ଆର୍ଥିକ ସଙ୍କଟ ନେଇ ସରକାର ଗମ୍ଭୀର ତ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ନିକଟରେ ପ୍ରମୁଖ ବିସ୍କୁଟ୍‌ ପ୍ରସ୍ତୁତକାରୀ କମ୍ପାନୀ ବ୍ରିଟାନିଆର ମୁଖ୍ୟ ଦେଶର ଆର୍ଥିକ ସଙ୍କଟ ଉପରେ ଟିପ୍ପଣୀ ଦେଇ କହିଥିଲେ, ‘ଅବସ୍ଥା ଏପରି ହୋଇଛି ଯେ ବର୍ତ୍ତମାନ ପାଞ୍ଚଟଙ୍କିଆ ବିସ୍କୁଟ ପ୍ୟାକେଟ୍‌ଟିଏ କିଣିବା ପୂର୍ବରୁ ବି ଲୋକେ ଦୁଇଥର ଚିନ୍ତା କରୁଛନ୍ତି।’ ବ୍ରିଟାନିଆ ମୁଖ୍ୟଙ୍କ ଏହି ସରଳ ଟିପ୍ପଣୀ ମଧ୍ୟଦେଇ ଦେଶର ଅର୍ଥନୀତିର ଭୟଙ୍କର ଚିତ୍ରଟି ସ୍ପଷ୍ଟ ଜଣାପଡେ। ବଜାରରେ ବିକ୍ରି ହେଉ ନ ଥିବାରୁ ଦେଶର ୩.୫ କୋଟି ଲୋକଙ୍କୁ ରୋଜଗାର ଦେଉଥିବା ଗାଡ଼ି ଶିଳ୍ପରେ ଏକରକମ ହାହାକାର ସୃଷ୍ଟି ହୋଇଥିବା ବେଳେ ଅନ୍ୟତମ ରୋଜଗାର ପ୍ରଦାନକାରୀ କ୍ଷେତ୍ର ବୟନ ଶିଳ୍ପରେ ମଧ୍ୟ ଗତ ଏକ ବର୍ଷ ମଧ୍ୟରେ ୩୦-୩୫% ଉତ୍ପାଦନ ହ୍ରାସ ପାଇ ପ୍ରାୟ ୩୦-୫୦ ଲକ୍ଷ ଲୋକ ରୋଜଗାର ହରାଇଛନ୍ତି। କେବଳ କାର୍‌, ବାଇକ୍‌, ଏସି, ଏଲ୍‌ଇଡି ଟିଭି ପରି ଉଚ୍ଚମୂଲ୍ୟର ବିଳାସ ସାମଗ୍ରୀ ନୁହଁ, ଲୁଗାପଟାଠାରୁ ଆରମ୍ଭ କରି ବିସ୍କୁଟ୍‌, ଶୁଖିଲା ଖାଦ୍ୟ, ଚା, ଏଫ୍‌ଏମ୍‌ସିଜି ପର୍ଯ୍ୟନ୍ତ ବଜାରରେ ସବୁ ରକମର ଶିଳ୍ପଜାତ ଦ୍ରବ୍ୟ ବିପୁଳ ପରିମାଣରେ ଗଚ୍ଛିତ ଥିଲେ ମଧ୍ୟ ତାହା ବିକ୍ରି ହୋଇପାରୁନାହିଁ। ଗତ ତିନି ମାସ ମଧ୍ୟରେ ବିଦେଶରୁ ତେଲ, ସୁନା ଓ ରୁପା ପରି ସାମଗ୍ରୀର ଆମଦାନୀରେ ୪୫% ହ୍ରାସ ଦେଖାଦେବା ବି ବଜାରରେ ନଗଦର ଅଭାବ ଏବଂ ଲୋକଙ୍କ କ୍ରୟକ୍ଷମତାର ହ୍ରାସକୁ ସୂଚାଉଛି।
ତେବେ ଆଶ୍ଚର୍ଯ୍ୟର କଥା, ଦେଶର ଅର୍ଥନୀତିରେ ଗତ ପ୍ରାୟ ଏକବର୍ଷ ଧରି ମାନ୍ଦାବସ୍ଥା ଦେଖାଯାଇଥିଲେ ବି ସରକାର ଏ ଯାଏ ତାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନୁହନି। ତେବେ ସରକାରଙ୍କୁ ସମର୍ଥନ କରି ଆସୁଥିବା ରାହୁଲ ବଜାଜଙ୍କଠାରୁ ଆରମ୍ଭକରି ମୋହନଦାସ ପାଇଙ୍କ ପର୍ଯ୍ୟନ୍ତ ଜଣକ ପରେ ଜଣେ ଶିଳ୍ପପତି ମାନ୍ଦାବସ୍ଥାକୁ ନେଇ ଖୋଲାଖୋଲି ଭାବେ ନିଜର ଅସନ୍ତୋଷ ପ୍ରକାଶ କରିବା ତଥା ଖୋଦ୍‌ ସରକାରଙ୍କ ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ବର୍ତ୍ତମାନର ସଙ୍କଟକୁ ସତୁରି ବର୍ଷରେ ଅଭୂତପୂର୍ବ ବୋଲି କହିବା ପରେ ସରକାର ହଠାତ୍‌ ସକ୍ରିୟ ହୋଇ ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଦେଶର ଅର୍ଥନୀତିର ଦୁରବସ୍ଥାକୁ ଦେଖି ମୁହଁ ଫେରାଇ ନେଉଥିବା ବିଦେଶୀ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ଦେଢ଼ ମାସ ତଳେ ବଜେଟରେ ବସାଇଥିବା ଟିକସ ଓ ସରଚାର୍ଜକୁ ପ୍ରତ୍ୟାହାର କରିଛନ୍ତି। ଖୁଚୁରା, କୋଇଲା ଖନନ, ଡିଜିଟାଲ ମିଡ଼ିଆ ପରି ଅନେକ କ୍ଷେତ୍ରକୁ ଶହେ ପ୍ରତିଶତ ବିଦେଶୀ ପୁଞ୍ଜି ପାଇଁ ଖୋଲି ଦିଆଯାଇଥିବା ବେଳେ ପୂର୍ବରୁ ବିଦେଶୀ ପୁଞ୍ଜିନିବେଶ ପାଇଁ ରହିଥିବା ଅନେକ ସର୍ତ୍ତକୁ କୋହଳ କରିଦିଆଯାଇଛି। କେବଳ ସେତିକି ନୁହେଁ, ପ୍ରଥମ ଥର ପାଇଁ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କରୁ ୧.୭୬ ଲକ୍ଷ କୋଟି ଟଙ୍କାର ବିପୁଳ ଧନରାଶି ନିଜ ପାଖକୁ ଆଣିଛନ୍ତି, ଯେଉଁଥିରେ ବ୍ୟାଙ୍କ୍‌ର ସଂରକ୍ଷିତ ଜରୁରିକାଳୀନ ପାଣ୍ଠିର ଅର୍ଥ ବି ରହିଛି। ସରକାରଙ୍କ ଉପରୋକ୍ତ ପଦକ୍ଷେପ ଆର୍ଥିକ ସଙ୍କଟକୁ ରୋକିବାରେ ଯେ ବିଫଳ ହେବ, ଏହା ସରକାରଙ୍କ ଘୋଷଣା ସତ୍ତ୍ୱେ ସଙ୍କଟ ଦୂର ହେବାର କୌଣସି ଲକ୍ଷଣ ଦେଖା ନ ଯିବାରୁ ସ୍ପଷ୍ଟ ପ୍ରମାଣିତ ହେଉଛି।
ମୋଦି ସରକାରଙ୍କ ଦୁଇଟି ବଡ଼ ପଦକ୍ଷେପ, ୨୦୧୬ର ବିମୁଦ୍ରୀକରଣ ଏବଂ ୨୦୧୭ର ଜିଏସ୍‌ଟି ଦେଶର ଅର୍ଥନୀତିରେ ସବୁଠାରୁ ବେଶି କ୍ଷତି ପହଞ୍ଚାଇଛି। ବିମୁଦ୍ରୀକରଣ ଫଳରେ ଅସଂଗଠିତ କ୍ଷେତ୍ରର ଅର୍ଥନୀତି ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛି। ଜିଏସ୍‌ଟି ଯୋଗୁ ଦେଶର ଅସଂଗଠିତ କ୍ଷେତ୍ରର ବ୍ୟବସାୟ ଭୟଙ୍କର ସଙ୍କଟ ମଧ୍ୟକୁ ଚାଲିଯାଇଛି। କୋଟି କୋଟି ଲୋକ ନିଜର ରୋଜଗାର ହରାଇଛନ୍ତି। ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପ୍ରାୟ ଏକ କୋଟି ପଦବୀକୁ ଗତ ପାଞ୍ଚବର୍ଷ ମଧ୍ୟରେ ପୂରଣ ତ କରାଯାଇନି ବରଂ ରେଳ ବିଭାଗର ଛଅ ଲକ୍ଷ ପଦବୀ ଉଚ୍ଛେଦ ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ଜାତୀୟ ନମୁନା ସର୍ଭେର ସଦ୍ୟତମ ରିପୋର୍ଟ ଅନୁଯାୟୀ ଦେଶରେ ବେରୋଜଗାର ହାର ଗତ ୪୫ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର (୪୫%)ରେ ପହଞ୍ଚିଛି।
ସରକାର ଆପଣେଇଥିବା ନବଉଦାରବାଦୀ ଅର୍ଥନୀତି ଦେଶରେ ଆର୍ଥିକ ବୈଷମ୍ୟକୁ ବଢ଼ାଇବା ସହିତ ଅଧିକରୁ ଅଧିକ ଲୋକଙ୍କ ଆୟ ହ୍ରାସ କରି ଦାରିଦ୍ର୍ୟ ଭିତରକୁ ଠେଲିଦେବାରେ ଲାଗିଛି। ନିକଟରେ ପ୍ରକାଶିତ ଅକ୍ସଫାମ୍‌ର ରିପୋର୍ଟ ଅନୁଯାୟୀ ଦେଶର ୭୩% ସମ୍ପତ୍ତି ମାତ୍ର ୧% ଧନୀ ଲୋକଙ୍କ ହାତରେ ଠୁଳ ହୋଇଛି। କୃଷିରେ ମଧ୍ୟ ଲଗାତର ସରକାରୀ ପୁଞ୍ଜିନିବେଶର ଅଭାବ ଏବଂ ବର୍ଦ୍ଧିତ କୃଷି ସଙ୍କଟ କାରଣରୁ ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କ ଆୟ ଓ କ୍ରୟ କ୍ଷମତା ହ୍ରାସ ପାଇଛି। ଜାତୀୟ ନମୁନା ସର୍ଭେ- ୨୦୧୮ର ତଥ୍ୟ ଅନୁଯାୟୀ ୨୦୧୪-୧୫ରେ ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ଖର୍ଚ୍ଚ କରିବାର କ୍ଷମତା ବା ଆୟ ୧୫୮୭ ଟଙ୍କା ଥିବାବେଳେ ୨୦୧୮-୧୯ରେ ତାହା ଟ୧୫୨୪କୁ ହ୍ରାସ ପାଇଛି। ସେହିଭଳି ସହରାଞ୍ଚଳରେ ବ୍ୟକ୍ତି ପିଛା ମାସିକ ହାରାହାରି ଖର୍ଚ୍ଚ ୨୯୨୬ ଟଙ୍କା ଥିବା ବେଳେ ତାହା ୨୯୦୯ ଟଙ୍କାକୁ ହ୍ରାସ ପାଇଛି। କୃଷିରେ ବିକାଶ ଦର ୨.୯%ରେ ସୀମିତ ଥିବା ବେଳେ ଶିଳ୍ପରେ ବିକାଶ ଦର ୬.୯%କୁ ଖସିଛି। ଡଲାର ତୁଳନାରେ ଟଙ୍କାର ମୂଲ୍ୟହ୍ରାସ ରେକର୍ଡ଼ ସ୍ତରରେ ପହଞ୍ଚତ୍ଥିବା ବେଳେ ଦେଶର ଆମଦାନି ଓ ରପ୍ତାନି ଉଭୟ ହ୍ରାସ ପାଇଛି।
ଆର୍ଥିକ ମାନ୍ଦାବସ୍ଥାର ସବୁଠାରୁ ବଡ଼ କାରଣ ହେଉଛି ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ କ୍ରୟଶକ୍ତି ହ୍ରାସ। ବିଭିନ୍ନ ସରକାରୀ ଅଧ୍ୟୟନରୁ ଜଣାପଡ଼ିଛି ଯେ ଗତ ପାଞ୍ଚବର୍ଷ ମଧ୍ୟରେ ଦେଶରେ ଶିଳ୍ପ ଶ୍ରମିକମାନଙ୍କ ମଜୁରିରେ କୌଣସି ବୃଦ୍ଧି ଘଟି ନ ଥିବା ବେଳେ କୃଷି ମଜୁରିରେ ଓଲଟା ହ୍ରାସ ଦେଖାଦେଇଛି। ଦେଶରେ ମଜୁରି ବୃଦ୍ଧିର ହାର ୨୦୧୦-୧୧ରେ ୨୦.୫% ଥିବା ବେଳେ ୨୦୧୮-୧୯ ବେଳକୁ ତାହା ଏକ ଅଙ୍କକୁ ଖସି ଆସିଛି। ଗ୍ରାମାଞ୍ଚଳରେ ସରକାରଙ୍କ ସବୁଠାରୁ ବଡ଼ ରୋଜଗାର ସୃଷ୍ଟିକାରୀ ଯୋଜନା ମନରେଗାରେ ସରକାର ପ୍ରତିବର୍ଷ ବ୍ୟୟହ୍ରାସ କରି ଚାଲିଥିବା ବେଳେ ସେଥିରେ ଦିଆଯାଉଥିବା ମଜୁରି ନ ବଢ଼ାଇବା ଫଳରେ ବର୍ତ୍ତମାନ ତାହା ବଜାରର ମଜୁରିଠାରୁ ୩୦-୪୦% କମ୍‌ ରହିଛି। ନବଉଦାର ଅର୍ଥନୀତିର ଫଳସ୍ବରୂପ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିୟମିତ ଓ ସ୍ଥାୟୀ ନିଯୁକ୍ତି ବଦଳରେ ଅଧିକରୁ ଅଧିକ ଠିକା ଏବଂ ଆଉଟ୍‌ସୋର୍ସିଂର ପ୍ରଚଳନ ଫଳରେ କୋଟି କୋଟି ଲୋକ ଅତ୍ୟନ୍ତ କମ୍‌ ଦରମାରେ କାମ କରିବାକୁ ବାଧ୍ୟ ହେଉଛନ୍ତି, ଯାହାକି ସେମାନଙ୍କ କ୍ରୟକ୍ଷମତାକୁ ହ୍ରାସ କରୁଛି।
ବିଶ୍ୱ ଶ୍ରମ ସଙ୍ଗଠନ ତା’ର ଏକ ରିପୋର୍ଟରେ ପ୍ରକାଶ କରିଛି ଯେ, ଭାରତରେ ମୋଟ ଜାତୀୟ ଆୟରେ ମଜୁରିର ଅଂଶ ଲଗାତର କମିଥିବା ବେଳେ ପୁଞ୍ଜିପତିଙ୍କ ମୁନାଫାର ଅଂଶ ବୃଦ୍ଧି ପାଇବାରେ ଲାଗିଛି। ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ସାମୟିକ ଶ୍ରମଶକ୍ତି ସର୍ଭେର ତଥ୍ୟ ଅନୁଯାୟୀ ଦେଶର ମୋଟ ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରେ ୪୫% (ଗ୍ରାମାଞ୍ଚଳରେ ୫୫% ଏବଂ ସହରାଞ୍ଚଳରେ ୩୮%)ଙ୍କ ଦରମା ମାସିକ ଦଶ ହଜାରରୁ କମ୍‌ ଥିବା ବେଳେ ୧୨% ସ୍ଥାୟୀ କର୍ମଚାରୀଙ୍କ ଦରମା ପାଞ୍ଚ ହଜାରରୁ ବି କମ୍‌। ଦେଶର ୬୩% ମହିଳା କର୍ମଚାରୀ ମାସିକ ଦଶ ହଜାରରୁ କମ୍‌ ଦରମା ପାଉଥିବା ବେଳେ ଅର୍ଦ୍ଧାଧିକ କର୍ମଚାରୀ କୌଣସି ପ୍ରକାରର ସାମାଜିକ ସୁରକ୍ଷା ପାଉନାହାନ୍ତି। ଦେଶର ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ସ୍ଥାୟୀ କର୍ମଚାରୀଙ୍କ ସ୍ଥିତି ଯଦି ଏଇଆ ତା’ହେଲେ ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ କୋଟି କୋଟି ଶ୍ରମିକଙ୍କ ଆୟର ସ୍ଥିତି କ’ଣ ତାହା ଅନୁମେୟ।
ନିକଟରେ ଅର୍ଥମନ୍ତ୍ରୀ ଦେଶୀ ବିଦେଶୀ କର୍ପୋରେଟ୍‌ମାନଙ୍କୁ ଖୁସି କରିବା ପାଇଁ ଯେଉଁସବୁ କର, ଟିକସ ଓ ସରଜାର୍ଜରେ ରିହାତି ଓ ପ୍ରତ୍ୟାହାର ଘୋଷଣା କଲେ, ବଜାରରେ ନଗଦ ଉପଲବ୍ଧ କରାଇବା ପାଇଁ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ତୁରନ୍ତ ୭୦ ହଜାର କୋଟି ଟଙ୍କା ଯୋଗାଇବାକୁ କହିଲେ, ଖୁଚୁରା ପରି କ୍ଷେତ୍ରରେ ଶହେ ପ୍ରତିଶତ ବିଦେଶୀ ପୁଞ୍ଜିକୁ ଅନୁମତି ଦେଲେ ଏହାଦ୍ୱାରା କେବଳ କର୍ପୋରେଟ୍‌ମାନଙ୍କର ହିଁ ମୁନାଫା ସୁରକ୍ଷିତ ହେବ, କିନ୍ତୁ ସାଧାରଣ ଜନତାଙ୍କ ଆୟ କିମ୍ବା କ୍ରୟକ୍ଷମତାରେ ବୃଦ୍ଧି ହେବନି।
ଅର୍ଥନୀତିକୁ ମାନ୍ଦାବସ୍ଥାରୁ ଉଦ୍ଧାର କରିବାର ଏକମାତ୍ର ଉପାୟ ହେଉଛି କର୍ପୋରେଟ୍‌ ନୁହେଁ ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଆୟକୁ ବଢ଼ାଇବା, ଫଳରେ ସେମାନେ ବଜାରରୁ ଅଧିକରୁ ଅଧିକ ଜିନିଷ କିଣିପାରିବେ। ଏଥିପାଇଁ ଦେଶରେ ସର୍ବନିମ୍ନ ମଜୁରି ବଢ଼ାଇବା ସହିତ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ସରକାରୀ ବିନିଯୋଗର ଆବଶ୍ୟକତା ରହିଛି। କୃଷିରେ ଆୟ ବୃଦ୍ଧି ପାଇଁ କୃଷକଙ୍କ ଫସଲର ସହାୟକ ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିବା ସହିତ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ କମାଇବାକୁ ପଦକ୍ଷେପ ନେବା ଦରକାର। ଯଦି ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିଶେଷକରି ଜଳସେଚନ, ଶୀତଳଭଣ୍ଡାର ପରି କୃଷି ଭିତ୍ତିଭୂମିରେ ବ୍ୟାପକ ସରକାରୀ ପୁଞ୍ଜିନିବେଶ କରନ୍ତି, ତା’ହେଲେ ତାହା ଭିତ୍ତିଭୂମିର ସୃଷ୍ଟି ସହ କୃଷି ଉତ୍ପାଦନକୁ ବଢ଼ାଇବ ଏବଂ ସେଠାରେ ରହୁଥିବା ସଂଖ୍ୟାଧିକ ଲୋକଙ୍କ ଆୟରେ ବୃଦ୍ଧି ଘଟିପାରିବ। ଫଳରେ ସେମାନେ ବଜାରରୁ ଶିଳ୍ପଜାତ ଦ୍ରବ୍ୟ କିଣିବାକୁ ସକ୍ଷମ ହେବେ ଏବଂ ବଜାରରେ ଚାହିଦା ବଢ଼ିବ।
ମୋ: ୯୪୩୭୧୬୬୩୯୧


All Right Reserved By

ଆଜିର ଅର୍ଥନୀତି/ ଅର୍ଥନୀତିକୁ ଝଟକା

ମୋଟର ଯାନ ସଂଶୋଧନ ଅଧିନିୟମ, ୨୦୧୯ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଓ ଚଢ଼ା ଜରିମାନା ଆଦାୟ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।...

ପରିବେଶକୁ ସଜାଡ଼ିବା ପ୍ରୟାସ

ଡ. ବିଜୟ କେତନ ପଟ୍ଟନାୟକ ଗତ ମେ ୩ ତାରିଖରେ ଶ୍ରୀକ୍ଷେତ୍ର ପୁରୀ ନିକଟରେ ଭୂମିପାତ ହେବା ଅବସରରେ ମହାବାତ୍ୟା ଫନୀ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି...

ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି...

ଅଖୁସି ଭାରତ

ପ୍ରକାଶ ତ୍ରିପାଠୀ ଭାଇ କେମିତି ଅଛନ୍ତି? ସବୁ ଭଲ ତ? ଚିହ୍ନା ପରିଚୟ ଭିତରେ କାହାକୁ ଏମିତି ପଚାରନ୍ତୁ। ଉତ୍ତର ଆସିବ-ହଁ ଭାଇ, ସେମିତି ସୁଖେଦୁଃଖେ...

ବେତନ ଆୟୋଗ ବସିବନି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି...

ଏଇ ଭାରତରେ

ଗୁଜରାଟ ଅହମଦାବଦର ମନୀଷ ସୋନୀ ନାମକ ଜଣେ ଯୁବକ ଏବେ ଖୁବ୍‌ ଚର୍ଚ୍ଚାରେ। କ୍ରିକେଟ ଓ୍ବାର୍ଲଡ କପ୍‌ ଚାଲିଥିବା ସମୟରେ ସେ ସୁନାରେ ତିଆରି କରିଛନ୍ତି...

ଆଜିର ପ୍ରାଥମିକତା ଭୂତଳ ବିଦ୍ୟୁତ୍‌ ସେବା

ସବ୍ୟସାଚୀ ଅମିତାଭ ସାମୁଦ୍ରିକ ବାତ୍ୟା ଫନୀ ପରବର୍ତ୍ତୀ ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଅନୁମେୟ ଯେ, ରାଜ୍ୟ ସରକାର ଏହି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଏକପ୍ରକାର...

ଆମାଜନ ନିଆଁ : ବିଶ୍ୱ ପାଇଁ ବିପଦ

ଡ. ଦେବାନନ୍ଦ ବେଉରା ପୃଥିବୀର ବୃହତ୍ତମ ବୃଷ୍ଟିପୁଷ୍ଟ ଜଙ୍ଗଲ ଆମାଜନ ବର୍ତ୍ତମାନ ଜଳୁଛି। ସାରା ବିଶ୍ୱ ଏଥିପାଇଁ ଚିନ୍ତିତ। ଏତେ ବଡ଼ ଆମାଜନ ଜଙ୍ଗଲର ପ୍ରାୟ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *