ୍ରୁ ଦେଇଥିଲେ। ଗୋଟିଏ ପଟେ ଏଲଗାର ଦୃଢ଼ତାର ସହ ବ୍ୟାଟିଂ ଜାରି ରଖିଥିଲେ ମଧ୍ୟ ଅନ୍ୟ ପଟେ ଉଇକେଟ ଝଡ଼ିବାରେ ଲାଗିଥିଲା। ଏଲଗାର ୮୬ ରନ କରି ଶେଷ ପର୍ଯନ୍ତ ଅପରାଜିତ ରହିଥିଲେ ମଧ୍ୟ ଅନ୍ୟମାନେ ଯିବା ଆସିବା କରିଥିଲେ। ଫିଲାଣ୍ଡର ୧୦ ରନ କରି ଆଉଟ ହୋଇଥିବା ବେଳେ ଅନ୍ୟମାନେ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ଉଇକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ୍‌, ଆଣ୍ଡିଲ ଫେଲୁକାଓ୍ବାଓ, କାଗିସୋ ରାବାଡ଼ା ଓ ମର୍ନି ମୋର୍କେଲ ଖାତା ଖୋଲିବାକୁ ସକ୍ଷମ ହୋଇ ନ ଥିଲେ। ଅଭିଜ୍ଞ ଏବି ଡିଭିଲର୍ସ ୬, ଅଧିନାୟକ ଫାଫ୍‌ ଡୁପ୍ଲେସି ୨, ଲୁଙ୍ଗି ଏନ୍‌ଗିଡି ୪ ରନ କରି ଆଉଟ ହୋଇଥିଲେ। ବୋଲିଂରେ ଭାରତ ତରଫରୁ ମହମ୍ମଦ ସାମି ସର୍ବାଧିକ ୫ଟି ଉଇକେଟ ହାସଲ କରି କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେହିପରି ପ୍ରଥମ ଇନିଂସରେ ୫ ଉଇକେଟ ହାସଲ କରିଥିବା ଯଶପ୍ରୀତ ବୁମରା ଓ ଇଶାନ୍ତ ଶର୍ମା ଦୁଇଟି ଲେଖାଏ ସଫଳତା ପାଇଥିଲେ। ପ୍ରଥମ ଇନିଂସରେ ୩ ଉଇକେଟ ହାସଲ କରିଥିବା ଭୁବନେଶ୍ୱର କୁମାର ଗୋଟିଏ ସଫଳତା ପାଇଥିଲେ। ପୂର୍ବରୁ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୧୮୭ ରନ କରି କରିଥିଲା। ଜବାବରେ ଦ.ଆଫ୍ରିକା ୧୯୪ ରନ କରି ଅଲଆଉଟ ହେବା ସହ ୭ ରନର ଅଗ୍ରଣୀ ହାସଲ କରିଥିଲା। ସାରା ସିରିଜରେ ଭାରତୀୟ ବୋଲରମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ତେବେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁ ଭାରତ ସିରିଜ ହାରିଲା ବୋଲି କୁହାଯାଇପାରେ।
ଅସମାପ୍ତ ସ୍କୋର ୧୭/୧ରୁ ଦ.ଆଫ୍ରିକା ଖେଳ ଆରମ୍ଭ କରିଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ଏଲଗାର ଓ ଆମଲା ଦୃଢତାର ସହ ବ୍ୟାଟିଂ କରି ଓ ଅର୍ଦ୍ଧଶତକ ହାସଲ କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

କଲମ୍ବୋ,୨୫।୫(ଏଏଫ୍‌ପି)- ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭାଙ୍କ ପିତାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଶ୍ରୀଲଙ୍କା ଦଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ଜଣେ ବନ୍ଧୁକଧାରୀ ଦୃବୁତ୍ତ ଧନଞ୍ଜୟଙ୍କ ପିତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

କାଉଣ୍ଟି କ୍ଲବ ସରେ ଦୁଖତଃ

ଲଣ୍ଡନ,୨୫।୫- ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ସିଜନରେ କାଉଣ୍ଟି କ୍ରିକେଟ ଖେଳିବେ ନାହିଁ। ଏ ନେଇ ସରେ କ୍ରିକେଟ କ୍ଲବ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ”ବିରାଟଙ୍କୁ ଦେଖିବା ପାଇଁ ଇଚ୍ଛୁକ ଦର୍ଶକଙ୍କୁ ଟିକେଟ୍‌ର ଅର୍ଥରାଶି ଫେରସ୍ତ କରାଯାଉ“ ବୋଲି କ୍ଲବର ହୋମ ପେଜରେ ଲେଖାଯାଇଛି।

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ ଭଉଣୀ

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ ଭଉଣୀ

ପ୍ୟାରିସ,୨୫।୫(ଏପି)- ସେରେନା ଓ ଭେନସ ଓ୍ବିଲିୟମ୍ସ ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମହିଳା ଡବଲ୍ସ ବର୍ଗରେ ଖେଳିବେ। ଏ ନେଇ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟ ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: କଟକ ଓଏସ୍‌ଏପି ଚାମ୍ପିୟନ

କଟକ ଅଫିସ,୨୫।୫- ଓଏମ୍‌ପିସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଖେଳ ପଡ଼ିଆରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ଉଭୟ ଫାଇନାଲ ମ୍ୟାଚ୍‌ ଗୁରୁବାର ଖେଳାଯାଇଛି। ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଉଭୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କବାଡ଼ି ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୫୭-୩୩ ପଏଣ୍ଟରେ ସମ୍ବଲପୁର ଜିଲା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାର ୩ୟ ସ୍ଥାନ ନିମନ୍ତେ ଓଡ଼ିଶା ଫାୟାର ସର୍ଭିସ ଓ ଦେଓଗଡ଼ ୪ର୍ଥ ଆଇଆର ବାଟାଲିୟନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଫାୟାର ସର୍ଭିସ ଦଳ ୩୮-୩୧ ପଏଣ୍ଟରେ ବିଜୟୀ ହୋଇ ୩ୟ ସ୍ଥାନରେ ରହିଛି । ସଂଘର୍ଷପୂର୍ଣ୍ଣ ହୋଇଥିବା ହ୍ୟାଣ୍ଡବଲ ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୩୬-୩୫ ପଏଣ୍ଟରେ ଢ଼େଙ୍କାନାଳ ଓଏସ୍‌ଏପି ୧ମ ବାଟାଲିୟନକୁ ହରାଇ ଚାମ୍ପିୟନ ହୋଇଛି। ଓଡ଼ିଶା ଫାୟାର ସର୍ଭିସ ୩୧-୨୪ ପଏଣ୍ଟରେ କେନ୍ଦୁଝରକୁ ହରାଇ ୩ୟ ସ୍ଥାନରେ ରହିଛି। ଶୁକ୍ରବାର ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ।

ଇସ୍ତାନବୁଲ ଆୟୋଜନ କରିବ ୨୦୨୦ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

କିଏଭ୍‌, ୨୫।୫(ପି.ଟି.)- ୨୦୨୦ ଇସ୍ତାନବୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏଥର ଇସ୍ତାନବୁଲରେ ଆୟୋଜନ ହେବ। ଇସ୍ତାନବୁଲର ଅଟାଟର୍କ ଷ୍ଟାଡିୟମରେ ଏହି ଲିଗ୍‌ ଖେଳାଯିବ ବୋଲି ୟୁଇଏଫ୍‌ଏ ଅଧ୍ୟକ୍ଷ ଅଲେକଜାଣ୍ଡର ସେଫେରିନ୍‌ ସୂଚନା ଦେଇଛନ୍ତି। ଏହି ଷ୍ଟାଡିୟମରେ ୭୬, ୦୦୦ ଦର୍ଶକ ବସିବାର ସୁବିଧା ରହିଛି। ଏହି ଷ୍ଟାଡିୟମରେ ୨୦୦୫ରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଖେଳାଯାଇଥିଲା। ଏଥିରେ ଲିଭରପୁଲ ପେନାଲ୍ଟି ମାଧ୍ୟମରେ ୩-୦ ଗୋଲରେ ଏସି ମିଲାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ଫାଇନାଲ ଖେଳାଯିବାକୁ ଥିବା ଆୟୋଜକ ସହରରେ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଉପଲବ୍ଧ ହେବା ନେଇ ୟୁଇଏଫ୍‌ଏ ବେଶ୍‌ ଚାପରେ ଥିଲା। ହୋଟେଲ, ବିମାନବନ୍ଦର ଓ ପ୍ରଶଂସକ, ଅତିଥି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ୟୁଇଏଫ୍‌ଏ ଏବେଠାରୁ ବେଶ୍‌ ତତ୍ପର ହୋଇଛି। ଫଳରେ ଏହି ହାଇପ୍ରୋଫାଇଲ ମ୍ୟାଚ ଇସ୍ତାନବୁଲରେ ଖେଳାଯିବ ବୋଲି ୟୁଇଏଫଏ ତରଫରୁ ସ୍ପଷ୍ଟ କରାଯାଇଛି।

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ, ୨୫।୫ (ପି.ଟି.)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୮.୨ ଓଭରରେ ମାତ୍ର ୧୮୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ୧ ଉଇକେଟ ହରାଇ ୫୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ୯ ଉଇକେଟ ହାତରେ ରଖି ୧୩୪ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଆଝାର ଅଲୀ ୧୮ ଓ ହାରିସ ସୋହେଲ ୨୧ ରନ କରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଇମାମ ଉଲ ହକ ୪ ରନ କରି କ୍ରିସ ବ୍ରଡଙ୍କ ଦ୍ୱାର ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

ନୂଆଦିଲ୍ଲୀ,୨୫।୫(ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆହତ ସମସ୍ୟା କାରଣରୁ ଚଳିତ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ତାଙ୍କ ବେକରେ ଆଘାତ ଲାଗିଛି। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ପ୍ରାୟ ୩ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ କୋହଲି ବିଳମ୍ବରେ ଇଂଲଣ୍ଡ ଗସ୍ତ କରିବେ କିନ୍ତୁ କାଉଣ୍ଟି କ୍ରିକେଟ ଖେଳିପାରିବେ ନାହିଁ। ୨୯ ବର୍ଷୀୟ ଖେଳାଳି ଆସନ୍ତା ଜନ୍‌ ୧୫ ତାରିଖରେ ଫିଟ୍‌ନେସ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଏହାର ଫଳାଫଳ ପରେ ହିଁ ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ଓ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟି୨୦ ସିରିଜ୍‌ ପାଇଁ ସେ ଉପଲବ୍ଧ ହେବେ କି ନାହିଁ ଜଣାପଡ଼ିବ। ଭାରତୀୟ ଦଳ ଜୁନ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡଠାରେ ଟି୨୦ ମ୍ୟାଚ୍‌ ଖେଳିବ। ପରେ ଜୁଲାଇ ଆରମ୍ଭରୁ ଇଂଲଣ୍ଡ ଗସ୍ତ କରିବ। ”ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବେକଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ୫୧ତମ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ। ଏଥିଯୋଗୁ ଜୁନରେ ସେ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ୍‌ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି“ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାଙ୍କୁ ଏବେ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ବାଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ବିଶ୍ରାମ ନେବାକୁ ପଡ଼ିବ। ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିଜର ଫିଟ୍‌ନେସ୍‌ ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ।