ବିବାହ ପରେ କ୍ୟାରିୟର

ବିବାହ ପରେ ନାରୀ ଜୀବନରେ ଆସିଥାଏ ଅନେକ କିଛି
ପରିବର୍ତ୍ତନ। ପରିବର୍ତ୍ତିତ ସମୟ ସହ କେତେଜଣ ସାଲିସ କରି ନିଅନ୍ତି ତ ଆଉ କେତେଜଣ ନିଜେ ଗଢିଥିବା କ୍ୟାରିୟରକୁ ବାଛନ୍ତି। କିନ୍ତୁ ଏମିତି କେତେଜଣ ଅଛନ୍ତି ଯେଉଁମାନେ ଜୀବନସାଥୀଙ୍କ ପ୍ରେରଣାରେ ନୂଆ କରି ଆରମ୍ଭ କରନ୍ତି କ୍ୟାରିୟର…

 

ଗୋଟିଏ ପଟେ ଶୈଶବରୁ ଯୌବନ ମଧ୍ୟରେ ଭବିଷ୍ୟତର ଯୋଜନା ତ ଅନ୍ୟ ପଟେ ଭାଗ୍ୟକୁ ଅପେକ୍ଷା। ଅର୍ଥାତ ବିବାହର ପୂର୍ବ ପର ଦୁଇ ଅବସ୍ଥାରେ ବହୁତ କିଛି ପରିବର୍ତ୍ତନ ଆସେ ନାରୀ ଜୀବନରେ। ହେଲେ ଆଧୁନିକ ନାରୀ ଆଜି ବିବାହ ଆଗରୁ ପ୍ରଥମେ ନିଜ ଗୋଡରେ ଛିଡା ହେବାକୁ ପସନ୍ଦ କରୁଛି। କିନ୍ତୁ ଏମିତି ବି କେତେଜଣ ଅଛନ୍ତି ଯେଉଁମାନେ ପରିବର୍ତ୍ତନକୁ ସ୍ବୀକାର କରି ତା’ପରେ ଆରମ୍ଭ କରନ୍ତି କ୍ୟାରିୟର।
ବିଚିତ୍ର ଲକ୍ଷ୍ୟ ନେଇ ଜୀବନ ଆରମ୍ଭ କରେ ନାରୀଟିଏ। ପ୍ରଥମେ ସମସ୍ତଙ୍କ ଭଳି ଧୂଳିଖେଳରୁ ଆରମ୍ଭ କରି ପାଠ ପଢି ନିଜକୁ ଯୋଗ୍ୟ କରି ଗଢି ତୋଳିବାକୁ ଭରପୂର ପ୍ରୟାସ କରେ। ଆଉ ପରିବାରର ସହଯୋଗରେ ସେ ଢେର୍‌ ବାଟ ଆଗେଇ ଯାଏ। କିନ୍ତୁ ଝିଅଟିଏ ଯେ ଦିନେ ବିବାହ କରି ଅନ୍ୟ ଏକ ପରିବାରର ସଦସ୍ୟ ହେବ ଏକଥାକୁ ବାରମ୍ବାର ତାକୁ ମନେ ପକେଇବାକୁ ହୁଏ। ଯୌବନ ଅବସ୍ଥା ଆସିଲେ କ୍ୟାରିୟର ଗଢା ହୋଇଥାଉ କି ନାହିଁ ବିବାହ ଖୋଜା ଆରମ୍ଭ ହୁଏ।
କ୍ୟାରିୟର ପ୍ରାଥମିକତା:ଆଜିକାଲିର ଉଚ୍ଚଶିକ୍ଷିତା ଝିଅମାନେ ପ୍ରଥମେ ଚାକିରି କରି ନିଜ ଗୋଡରେ ନିଜେ ଛିଡା ହେବା ପାଇଁ ଉଦ୍ୟମ କରୁଛନ୍ତି। ଏଥିପାଇଁ ଚାକିରି ଲକ୍ଷ୍ୟରେ ହିଁ ବିଭିନ୍ନ ପ୍ରକାରର ପାଠ ପଢୁଛନ୍ତି। ବିବାହ ହେଉ କି ନ ହେଉ କିନ୍ତୁ କ୍ୟାରିୟର କରି ଚାକିରି କରିବା ସବୁ ଝିଅଙ୍କ ପ୍ରାଥମିକତା ହେଉଛି। ଅବଶ୍ୟ କେତେଜଣ ବିଭିନ୍ନ କାରଣରୁ ବିବାହ ପୂର୍ବରୁ ଚାକିରି କରି ପାରି ନ ଥାନ୍ତି କିନ୍ତୁ ଚାକିରି କରିବା ନିମନ୍ତେ ଯୋଗ୍ୟତା ନିଶ୍ଚୟ ହାସଲ କରିଥାନ୍ତି।
ସବୁବେଳେ ସମ୍ମତି ମିଳେନି: ଝିଅମାନେ ଏବେ ସବୁକ୍ଷେତ୍ରରେ ନିଜ ପାରଦର୍ଶିତା ଦେଖାଇ ପାରୁଛନ୍ତି। ତେଣୁ କେତେଜଣ ଏମିତି କିଛି କ୍ୟାରିୟର ବାଛୁଛନ୍ତି ଯେଉଁଥିପାଇଁ ସେମାନଙ୍କୁ ଘର ଛାଡି ଦୂରକୁ ଯିବାକୁ ପଡୁଛି। ତେଣୁ ଅନେକ ସମୟରେ ପରିବାର ଲୋକେ ଝିଅମାନଙ୍କୁ ଘର ଠାରୁ ଦୂରକୁ ଛାଡିବା ପାଇଁ ରାଜି ହୁଅନ୍ତି ନାହିଁ। ସେହି କାରଣରୁ କିଛି ଯୁବତୀ ବିବାହ ପୂର୍ବରୁ ଚାକିରି ବି କରି ପାରି ନ ଥାନ୍ତି।
ଊଣା ହୁଏ ସମ୍ମାନ:ବେଳେବେଳେ ଝିଅକୁ ପାଠ ପଢାଇ ସମ୍ପୂର୍ଣ୍ଣ ଯୋଗ୍ୟ କରିବାକୁ ସବୁ ପ୍ରକାରର ସହଯୋଗ କରିଥାନ୍ତି ପରିବାର ଲୋକେ। କିନ୍ତୁ ଚାକିରି କରିବା ସମୟ ଆସିଲେ ସେମାନେ ପ୍ରତିବନ୍ଧକ ସାଜିଥାନ୍ତି। ଝିଅମାନେ ଚାକିରି କରି ରୋଜଗାର କରିବାକୁ ଅନେକେ ସମ୍ମାନରେ ଆଞ୍ଚ ଆସିବା ଭଳି ମନେ କରିଥାନ୍ତି। ଏହି କାରଣରୁ ବି ବିବାହ ପୂର୍ବରୁ ଚାକିରି କରିବାର ସୁଯୋଗ ପାଆନ୍ତି ନାହିଁ କିଛି ଯୁବତୀ।
ଶାଶୁଘର କେଉଁଠି:ବିବାହ ପରେ ଝିଅ ଶାଶୁଘର କେଉଁଠି ହେବ ସେକଥା ଅନେକଙ୍କୁ ଜଣା ନ ଥାଏ। ତେଣୁ ବିବାହ ପରେ ଅନେକ ସମୟରେ ଝିଅମାନଙ୍କୁ ଚାକିରି ଛାଡିବାକୁ ପଡିଥାଏ। କିନ୍ତୁ ବେଳେବେଳେ ଭଲ ଚାକିରି ଛାଡି ହୁଏନି କି ଭଲ ବିବାହ ପ୍ରସ୍ତାବକୁ ବି ଛାଡିହୁଏନି। ତେଣୁ ଏଭଳି ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ କେତେକ ପରିବାରରେ ଝିଅମାନଙ୍କୁ ବିବାହ ପୂର୍ବରୁ ଚାକିରି କରିବା ପାଇଁ ପ୍ରାୟତଃ ମନା କରିଥାନ୍ତି।

 

ଏମାନେ କ’ଣ କହନ୍ତି

ଘରେ ମନା କରିଥିଲେ
ଇକୋନୋମିକ୍ସରେ ପିଜି ସରିବା ପରେ ମତେ ଚାକିରି କରିବାର ବହୁତ ସୁଯୋଗ ମିଳିଥିଲା। କିନ୍ତୁ ସେତେବେଳେ ବିବାହ ହୋଇ ନ ଥିବାରୁ ଘରେ ଚାକିରି କରିବାକୁ ମନା କରିଥିଲେ। ଆଉ ବାପାଙ୍କ କଥା ଅନୁସାରେ ସେତେବେଳେ ମୁଁ ଏମ୍‌. ଫିଲ୍‌ କରିବା ପରେ ବି ଚାକିରି କରି ନ ଥିଲି। କିନ୍ତୁ ବିବାହ ପରେ ଚାକିରି କରିବା ପାଇଁ ମୋ ସ୍ବାମୀ ହିଁ ମତେ ପ୍ରଥମେ ପ୍ରେରଣା ଦେଇଥିଲେ। ତା’ପରେ ସେ ମତେ ଭୁବନେଶ୍ୱରରେ ପିଏଚ.ଡି କରିବାର ସୁଯୋଗ ଦେବା ସହିତ ବିଭିନ୍ନ ଇଣ୍ଟରଭ୍ୟୁ ଦେବା ପାଇଁ ସହଯୋଗ କରିଥିଲେ। ତାଙ୍କ ସମର୍ଥନ ଆଉ ସହଯୋଗରେ ଏବେ ମୁଁ ପିଏଚ୍‌.ଡି ଶେଷ କରିବା ସହ ଅଧ୍ୟାପିକା ହୋଇପାରିଛି।
-ଡକ୍ଟର ଦୀପ୍ତିରେଖା ନାୟକ
ସହକାରୀ ଅଧ୍ୟାପିକା, ବିପିୟୁଟି ଅଧୀନସ୍ଥ ଏନ୍‌ଏମ୍‌ ଇଞ୍ଜିନିୟରିଂ କଲେଜ, ଭୁବନେଶ୍ୱର

କ୍ୟାରିୟର ଗଢ଼ିପାରିଛି
ଚାକିରି କରିବା ଉଦ୍ଦେଶ୍ୟରେ ମତେ ଘରେ ପାଠ ପଢ଼ିବା ପାଇଁ ସବୁ ପ୍ରକାରର ସୁଯୋଗ ଦେଇଥିଲେ। କିନ୍ତୁ ଶାଶୁଘର ଲୋକେ ଅନୁମତି ଦେଲେ ଚାକିରି କରିବୁ କହି ବିବାହ ଆଗରୁ ଚାକିରି କରିବାକୁ ଦେଇ ନ ଥିଲେ। ଅବଶ୍ୟ ମୋର ଭାଗ୍ୟ ବହୁତ ଭଲ ଯେ ଶାଶୁ ଘରେ ମତେ ଚାକିରି କରିବାକୁ କେହି ବି ବାରଣ କରି ନ ଥିଲେ। ସ୍ବାମୀ ତଥା ଶାଶୁ ଶ୍ୱଶୁରଙ୍କ ସମର୍ଥନରେ ମୁଁ ଏବେ ମୋ କ୍ୟାରିୟର ଗଢ଼ିବାର ସ୍ବପ୍ନ ପୂରଣ କରିପାରିଛି।
-ସାଇପଦ୍ମା ପରିଜା, ଅଧ୍ୟାପିକା, କୋରୁଆ ମହିଳା ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା

ସମସ୍ତଙ୍କର ସହଯୋଗ ମିଳିଲା
ପାଠ ପଢା ସରିବା ପରେ ପରେ ମୋର ବିବାହ ହୋଇ ଯାଇଥିଲା। ତେଣୁ ଚାକିରି କରିବାର ସୁଯୋଗ ପାଇ ପାରି ନ ଥିଲି। କିନ୍ତୁ ବିବାହ ପରେ ମତେ ଶାଶୁଘରର ସମସ୍ତେ ଚାକିରି କରିବା ପାଇଁ ଉତ୍ସାହିତ କରିଥିଲେ। ମୋର ଶିକ୍ଷାଗତ ଯୋଗ୍ୟତା ଥିବାରୁ ମୋ ସ୍ବାମୀ ମତେ ଚାକିରି କରିବା ପାଇଁ ସମସ୍ତ ପ୍ରକାରର ସହଯୋଗ କରିଥିଲେ। ସେଥିପାଇଁ ମୁଁ ଆଜି ଆତ୍ମନିର୍ଭରଶୀଳ ହେବା ସହିତ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି।
-ରାଜଶ୍ରୀ ଧଳ,ସେଲ୍‌ସ କନ୍‌ସଲଟାଣ୍ଟ, ଟାଟା ମୋଟର୍ସ


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri