ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ
ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ ଦେଖିଲି ବିଶ୍ରାମାଗାର ସାମ୍ନାରେ ଜଣେ ଝିଅ ଏକାକୀ ଠିଆହୋଇ କାନ୍ଦୁଛି। ବନ୍ଧୁ ଗାଡ଼ିରୁ ଓହ୍ଲାଇ ତା’ ନିକଟକୁ ଗଲେ। ପଛେ ପଛେ ମୁଁ। ପୂର୍ବରୁ ପରିଚିତ ସେଇ ଝିଅକୁ କାନ୍ଦିବାର କାରଣ ପଚାରିଲେ ସେ। ତା’ପରେ ସେ ଯାହା କହିଲା ମୁଁ ହତଚକିତ ହୋଇଗଲି। ଝିଅଟି କାଳେ ଉଦୁଲିଆରେ ଭିନ୍ନ ଜାତିର ପୁଅ ସହ ଚାଲିଯାଇଥିଲା। ଆଉ ତା’ର ବାପା ମରିବା ଖବର ଶୁଣି ନିଜ ଗାଁକୁ ଯାଇଥିଲା। କିନ୍ତୁ ଜାତି ଭାଇ ‘ବିସର’ କରିଦେଇଥିବାରୁ ତାକୁ ଘର ଭିତରକୁ ପୂରେଇ ଦେଲେନି କି ବାପାକୁ ଟିକେ ଛୁଇଁ ମୁଣ୍ଡିଆ ମାରିବାର ସୁଯୋଗ ଦେଲେନି। ଗାଁ ଭାଇଙ୍କ ନିକଟରେ ବହୁ କାକୁତିମିନତି ହେଲା। ତଥାପି ତାକୁ ସୁଯୋଗ ଦିଆଗଲାନି। ଶେଷରେ ନିରାଶ ହୋଇ ତାକୁ ଫେରିବାକୁ ପଡ଼ିଲା। ତାକୁ ସାନ୍ତ୍ୱନା ଦେଇ ପୁଣି ଗାଡ଼ିକୁ ଫେରିବା ପରେ କାହାଣୀକୁ ଟିକେ ଖୋଲି କହିଲେ ବନ୍ଧୁ।
ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲାର କିଛି ସମ୍ପ୍ରଦାୟରେ ଏବେ ବି ଅନେକ ରୂଢ଼ିବାଦୀ ପରମ୍ପରା ଚାଲୁରହିଛି। ସମାଜ ବହୁ ଆଗେଇଛି। ବହୁ ପ୍ରଥା ଓ ପରମ୍ପରା ବଦଳିଛି। କିନ୍ତୁ ଯୁଗ ସହ ତାଳ ଦେଇ ସମାଜରେ ବସା ବାନ୍ଧିଥିବା କିଛି ଅଲୋଡ଼ା ପରମ୍ପରା ଚାଲୁରହିଛି। ଜାତିର ଶୃଙ୍ଖଳା ନାମରେ ଅମାନବୀୟ ପ୍ରଥା ଚାଲୁଛି। ସେହି କ୍ରମରେ ‘ବିସର’ ହେଉଛି କାଳେ ଏମିତି ଏକ ହୃଦୟଥରା ପରମ୍ପରା। ଗଣ୍ଡ, ଭୂୟାଁ, ଗୌର, ସଉରା ଭଳି କେତେକ ସମ୍ପ୍ରଦାୟରେ ବଢ଼ିଲା ପୁଅ କି ଝିଅ ଯଦି ଭଲ ପାଇ ଅନ୍ୟ ଜାତିର ପୁଅ କିମ୍ବା ଝିଅ ସହ ଉଦଲିଆ ବିହା ହୋଇଗଲା ତ କଥା ସରିଲା। ତା’ର ପରିଣାମ ସେଇ ପୁଅ ଝିଅ ତ ଭୋଗିବେ, ତା’ ସହିତ ସେମାନଙ୍କ ପରିବାରକୁ ବି ଭୋଗିବାକୁ ପଡ଼ିବ। ସେଇ ପରିବାରକୁ ପ୍ରଥମେ ସମାଜ ବାଛନ୍ଦ କରିବ। ଜାତିରୁ ଅଛୁଆଁ ହୋଇଯିବେ ସେମାନେ। ପରିବାର ଲୋକ ‘ବିସର’ ଜରିଆରେ ଗାଁ ଭାଇଙ୍କୁ ଭୋଜିଭାତରେ ଆପ୍ୟାୟିତ କଲେ ଯାଇ ମୁକ୍ତି। ଜାତିର ପୂଜକ ଜରିଆରେ ପୂଜାପାଠ ସହ ଆମିଷ ଛୁଆଁରେ ସମ୍ପନ୍ନ ହୁଏ ପ୍ରାୟଶ୍ଚିତ୍ତ। ମୃତ ଲୋକଙ୍କ ପାଇଁ ଯାହାସବୁ ପାଳନ କରାଯାଏ ସେସବୁ ପ୍ରଥା ବଞ୍ଚିଥିବା ଲୋକଟି ପାଇଁ ମଧ୍ୟ କରାଯାଏ। କହିବାକୁ ଗଲେ ସେଇ ସନ୍ତାନକୁ ସମାଜରୁ ମୃତ ଘୋଷଣା କରାଯାଏ। ମୃତ୍ୟୁଲୋକରେ ମିଶେଇ ଦିଆଯାଏ।
‘ବିସର’ ପରେ ପରିବାର ସମାଜରେ ମିଶିଯାଏ ଅଥଚ ଘରୁ ଗୋଡ଼ ବାହାର କରିଥିବା ସନ୍ତାନ ପାଇଁ ସବୁଦିନ ଲାଗି ଘରବାହୁଡ଼ା ବାଟ ବନ୍ଦ ହୋଇଯାଏ। କୌଣସି ପରିସ୍ଥିତିରେ ସେ ଆଉ ଫେରିପାରେନା। ନିଜ ଆପଣାର ଲୋକଠାରୁ ଘର ବାହାରେ ରହି ଇତର ଲୋକ ପରି ବ୍ୟବହାର ପାଏ ସେ ସବୁକାଳେ। ଏବେ ବି ଅନେକ ଜାତି ଭିତରେ ବହୁ ପ୍ରଥା ରହିଛି ଯାହା ମାନବିକତାକୁ ହତ୍ୟା କରୁଛି। ବ୍ୟକ୍ତିଗତ ସ୍ବାଧୀନତା ନିକଟରେ ଜାତିର ସ୍ବେଚ୍ଛାଚାରିତା ଭାରି ପଡୁଛି। ନିଆଁ ପାଣିର ଡର, ଜାତି ଭାଇଙ୍କ ସହଯୋଗ ଓ ସମର୍ଥନ ହରାଇବାର ଭୟ ଜାତିବାଦକୁ ଅଧିକ ପ୍ରଶ୍ରୟ ଦେଉଥିବା ପରିତାପର ବିଷୟ। ଏଇକ୍ରମରେ ଆଉ ଏକ ତଥ୍ୟ ଯୋଡ଼ିଲେ ବନ୍ଧୁ। ଯଦି କୌଣସି କାରଣବଶତଃ ମାଳୀ ସମ୍ପ୍ରଦାୟର ଲୋକ ଅନୁସୂଚିତ ଜାତିର ଲୋକଙ୍କଠାରୁ ମାଡ଼ ଖାଇଲା ତ ଜାଣ ତା’ ମୁଣ୍ଡରେ ବି ବିପଦ ଛିଡିଲା। ମାଡ଼ ସହ ଜାତି ଭାଇର ନିର୍ଯାତନାକୁ ବି ବିଚରା ଲୋକଟିକୁ ସହିବାକୁ ହୁଏ। ସେଇ ମୁହୂର୍ତ୍ତରୁ ଉକ୍ତ ବ୍ୟକ୍ତି ଜାତିରୁ ଅଲଗା ଗଣାହେବ। ପାରମ୍ପରିକ ପ୍ରଥାରେ ପୂଜାପାଠ ସହ ଭୋଜିଭାତରେ ଆପ୍ୟାୟିତ ନ କଲା ଯାଏ ସେ ଜାତିରୁ ପୃଥକ୍‌ ରହିବାକୁ ବାଧ୍ୟ।
ଅବଶ୍ୟ ଆଜିକାଲି କେତେକ ସ୍ଥାନରେ ଜାତିପ୍ରଥା ଓ ପରମ୍ପରାକୁ ଅଣଦେଖା କରି କିଛି ପରିବାର ସାଦରେ ନିଜ ସନ୍ତାନଙ୍କ ପସନ୍ଦକୁ ସ୍ବୀକୃତି ଦେଉଛନ୍ତି। ଜାତିବାଦକୁ ନେଇ ଭୋଟ ରାଜନୀତି ଜୋର ଚାଲିଥିବାବେଳେ ଏଭଳି ଅମାନବୀୟ ପରମ୍ପରା ବିରୋଧରେ ନେତାମାନେ ନୀରବ ରହିବା ଯେମିତି ଲାଗୁଛି ଆଉ ଏକ ରାଜନୀତି। ଜାତି ନାମରେ କିଛି ମୁଣ୍ଡିଆଳ ଚଳାଇଥିବା କୋଉ ଅମଳର ଏଭଳି ପରମ୍ପରା ମାନବିକ ଅଧିକାରକୁ ଉଲ୍ଲଂଘନ କରୁଛି ସତ, ହେଲେ ସଚେତନତା ଅଭାବରୁ ଅନେକ ପୁଅଝିଅଙ୍କ ଆଖିରୁ ଲୁହ ଶୁଖୁନି। ବଞ୍ଚି ଥାଉ ଥାଉ ଶବ ପାଲଟିଯାଉଛନ୍ତି ସେମାନେ। ଜାତି ପାଇଁ ଏଇ ଜିଅନ୍ତା ଶବମାନେ ଜୀବନତମାମ ଅକଥନୀୟ ଦୁଃଖ ଓ ଯାତନାରେ ଶଢୁଛନ୍ତି ନିଜ ଭିତରେ। ବିପଦ ଆପଦରେ, ଭଲମନ୍ଦରେ କାନ୍ଧକୁ କାନ୍ଧ ମିଳେଇ ଜାତିଭାଇ ଠିଆ ହେବାର ଦୁର୍ବାର ଆଶା ଓ ସମ୍ଭାବନାରେ ଅଧିକ ସମ୍ବେଦନଶୀଳ ହୋଇ ଆମ ଦ୍ୱାରା ଗଠିତ ତଥାକଥିତ ଜାତି ଶେଷରେ ପ୍ରଥା ନାମରେ ନିଜ ଜାତିର ଲୋକଙ୍କ ପ୍ରତି କେମିତି ନିର୍ଦ୍ଦୟ ହୋଇପାରୁଛି, ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଗୋଟିଏ ଆଶ୍ୱାସନାର ବିଷୟ ଯେ, ଜାତିର ନିୟମକୁ ଭାଙ୍ଗୁଥିବା ଝିଅପୁଅଙ୍କର ଜିଇ ଥାଉ ଥାଉ ଶୁଦ୍ଧିକ୍ରିୟା କରାଯାଉ ପଛେ ସେମାନଙ୍କୁ ଅନର କିଲିଂର ସାମ୍‌ନା କରିବାକୁ ପଡ଼ୁନି, ଯାହା ଅନ୍ୟ କେତେକ ରାଜ୍ୟରେ ଘଟୁଛି।
ମୋ- ୯୫୫୬୨୮୭୭୭୫


All Right Reserved By

ସମ୍ପାଦକୀୟ/ଆମାଜନ: ବିଶ୍ୱ ବିପତ୍ତି

ବ୍ରାଜିଲର ଆମାଜନ ଜଙ୍ଗଲକୁ ନିଆଁ ଜଳେଇ ଚାଲିଛି। ଏକ ଅଧ୍ୟୟନ ଅନୁଯାୟୀ ବିଶ୍ୱ ଅମ୍ଳଜାନର ୨୦ ପ୍ରତିଶତ ଏହି ଜଙ୍ଗଲରୁ ଉତ୍ପନ୍ନ ହୋଇଥାଏ। କୁହାଯାଉଛି ଦେଶର...

ସମ୍ପାଦକୀୟ/ ବ୍ୟାଙ୍କ ପ୍ରତିଦ୍ୱନ୍ଦ୍ୱିତା

ଭାରତୀୟ ଅର୍ଥନୀତି ବର୍ତ୍ତମାନ ଏକ ଖରାପ ସ୍ଥିତି ଦେଇ ଗତି କରୁଛି। ନିକଟରେ ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ଏପ୍ରିଲ-ଜୁନ୍‌ ତ୍ରୈମାସରେ ସମୁଦାୟ...

ମିତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ମୋଦି ସରକାର ତାଙ୍କ ଦ୍ୱିତୀୟ ପାଳି ପ୍ରାରମ୍ଭରେ କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନାଙ୍କ ପରି ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ରଙ୍କ...

ଆଇନଜ୍ଞ ରାଜ୍ୟପାଳ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ରାଷ୍ଟ୍ରପତି ଭବନ ପକ୍ଷରୁ ଜୁଲାଇ ୨୦ରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ନାଗାଲାଣ୍ଡ ଏବଂ ତ୍ରିପୁରାରେ ରାଜ୍ୟପାଳଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି...

ନିଜର ଦୀପ ନିଜେ ହୁଅ

ପ୍ରବାସିନୀ ମହାକୁଡ଼ କୌଣସି ଲୋକ ଯଦି କୌଣସି ନଦୀକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିସାରିଥାଏ ଏବଂ ପୁଣିଥରେ ସେଇ ନଦୀକୁ ପାରିହେବାକୁ ଚାହେଁ, ତେବେ...

କିଏ ଶ୍ରୀରାଧା

ବିଭୂତି ପ୍ରସାଦ ବୋଷମଲ୍ଲିକ ଶ୍ରୀରାଧା କିଏ? ପ୍ରାୟ ୯୯% ଲୋକ କହନ୍ତି ଯେ, ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କ ପ୍ରେମିକା। କିନ୍ତୁ ବାସ୍ତବରେ ଏମାନେ ରାଧାଙ୍କୁ ଜାଣନ୍ତି...

ଏଜେଣ୍ଟଙ୍କ ଦୁଃଖ

ରୁଦ୍ର ପ୍ରସନ୍ନ ରଥ ଗତ କିଛି ବର୍ଷ ହେଲା ଦେଶର ପୂର୍ବାଞ୍ଚଳର ରାଜନୀତିକୁ ଚିଟ୍‌ ଫଣ୍ଡ ବେଶ୍‌ ସରଗରମ କରି ରଖିଛି। ଖାସ୍‌ କରି ଓଡ଼ିଶା...

ମଣିମା ଓ ମଣିଷ

ନିରଞ୍ଜନ ପାଢ଼ୀ ଗଣତନ୍ତ୍ରର ଗରିମା ମଧ୍ୟରେ ରାଜତନ୍ତ୍ର ବିଲୟ ଲଭିବାର ଇତିହାସ ପୁରୁଣା ହୋଇଗଲାଣି। ଜନତନ୍ତ୍ରର ଜୟଧ୍ୱନି ମଧ୍ୟରେ କେବେଠୁଁ ନିଃଶବ୍ଦ ହୋଇଗଲାଣି ମଣିମା ବୋଲି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *