ସମ୍ପାଦକୀୟ/ଜଳବାୟୁ

ଆଜିର ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଛି। ଏହାର ପରିଣତି ବିଷୟରେ ଅସଂଖ୍ୟ ଆଲୋଚନା ଓ ପତ୍ରପତ୍ରିକାରେ ଲେଖାମାନ ପ୍ରକାଶ ପାଇଚାଲିଛି। ଅନ୍ତର୍ଜାତୀୟ ସମୁଦାୟ ଏହାର ମୁକାବିଲା କରିବା ଲାଗି ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସମ୍ମିଳନୀରେ ମତ ପ୍ରକାଶ କରିଚାଲିଛନ୍ତି। ବିକଶିତ ରାଷ୍ଟ୍ରଗୁଡ଼ିକ ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକୁ ଏଥିପାଇଁ ଦାୟୀ କରୁଛନ୍ତି। ୨୦୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ୟାରିସ ଜଳବାୟୁ ପରିବର୍ତ୍ତନ ରାଜିନାମାକୁ ବିରୋଧ କରି ସେଥିରୁ ଓହରି ଯାଇଥିଲେ। ଟ୍ରମ୍ପଙ୍କ କହିବା ଅନୁସାରେ ପୃଥିବୀରେ ଜଳବାୟୁ ପରିବର୍ତ୍ତନ ବୋଲି କିଛି ନାହିଁ ଏବଂ ଏହାସବୁ ଅସତ୍ୟ। ସେଭଳି ଜଣେ ବ୍ୟକ୍ତିଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଖୋଲାଖୋଲି ସମର୍ଥନ ଜଣାଇଥିବାରୁ ମୋଦିଙ୍କ ଏହି କାର୍ଯ୍ୟ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। କେତେକ ବିଦେଶୀ ଗଣମାଧ୍ୟମରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଏଭଳି ଆଭିମୁଖ୍ୟ ଦେଶର ଭବିଷ୍ୟତରେ କେଉଁ ପ୍ରକାର ପ୍ରଭାବ ପକାଇବ ତାହା କହିବା କଷ୍ଟକର।
ଉଲ୍ଲେଖଯୋଗ୍ୟ, ୟୁନାଇଟେଡ୍‌ ନେଶନ୍ସ ଫ୍ରେମ୍‌ଓ୍ବର୍କ କନ୍‌ଭେନ୍‌ଶନ ଅନ୍‌ କ୍ଲାଇମେଟ ଚେଞ୍ଜ୍‌ (ୟୁଏନ୍‌ଏଫ୍‌ସିସିସି) ସହିତ ପ୍ୟାରିସ୍‌ ରାଜିନାମା ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଚାଲିଛି। ୧୯୫ ଦେଶର ସହମତିରେ ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ସକାଶେ ପ୍ୟାରିସ୍‌ ରାଜିନାମା ୨୦୧୫ ଡିସେମ୍ବରରେ କରାଯାଇଥିଲା। ଏଥିରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ୍‌ ଓବାମା ମଧ୍ୟ ସ୍ବାକ୍ଷର କରିଥିଲେ। ମାତ୍ର ଟ୍ରମ୍ପଙ୍କ ଏକଜିଦିଆ ନୀତି ଉକ୍ତ ରାଜିନାମାରେ କେଁ ପୂରାଇ ଦେଇଥିଲା। ଫଳରେ ତାଙ୍କ ନିଷ୍ପତ୍ତି ସମସ୍ୟାକୁ ଅଧିକ ଜଟିଳ କରିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଏବେ ଏକ ନୂତନ ଆଶା ସଞ୍ଚାର ହୋଇଛି। ୨୩ ସେପ୍ଟେମ୍ବର ୨୦୧୯ରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଚାଲିଥିବା ବେଳେ ଟ୍ରମ୍ପ ଅପ୍ରତ୍ୟାଶିତ ଭାବେ ସେଠାରେ ଉପସ୍ଥିତ ହୋଇ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ। ଏପରି କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ପୂରା ଶୁଣିଥିଲେ। ଉକ୍ତ ସମ୍ମିଳନୀରେ ଟ୍ରମ୍ପଙ୍କ ଯୋଗଦାନ ଏବେ ବିଶ୍ୱବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।
ଏହା ସମସ୍ତେ ଜାଣନ୍ତି ଯେ, ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ସମ୍ମିଳିତ ଉଦ୍ୟମ ଲୋଡ଼ା। ବିକଶିତ ରାଷ୍ଟ୍ରଗୁଡ଼ିକର ଅଭିଯୋଗ ଯେ, ଏବେ ବିକାଶଶୀଳ ଓ ଅନୁନ୍ନତ ଦେଶଗୁଡ଼ିକ ପୃଥିବୀକୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗମନ କରୁଛନ୍ତି। ବିକାଶ ଲକ୍ଷ୍ୟରେ ଏହି ରାଷ୍ଟ୍ରଗୁଡ଼ିକ ଉତ୍ପାଦନ ବଢ଼ାଇବାରେ ଲାଗିଛନ୍ତି। କଳକାରଖାନାରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ବିଷାକ୍ତ କରିଦେଉଛି। ଏଭଳି ଅଭିଯୋଗ ଆଣୁଥିବା ବିକଶିତ ରାଷ୍ଟ୍ରଗୁଡ଼ିକ ବୁଝିବା ଦରକାର ଯେ, ପୂର୍ବରୁ ସେମାନେ ଅତ୍ୟଧିକ ପରିମାଣର କାର୍ବନ ଛାଡ଼ି ବାୟୁମଣ୍ଡଳର ବ୍ୟାପକ କ୍ଷତି କରିସାରିଛନ୍ତି ଏବଂ କୌଣସି ସାଲିସ କରିବାକୁ ରାଜି ହେଉନାହାନ୍ତି। ବିଶେଷକରି ଆମେରିକା କଥା ଦେଖିଲେ, ପ୍ୟାରିସ୍‌ ଜଳବାୟୁ ରାଜିନାମାରୁ ଓହରି ଆସିବା ପାଇଁ ୨୦୧୭ରେ ଟ୍ରମ୍ପ ନେଇଥିବା ନିଷ୍ପତ୍ତି ପଛରେ ତାଙ୍କ ‘ଆମେରିକା ଫାଷ୍ଟ୍‌’ ନୀତି ରହିଥିଲା। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ କ୍ଷମତାକୁ ଆସିଲେ ଆମେରିକା ଉକ୍ତ ରାଜିନାମାରୁ ଓହରି ଆସିବ। ଏହା ଦ୍ୱାରା ତାଙ୍କ ଦେଶର ବ୍ୟବସାୟୀ ଓ ଶ୍ରମିକ ଉପକୃତ ହେବେ। ଅନ୍ୟପକ୍ଷରେ ମୋଦି ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ କହିଛନ୍ତି ଯେ ଏବେ କଥାରେ ନୁହେଁ, କାମରେ କରି ଦେଖାଇବା ଉଚିତ। ଏଭଳି ମନ୍ତବ୍ୟ ନିଶ୍ଚିତ ସ୍ବାଗତଯୋଗ୍ୟ। କିନ୍ତୁ ମୋଦି ଏହା ମଧ୍ୟ କହିଛନ୍ତି ଯେ, ଭାରତ ଜଳ ସଂରକ୍ଷଣ ସକାଶେ ୫୦ ବିଲିୟନ ଡଲାର ଖର୍ଚ୍ଚ କରିବ। ଧରାଯାଉ ଭାରତର ଜଳ ସମସ୍ୟା ଦୂର ପାଇଁ ୫୦ ବିଲିୟନ ଡଲାର ଖର୍ଚ୍ଚ କରାଯାଇପାରିବ, ତେବେ ଏହା କେତେ ସମୟ ମଧ୍ୟରେ ବିନିଯୋଗ ହୋଇ ଲୋକଙ୍କ ପାଖରେ ତା’ର ସୁଫଳ ପହଞ୍ଚିବ କେହି କୌଣସି ଜାଗାରେ କିଛି କହୁନାହାନ୍ତି। ବିଶ୍ୱ ମଞ୍ଚରେ କହିବା ପଛରେ ଅନେକ ଲକ୍ଷ୍ୟ ରହିଥାଇପାରେ। ଭାରତୀୟ ଅର୍ଥନୀତିରେ ଦେଖାଯାଇଥିବା ମାନ୍ଦାବସ୍ଥା କାଳେ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନରେ ପ୍ରଭାବ ପକାଇବ, ଏହା ଏକ ରାଜନୈତିକ ଘୋଷଣା ହୋଇଥାଇପାରେ। କେବଳ କର୍ପୋରେଟ ଟିକସର ପରିମାଣ ହ୍ରାସ କରି ଜାତୀୟ ରାଜକୋଷକୁ ପ୍ରାୟ ୧ ଲକ୍ଷ ୪୫ ହଜାର କୋଟି ଟଙ୍କା ଆୟରୁ ବଞ୍ଚିତ କରିବା ଫଳରେ ସରକାରଙ୍କ ପାଖରେ ଖର୍ଚ୍ଚ ପାଇଁ ଥିବା ଅର୍ଥ ପରିମାଣ କମିଛି। ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)ର ତାତି ଦର୍ଶାଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏବଂ ବ୍ୟବସାୟଠାରୁ କେତେ ଅଧିକ ଅର୍ଥ ଯୋଗାଡ଼ କରାଯାଇପାରିବ, ତାହାର ସ୍ପଷ୍ଟ ଧାରଣା ସମ୍ଭବତଃ କାହାର ନ ଥିବ। ସେଥିପାଇଁ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିବା ବେଳେ ଅନ୍ତର୍ଜାତୀୟ ମଞ୍ଚରେ ବଡ଼ ଘୋଷଣା କରିବା ଜଳବାୟୁ ପରିବର୍ତ୍ତନ ପାଇଁ ନକାରାତ୍ମକ ଭାବନାର ପ୍ରତୀକ ହୋଇପାରେ।


All Right Reserved By Dharitri.Com

ଭାଷାକୋଷ ପ୍ରଣେତା

ଡ. ଉଦ୍ଧବ ଚରଣ ନାୟକ ରାୟବାହାଦୁର ଗୋପାଳ ଚନ୍ଦ୍ର ପ୍ରହରାଜ ବିଂଶ ଶତକର ପ୍ରଥମ ପାଦର ପ୍ରସିଦ୍ଧ ଗଦ୍ୟ ସାହିତି୍ୟକ ଓ ଅଭିଧାନ ସଂକଳକ। ଗଳ୍ପ...

ପ୍ଲାଷ୍ଟିକ୍‌ ପଞ୍ଝାରେ ପୃଥିବୀ

ଡ. ପ୍ରଫୁଲ୍ଲ କୁମାର ସାହୁ ପରିବେଶ ପ୍ରଦୂଷଣ କହିଲେ ଆଗେ ଧୂଆଁ ଦ୍ୱାରା ବାୟୁ ଏବଂ ସହରୀ ଓ କାରଖାନା ବର୍ଜ୍ୟ ଦ୍ୱାରା ଜଳ ପ୍ରଦୂଷଣକୁ...

ମୋଦି-୨ ସରକାର

ଆକାର ପଟେଲ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥଗ୍ରହଣ ଉତ୍ସବର ଖବର ସହ ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ଦୁଇଟି ଖବର ପ୍ରକାଶ ପାଇଛି। ପ୍ରଥମଟି ହେଉଛି ଭାରତର...

ରାଜ୍ୟ ସଭା ରେସ୍‌ ଓ ନବୀନ ପଲିଟିକ୍ସ

ସବ୍ୟସାଚୀ ଅମିତାଭ କୁହାଯାଏ ପ୍ରେମ ଓ ଯୁଦ୍ଧରେ ସବୁ କିଛି ସମ୍ଭବ। ପୁରୁଣାକାଳିଆ ଏହି ରୂଢ଼ି ବାକ୍ୟ ସହ ଆଧୁନିକ ସମୟର ଆଉ ଗୋଟିଏ ଶବ୍ଦ...

ଏ ଧରା ତିଷ୍ଠିଛି କେମିତି

ଶିବରାମ ଶତପଥୀ ବେଳେବେଳେ ମନ ଗହନରେ ପ୍ରଶ୍ନଟିଏ ଉଙ୍କିମାରେ ଏତେ ଅନ୍ୟାୟ, ଅନୀତି ସତ୍ତ୍ୱେ ଏ ଧରା ତିଷ୍ଠିଛି କେମିତି? କଳିଯୁଗରେ କ’ଣ କ’ଣ ଘଟିବ...

ଦେଶର ଆର୍ଥିକ ସ୍ଥିତି ଭଲ ନାହିଁ

ଡ. ସନ୍ତୋଷ କୁମାର ମହାପାତ୍ର ନିକଟରେ ଏକ ଜାତୀୟ ଇଂଲିଶ ଖବରକାଗଜକୁ ସାକ୍ଷାତ୍‌କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ୨୦୧୪ ନିର୍ବାଚନ ଏକ...

ଭକ୍ତି ନାଁରେ ମସ୍ତି ଓ ବେପାର

ଭାଲଚନ୍ଦ୍ର ଷଡ଼ଙ୍ଗୀ ଗତ କିଛିବର୍ଷ ଧରି ଶ୍ରାବଣମାସ ଆସିଲେ ଦେଶର ରାସ୍ତାଘାଟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳୁଛି। ଗେରୁଆ ପୋଷାକ ପିନ୍ଧି କାନ୍ଧରେ ରଙ୍ଗ...

ଓଡ଼ିଶା କଂଗ୍ରେସର ଇତିବୃତ୍ତ

ଶରତ ଚନ୍ଦ୍ର ମିଶ୍ର ପ୍ରାୟ ଏକଶହ ବର୍ଷ ପୂର୍ବେ (୧୯୨୦) ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟି ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଗଠିତ ହୋଇଥିଲା। ତା’ ପୂର୍ବରୁ...

Leave a comment

Your email address will not be published. Required fields are marked *