ଖେଳ |

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ବମ୍ବେରେ ଉଦ୍‌ଘାଟନୀ, ଉଦ୍‌ଯାପନୀ

ନୂଆଦିଲ୍ଲୀ, ୨୨।୧(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୧ତମ ସଂସ୍କରଣ ଏପ୍ରିଲ ୭ରୁ ଆରମ୍ଭ ହେବ। ଏହା ମେ ୨୭ ପର୍ଯ୍ୟନ୍ତ ଚାଲିବ ବୋଲି ସୋମବାର ଆଇପିଏଲ ଗଭର୍ନିଂ କାଉନ୍‌ସିଲ୍‌ ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଅର୍ଥକରୀ ଟି୨୦ ଲିଗ୍‌ର ଉଦ୍‌ଘାଟନୀ ସମାରୋହ ଏପ୍ରିଲ ୬ରେ ଓ ଉଦ୍‌ଯାପନୀ ବମ୍ବେରେ ଅନୁଷ୍ଠିତ ହେବ। ଏଥର ମ୍ୟାଚ ଆରମ୍ଭ ସମୟରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆ ଯାଇଛି। ପୂର୍ବ ୧୦ ସଂସ୍କରଣରେ ମ୍ୟାଚଗୁଡ଼ିକ ଅପରାହ୍ନ ୪ଟା ଏବଂ ରାତି ୮ଟାରେ ଆରମ୍ଭ ହେଉଥିଲା। ମାତ୍ର ପ୍ରସାରଣକାରୀ ଷ୍ଟାର ସ୍ପୋଟର୍‌ସର ଅନୁରୋଧକୁ ଗ୍ରହଣ କରାଯାଇଛି ବୋଲି ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା ପ୍ରକାଶ କରିଛନ୍ତି। ଅପରାହ୍ନ ୪ଟାରେ ଆରମ୍ଭ ହେଉଥିବା ମ୍ୟାଚଗୁଡ଼ିକ ଏଥର ୫ଟା ୩୦ ଏବଂ ରାତି ୮ଟା ମ୍ୟାଚ ଗୁଡ଼ିକ ୭ଟାରେ ଆରମ୍ଭ ହେବ। କିଙ୍ଗ୍ସ ଇଲେଭେନ ପଞ୍ଜାବ ଏହାର ୪ଟି ଘରୋଇ ମ୍ୟାଚ ମୋହାଲିରେ ଏବଂ ୩ଟି ଇନ୍ଦୋରରେ ଖେଳିବ। ୨ ବର୍ଷ ବାସନ୍ଦପରେ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ରାଜସ୍ଥାନ ରୟାଲ୍ସର ଘରୋଇ ମ୍ୟାଚଗୁଡ଼ିକ କେଉଁଠି ଖେଳାଯିବ ତାହା ଆଗାମୀ ୨୪ ତାରିଖରେ ରାଜସ୍ଥାନ ହାଇକୋର୍ଟଙ୍କ ଶୁଣାଣି ପରେ ଧାର୍ଯ୍ୟ କରାଯିବ। ଚଳିତମାସ ୨୭ ଓ ୨୮ରେ ଆଇପିଏଲ ଖେଳାଳି ନିଲାମ ବାଙ୍ଗାଲୋରରେ ଅନୁଷ୍ଠିତ ହେବ। ଏଥିରେ ୩୬୦ ଭାରତୀୟଙ୍କୁ ମିଶାଇ ମୋଟ ୫୭୮ ଖେଳାଳି ସାମିଲ ହେବେ। ନଜରରେ ରହିବେ- ନିଲାମ ସମୟରେ ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡର କଲିନ୍‌ ମୁନ୍‌ରୋ ଓ କଲିନ ଡି ଗ୍ରାଣ୍ଡହୋମ୍‌ ନଜରରେ ରହିବେ। ଜାନୁୟାରୀ ୩ରେ ବେ’ ଓଭାଲଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚରେ ୩୦ ବର୍ଷୀୟ ମୁନ୍‌ରୋ ୧୦ ଛକା ଓ ୩ ଚୌକା ସହାୟତାରେ ଶତକ ହାସଲ କରିଥିଲେ। ବିଶ୍ୱର ପ୍ରଥମ ଖେଳାଳିଭାବେ ସେ ଟି୨୦ରେ ୩ଟି ଶତକ ଅର୍ଜନ କରିଛନ୍ତି। କେବଳ ସେତିକି ନୁହେଁ ସେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ୍‌ଙ୍କୁ ପଛରେ ପକାଇ ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ସେ ୭୪.୩୩ ଆଭରେଜରେ ୨୨୩ ରନ ସଂଗ୍ରହ କରିଥିଲେ। ଏହା ମଧ୍ୟରେ ୧ ଶତକ ଓ ୨ ଅର୍ଦ୍ଧଶତକ ସାମିଲ ଥିଲା। ୨୦୧୮ ଆଇପିଏଲ ଖେଳାଳି ନିଲାମରେ ସେ କାର୍ଲୋସ ବ୍ରାଥଓ୍ବେଟ୍‌, ଜେମ୍ସ ଫକନର, ମାର୍କୁସ ଷ୍ଟୋଇନ୍ସ, ଶେନ ଓ୍ବାଟସନ ଓ କଲିନ ଡି ଗ୍ରାଣ୍ଡହୋମଙ୍କ ସହ ଅଲରାଉଣ୍ଡର ପୁଲ୍‌ରେ ସ୍ଥାନ ପାଇଛନ୍ତି। ତେଣୁ ବିଦେଶୀ ଖେଳାଳିଙ୍କ ମଧ୍ୟରେ ସେ ଫ୍ରାଞ୍ଚାଇଜ୍‌ଙ୍କ ପ୍ରଥମ ପସନ୍ଦ ହେବା ଆଶା। ଏହି କାଟେଗୋରୀରେ ରହିଥିବା ଗ୍ରାଣ୍ଡହୋମ୍‌ଙ୍କ ଉପରେ ମଧ୍ୟ ନଜର ରହିବ। ସେ ଗତ ଡିସେମ୍ବରରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କେବଳ ଦ୍ରୁତତମ ଟେଷ୍ଟ ଶତକ ହାସଲ କରି ନ ଥିଲେ ପାକିସ୍ତାନ ବିପକ୍ଷ ଦିନିକିଆରେ ୨୫ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦକ୍ଷତାର ପରିଚୟ ଦେଇଥିଲେ। େଓଷ୍ଟଇଣ୍ଡିଜର ଡ୍ବେନ ବ୍ରାଭୋଙ୍କର ମଧ୍ୟ ଚାହିଦା ରହିବ। ମାତ୍ର ସେ ଚେନ୍ନାଇ ସୁପରକିଙ୍ଗ୍ସକୁ ରାଇଟ୍‌-ଟୁ-ମ୍ୟାଚ କାର୍ଡ ମାଧ୍ୟମରେ ଯିବା ସମ୍ଭାବନା ରହିଛି। ଗତ ସଂସ୍କରଣରେ ସର୍ବାଧିକ ୧୪.୫୦ କୋଟି ଟଙ୍କାରେ ବିକ୍ରି ହୋଇଥିବା ଇଂଲଣ୍ଡ ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସ, ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସଓ୍ବେଲ ମଧ୍ୟ ନଜରରେ ରହିବେ। ମାର୍କି ଖେଳାଳିଙ୍କ ମଧ୍ୟରେ ଇଂଲଣ୍ଡର ଜୋ ରୁଟ୍‌ ଓ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ଫେଭରାଇଟ୍‌ ରହିପାରନ୍ତି। ସୀମିତ ଓଭର କ୍ରିକେଟରେ ଏ ଦୁହେଁ ବିସ୍ଫୋରକ ବ୍ୟାଟ୍ସମ୍ୟାନଭାବେ ପରିଚିତ। ଏହା ବ୍ୟତୀତ ସେମାନେ ନିଜ ଜାତୀୟ ଦଳର ନେତୃତ୍ୱ ନେବାର ମଧ୍ୟ ଦକ୍ଷତା ରଖିଛନ୍ତି। ରୁଟ୍‌ଙ୍କ ପାଇଁ ଏହା ପ୍ରଥମ ଆଇପିଏଲ ହେବାକୁ ଯାଉଥିବାବେଳେ ଓ୍ବିଲିୟମସନ ୨୦୧୬ ଟାଇଟଲ ବିଜୟର ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ସଦସ୍ୟ ଥିଲେ। ସେ ଆଇପିଏଲରେ ୧୫ଟି ମ୍ୟାଚ ଖେଳି ୪୧୧ ରନ ସଂଗ୍ରହ କରି ସାରିଛନ୍ତି। ତାଙ୍କ ଆଭରେଜ ୩୧.୬୨ ଓ ଷ୍ଟ୍ରାଇକ୍‌ରେଟ୍‌ ୧୨୯.୨୫। ବର୍ତ୍ତମାନ ଆଇସିସି ର଼୍ୟାଙ୍କିଙ୍ଗର ଶୀର୍ଷରେଥିବା ନ୍ୟୁଜିଲାଣ୍ଡ ଟି୨୦ ଦଳର ସେ ନେତୃତ୍ୱ ନେଉଛନ୍ତି। ଅନ୍ୟତମ ନ୍ୟୁଜିଲାଣ୍ଡ ଖେଳାଳି ବ୍ରେଣ୍ଡନ ମ୍ୟାକକୁଲମ ମଧ୍ୟ ଚାହିଦାରେ ରହିବେ। ସର୍ବପ୍ରଥମ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ତାଙ୍କର ୧୫୮ ରନର ଇନିଂସ ଏବେ ମଧ୍ୟ ସ୍ମରଣୀୟ। ସେ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ତାଙ୍କ ବ୍ୟାଟ୍‌ ଚାଲିଲେ ସେ ଯେ କୌଣସି ବୋଲରଙ୍କୁ ଧୂଳି ଚଟାଇବାର ଦକ୍ଷତା ରଖିଛନ୍ତି। ଫାଫ୍‌ ଡୁପ୍ଲେସି, ଆରୋନ ଫିଞ୍ଚ୍‌, ମାର୍ଟିନ ଗୁପ୍‌ଟିଲ, କ୍ରିସ୍‌ ଲିନ୍‌ ଓ ଜାସନ ରୟଙ୍କ ପରି ଖେଳାଳିଙ୍କୁ ପୁଲ୍‌ରେ ମ୍ୟାକକୁଲମ ରହିଛନ୍ତି। ଡୁପ୍ଲେସିଙ୍କ ଉପରେ ଚେନ୍ନାଇ ସୁପରକିଙ୍ଗ୍ସ ରାଇଟ୍‌-ଟୁ-ମ୍ୟାଚ ପ୍ରୟୋଗ କରି ନିଜ ଦଳକୁ ଆଣିପାରେ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୮୦ ରନ କରିଥିବା ଏବଂ ଏହି ସିରିଜରେ ୨ଟି ଶତକ ଅର୍ଜନ କରିଥିବା ଆରୋନ ଫିଞ୍ଚ୍‌ ମଧ୍ୟ ଫ୍ରାଞ୍ଚାଇଜ୍‌ଙ୍କ ପସନ୍ଦର ଖେଳାଳି ରହିବେ।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

କଲମ୍ବୋ,୨୫।୫(ଏଏଫ୍‌ପି)- ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭାଙ୍କ ପିତାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଶ୍ରୀଲଙ୍କା ଦଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ଜଣେ ବନ୍ଧୁକଧାରୀ ଦୃବୁତ୍ତ ଧନଞ୍ଜୟଙ୍କ ପିତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

କାଉଣ୍ଟି କ୍ଲବ ସରେ ଦୁଃଖତ

ଲଣ୍ଡନ,୨୫।୫- ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ସିଜନରେ କାଉଣ୍ଟି କ୍ରିକେଟ ଖେଳିବେ ନାହିଁ। ଏ ନେଇ ସରେ କ୍ରିକେଟ କ୍ଲବ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ”ବିରାଟଙ୍କୁ ଦେଖିବା ପାଇଁ ଇଚ୍ଛୁକ ଦର୍ଶକଙ୍କୁ ଟିକେଟ୍‌ର ଅର୍ଥରାଶି ଫେରସ୍ତ କରାଯାଉ“ ବୋଲି କ୍ଲବର ହୋମ ପେଜରେ ଲେଖାଯାଇଛି।

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ପ୍ୟାରିସ,୨୫।୫(ଏପି)- ସେରେନା ଓ ଭେନସ ଓ୍ବିଲିୟମ୍ସ ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମହିଳା ଡବଲ୍ସ ବର୍ଗରେ ଖେଳିବେ। ଏ ନେଇ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟ ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: କଟକ ଓଏସ୍‌ଏପି ଚାମ୍ପିୟନ

କଟକ ଅଫିସ,୨୫।୫- ଓଏମ୍‌ପିସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଖେଳ ପଡ଼ିଆରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ଉଭୟ ଫାଇନାଲ ମ୍ୟାଚ୍‌ ଗୁରୁବାର ଖେଳାଯାଇଛି। ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଉଭୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କବାଡ଼ି ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୫୭-୩୩ ପଏଣ୍ଟରେ ସମ୍ବଲପୁର ଜିଲା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାର ୩ୟ ସ୍ଥାନ ନିମନ୍ତେ ଓଡ଼ିଶା ଫାୟାର ସର୍ଭିସ ଓ ଦେଓଗଡ଼ ୪ର୍ଥ ଆଇଆର ବାଟାଲିୟନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଫାୟାର ସର୍ଭିସ ଦଳ ୩୮-୩୧ ପଏଣ୍ଟରେ ବିଜୟୀ ହୋଇ ୩ୟ ସ୍ଥାନରେ ରହିଛି । ସଂଘର୍ଷପୂର୍ଣ୍ଣ ହୋଇଥିବା ହ୍ୟାଣ୍ଡବଲ ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୩୬-୩୫ ପଏଣ୍ଟରେ ଢ଼େଙ୍କାନାଳ ଓଏସ୍‌ଏପି ୧ମ ବାଟାଲିୟନକୁ ହରାଇ ଚାମ୍ପିୟନ ହୋଇଛି। ଓଡ଼ିଶା ଫାୟାର ସର୍ଭିସ ୩୧-୨୪ ପଏଣ୍ଟରେ କେନ୍ଦୁଝରକୁ ହରାଇ ୩ୟ ସ୍ଥାନରେ ରହିଛି। ଶୁକ୍ରବାର ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ।

ଇସ୍ତାନବୁଲ ଆୟୋଜନ କରିବ ୨୦୨୦ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

କିଏଭ୍‌, ୨୫।୫(ପି.ଟି.)- ୨୦୨୦ ଇସ୍ତାନବୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏଥର ଇସ୍ତାନବୁଲରେ ଆୟୋଜନ ହେବ। ଇସ୍ତାନବୁଲର ଅଟାଟର୍କ ଷ୍ଟାଡିୟମରେ ଏହି ଲିଗ୍‌ ଖେଳାଯିବ ବୋଲି ୟୁଇଏଫ୍‌ଏ ଅଧ୍ୟକ୍ଷ ଅଲେକଜାଣ୍ଡର ସେଫେରିନ୍‌ ସୂଚନା ଦେଇଛନ୍ତି। ଏହି ଷ୍ଟାଡିୟମରେ ୭୬, ୦୦୦ ଦର୍ଶକ ବସିବାର ସୁବିଧା ରହିଛି। ଏହି ଷ୍ଟାଡିୟମରେ ୨୦୦୫ରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଖେଳାଯାଇଥିଲା। ଏଥିରେ ଲିଭରପୁଲ ପେନାଲ୍ଟି ମାଧ୍ୟମରେ ୩-୦ ଗୋଲରେ ଏସି ମିଲାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ଫାଇନାଲ ଖେଳାଯିବାକୁ ଥିବା ଆୟୋଜକ ସହରରେ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଉପଲବ୍ଧ ହେବା ନେଇ ୟୁଇଏଫ୍‌ଏ ବେଶ୍‌ ଚାପରେ ଥିଲା। ହୋଟେଲ, ବିମାନବନ୍ଦର ଓ ପ୍ରଶଂସକ, ଅତିଥି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ୟୁଇଏଫ୍‌ଏ ଏବେଠାରୁ ବେଶ୍‌ ତତ୍ପର ହୋଇଛି। ଫଳରେ ଏହି ହାଇପ୍ରୋଫାଇଲ ମ୍ୟାଚ ଇସ୍ତାନବୁଲରେ ଖେଳାଯିବ ବୋଲି ୟୁଇଏଫଏ ତରଫରୁ ସ୍ପଷ୍ଟ କରାଯାଇଛି।

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ, ୨୫।୫ (ପି.ଟି.)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୮.୨ ଓଭରରେ ମାତ୍ର ୧୮୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ୧ ଉଇକେଟ ହରାଇ ୫୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ୯ ଉଇକେଟ ହାତରେ ରଖି ୧୩୪ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଆଝାର ଅଲୀ ୧୮ ଓ ହାରିସ ସୋହେଲ ୨୧ ରନ କରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଇମାମ ଉଲ ହକ ୪ ରନ କରି କ୍ରିସ ବ୍ରଡଙ୍କ ଦ୍ୱାର ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

ନୂଆଦିଲ୍ଲୀ,୨୫।୫(ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆହତ ସମସ୍ୟା କାରଣରୁ ଚଳିତ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ତାଙ୍କ ବେକରେ ଆଘାତ ଲାଗିଛି। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ପ୍ରାୟ ୩ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ କୋହଲି ବିଳମ୍ବରେ ଇଂଲଣ୍ଡ ଗସ୍ତ କରିବେ କିନ୍ତୁ କାଉଣ୍ଟି କ୍ରିକେଟ ଖେଳିପାରିବେ ନାହିଁ। ୨୯ ବର୍ଷୀୟ ଖେଳାଳି ଆସନ୍ତା ଜନ୍‌ ୧୫ ତାରିଖରେ ଫିଟ୍‌ନେସ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଏହାର ଫଳାଫଳ ପରେ ହିଁ ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ଓ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟି୨୦ ସିରିଜ୍‌ ପାଇଁ ସେ ଉପଲବ୍ଧ ହେବେ କି ନାହିଁ ଜଣାପଡ଼ିବ। ଭାରତୀୟ ଦଳ ଜୁନ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡଠାରେ ଟି୨୦ ମ୍ୟାଚ୍‌ ଖେଳିବ। ପରେ ଜୁଲାଇ ଆରମ୍ଭରୁ ଇଂଲଣ୍ଡ ଗସ୍ତ କରିବ। ”ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବେକଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ୫୧ତମ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ। ଏଥିଯୋଗୁ ଜୁନରେ ସେ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ୍‌ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି“ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାଙ୍କୁ ଏବେ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ବାଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ବିଶ୍ରାମ ନେବାକୁ ପଡ଼ିବ। ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିଜର ଫିଟ୍‌ନେସ୍‌ ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ।