ସମ୍ପାଦକୀୟ/ କଡ଼ା କର ସଡ଼କ ନିୟମ

ଭାରତରେ ୧ ସେପ୍ଟେମ୍ବର ୨୦୧୯ରେ ନୂଆ ମୋଟର ଭେଇକିଲ୍ସ ଆଇନ ଲାଗୁ ହେବା ପରଠାରୁ ଦେଶବ୍ୟାପୀ କୋକୁଆ ଭୟ ସୃଷ୍ଟି ହୋଇଛି। ଓଡ଼ିଶାରେ ଗୋଟିଏ ସପ୍ତାହ ମଧ୍ୟରେ ଯେଭଳି ଧରପଗଡ଼ ହେବା ସହ ଉଲ୍ଲଂଘନକାରୀଙ୍କ ଉପରେ ଅତ୍ୟଧିକ ମାତ୍ରାର ଜରିମାନା ଲଦାଗଲା, ତାହା ଏବେ ପୁରପଲ୍ଲୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କେବଳ ସେତିକି ନୁହେଁ, ଜନସାଧାରଣ ଓ ପୋଲିସ ମଧ୍ୟରେ ୭ ସେପ୍ଟେମ୍ବରରେ ଭୁବନେଶ୍ୱର ରାଜମହଲ ଛକରେ ଗାଡ଼ି ଯାଞ୍ଚକୁ ନେଇ ତୁମୁଳକାଣ୍ଡ ଘଟିଯାଇଛି। ପୋଲିସ ଗାଡ଼ିଚାଳକଙ୍କୁ କାଗଜପତ୍ର ମାଗିଥିବା ବେଳେ ଜନସାଧାରଣ ଓଲଟା ପୋଲିସ ଗାଡ଼ିର କାଗଜପତ୍ର ମାଗି ଗଣ୍ଡଗୋଳ ଘଟାଇଥିଲେ। ଏସବୁ ଦେଖି ଅନେକେ କହୁଛନ୍ତି, ଯାହା ହେଉ ପୋଲିସ ପାନେ ପାଇଛି। ଏଭଳି ଅସ୍ବାଭାବିକ କଥା ଶୁଣିଲା ବେଳେ ମନକୁ ପ୍ରଶ୍ନ ଆସୁଛି-ନିୟମଭଙ୍ଗକାରୀ କେଉଁ ସ୍ତରରେ ଅଛନ୍ତି। ୨୦୧୭ରେ ପ୍ରକାଶିତ ସରକାରୀ ରିପୋର୍ଟରୁ ଜଣାପଡ଼ିଥିଲା ଯେ, ସଡ଼କ ଦୁର୍ଘଟଣାରେ ବର୍ଷକୁ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ଯାଉଛି। ପ୍ରତି ଘଣ୍ଟାରେ ୧୭ ଜଣଙ୍କ ପ୍ରାଣହାନି ଘଟୁଛି। ଏଥିରୁ ବୁଝିବାକୁ ହେବ ଯେ, କୌଣସି ମାରାତ୍ମକ ରୋଗଜନିତ ମୃତ୍ୟୁସଂଖ୍ୟା ତୁଳନାରେ ରାସ୍ତା ଦୁର୍ଘଟଣା ଯୋଗୁ ଘଟୁଥିବା ପ୍ରାଣହାନି ଯଥେଷ୍ଟ ଅଧିକ। ଏହାର ଏକମାତ୍ର କାରଣ ହେଲା ଅସାବଧାନତାରେ ଗାଡ଼ି ଚାଳନା। ଏସବୁକୁ ଲକ୍ଷ୍ୟ କରି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରି କହିଛନ୍ତି ଯେ, ଲୋକଙ୍କ ଉପରେ ଅତ୍ୟଧିକ ଜରିମାନା ଆଦାୟ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ, କିନ୍ତୁ ଏଭଳି ପଦକ୍ଷେପ ନିଆଯିବା ଦ୍ୱାରା ଆଗକୁ ସମସ୍ତେ ନିୟମ ମାନିବାକୁ ବାଧ୍ୟ ହେବେ ଓ କେହି ଜରିମାନା ଦେବା ସକାଶେ ଯୋଗ୍ୟ ରହିବେ ନାହିଁ। ଗଡ଼କରୀଙ୍କ ଏହି କଥାକୁ ଆମେ ସମର୍ଥନ କରିବା ପଛରେ ଉଦ୍ଦେଶ୍ୟ ରହିଛି ଯେ ସମସ୍ତେ ଶୃଙ୍ଖଳିତ ହୋଇ ଚାଲନ୍ତୁ। କେବଳ ଓଡ଼ିଶା ନୁହେଁ, ଦେଶର ପ୍ରାୟ ଅଧିକାଂଶ ଆର୍‌ଟିଓ ଶାଖା ସମ୍ମୁଖରେ ଲାଗି ରହିଥିବା ଲମ୍ବା ଧାଡ଼ିକୁ ଦେଖିଲେ ସତ୍ୟ ପ୍ରମାଣିତ କରୁଛି। ହଠାତ୍‌ ଦୁଇଚକିଆ ଓ ଚାରିଚକିଆ ଚାଳକମାନେ ଲାଇସେନ୍ସ କରିବା ଉଚିତ ବୋଲି ଭାବିଲେଣି। ଇତିମଧ୍ୟରେ ବେଆଇନ ଭାବେ ଚାଲୁଥିବା ବିଭିନ୍ନ ପ୍ରକାରର ଯାନବାହନ ସଂଖ୍ୟା ରାସ୍ତାରେ ହ୍ରାସ ପାଇଥିବା ପରିଲକ୍ଷିତ ହେଉଛି। ତେବେ ଯେଉଁମାନେ ଆଇନକୁ ବିରୋଧ କରୁଛନ୍ତି ଓ ବଡ଼ ଆକାରର ଜରିମାନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି, ସେମାନେ ନିଶ୍ଚିତ ଭାବେ କାଗଜପତ୍ର ଠିକ୍‌ ରଖି ନାହାନ୍ତି ବୋଲି ଧରିନେବାକୁ ହେବ। ଯେତେବେଳେ ଏକ ରାଜ୍ୟ ବା ଦେଶରେ ୯୦ ପ୍ରତିଶତ ଲୋକ ଭୁଲକୁ ସମର୍ଥନ କରିବେ ଓ ଆଇନକୁ ଅମାନ୍ୟ କରିବେ, ସେତେବେଳେ ଏହା ଜନଗଣଙ୍କ ପ୍ରତିବାଦ ବୋଲି ଧରିନେବା ଉଚିତ ନୁହେଁ। କାରଣ ଆଇନର ସଂଜ୍ଞା କହେ ଜନସାଧାରଣଙ୍କ ଭଲ ପାଇଁ ଏହା ପ୍ରଣୟନ କରାଯାଇଛି।
ରାଜମହଲ ଛକରେ ଘଟିଯାଇଥିବା ତୁମୁଳକାଣ୍ଡକୁ ଦେଖିବା ପରେ ଓଡ଼ିଶା ସରକାର ଭୟଭୀତ ହେବା ପରି ଲାଗୁଛନ୍ତି। ସେଥିପାଇଁ ୯ ସେପ୍ଟେମ୍ବରରେ ସରକାରୀ ଭାବେ ଘୋଷଣା କରାଯାଇଛି ଯେ, ନୂଆ ମୋଟରଯାନ ଆଇନକୁ ଏଠାରେ ୩ ମାସ ପାଇଁ କୋହଳ କରାଗଲା। ସଂଶୋଧିତ ଆଇନକୁ କଡ଼ାକଡ଼ି ଲାଗୁ ନ କରି ଲୋକଙ୍କୁ ସଚେତନ କରିବାକୁ ପୋଲିସ ଓ ପରିବହନ ଅଧିକାରୀଙ୍କୁ ଉପରସ୍ତରରୁ ନିର୍ଦ୍ଦେଶ ଦିଆଯାଇଛି। ବାସ୍ତବରେ ସଡ଼କ ଓ ଯାନବାହନ ସମ୍ପର୍କିତ ଆଇନକୁ ଓଡ଼ିଶାରେ ଆଦୌ କଡ଼ାକଡ଼ି ଭାବେ କେବେହେଲେ ଲାଗୁ କରାଯାଉ ନ ଥିଲା। ସେଥିପାଇଁ ଦୀର୍ଘଦିନ ଧରି କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସହରାଞ୍ଚଳରେ ବେଆଇନ ଭାବେ ଗାଡ଼ି ଚଳାଇବା ଏକ ସାଧାରଣ ବିଷୟ ହୋଇପଡ଼ିଥିଲା। ଯେତେବେଳେ ନିୟମ କଡ଼ାକଡ଼ି ଲାଗୁ ହେଲା, ସେତେବେଳେ ମୁଷ୍ଟିମେୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ମୁଷ୍ଟିମେୟ ଏଇଥିପାଇଁ କୁହାଯାଉଛି କାରଣ ଯେଉଁମାନେ ଗଣ୍ଡଗୋଳ କରିଥିଲେ ସେମାନେ ବିନା ଲାଇସେନ୍ସ, ବିନା ଫିଟ୍‌ମେଣ୍ଟ କିମ୍ବା ଚୋରାଗାଡ଼ି ଚଳାଉଥିଲେ। ଯେଉଁମାନଙ୍କର ଆଇନଗତ କାଗଜପତ୍ର ରହିଛି, ସେମାନଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇ ନ ଥିଲା। ଏପରି କି ସେମାନେ ନିଜର ଭବିଷ୍ୟତ ସୁରକ୍ଷିତ ରଖିବା ସକାଶେ ପୋଲିସ ପଦକ୍ଷେପକୁ ସମର୍ଥନ କରିଛନ୍ତି। କାରଣ ଦୁର୍ଘଟଣାରେ ଜୀବନ ଯିବା ଗୋଟେ କଥା, ତା’ଠାରୁ ଅଧିକ ଦୁଃଖଦାୟକ ହେଉଛି ଶାରୀରିକ ଭାବେ ପଙ୍ଗୁ ପାଲଟିବା।
ଗାଡ଼ି ନିୟମ କଡ଼ାକଡ଼ି ହେବା ପରେ ଲୋକେ ସୁଧୁରିବା ଆରମ୍ଭ କରିଥିଲେ। କାଗଜପତ୍ର ଠିକ୍‌ କରିବା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ କରୁଥିଲେ। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟରେ କମ୍‌ ମଦ ବିକ୍ରି ହୋଇଥିବା ଲକ୍ଷ୍ୟ କରାଯାଇଛି। ସାଧାରଣରେ ଅଧିକାଂଶ ଡ୍ରାଇଭର ଅତ୍ୟଧିକ ମଦ ପିଇ ଗାଡ଼ି ଚଳାଉଥିଲେ। ଯେହେତୁ ଧରପଗଡ଼ ଜୋରଦାର ହେଲା ଓ ଗାଡ଼ିଚାଳକ ମଦ ପିଇବା କମାଇ ଦେଇଛନ୍ତି, ସେହେତୁ ରାସ୍ତା ଦୁର୍ଘଟଣା ମାତ୍ରା କମିଥିବା ତଥ୍ୟ ମିଳିଛି। ଏଠାରେ ଉଲ୍ଲେଖଯୋଗ୍ୟ, ବିଦେଶରେ ମଦ୍ୟପାନ କରି ଗାଡ଼ି ଚଳାଇବା କିମ୍ବା ଏକତରଫା (ଓ୍ବାନ୍‌ ଓ୍ବେ) ରାସ୍ତା ଆଇନ ଭାଙ୍ଗିବା ଏକ ଧର୍ତ୍ତବ୍ୟ ଅପରାଧ। ଭାରତରେ ବର୍ଷବର୍ଷ ଧରି ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯିବା ଦ୍ୱାରା ଯେଉଁ ସଚେତନତା ସୃଷ୍ଟି ହୋଇ ନ ଥିଲା, ତାହା ସେପ୍ଟେମ୍ବରର ଗୋଟିଏ ସପ୍ତାହରେ ତା’ଠାରୁ ଅଧିକ ଫଳପ୍ରଦ ହୋଇଥିବା ଦେଖିବାକୁ ମିଳିଛି। ଏଥିରୁ ବୁଝିବାକୁ ହେବ ଯେ, ସାଧାରଣ ଭାରତୀୟଙ୍କୁ ଭଦ୍ର ବ୍ୟବହାର ଦେଖାଇ ସଚେତନ କଲେ ସେମାନେ ପରିବର୍ତ୍ତନକୁ ଗ୍ରହଣ କରନ୍ତି ନାହିଁ। ଏପରି କି ଭୁବନେଶ୍ୱରରେ କୋହଳ ନିର୍ଦ୍ଦେଶର ଗୋଟିଏ ଦିନ ନ ବିତୁଣୁ ତିନି ଜଣ ମୋଟର ସାଇକେଲରେ ବସିବା ଓ ଭୁଲ ବାଟରେ ଯିବା ଆରମ୍ଭ ହୋଇଗଲାଣି।
ଏଠାରେ ଆଇନକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ଯୁକ୍ତି ଜରିମାନାକୁ ନେଇ ଚାଲିଛି। କେତେକ କହିଲେଣି ଆଦାୟ ହେଉଥିବା ଅର୍ଥରୁ ଅର୍ଦ୍ଧେକ ପୋଲିସ ପକେଟକୁ ଚାଲିଯାଉଛି। ଏଭଳି ଭାବିପାରୁଥିବା ସଚେତନ ନାଗରିକ ସମ୍ପୂର୍ଣ୍ଣ ଭାବେ କିଭଳି ଜରିମାନା ନ ଦେବେ ସେହି କଥା ଚିନ୍ତା କଲେ ସମାଧାନର ବାଟ ପାଇପାରନ୍ତେ। ଚୋରା କିମ୍ବା ଲାଇସେନ୍ସ ନ ଥିବା ଗାଡ଼ି ଦୁର୍ଘଟଣାରେ ପ୍ରାଣହାନି ଘଟୁଥିବା ବ୍ୟକ୍ତିଙ୍କୁ କୌଣସି ଭାବେ ବୀମା ସୁବିଧା ମିଳି ନ ଥାଏ। ଏଭଳି ସ୍ଥଳେ ଯେଉଁମାନେ ପୋଲିସ ଗାଡ଼ିର କାଗଜପତ୍ର ମାଗୁଥିଲେ, ସେମାନେ ବୁଝିବା ଦରକାର ଯେ ସରକାରୀ ଗାଡ଼ି ଦ୍ୱାରା ଦୁର୍ଘଟଣା ଘଟିଲେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ମିଳଥାଏ। ଉଦାହରଣ ସ୍ବରୂପ ରେଳଗାଡ଼ି ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ସମ୍ପୃକ୍ତ ପରିବାରବର୍ଗକୁ ଆର୍ଥିକ ସହାୟତା ମିଳିପାରୁଛି। ଏଥିରୁ ବୁଝିବାକୁ ହେବ, ସବୁ ସରକାରୀ ଗାଡ଼ିର ବୀମା ଭାବେ ନିଜେ ସରକାରୀ ବ୍ୟବସ୍ଥା ଛିଡ଼ା ହୋଇଥାଏ। କିନ୍ତୁ ଯେତେବେଳେ ଘରୋଇ କିମ୍ବା ବ୍ୟବସାୟିକ(କମର୍ସିଆଲ୍‌) ଗାଡ଼ି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟିଥାଏ, ତେବେ ସେହି ଯାନର ଉଚିତ ବୀମା ନ ଥିଲେ ତୃତୀୟ ପକ୍ଷଙ୍କ ପାଇଁ ମୋଟର ଆକ୍ସିଡେଣ୍ଟ କ୍ଲେମ୍‌ସ ଟ୍ରିବ୍ୟୁନାଲ (ଏମ୍‌ଏସିଟି) ପାଖରେ କୌଣସି ଦାବି ଉପସ୍ଥାପନ କରାଯାଇପାରେ ନାହିଁ। ଏହିସବୁ ଦିଗକୁ ସଚେତନ କରାଯାଇପାରିଲେ ରାସ୍ତା ଦୁର୍ଘଟଣା ହ୍ରାସ ହେବା ସହ ବହୁ ଅମୂଲ୍ୟ ଜୀବନ ବଞ୍ଚତ୍ୟାଇପାରିବ। ଗୋଟିଏ ସପ୍ତାହ ମଧ୍ୟରେ ଦେଖା ଦେଇଥିବା ସ୍ଥିତିରୁ ଫରକ ଅନୁଭୂତ ହୋଇଗଲାଣି।
ଏଠାରେ ଆଉ ଏକ ଦିଗକୁ ଦେଖିଲେ କଟକ ଓ ଭୁବନେଶ୍ୱର ଭଳି ସହରରେ ସବୁବେଳେ ରାହାଜାନି ସଦୃଶ ଅପରାଧ ବିଷୟରେ ଶୁଣିବାକୁ ମିଳେ। ନାଗରିକ ସଚେତନ ହେଉ ନାହାନ୍ତି ଯେ, ଏହି ଅପରାଧ ଘଟାଇଥିବା ଯୁବକମାନେ ଅଧିକାଂଶ ସମୟରେ ଚୋରା ମୋଟର ସାଇକେଲ ବ୍ୟବହାର କରିଥାଆନ୍ତି। ଯେହେତୁ କୌଣସି ସମୟରେ ଯାନବାହନ ଯାଞ୍ଚ କରାଯାଉ ନାହିଁ, ସେଥିପାଇଁ ଓଡ଼ିଶାରେ ମୋଟର ସାଇକେଲ ଚୋରି ମାତ୍ରାଧିକ। ଏଥିସହିତ ମଦ ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ବ୍ୟବହାର ଏବଂ ବ୍ୟବସାୟ ଭୁବନେଶ୍ୱରର ଅଟୋରିକ୍ସା ମାଧ୍ୟମରେ କରାଯାଇଥାଏ ବୋଲି କର୍ତ୍ତୃପକ୍ଷଙ୍କ ପାଖରେ ତଥ୍ୟ ରହିଛି। ଯେତେବେଳେ ନିୟମ କଡ଼ାକଡ଼ି କରାଗଲା, ଅନେକ ପ୍ରକାରର ସଡ଼କ ଅପରାଧୀ ନିଜକୁ ଅସୁରକ୍ଷିତ ଭାବି ପୋଲିସକୁ ପ୍ରତିବାଦ କରିବାରେ ଆଗୁସାର ହୋଇଥିଲେ। ସେଥିଲାଗି ସଭ୍ୟ ସମାଜର ଡାକରା ହେବ ଯେ, ତିନି ମାସ ନୁହେଁ, ତିନି ସପ୍ତାହ ପରେ ପୁନର୍ବାର ଏହି ଆଇନକୁ କଡ଼ାକଡ଼ି ଲାଗୁ କରାଗଲେ, ଜନସାଧାରଣ ସୁରକ୍ଷିତ ହୋଇ ବଞ୍ଚିପାରିବେ ଏବଂ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ କମିଯିବ।


All Right Reserved By Dharitri.Com

ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି...

ଆଦିବାସୀ ଅଞ୍ଚଳରେ ଶିକ୍ଷା

ସବ୍ୟସାଚୀ ଅମିତାଭ ଓଡ଼ିଶାରେ ପ୍ରାଥମିକ ଶିକ୍ଷାର ଗତି କୁଆଡେ। ସରକାର କହୁଛନ୍ତି, ଶିକ୍ଷାକୁ ପ୍ରାଥମିକତା ଦିଆଯାଉଛି। ହେଲେ ଆଦିବାସୀବହୁଳ ଜିଲାଗୁଡ଼ିକରେ ଶିକ୍ଷାର ବାସ୍ତବ ଚିତ୍ର କିନ୍ତୁ...

ଜନଜାତି ସଂସ୍କୃତିରେ ନାରୀ

ଡ. ପ୍ରଫୁଲ୍ଲ କୁମାର ସାହୁ ଭାରତୀୟ ସମାଜ ଜୀବନର ଏକ ପ୍ରଧାନ ଅଙ୍ଗ ହେଉଛି ଆଦିବାସୀ ସଂସ୍କୃତି। ପ୍ରକୃତିର ମନୋଜ୍ଞ ପରିବେଶରେ ଜୀବନ ଧାରଣ କରି...

ସମ୍ପାଦକୀୟ/ଥିଲେ ନଷ୍ଟ, ନ ଥିଲେ କଷ୍ଟ

ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଜଳସଙ୍କଟ ଏବେ ଏଭଳି ସ୍ତରରେ ପହଞ୍ଚିଛି ଯେ, କେତେକ ଲୋକ ସହର ଛାଡ଼ିବା ଆରମ୍ଭ କଲେଣି। ଆଉ କେତେକେ ଯେଉଁ ଅଞ୍ଚଳରେ...

ଆଜିର ଅର୍ଥନୀତି/ଟୋକନ୍‌ର ସ୍ଥାନୀୟକରଣ କର

ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଅର୍ଥାତ୍‌ ଏଠାରେ ଯେତିକି ଧାନ ଅମଳ ହୁଏ, ତାହା ରାଜ୍ୟବାସୀ ବର୍ଷକ ଖାଇବା ପରେ...

ମଦ ରାଜସ୍ବ ଓ ଜିଡିପି

ସହଦେବ ସାହୁ ଅବକାରୀ ବିଭାଗର ଆୟ ଉପରେ ମନ୍ତ୍ରୀଙ୍କ ଉତ୍ତର- ୨୦୦୦ ତୁଳନାରେ ୨୦୧୯ରେ ଅବକାରୀ ଟିକସ ପ୍ରାୟ ୨୯ଗୁଣ ବଢ଼ି ୧୩୫.୩୫ କୋଟିରୁ ୩୮୦୦...

ଜଳ ପାଇଁ ଯୁଦ୍ଧ

ମାୟାଧର ନାୟକ ‘ଜଳ ବିହୁନେ ସୃଷ୍ଟି ନାଶ’ କଥାଟି ଆମେ କେଉଁ ଯୁଗରୁ ଶୁଣିଆସୁଥିଲେ ବି ସେଥିପ୍ରତି ଆମର ଭ୍ରୂକ୍ଷେପ ନ ଥିଲା। ଏବେ କିନ୍ତୁ...

କବକ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ କବକ ଦ୍ୱାରା ବ୍ୟାପୁଥିବା ସଂକ୍ରମଣ କ୍ୟାଣ୍ଡିଡା ଏରିସ୍‌ ପ୍ରଥମେ ୨୦୦୯ରେ ଜାପାନରେ ଦେଖାଯାଇଥିଲା। ଏହାପରେ ଏବେ ସାରା ବିଶ୍ୱରେ ଏହା...

Leave a comment

Your email address will not be published. Required fields are marked *