ସମ୍ପର୍କର ମୂଲ୍ୟ

ଡ. ବାସୁଦେବ ମିଶ୍ର
ଜୀବନଟିଏ ସୃଷ୍ଟି ହେବା ଆଗରୁ ସମ୍ପର୍କଟିଏ ତା’ର ହେତୁ ହୋଇଯାଏ। ମାତାପିତାଙ୍କ ମଧ୍ୟରେ ସମ୍ପର୍କ ବିନା ସନ୍ତାନଟିଏ ସମ୍ଭବ ହୁଏନାହିଁ। ଗୁରୁଶିଷ୍ୟଙ୍କର ସମ୍ପର୍କ ବିନା ଜ୍ଞାନର ଅବଧାରଣ ସମ୍ଭବ ହୋଇ ନ ଥାଏ। ସମ୍ପର୍କ ବିନା ସତେ ଯେମିତି ଏ ପୃଥିବୀ ରଙ୍ଗହୀନ। ସମ୍ପର୍କ ବିନା ଜୀବନ ମୂଲ୍ୟହୀନ। ସମ୍ପର୍କ ବିନା ସବୁ ଶୂନ, ସବୁଥିରେ ଖାଲି ଖାଁ ଖାଁ ଭାବ।
କିନ୍ତୁ ଏଇ ସମ୍ପର୍କର ମୂଲ୍ୟ ବୁଝନ୍ତି କେତେଜଣ? ଯେଉଁଟା ହାତପାହାନ୍ତାରେ ମିଳେ ସେଇଟା ଶସ୍ତା, ଆଉ ଯେଉଁଟା ଦୂରରେ ଅଛି, ପାଇବାର ଆଶା ଅଛି, ମିଳିପାରେ ଅବା ନାହିଁ, ସେଇଟା ମହର୍ଗ- ଏମିତି ଆମ ମନର ଭାବନା। ସେହି ଭାବନାରେ ଆମେ ସମ୍ପର୍କକୁ ପଛକୁ ପକେଇ ଦେଉ, ତା’ର ମୂଲ୍ୟ ବୁଝୁନା। ହାତପାହାନ୍ତାରେ ଥିଲେ ପଚାରୁନା। ଦୂରକୁ ଚାଲିଗଲେ ଆମ ପାଖରେ ତା’ର ମୂଲ୍ୟ ବଢ଼ିଯାଏ। ତାକୁ ହିଁ ଝୁରିହେଉ। ସେଇ ଚିଜଟା ଯାହାର ଅଛି, ତାକୁ ଭାଗ୍ୟବାନ ବୋଲି କହୁ। ଆମର ଯେ ଦିନେ ଥିଲା, ଆମେ ତା’ର ଯତ୍ନ ନେଲୁନାହିଁ, ସେ କଥା ମନେ ପକାଉନା।
ନିହାତି ନିକଟତର କେହି ବନ୍ଧୁ ଆମ ଘରକୁ ଆସୁଛନ୍ତି ବୋଲି ଜାଣିଲେ ଆମେ ତାଙ୍କୁ ସ୍ବାଗତ କରିବା ପାଇଁ ଆମ ଘର ଦୁଆରଠାରୁ କିଛିଦୂରକୁ ଚାଲିଯାଉ। ସେମିତି କେହି ବନ୍ଧୁ ବିଦାୟ ନେବା ସମୟରେ ଆମେ ତାଙ୍କୁ ବଳେଇ ଦେବା ପାଇଁ ଆମ ଘରଠାରୁ କିଛି ବାଟ ଯାଇଥାଉ। ବେଳେବେଳେ ଏହା ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଅଥବା ଏୟାରପୋର୍ଟ ପର୍ଯ୍ୟନ୍ତ ମଧ୍ୟ ଲମ୍ବିଯାଏ। ତା’ର କାରଣ ହେଲା- ସେହି ବନ୍ଧୁ ଏବଂ ଆମ ଭିତରେ ଥିବା ଆତ୍ମୀୟତାର ବନ୍ଧନ।
ହୃଦୟର ବନ୍ଧନ ହିଁ ଏମିତି। ଦୂରରେ ଥିଲେ ମଧ୍ୟ ଦୂରରେ ଥିବାପରି ଲାଗେନାହିଁ। ଲାଗେ ଯେମିତି ଏଇ ପାଖରେ ଅଛି- ”ଦୂରସ୍ଥୋଽପି ନ ଦୂରସ୍ଥଃ ଯୋ ଯସ୍ୟ ମନସି ସ୍ଥିତଃ।“ ଓଡ଼ିଆରେ ମଧ୍ୟ କବି ଲେଖିଛନ୍ତି- ”କେତେଦୂରେ ଚନ୍ଦ୍ର କେତେଦୂରେ କୁମୁଦିନୀ। ପ୍ରୀତି ଅଭେଦ ତାଙ୍କର। ଯେତେଦୂରେ ଥିଲେ ଯେ ଯାହାର ସେ ତାହାର।“ ଏପରି ସୁଲଳିତ ପଦାବଳୀ ଆମକୁ ହୃଦୟର ଭାଷା ସହିତ ପରିଚିତ କରାଇଦିଏ। ସମ୍ପର୍କର ମୂଲ୍ୟ ବୁଝାଇଦିଏ। ସମ୍ପର୍କ ସହିତ ଯେଉଁଠି ସମର୍ପଣର ଭାବ ଥାଏ, ସେଇଠି ଗୋଟିଏ ଆକର୍ଷଣର ଶକ୍ତି ସୃଷ୍ଟି ହୁଏ। ସେହି ଶକ୍ତି ଦୂରରେ ଥିବା ବନ୍ଧୁର ମନରେ ଆନ୍ଦୋଳନ ସୃଷ୍ଟି କରେ। ଶରୀର ହେଉ ଅବା ମନରେ ତାକୁ ନିଶ୍ଚୟ ନିକଟକୁ ନେଇଆସେ। ଆମେ ଖାଇବା ସମୟରେ ବେଳେବେଳେ ଖାଦ୍ୟ ଶ୍ୱାସନଳୀ ଭିତରଆଡ଼କୁ ପଶିଆସେ। ଆମ ମା’ମାନେ ତତ୍‌କ୍ଷଣାତ୍‌ ଆମକୁ ପାଣି ପିଇବାକୁ ଦେଇ ପିଠି ଆଉଁଶି ଦେଉଦେଉ କହିପକାନ୍ତି-‘ଓଃ, କିଏ ମନେପକାଇଲା ପରା!’। ନଦୀର ଜଳ ଅନବରତ ମିଶୁଥାଏ ସମୁଦ୍ର ଜଳରେ। ସମୁଦ୍ର ପ୍ରତି ତା’ ସମର୍ପଣର ପଟାନ୍ତର ନାହିଁ। କିଛି ପ୍ରାପ୍ତିର ଆଶା ନାହିଁ କି ଯଶର ଆକାଙ୍‌କ୍ଷା ନାହିଁ। ଅନବରତ, ଅବାରିତ ତା’ର ସମର୍ପଣ ସମୁଦ୍ର ପ୍ରତି। ସମୁଦ୍ର କେବେକେବେ ବୁଝେ ଏ କଥା। ନଦୀର ଅବାରିତ ସମର୍ପଣ ସମୁଦ୍ରର ହୃଦୟରେ ଉଦ୍‌ବେଳନ ସୃଷ୍ଟି କରେ। ସେହି ଉଦ୍‌ବେଳନ ଏବଂ ଆନ୍ଦୋଳନର ପ୍ରଭାବରେ ତା’ର ବକ୍ଷ ସ୍ଫୀତ ହୁଏ। ସମର୍ପିତ ହେଉଥିବା ନଦୀକୁ ସଙ୍ଖୋଳିବା ନିମିତ୍ତ ସେ କିଛିବାଟ ଧାଇଁଯାଏ। ତାକୁ ଆମେ ଜୁଆର ବୋଲି କହୁ। ଭକ୍ତର ମନ ସର୍ବଦା ତା’ର ପ୍ରଭୁଙ୍କ ପ୍ରତି ଧାବମାନ, ଏହା ସତ୍ୟ। କିନ୍ତୁ କେବେ କେମିତି ପ୍ରଭୁଙ୍କର ମନ ମଧ୍ୟ ଭକ୍ତ ପ୍ରତି ଧାବମାନ ହୁଏ। ଯେତେବେଳେ ପ୍ରଭୁ ଦେଖନ୍ତି ଭକ୍ତଟି ତାଙ୍କ ପାଖକୁ ଆସୁ ଆସୁ ବାଟରେ ଅଟକି ଯାଉଛି, ତାଙ୍କ ରଥଯାତ୍ରାରେ ଯୋଗଦେଇପାରୁନାହିଁ, ସେତେବେଳେ ତାଙ୍କ ରଥ ମଧ୍ୟ ଅଟକିଯାଏ ଭକ୍ତ ପାଇଁ। ସେ ଆଉ ଅପେକ୍ଷା ନ କରି ତାଙ୍କ ଭକ୍ତର ବାଲିରଥକୁ ଚାଲିଆସନ୍ତି।
ସୁଦାମା ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କ ଅନନ୍ୟ ସଖା। ଗୁରୁ ସନ୍ଦୀପନୀଙ୍କ ଆଶ୍ରମରେ ପିଲାଦିନେ ପାଠ ପଢ଼ିବା ସମୟରେ କେତେ ଘଟଣା ଦୁର୍ଘଟଣା। ସେ ସବୁରୁ ସୁଦାମାଙ୍କ ହୃଦୟର ପରିଚୟ ପାଇ ତାଙ୍କୁ ନିକଟତମ ବନ୍ଧୁ ରୂପେ ହୃଦୟରେ ସ୍ବୀକାର କରିଥିଲେ ଶ୍ରୀକୃଷ୍ଣ। ସୁଦାମା ବ୍ରାହ୍ମଣ ବାଳକ। ପାଠପଢ଼ାରେ ତେଜୀୟାନ୍‌। ସେ ମଧ୍ୟ ଜାଣିପାରିଥିଲେ ଯେ ଏହି ଗୋପାଳ ବାଳକ ଶ୍ରୀକୃଷ୍ଣ ସାମାନ୍ୟ ବାଳକ ନୁହନ୍ତି। ସେ ସ୍ବୟଂ ଗୋଲୋକବିହାରୀ ବିଷ୍ଣୁ। ତେଣୁ ସେ ତାଙ୍କ ନାମକୁ ଜପାମାଳି କରିଥିଲେ। ଦୁହିଙ୍କର ହୃଦୟ ପରସ୍ପର ପ୍ରତି ଆକର୍ଷିତ ଥିଲା। ପରବର୍ତ୍ତୀ କାଳରେ ଯେଉଁ ସମୟରେ ଶ୍ରୀକୃଷ୍ଣ ଦ୍ୱାରକାର ଅଧିପତି, ସେହି ସମୟରେ ତାଙ୍କଠାରୁ ବହୁଦୂରରେ ତାଙ୍କର ପ୍ରିୟବନ୍ଧୁ ସୁଦାମା ଦାରିଦ୍ର୍ୟର କଷାଘାତରେ ବହୁ କଷ୍ଟ ଭୋଗ କରୁଥିଲେ। ସୁଦାମାଙ୍କର କର୍ମଫଳଜନିତ ଦାରିଦ୍ର୍ୟର ଅବସାନ ସମୟ ପାଖେଇ ଆସୁଥିଲା। ପତ୍ନୀ ବସୁନ୍ଧରାଙ୍କ ପରାମର୍ଶକ୍ରମେ ସୁଦାମା ଦ୍ୱାରକା ଯାଇ ବନ୍ଧୁ ଶ୍ରୀକୃଷ୍ଣଙ୍କୁ ସାକ୍ଷାତ୍‌ କରିବାକୁ ସ୍ଥିର କଲେ। କିନ୍ତୁ ଦ୍ୱାରକା ଯେ ଏଠାରୁ କାହିଁ କେତେ ଦୂର। ସେ ଯିବେ କିପରି? କିଛି ଚିନ୍ତା ନାହିଁ। ତାଙ୍କ ବନ୍ଧୁ ଯେ ଅନ୍ତର୍ଯ୍ୟାମୀ, ଅନ୍ତର କଥା ଜାଣିପାରନ୍ତି। ସେ ଦ୍ୱାରକା ଯିବାକୁ ଇଚ୍ଛା କରୁଛନ୍ତି, ଏତିକି ଜାଣିବାକୁ ତାଙ୍କର ଅପେକ୍ଷା ଥିଲା। ତା’ପରେ ସେ ତାଙ୍କ ପାଖକୁ ଆସିବାର ସମସ୍ତ ଦାୟିତ୍ୱ ନେଇଗଲେ।
ପ୍ରତ୍ୟେକ କ୍ଷେତ୍ରରେ ସମ୍ପର୍କର ମୂଲ୍ୟ ଅକଳନୀୟ ହୋଇଥାଏ। କେବଳ ଧୈର୍ଯ୍ୟ ଏବଂ ସହନଶୀଳତା ପରି ଗୁଣ ହିଁ ଏପରି ସମ୍ପର୍କର ସମକକ୍ଷ ହୋଇପାରେ। ମନରେ ଦୁଃଖ ଆସେ ସେତିକିବେଳେ, ଯେବେ ମଣିଷ ପରି ବୁଦ୍ଧିମାନ ଜୀବ ସମ୍ପର୍କର ମୂଲ୍ୟ ବୁଝେନାହିଁ। ସ୍ବାର୍ଥ ଅଥବା ସେମିତି କିଛି ଶକ୍ତିଶାଳୀ ଆବେଗର ଅଧୀନ ହୋଇ ତା’ର ଅବମାନନା କରେ। ମାତାପିତା ପରସ୍ପର ମଧ୍ୟରେ ସମ୍ପର୍କଟିଏ ଯୋଡ଼ୁଯୋଡ଼ୁ ସେମାନଙ୍କ ଅଲକ୍ଷ୍ୟରେ ଆଉ ଗୋଟିଏ ସମ୍ପର୍କ ତିଆରି କରନ୍ତି। ତାକୁ ହିଁ ଧନ ବୋଲି ଭାବି ତା’ର ଯତ୍ନ ନିଅନ୍ତି। ତା’ ପାଇଁ କେତେ ତ୍ୟାଗ କରନ୍ତି, କେତେ ଶ୍ରମ ବି କରନ୍ତି। ଧନ ବଡ଼ ହେବାପରେ କିନ୍ତୁ ସେସବୁ ଚୁଲିକି ଯାଏ। ସେ ବୁଝେନା କିଏ କେବେ କାହିଁକି ତା’ ସହିତ ସମ୍ପର୍କ ଯୋଡ଼ିଥିଲା। ଗୁରୁ ଉପଯୁକ୍ତ ଶିଷ୍ୟର ଅନ୍ବେଷଣରେ ଥାଆନ୍ତି ସମ୍ପର୍କଟିଏ ଯୋଡ଼ିବା ପାଇଁ। ତାହା ସମର୍ପିତ ହୁଏ ବିଶ୍ୱର କଲ୍ୟାଣ ନିମିତ୍ତ। ସେମିତି କେବେ ସମ୍ପର୍କଟିଏ ଯୋଡ଼ିହୋଇଯାଏ ଭକ୍ତ ଆଉ ଭଗବାନଙ୍କ ଭିତରେ। ତାହା ସମଗ୍ର ସଂସାରର କଲ୍ୟାଣ ପାଇଁ ଅଭିପ୍ରେତ ହୋଇଥାଏ।
ଦଶରଥପୁର, ଯାଜପୁର, ମୋ-୯୪୩୮୩୨୮୭୫୫


All Right Reserved By Dharitri.Com

ବାବୁଙ୍କ ଆଇନଗତ ଲଢ଼େଇ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ କେରଳ ସରକାର ନିକଟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜୁ ନାରାୟଣ ସ୍ବାମୀଙ୍କୁ ଚାକିରିରୁ ବହିଷ୍କାର କରିଥିବାରୁ ଏହାକୁ ନେଇ...

ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭାରତୀୟ ପରମ୍ପରାରେ ମଣିଷ ଜୀବନର ଲକ୍ଷ୍ୟ ହେଉଛି ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ପ୍ରାପ୍ତି। ସେ ତା’ ଜୀବନର ଚାରୋଟି...

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ଭାଇ ଭାଇ ସମ୍ପର୍କ

ଅଭିମନ୍ୟୁ ଧଳ ଯୁଦ୍ଧ ଭୂମିରେ ରାବଣ ଶେଷନିଃଶ୍ୱାସ ନେବା ପୂର୍ବରୁ ଶ୍ରୀରାମଚନ୍ଦ୍ରଙ୍କୁ ପାଖକୁ ଡାକି କହିଲେ ”ମୁଁ ତୁମଠାରୁ ସବୁକଥାରେ ଶ୍ରେଷ୍ଠ। ଜାତିରେ ଶ୍ରେଷ୍ଠ, ବୟସରେ...

ଏଇ ଭାରତରେ

ବିହାରର ଭାଗଲପୁର ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମିକ ସହ ବିବାହ କରାଇ ଦେଇଛନ୍ତି।...

ଭାରତ ଓ କ୍ରିକେଟ

ଶରତ ଚନ୍ଦ୍ର ମିଶ୍ର ସିପାହି ଆନ୍ଦୋଳନ (୧୮୫୭) ସମୟକୁ ଭାରତରେ ଇଂରେଜ ଓ ଭାରତୀୟଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ। ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ଇଂରେଜ...

ଏକ ଅମଳିନ ବ୍ୟକ୍ତିତ୍ୱ

ଡ. ସିଦ୍ଧାର୍ଥ କାନୁନ୍‌ଗୋ ଆଜି ଉତ୍କଳଗୌରବ ମଧୁସୂଦନ ବଞ୍ଚତ୍ଥିଲେ ୧୭୧ ବର୍ଷ ବୟସରେ ପଦାର୍ପଣ କରିଥାନ୍ତେ। ଇତିମଧ୍ୟରେ ତାଙ୍କ ତିରୋଧାନ ହେବାର ମଧ୍ୟ ୮୫ ବର୍ଷ...

ମରିସସ୍‌ର ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ ଜିତେନ୍ଦ୍ର କୁମାର ନାୟକ ଆଫ୍ରିକାର ଏକ ସ୍ଥାୟୀ ଗଣତନ୍ତ୍ର ଭାବେ ମରିସସ୍‌ ଜଣାଶୁଣା। ୧୯୬୮ରେ ବ୍ରିଟେନରୁ ଏହା ସ୍ବାଧୀନତା ପାଇଥିଲା। ଭାରତ ଭଳି ଏହାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *