ବହୁ-ଗ୍ରହୀୟ ଜୀବନ

ଆକାର ପଟେଲ
ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଯଦି ଜୀବନକୁ ଦେଖିବା, ତେବେ ତା’ର ମୁଖ୍ୟ ମାଇଲ୍‌ଷ୍ଟୋନ୍‌ଗୁଡ଼ିକ କ’ଣ ହେବ? ପ୍ରଥମେ ଆସିବ ପ୍ରାୟ ୩୫୦ କୋଟି ବର୍ଷ ତଳେ ଦେଖାଯାଇଥିବା ଏକକୋଷୀ ପ୍ରାଣୀ। ତା’ପରେ ଆସିବେ ବହୁକୋଷୀ ପ୍ରାଣୀ, ସ୍ତନ୍ୟପାୟୀ ପ୍ରାଣୀ ଓ ଅନ୍ୟ ଉନ୍ନତ ପ୍ରାଣୀ। ପୁଣି ଜୀବନର ଗତି ସମୁଦ୍ରରୁ ଆରମ୍ଭ ହୋଇ ଭୂମି ଉପରକୁ ଆସିଛି ଏବଂ ତା’ପରେ ଚେତନାର ବିକାଶ ଘଟିଛି। ଶେଷରେ ଏହି ବିବର୍ତ୍ତନର ଧାରା ମଣିଷକୁ ବର୍ତ୍ତମାନର ଅବସ୍ଥାରେ ପହଞ୍ଚାଇଛି। ଏହି ମାନଦଣ୍ଡ ଉପରେ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ?
ଏହା ସ୍ପଷ୍ଟ ଯେ, ଯେତେବେଳେ ବିବର୍ତ୍ତନୀୟ ମାନଦଣ୍ଡରେ ଆମେ ଜୀବନକୁ ଦେଖିବା, ସେତେବେଳେ କଳା, ସଂସ୍କୃତି, ଭାଷା ପ୍ରଭୃତି ଅପ୍ରାସଙ୍ଗିକ ହୋଇପଡ଼ିବ। ମଣିଷ ସମାଜ ଆଜି ଯାଏ ଯେତେ ଯୁଦ୍ଧ ଲଢ଼ିଛି, ତାକୁ ନେଇ ଯେତେ ଇତିହାସ ଲେଖା ଓ ପଢ଼ା ହୋଇଛି, ତା’ର କିଛି ଗୁରୁତ୍ୱ ରହିବ ନାହିଁ। ଇତିହାସର ସମସ୍ତ ମହାପୁରୁଷ ଓ ମହୀୟସୀ ନାରୀ ମଧ୍ୟ ଅପ୍ରାସଙ୍ଗିକ ହୋଇପଡ଼ିବେ। ଏହି ମାନଦଣ୍ଡରେ ପରବର୍ତ୍ତୀ ପଦକ୍ଷେପ ହେବ ଜୀବନ ଓ ଚେତନାକୁ ବହୁ-ଗ୍ରହୀୟ (multi-planetary) କରିତୋଳିବା। ଅର୍ଥାତ୍‌ ପୃଥିବୀରୁ ଜୀବନକୁ ନେଇ ଅନ୍ୟ ଗ୍ରହଗୁଡ଼ିକରେ ପହଞ୍ଚାଇବା ଏବଂ ସେଠାରେ ମାନବ ସଭ୍ୟତାର ବିକାଶ ଘଟାଇବା। ଏହା ପ୍ରଥମେ ହେବ ଆମ ସୌରଜଗତ ଅନ୍ତର୍ଗତ ଅନ୍ୟ ଗ୍ରହରେ, ତା’ପରେ ଆମ ଛାୟାପଥ (ନୀହାରିକା) ଅନ୍ତର୍ଗତ ସୌରଜଗତଗୁଡ଼ିକରେ ଏବଂ ଶେଷରେ ମହାକାଶରେ ଥିବା ଅନ୍ୟାନ୍ୟ ନୀହାରିକାରେ।
ଯେତେବେଳେ ଆମେ ଇତିହାସ ଓ ବିବର୍ତ୍ତନ ଉପରେ ଦୃଷ୍ଟି ପକାଉ ଏବଂ ଏହି ଧାରାରେ ଉଚ୍ଚାଭିଳାଷ ପୋଷଣ କରୁ, ସେତେବେଳେ ଅନେକ ଜିନିଷ ଅର୍ଥହୀନ ହୋଇଯାଏ। ଆମର ପରସ୍ପର ଭିତରେ ଥିବା ସମସ୍ୟା ଏବଂ ଅନ୍ୟ ଦେଶ ଓ ଅନ୍ୟ ଧର୍ମ ଭିତରେ ରହିଥିବା ମତପାର୍ଥକ୍ୟ ଅତି ଛୋଟ ଓ ଅର୍ଥହୀନ ହୋଇପଡ଼େ। ଏହି ଦୃଷ୍ଟିରୁ ଚନ୍ଦ୍ରଯାନ-୨ର ବିଫଳତାକୁ ଆମେ ଦେଖିବା ଉଚିତ। ଚନ୍ଦ୍ରରେ ବରଫ ଆକାରରେ କେତେ ପାଣି ଅଛି, ତାହା ଦେଖିବା ଥିଲା ଏହି ଅଭିଯାନର ଉଦ୍ଦେଶ୍ୟ। ଚନ୍ଦ୍ରରେ ମଣିଷର ଭିତ୍ତି- ଯାହା ହେବ ବହୁ-ଗ୍ରହୀୟ ଜୀବନଯାତ୍ରାର ପ୍ରଥମ ପଦକ୍ଷେପ- ତାହା ହେଉଛି ଚନ୍ଦ୍ରରେ ଥିବା ପାଣିକୁ ଠାବ କରିବା ଓ ତାକୁ ବ୍ୟବହାର କରିବାର କ୍ଷମତା ହାସଲ। ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ ପୃଥିବୀପୃଷ୍ଠରୁ ସବୁ ଜିନିଷ ବୁହାଇ ନେଇ ଗ୍ରହାନ୍ତରକୁ ମହାକାଶୀୟ ଯାତ୍ରା କରିବା ସହଜ ନୁହେଁ। ଗୋଟିଏ ରକେଟ୍‌ର ଓଜନ ଯେତିକି ତା’ର ୧୦ ପ୍ରତିଶତରୁ କମ୍‌ ଜିନିଷ ବହନ କରି ପୃଥିବୀର କକ୍ଷରେ ପ୍ରବେଶ କରିହେବ। ଅନ୍ୟ ୯୦ ପ୍ରତିଶତ ହେଉଛି ପ୍ରଥମ କିଛି ମିନିଟ ପାଇଁ ଇନ୍ଧନ ଓ ଧାରକ। କାରଣ କକ୍ଷପଥ ଭିତରକୁ ଯିବା ମାନେ ଘଣ୍ଟାକୁ ୨୮,୦୦୦ କିମି ବେଗ ହାସଲ କରିବା। ଯଦି କୌଣସି ବସ୍ତୁ ଏହାଠାରୁ କମ୍‌ ବେଗରେ ଗତି କରେ, ତେବେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ତାକୁ ପୁଣି ନିଜ ଆଡ଼କୁ ଟାଣିଆଣିବ। ଯଦି ଆମେ ୪ ବର୍ଷ ବା ଅଧିକ କାଳ ଯାତ୍ରା କରିବାକୁ ଚାହୁଁ (ମଙ୍ଗଳକୁ ଯିବା ଓ ଫେରିବା ପାଇଁ ଅତି କମ୍‌ରେ ସେତିକି ସମୟ ଦରକାର), ତେବେ ଆବଶ୍ୟକ ଖାଦ୍ୟ, ଜଳ ଓ ଇନ୍ଧନ ସାଙ୍ଗରେ ନେଇ ହେବ ନାହିଁ। ତାକୁ ଅନ୍ୟ କୋଉଠୁ ସଂଗ୍ରହ କରିବାକୁ ହେବ ବା ତିଆରି କରିବାକୁ ପଡ଼ିବ। ଗରିବ ଦେଶଗୁଡ଼ିକରେ ସରକାର ଅବାସ୍ତବ ପ୍ରକଳ୍ପଗୁଡ଼ିକ ପାଇଁ ଯେଉଁ ବିପୁଳ ଟଙ୍କା ଖର୍ଚ୍ଚ କରନ୍ତି, ତାକୁ ଆମ ଭିତରୁ ଅନେକେ ପସନ୍ଦ କରନ୍ତି ନାହିଁ। ଅନ୍ୟ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ବୋଲି ସେମାନେ ମତପୋଷଣ କରନ୍ତି। ଏହା ପୂର୍ବରୁ ମୁଁ ଲେଖିଥିଲି ଯେ ଆମେ ମହାକାଶୀୟ ଗବେଷଣା ଓ ଅନୁସନ୍ଧାନକୁ ଖୋଲା ମନରେ ବିଚାର କରିବା ଉଚିତ।
ଏକ ବିଫଳ ପ୍ରୟାସ ହେଉଛି ଏକ ବିଫଳତା ଏବଂ ଏକ କ୍ଷତି, ଯଦି ଆମେ ଏଥିରୁ କିଛି ଶିକ୍ଷା ନ କରୁ। ମହାକାଶ ହେଉଛି ବିପଜ୍ଜନକ ଏବଂ ଆମେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଗଲାବେଳେ ଅନେକ ବିଫଳ ପ୍ରୟାସର ସାମ୍‌ନା କରିବାକୁ ପଡ଼ିପାରେ। ବିଶ୍ୱର ବୃହତ୍ତମ ସ୍ପେସ୍‌ କମ୍ପାନୀ ସ୍ପେସ୍‌ଏକ୍ସ ହେଉଛି ପ୍ରଥମ ଘରୋଇ କମ୍ପାନୀ ଯିଏ ପ୍ରାୟ ୧୦ ବର୍ଷ ତଳେ ପୃଥିବୀର କକ୍ଷପଥରେ ରକେଟ ସଂସ୍ଥାପନ କରିଥିଲା। ଏହା ପ୍ରଥମ ତିନିଥର ଏଥିରେ ବିଫଳ ହୋଇଥିଲା ଏବଂ ପାଖରେ ଯଥେଷ୍ଟ ଟଙ୍କା ଥିବାରୁ ଏହା ଚତୁର୍ଥ ଥର ପାଇଁ ଚେଷ୍ଟା କରି ସଫଳ ହୋଇଥିଲା। ବର୍ତ୍ତମାନ ୧୦ ବର୍ଷ ପରେ ମହାକାଶ ଗବେଷଣା କ୍ଷେତ୍ରରେ ଅନେକ ବିକାଶ ହେବା ପରେ ଏହା ମଙ୍ଗଳଗ୍ରହକୁ ମଣିଷକୁ ନେବା ପାଇଁ ବିରାଟ ବିରାଟ ରକେଟ୍‌ ପ୍ରସ୍ତୁତ କରୁଛି। କମ୍ପ୍ୟୁଟରର ଶକ୍ତି ଯୋଗୁ ଏବେ ଦ୍ରୁତଗତିରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଘଟିଚାଲିଛି। ଆମ ଜୀବନକାଳ ଭିତରେ ଏବଂ ବାସ୍ତବରେ ଅଳ୍ପ କିଛି ବର୍ଷ ଭିତରେ ବହୁ ବଡ଼ ବଡ଼ ସଫଳତା ମିଳିବାର ସମ୍ଭାବନା ଅଛି, ଯାହା ଆମେ ଏବେ କଳ୍ପନା ବି କରିପାରିବା ନାହିଁ। ପରିଶେଷରେ ପୃଥିବୀରେ ଜୀବନଧାରଣ କଷ୍ଟକର ହୋଇପାରେ। ପୃଥିବୀ ସହ କୌଣସି ଗ୍ରହାଣୁ ମାଡ଼ ହୋଇ ବା ପ୍ରାକୃତିକ ମହାବିପର୍ଯ୍ୟୟ ଯୋଗୁ ଜୀବସତ୍ତା ଲୋପ ପାଇଯାଇପାରେ। ତାହା ଯଦି ନ ହୁଏ, ତେବେ କିଛି ବିଲିୟନ ବର୍ଷ ପରେ ସୂର୍ଯ୍ୟ ତା’ର ଶକ୍ତି ହରାଇ ଏକ ଲୋହିତ ତାରକାରେ ପରିଣତ ହେବ ଏବଂ ପୃଥିବୀ ଧ୍ୱଂସ ପାଇଯିବ। ତେଣୁ ମଣିଷ ଓ ଚେତନଶୀଳ ଜୀବ ବଞ୍ଚିବାର ଏକମାତ୍ର ରାସ୍ତା ହେଉଛି ପୃଥିବୀ ଛାଡ଼ି ମହାକାଶରେ ଅନ୍ୟ କେଉଁଠିକୁ ପଳାଇବା। ବର୍ତ୍ତମାନ ଇସ୍ରୋ, ନାସା, ଚାଇନିଜ୍‌ ସ୍ପେସ୍‌ ଏଜେନ୍ସି ଏବଂ ସ୍ପେସ୍‌ଏକ୍ସର ପ୍ରଚେଷ୍ଟାକୁ ଆମେ ମାନବଜଗତର ଏହି ପ୍ରଚେଷ୍ଟାର ଅଂଶବିଶେଷ ଭାବେ ଦେଖିବା ଉଚିତ।
Email: aakar.patel@gmail.com


All Right Reserved By Dharitri.Com

ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି...

ବିଶ୍ୱବ୍ୟାଙ୍କର ପ୍ରଥମ ମହିଳା ଏମ୍‌ଡି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଭାବେ ବିଶ୍ୱ ବ୍ୟାଙ୍କ ଗରିବ ରାଷ୍ଟ୍ରଗୁଡ଼ିକୁ ସୁଧମୁକ୍ତ ଋଣ ଓ ଅନୁଦାନ ଦେଇ ବିକାଶମୂଳକ ପ୍ରକଳ୍ପ ତ୍ୱରାନ୍ବିତ...

ବଦଳିରୁ ବିବାଦ

ଦିଲ୍ଲୀକା ବାବୁ ଦିଲୀପ ଚେରିଏନ୍‌ ୧୯୯୫ କ୍ୟାଡର ଆଇଏଏସ୍‌ ଅଫିସର ପ୍ରତୀକ ହାଜେଲାଙ୍କୁ ୭ ଦିନ ମଧ୍ୟରେ ମଧ୍ୟପ୍ରଦେଶକୁ ବଦଳି କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ...

କାହିଁ ସେଦିନର ଲୁହ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଓଡ଼ିଶାରେ ଫନୀର ତାଣ୍ଡବ ପରେ ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଖାଇବାକୁ ପାଉନାହାନ୍ତି। ଜୀବିକା ହରାଇଛନ୍ତି। ଅବଶ୍ୟ ସରକାର ଯଥାସାଧ୍ୟ...

ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ...

ଶ୍ରୋତା ବକତା କେହି ନାହିଁ

ଦାମୋଦର ବେହେରା ବର୍ତ୍ତମାନ ବିଭିନ୍ନ ସଭାସମିତିରେ ଶ୍ରୋତା ଓ ବକ୍ତାମାନଙ୍କୁ ନେଇ ଯେଉଁସବୁ ସମସ୍ୟା ମୁଣ୍ଡ ଟେକୁଛି ତାହା ଚିନ୍ତାର କାରଣ ହୋଇଛି। ସଭାସମିତି ହେଲେ...

ସମ୍ପାଦକୀୟ/ପଇସା ଦେଲେ ପାଠ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା। ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିଷୟବସ୍ତୁକୁ ନେଇ ଯେତେବେଳେ ଦେଶବ୍ୟାପୀ...

ନାରୀ ନିର୍ଯାତନା କାହିଁକି

ଡ. ରମେଶଚନ୍ଦ୍ର ପରିଡ଼ା ଆମ ସଂସ୍କୃତିରେ ନାରୀକୁ ସମ୍ମାନାସ୍ପଦ ସ୍ଥାନ ପ୍ରଦାନ କରାଯାଇ ଆସିଛି। ସେଇଥିପାଇଁ କୁହାଯାଏ ଯେ, ନାରୀ ଯେଉଁଠି ପୂଜାପାଏ ସେଠାରେ ଦେବତା...

Leave a comment

Your email address will not be published. Required fields are marked *