ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି ଖବରଦାତା ଖାଶୋଗି ହତ୍ୟା ପାଇଁ ସେ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଏହି ହତ୍ୟା ତାଙ୍କ ତତ୍ତ୍ୱାବଧାନରେ ହୋଇଥିବାରୁ ଏଥିପାଇଁ ସେ ନିଜେ ଦାୟୀ ବୋଲି ଗୁରୁବାର କ୍ରାଉନ୍‌ ପ୍ରିନ୍ସ ସ୍ବୀକାର କରିଛନ୍ତି।
ସାଧାରଣ ପ୍ରସାରଣ ସେବା (ପିବିଏସ୍‌)କୁ କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଖାଶୋଗିଙ୍କ ହତ୍ୟାକାଣ୍ଡ ତାଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏଥିଲାଗି ସେ ନିଜକୁ ଉତ୍ତରଦାୟୀ କରୁଛନ୍ତି। ତେବେ ତାଙ୍କ ଅଜାଣତରେ ଏହି ହତ୍ୟାକାଣ୍ଡ ଘଟିଥିବା ଏମ୍‌ବିଏସ୍‌ ଦୋହରାଇଛନ୍ତି। ତାଙ୍କ ଅଜାଣତରେ କିପରି ଏହି ହତ୍ୟାକାଣ୍ଡ ଘଟିଲା ବୋଲି ପିବିଏସ୍‌ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମର ଜନସଂଖ୍ୟା ୩୨୦ ନିୟୁତ ହୋଇଥିବାବେଳେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୩ ନିୟୁତ। ତେବେ ସେମାନେ ଆପଣଙ୍କ ଯୋଜନାକୁ କାର୍ଯ୍ୟକାରୀ କରାଇଥିବେ ବୋଲି ପ୍ରତିନିଧି ପ୍ରଶ୍ନ କରିଥିଲେ। ଏମ୍‌ବିଏସ୍‌ କହିଥିଲେ, ମୋ ନିର୍ଦ୍ଦେଶ ପାଳନ କରିବା ପାଇଁ ଅଧିକାରୀ ଓ ମନ୍ତ୍ରୀମାନେ ଅଛନ୍ତି, ଯେଉଁମାନେ ଉତ୍ତରଦାୟୀ। ସେହି କାର୍ଯ୍ୟ କରିବା ପାଇଁ ସେମାନେ କ୍ଷମତାପ୍ରାପ୍ତ। ‘ଦି କ୍ରାଉନ୍‌ ପ୍ରିନ୍ସ ଅଫ୍‌ ସୌଦି ଆରବ’ ଶୀର୍ଷକ ପ୍ରାମାଣିକ ଚିତ୍ର ଖାଶୋଗିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀର ଦିନକ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧ରେ ପ୍ରସାରିତ ହେବ। ଏଥିରେ ଏହି ସୌଦି ନେତାଙ୍କ ଉତ୍‌ଥାନ, ଶାସନ ଓ ଖାଶୋଗି ହତ୍ୟାକାଣ୍ଡ ସହ ତାଙ୍କର ସମ୍ପର୍କ ନେଇ ବିସ୍ତୃତ ଭାବେ ଦର୍ଶାଯାଇଛି।
ପ୍ରକାଶ ଯେ, ଓ୍ବାଶିଂଟନ ପୋଷ୍ଟ୍‌ର ଜଣେ ସ୍ତମ୍ଭକାର ଭାବେ କାର୍ଯ୍ୟରତ ସୌଦି ଖବରଦାତା ଖାଶୋଗି ପୂର୍ବରୁ କ୍ରାଉନ୍‌ ପ୍ରିନ୍ସଙ୍କ ସମର୍ଥକ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କର ସମାଲୋଚକ ପାଲଟିଯାଇଥିଲେ। ୨୦୧୮ ଅକ୍ଟୋବର ୨ରେ ରିୟାଦରୁ ପଠାଯାଇଥିବା ଏକ ୧୫ ଜଣିଆ ଟିମ୍‌ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଖାଶୋଗିଙ୍କୁ ହତ୍ୟା କରିଥିଲେ। ଖାଶୋଗିଙ୍କ ମୃତଦେହ ଅଦ୍ୟାବଧି ମିଳିନାହିଁ। ତେବେ ଏହି ଡକ୍ୟୁମେଣ୍ଟାରି ପ୍ରସାରିତ ହେଲେ ଖାଶୋଗି ହତ୍ୟାର ଗୁମର ଫିଟିବ ବୋଲି କୁହାଯାଉଛି।

ହତ୍ୟାକାଣ୍ଡକୁ ବର୍ଷେ

ଓ୍ବାଶିଂଟନ ପୋଷ୍ଟ ଖବରଦାତା ତଥା ଅଲ୍‌-ଆରବ ନ୍ୟୁଜ୍‌ ଚ୍ୟାନେଲର ପୂର୍ବତନ ମହାପ୍ରବନ୍ଧକ ଓ ମୁଖ୍ୟ ସମ୍ପାଦକ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଛି। ୨୦୧୮ ଅକ୍ଟୋବର ୨ରେ ତୁର୍କୀ ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସରେ ତାଙ୍କୁ ହତ୍ୟା କରାଯାଇଥିଲା। ସୌଦି ଆରବ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କୁହାଯାଉଥିଲା। ମୃତଦେହକୁ ଗାଏବ କରିଦିଆଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ଅଧିକାଂଶ ରାଷ୍ଟ୍ର ବିଶ୍ୱାସ କରୁଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତୁର୍କୀ କହିଥିବାବେଳେ ଏହା ପଛରେ ସୌଦି ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ଏହାର କେତେଜଣ ଅଧିକାରୀ ସ୍ବୀକାର କରିଥିଲେ।
ବିବାହ ପାଇଁ କେତେକ ଦସ୍ତାବିଜ ସଂଗ୍ରହ ନିମନ୍ତେ ଖାଶୋଗି ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିଲେ। ତେବେ ସେ ସେଠାରୁ ବାହାରିଥିବାର କୌଣସି ଚିତ୍ର ସିସିଟିଭି କ୍ୟାମେରାରେ ନ ଥିଲା। ସେ ନିଖୋଜ ହୋଇଯାଇଥିବା ଘୋଷଣା କରାଯାଇଥିଲେ ହେଁ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦିଆଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ସେ ଦୂତାବାସରୁ ବାହାରିଯାଇଥିବା ସୌଦି ଆରବ ପକ୍ଷରୁ କୁହାଯାଇଥିଲା। ଶେଷରେ ଖାଶୋଗି ହତ୍ୟା ପାଇଁ ସୌଦି କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ସତ୍ୟ ପ୍ରକାଶ କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ସୌଦି ଉପରେ ଅର୍ଥନୈତିକ ଓ ରାଜନୈତିକ ଚାପ ପକାଯାଇଥିଲା।
ଅକ୍ଟୋବର ୧୫ରେ ସୌଦି ଓ ତୁର୍କୀ ପୋଲିସ ଉକ୍ତ ବାଣିଜି୍ୟକ ଦୂତାବାସ ଖାନତଲାସ କରିଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ୟମ ହୋଇଥିବା ଖାନତଲାସ ବେଳେ ଜଣାପଡିଥିଲା। ୧୮ ଦିନ ପରେ ସୌଦି ସରକାର ମତ ବଦଳାଇ ଦୂତାବାସ ଭିତରେ ଶ୍ୱାସରୁଦ୍ଧ ହୋଇ ଖାଶୋଗିଙ୍କ ମୃତ୍ୟୁ ହୋଇଥିବା ମାନିଥିଲେ। ଏହି ଘଟଣାରେ ୧୮ ଜଣ ସୌଦି ନାଗରିକଙ୍କୁ ଗିରଫ କରାଯାଇଥିଲା। ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ନିର୍ଦ୍ଦେଶରେ ଖାଶୋଗିଙ୍କୁ ହତ୍ୟା କରାଯାଇଥିବା ତୁର୍କୀ କର୍ତ୍ତୃପକ୍ଷଙ୍କ ତରଫରୁ ଛଡାଯାଇଥିବା ଏକ ଅଡିଓରେ ଅଭିଯୋଗ କରାଯାଇଥିଲା। ଗତ ନଭେମ୍ବର ୨୦ରେ ଖାଶୋଗି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସିଆଇଏକୁ ନିର୍ଦ୍ଦେଶ ଦେଇଥିଲେ।


All Right Reserved By Dharitri.Com

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୫ା୭(ଏଏଫ୍‌ପି): ଇଣ୍ଡୋନେସିଆର ପୂର୍ବଭାଗ ମାଲୁକୁ ଦ୍ୱୀପରେ ରବିବାର ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ଥିଲା। ଭୟରେ ଲୋକମାନେ...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

ହସ୍ପିଟାଲର ୩୬ ଗର୍ଭବତୀ ନର୍ସଙ୍କ ମଧ୍ୟରୁ ୨୦ ଜଣ ମା’ହେଲେ

ଗୋଟିଏ ବର୍ଷରେ ଏକ ହସ୍ପିଟାଲର ୩୬ଜଣ ନର୍ସ ଗର୍ଭବତୀ ହୋଇଥିବା ଖବର ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୋସିଆଲ ମିଡିଆରେ ମା’...

ଶରିଫ ଅସୁସ୍ଥ

ଇସ୍‌ଲାମାବାଦ,୨୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଶନିବାର ଏକ ହୃଦଘାତ ହୋଇଥିବା ସୂଚନା ମିଳିଛି। ସେ ଚିକିତ୍ସିତ ହେଉଥିବା ସର୍ଭିସେସ୍‌ ହସ୍ପିଟାଲ ପକ୍ଷରୁ ଏହି...

ତୈଳ ଫ୍ୟାକ୍ଟ୍ରି ଆକ୍ରମଣ ପଛରେ ଇରାନ: ପ୍ରମାଣ ଦେଖାଇଲା ସୌଦି ଆରବ

ରିୟାଧ,୧୯ା୯(ଏଏଫ୍‌ପି): ୟେମେନ୍‌ ବିଦ୍ରୋହୀଙ୍କ ଡ୍ରୋନ୍‌ ଆକ୍ରମଣରେ ସୌଦି ଆରବର ଆବକିକ୍‌ସ୍ଥିତ ବିଶ୍ୱର ସର୍ବବୃହତ୍‌ ତୈଳ ପ୍ରକ୍ରିୟାକରଣ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ଏଥିଯୋଗୁ ଦେଶର ତୈଳ ଉତ୍ପାଦନ...

ହ୍ରଦ ଉପରେ ରହିଛି ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଗାଁ

ପଶ୍ଚିମ ଆଫ୍ରିକାର ବୋନିନ୍‌ କ୍ଷେତ୍ରରେ ଏଭଳି ଏକ ଗାଁ ରହିଛି, ଯାହା ସମ୍ପୂର୍ଣ୍ଣ ଭାବେ ହ୍ରଦ ଉପରେ ବସିଛି। ୨୦ ହଜାର ଜନସଂଖ୍ୟା ବିଶିଷ୍ଟ ଏହି...

କୋଇଲା ଖଣିରେ ବିସ୍ଫୋରଣ: ୧୫ ମୃତ

ବେଜିଂ,୧୯।୧୧: ଚାଇନାର ଏକ କୋଇଲା ଖଣିରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ ୯ରୁ ଅଧିକ ଲୋକ ଆହତ ହୋଇଥିବା...

ହସ୍ପିଟାଲ ନିକଟରେ ବିସ୍ଫୋରଣ: ୩ ମୃତ, ୮ ଆହତ

ଇସଲାମାବାଦ,୨୧।୭: ପାକିସ୍ତାନର ଡେରା ଇସମେଲ ଖାଁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଟ୍ରମା ସେଣ୍ଟରରେ ରବିବାର ହୋଇଥିବା ଏକ ଆତ୍ମଘାତୀ ବୋମା ବିସ୍ଫୋରଣରେ ୩ ଜଣଙ୍କ...

Leave a comment

Your email address will not be published. Required fields are marked *