ଅଧାଗ୍ଲାସ୍‌ ପାଣି

ପ୍ରକାଶ ତ୍ରିପାଠୀ
ଆପଣଙ୍କୁ ଯେତିକି ଶୋଷ ଲାଗୁଛି, ସେତିକି ପାଣି ଗ୍ଲାସ୍‌ରେ ଢାଳି ପିଅନ୍ତୁ। ଅଯଥା ନଷ୍ଟ କରନ୍ତୁ ନାହିଁ। ଏଭଳି ଉପଦେଶ ଯଦି କେହି ଦିଅନ୍ତି, ତେବେ ପ୍ରଥମେ ତ ଆପଣଙ୍କୁ ଏହା ଅଜବ ଲାଗିପାରେ। ମାତ୍ର ଟିକେ ଗଭୀରିଆ ଚିନ୍ତା କଲେ ଏହାର ମର୍ମ ବୁଝିପାରିବେ। ଏବେ ଏହାର ମର୍ମ ଠିକ୍‌ ବୁଝିଛନ୍ତି ରାଜସ୍ଥାନବାସୀ। ରାଜସ୍ଥାନରେ ସାଧାରଣତଃ ବର୍ଷାର ପରିମାଣ କମ୍‌ ହୋଇଥାଏ। ସେଥିପାଇଁ ଏଠାରେ ବିସ୍ତୀର୍ଣ୍ଣ ମରୁଭୂମିମାନ ଦେଖାଯାଇଥାଏ। ଜନସାଧାରଣ ପାଣି ବାଲ୍‌ତିଏ ପାଇଁ ମାଇଲ ମାଇଲ ଦୂରକୁ ଯାଇଥାନ୍ତି। ଏଭଳି କ୍ଷେତ୍ରରେ ପିଇବା ପାଣିର ମୂଲ୍ୟ ବୁଝିଛନ୍ତି ରାଜସ୍ଥାନର ଭିଲଓ୍ବାଡା ଜିଲାର ଜିଲାପାଳ। ଆରମ୍ଭ କରିଛନ୍ତି ହାଫ୍‌ ଗ୍ଲାସ୍‌ ଓ୍ବାଟର ବା ‘ଅଧାଗ୍ଲାସ୍‌ ପାଣି’ ଅଭିଯାନ। ଯଦି ଅଧାଗ୍ଲାସ୍‌ ପାଣି ପିଇ ଆମ ତୃଷ୍ଣା ମେଣ୍ଟିପାରୁଛି, ତେବେ ଗୋଟିଏ ପୂରା ଗ୍ଲାସ୍‌ ପାଣି କାହିଁକି ମଗାଇବା। ପ୍ରାଥମିକ ସ୍ତରରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କୁ ପଚାରି ପିଇବା ପାଇଁ ପାଣି ଦିଅନ୍ତୁ ଏବଂ ଅଧାଗ୍ଲାସ୍‌ ପାଣି ଦିଅନ୍ତୁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଯେଭଳି ଭାବେ ମଧୁର ଜଳ ପୃଥିବୀପୃଷ୍ଠରୁ କମି କମି ଯାଉଛି, ଆଜିଠାରୁ ଏହାର ସଞ୍ଚୟ ତଥା ବ୍ୟର୍ଥ ଉପଯୋଗକୁ ରୋକା ନ ଗଲେ ପରବର୍ତ୍ତୀ ପିଢିଙ୍କ ପାଇଁ ଏହା ଚରମ ସଙ୍କଟ ସୃଷ୍ଟିକରିବ। ଜଣେ ଶୋଷ ମେଣ୍ଟିଲା ପର୍ଯ୍ୟନ୍ତ ପାଣି ପିଇବାକୁ ମନା ନାହିଁ। ମାତ୍ର ଟୋପାଏ ପାଣି ବି ନଷ୍ଟ ନ କରିବା ହିଁ ଏହି ଅଧାଗ୍ଲାସ୍‌ ପାଣି ଅଭିଯାନର ମୂଳ ଲକ୍ଷ୍ୟ।
ଅଧାଗ୍ଲାସ୍‌ ପାଣି ଅଭିଯାନକୁ ଅଧିକ ସକ୍ରିୟ କରିବା ପାଇଁ ସୋସିଆଲ ମିଡିଆକୁ ଆୟୁଧ କରିଛନ୍ତି ଗୁରୁଗାଓଁର ଆୟୁର୍ବେଦ ଡାକ୍ତର ପରମେଶ୍ୱର ଆରୋଡା। ସେ ଏକ ଭିଡିଓ ମାଧ୍ୟମରେ ପିଇବା ପାଣିର ସଂରକ୍ଷଣ ତଥା ଅପଚୟ ନ କରିବାକୁ ନିବେଦନ କରିଛନ୍ତି। ସାଧାରଣତଃ ଦେଖାଯାଇଥାଏ, ଘରକୁ ଅତିଥି ଆସିଲେ ପ୍ରଥମେ ଆମେ ତାଙ୍କୁ ପାଣି ଗ୍ଲାସ୍‌ଟିଏ ପିଇବାକୁ ଦେଇଥାଉ। ଯଦି ଶୋଷ ଲାଗୁଥିବ, ତେବେ ଅତିଥି ପାଣି ଗ୍ଲାସ୍‌ଟିକୁ ପିଇ ତୃପ୍ତି ଲାଭ କରିଥାନ୍ତି। ଶୋଷ ଲାଗୁ ନ ଥିଲେ ଢୋକେ ଦି ଢୋକ ପିଇ ଅବଶିଷ୍ଟ ପାଣି ଛାଡି ଦେଇଥାନ୍ତି। କେହି କେହି ଶୋଷ ଲାଗୁ ନ ଥିଲେ ବି ସୌଜନ୍ୟ ଦୃଷ୍ଟିରୁ ବାଧ୍ୟହୋଇ ଗ୍ଲାସ୍‌ର ସମସ୍ତ ପାଣି ପିଇ ଦିଅନ୍ତି। ଢୋକେ ପିଇଥିବା ଗ୍ଲାସ୍‌ର ଅବଶିଷ୍ଟ ପାଣିକୁ ଫିଙ୍ଗା ଯାଇଥାଏ। ସେହିପରି ଶୋଷ ନ ଥାଇ ପାଣି ପିଇଥିବା ଅତିଥି କିଛି ସମୟ ପରେ ପରିସ୍ରାଗାର ଯିବାକୁ ବାଧ୍ୟ ହୋଇଥାନ୍ତି ଓ ଟଏଲେଟ ଫ୍ଲସ୍‌ କରି ଆହୁରି ଛଅ ଲିଟର ପାଣି ଅଧିକ ଖର୍ଚ୍ଚ କରିଥାନ୍ତି। ଏହିଭଳି ପାଣିର ଅପବ୍ୟବହାର ଯୋଗୁ ଭାରତରେ ଦିନକୁ ପ୍ରାୟ ୩୦୦ କୋଟି ଲିଟର ପାଣି ନଷ୍ଟ ହେଉଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି। ଘରକୁ ଅତିଥି ଆସିଲେ ସେମାନଙ୍କ ପାଇଁ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୁଏ। ଯଦି ଖାଇବା ଟେବୁଲରେ ସେମାନେ ପ୍ଲେଟ୍‌ରେ କିଛି ଖାଦ୍ୟ ଛାଡି ଉଠିଯାଆନ୍ତି, ତେବେ ଆପଣଙ୍କୁ ଏହା ଖୁବ୍‌ କଷ୍ଟ ଦିଏ। ଯଦି ଢୋକେ ବା ଦି ଢୋକ ପାଣି ପିଇ ଗ୍ଲାସ୍‌ରେ ବଳକା ପାଣି ଛାଡି ଉଠିଯାଆନ୍ତି, ତେବେ ଆପଣଙ୍କୁ ବା ଆପଣଙ୍କ ଅତିଥିଙ୍କୁ ବିଶେଷ କିଛି ଫରକ ପଡେନି। କାରଣ ପିଇବା ପାଣିର ମୂଲ୍ୟ ନା ଆପଣ ନା ଆପଣଙ୍କ ଅତିଥି ବୁଝିପାରୁଛନ୍ତି। ସେ ସମୟ ଆଉ ବେଶି ଡେରି ନାହିଁ ଯେତେବେଳେ କି ପିଇବା ପାଣି ମୁନ୍ଦେ ପାଇଁ ଆମକୁ ଚିତ୍କାର କରିବାକୁ ପଡିବ।
ଅଧାଗ୍ଲାସ୍‌ ପାଣି ଅଭିଯାନକୁ ଆଉ ପାଦେ ଆଗକୁ ନେଇଛି ଦୈନିକ ହିନ୍ଦୀ ଖବରକାଗଜ ଜାଗରଣ। ଜଳ ହିଁ ଜୀବନ। ଜଳକୁ ନେଇ ଆଗାମୀ ଦିନର ସଙ୍କଟରୁ ବଞ୍ଚିବା ପାଇଁ ଆଜି ହିଁ ଠୋସ୍‌ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛି ଦୈନିକ ଜାଗରଣ। ‘ବରବାଦ କରନା ମୋତେ ମନେରଖ ଏତିକି, ଶୋଷେ ତୁମେ ରହିଯିବ ମୋତେ ଟୋପେ ନ ପାଇକି। କେତେ ବରବାଦ କରି ତାମସା ଦେଖିବ, ସଙ୍କଟ ଆସିଲେ ଦିନେ ନିଶ୍ଚେ ମୋତେ ଭାବିବ।’ ଏଭଳି ଏକ ସ୍ଲୋଗାନ ମାଧ୍ୟମରେ ଜଳ ସଚେତନତା ସୃଷ୍ଟି କରୁଛି ଦୈନିକ ଜାଗରଣ। ଅଧାଗ୍ଲାସ୍‌ ପାଣି ଅଭିଯାନର ପ୍ରକୃତ ସୃଷ୍ଟିକର୍ତ୍ତା ହେଉଛନ୍ତି ବାଙ୍ଗାଲୋରର କଲେଜ ଛାତ୍ରୀ ଗର୍ବିତା ଗୁଲାଟି। ଏଥିପାଇଁ ଗତବର୍ଷ ବିଶ୍ୱ ପରିବର୍ତ୍ତନକାରୀ ବା ଗ୍ଲୋବାଲ୍‌ ଚେଞ୍ଜମେକର୍‌ ସମ୍ମାନରେ ସମ୍ମାନିତ ହୋଇଥିବା ଗର୍ବିତା ୪୨ ଦେଶର ୬୦ ଜଣ ବିଜେତାଙ୍କ ମଧ୍ୟରେ ଏକମାତ୍ର ଭାରତୀୟ। ବାଙ୍ଗାଲୋରର ଏକ ରେସ୍ତୋରାଁରେ ପାଣିର ଅପବ୍ୟବହାର ଦୃଶ୍ୟ ଦେଖିବା ପରେ ତାଙ୍କ ମନ ଆନ୍ଦୋଳିତ ହୋଇଥିଲା। ଗରାଖଙ୍କ ଟେବୁଲରେ ଥିବା ଗ୍ଲାସ୍‌ରେ ସର୍ଭିସ୍‌ ବୟଟି ବାରମ୍ବାର ପାଣି ଭର୍ତ୍ତି କରୁଥିବା ଓ ଶେଷରେ ପାଣି ତକ ନଷ୍ଟ ହେଉଥିବା ସେ ଦେଖିବା ପରେ ପାଣିର ସଞ୍ଚୟ ଓ ଠିକ୍‌ ଉପଯୋଗ ଉପରେ ସେ ତାଙ୍କର ଅଭିଯାନ ଆରମ୍ଭ କଲେ। ଗରାଖଙ୍କୁ ପଚାରି ତାଙ୍କ ଟେବୁଲରେ ଥିବା ଗ୍ଲାସ୍‌ରେ ପାଣି ଭରିବାକୁ ସେ ବିଭିନ୍ନ ହୋଟେଲ ଓ ରେସ୍ତୋରାଁରେ ସଚେତନତା ସୃଷ୍ଟି କରିବାକୁ ଲାଗିଲେ। ପାଠ ପଢିବା ପରିବର୍ତ୍ତେ ଏପରି ଫାଲ୍‌ତୁ କାମରେ ମନୋନିବେଶ ନ କରିବାକୁ ତାଙ୍କୁ ଅନେକେ ପରାମର୍ଶ ଦେଲେ। ହେଲେ ନିଜ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନ ଥିଲେ ଗର୍ବିତା। ଏଥିରେ ତାଙ୍କୁ ସହଯୋଗ କରିଥିଲେ ତାଙ୍କ ସହପାଠୀ ପୂଜା ତନଓ୍ବାଡେ। ପରେ ସେମାନଙ୍କୁ ସହାୟତାର ହାତ ବଢାଇଥିଲା ଗୋଟିଏ ସ୍ବେଚ୍ଛାସେବୀ ସଂସ୍ଥା ଓ ତା’ପରେ ଆରମ୍ଭ ହୋଇଥିଲା ଏକ ସୋସିଆଲ ଗ୍ରୁପ୍‌ ଯାହାର ନାମ ଥିଲା change.org। ଏହାର ପ୍ରଥମ ସ୍ଲୋଗାନ ଥିଲା ‘କାହିଁକି ଅପଚୟ’। ଗର୍ବିତାଙ୍କୁ ଗ୍ଲୋବାଲ ଚେଞ୍ଜମେକର ନେଟ୍‌ଓ୍ବର୍କ ପକ୍ଷରୁ ସମ୍ମାନ ମିଳିବା ପରେ ଦେଶବ୍ୟାପୀ ହାଫ୍‌ ଗ୍ଲାସ୍‌ ଓ୍ବାଟର ବା ଅଧାଗ୍ଲାସ୍‌ ପାଣି ଅଭିଯାନ ବେସରକାରୀ ସ୍ତରରୁ ସରକାରୀ ସ୍ତରକୁ ବ୍ୟାପିଲାଣି।
ଜଳ ସଂରକ୍ଷଣ ତଥା ଏହାର ଅପଚୟକୁ ରୋକିବା ଦିଗରେ କାର୍ଯ୍ୟ କରୁଥିବା ମଣିଷଙ୍କ ଭିତରେ ଆଉ ଜଣେ ନିଆରା ମଣିଷ ହେଉଛନ୍ତି ମୁମ୍ବାଇର ଆବିଦ୍‌ ସୁର୍ଭୀ। ୮୫ ବର୍ଷୀୟ ଆବିଦ୍‌ଙ୍କ ଦ୍ୱାରା ସ୍ଥାପିତ ଡ୍ରପ୍‌ ଡେଡ୍‌ ଫାଉଣ୍ଡେଶନ ସମ୍ପ୍ରତି ବିନା ମୂଲ୍ୟରେ ଅର୍ଥାତ୍‌ ମାଗଣାରେ ବୁନ୍ଦା ବୁନ୍ଦା କ୍ଷରଣ ହେଉଥିବା ପାଣି ଟ୍ୟାପ୍‌ଗୁଡିକୁ ମରାମତି କରୁଛନ୍ତି। ମୁମ୍ବାଇରେ ପାଣିର ସଙ୍କଟକୁ ପିଲାଟି ଦିନରୁ ଅଙ୍ଗେ ନିଭାଇଛନ୍ତି ଆବିଦ୍‌। ମଧ୍ୟବିତ୍ତ ପରିବାରଗୁଡିକରେ ଲିକ୍‌ କରୁଥିବା ପାଣିଟ୍ୟାପ୍‌ ଅଧିକ ଦେଖିବାକୁ ମିଳିଥାଏ। ପାଇପ ମିସ୍ତ୍ରିଙ୍କ ମଜୁରି ଦେବାକୁ ପସନ୍ଦ କରୁ ନ ଥିବା ଏହି ପରିବାରଗୁଡିକ ସାଧାରଣତଃ ଖର୍ଚ୍ଚାନ୍ତ ହେବା ଅପେକ୍ଷା ବୁନ୍ଦା ବୁନ୍ଦା ପାଣି କ୍ଷରଣକୁ ଗ୍ରହଣ କରିନିଅନ୍ତି। ଏକ ସର୍ବେକ୍ଷଣ କୁହେ ପାଣି ଲିକ୍‌ କରୁଥିବା ଗୋଟିଏ ଟ୍ୟାପ୍‌ରୁ ମାସିକ ପ୍ରାୟ ଏକ ହଜାର ଲିଟର ପାଣି ବରବାଦ ହୋଇଥାଏ। ଏହା ଜାଣିବା ପରେ ପାଣି ଟ୍ୟାପ୍‌ ମରାମତି ପାଇଁ ଆଗେଇ ଆସନ୍ତି ଆବିଦ୍‌ ସୁର୍ଭୀ। ୨୦୦୭ ମସିହାରୁ ମାଗଣାରେ ପାଣି ଟ୍ୟାପ୍‌ ମରାମତି କାମକୁ ସେ ଅବ୍ୟାହତ ରଖିଛନ୍ତି। ପ୍ରତି ସୋମବାର ସେ ବିଭିନ୍ନ ଆପାର୍ଟମେଣ୍ଟ, ବସ୍ତି ଓ ସାହି ଆଦି ବୁଲି ସେଠାକାର ମୁଖିଆଙ୍କ ସହ ଆଲୋଚନା କରନ୍ତି ଓ ଯେଉଁମାନଙ୍କ ଘରେ ଟ୍ୟାପ୍‌ ଖରାପ ଅଛି ତା’ର ଚିଠା ପ୍ରସ୍ତୁତ କରିବାକୁ ନିବେଦନ କରିଥାନ୍ତି। ଶନିବାର ସେହି ଚିଠା ସଂଗ୍ରହ କରାଯିବା ପରେ ରବିବାର ସକାଳୁ ମରାମତି କାର୍ଯ୍ୟ ଆରମ୍ଭ ହୁଏ। ନିଜେ ଆବିଦ୍‌ ଜଣେ ପାଇପ ମିସ୍ତ୍ରିଙ୍କୁ ନିଜ ମୋଟରସାଇକେଲରେ ବସାଇ ସେହିସବୁ ସ୍ଥାନରେ ପହଞ୍ଚନ୍ତି ଓ ଖରାପ ଥିବା ପାଣି ଟ୍ୟାପ୍‌ଗୁଡିକୁ ସଜାଡି ଦିଅନ୍ତି ବା ନୂଆ ଲଗାଇଦିଅନ୍ତି। ଗତ ବାରବର୍ଷ ଭିତରେ ସେ ତେର ହଜାରରୁ ଊର୍ଦ୍ଧ୍ୱ ଘରକୁ ଯାଇ ପାଣି ଟ୍ୟାପ୍‌ ମରାମତି କରିସାରିଲେଣି। ୮୦ଟି ପୁସ୍ତକର ରଚୟିତା ତଥା ଜଣେ ଚିତ୍ରକର ଓ କାର୍ଟୁନିଷ୍ଟ ଭାବେ ଆବିଦ୍‌ ସମ୍ମାନିତ ହେବା ସହ ଗ୍ରହଣ କରିଥିବା ପୁରସ୍କାର ରାଶି ସେ ତାଙ୍କ ସମାଜସେବାରେ ବ୍ୟୟ କରିଥାନ୍ତି। ପ୍ରଥମେ ପ୍ରଥମେ ପାଇପ ମିସ୍ତ୍ରିମାନେ ଆବିଦ୍‌ଙ୍କଠାରୁ ପାରିଶ୍ରମିକ ନେଉଥିଲେ। ହେଲେ ଆବିଦ୍‌ଙ୍କର ନିଃସ୍ବାର୍ଥପର ସେବା ଦେଖି ସେମାନେ ମଧ୍ୟ ଏବେ ବିନାମୂଲ୍ୟରେ ସେବା ପ୍ରଦାନ କରୁଛନ୍ତି।
ଭିଲଓ୍ବାଡା ଜିଲାପାଳ, ଦୈନିକ ଜାଗରଣ, ପରମେଶ୍ୱର ଆରୋଡା, ଗର୍ବିତା ଗୁଲାଟି ଓ ଆବିଦ୍‌ ସୁର୍ଭୀ- ଏମାନେ ସମସ୍ତେ ଆମ ପରବର୍ତ୍ତୀ ବଂଶଧରଙ୍କ ପାଇଁ ପାଣି ସଞ୍ଚୟ କରିବାକୁ ଅଣ୍ଟା ଭିଡିଛନ୍ତି। ଆମେ ବି ଏ ଦିଗରେ ଟିକେ ଚିନ୍ତାକରି ପଦକ୍ଷେପ ନେଲେ କେମିତି ହୁଅନ୍ତା! ପାଣି ଅପଚୟର ଏହା ଛୋଟ ଛୋଟ କାରଣ ହୋଇପାରେ। ବୁନ୍ଦା ବୁନ୍ଦା ପାଣି ସଂରକ୍ଷଣ କାହାକୁ ହାସ୍ୟାସ୍ପଦ ଲାଗିପାରେ। ମାତ୍ର ଏହି ଛୋଟ ଛୋଟ ଅପଚୟକୁ ରୋକିବାରେ ସଫଳ ହୋଇପାରିଲେ ଆସନ୍ତାକାଲି ବହୁଳ ଜଳ ଅପଚୟ ରୋକିବାକୁ ଏହା ନିଶ୍ଚିତଭାବେ ପ୍ରେରଣା ଯୋଗାଇବ।
ମୋ-୯୪୩୭୨୩୨୪୬୩, ଇମେଲ-prakas.tripathy09@gmail


All Right Reserved By

ଆଜିର ଅର୍ଥନୀତି/ ଅଭିବୃଦ୍ଧି ବଢ଼ାଅ

ଚଳିତ ମାସର ଅଧିକାଂଶ ସମୟ ଅର୍ଥନୈତିକ ଆଲୋଚନା ଦେଶର ଲୋକମାନଙ୍କ ବୈଠକଖାନାରୁ ନେପଥ୍ୟକୁ ଚାଲିଯାଇଛି। ସମ୍ବିଧାନରୁ ୩୭୦ ଧାରା ଉଚ୍ଛେଦ, ଜମ୍ମୁ-କଶ୍ମୀରକୁ ଦୁଇଭାଗ କରି ଦୁଇଟି...

ସେମାନେ ପଣ୍ଡିତ ପୁଅ

ଛନ୍ଦା ମିଶ୍ର ଅ।ମେ କହୁ ଆଇନ ଓ ସମ୍ବିଧାନ ଆଖିରେ ସମସ୍ତେ ସମାନ, କିନ୍ତୁ ପ୍ରକୃତରେ ଆମ ଦେଶରେ ଗରିବଙ୍କ ପାଇଁ ଯେଉଁ ନିୟମ, ଧନୀଙ୍କ...

ଏଇ ଭାରତରେ

ନବଜାତ ଶିଶୁକନ୍ୟାକୁ ନାଳରେ ଫୋପାଡ଼ିଲେ ମା’। ଉଦ୍ଧାର କଲା କୁକୁର। ଏପରି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାରେ। ଏହି ରାଜ୍ୟର କୈଠାଲ୍‌ରେ ଜଣେ ମହିଳା...

ବେତନ ଆୟୋଗ ବସିବନି

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଭବିଷ୍ୟତରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇଁ କୌଣସି ବେତନ ଆୟୋଗ ନ ବସାଇବାକୁ ମୋଦି...

ଆମ ସଂସ୍କୃତିରେ ଶ୍ରାଦ୍ଧ

ଅଲେଖ ଚନ୍ଦ୍ର ମିଶ୍ର ”ପ୍ରିୟ ପୁତ୍ର! ଯାହା ମୁଁ ଖୁସିରେ ନିଜ ହାତରେ ତତେ ଦେଇଥାନ୍ତି ତାକୁ ତୁ ମୋଠାରୁ ଜୋର୍‌କରି ଛଡ଼େଇ ନେଲୁ (ସାମ୍ରାଜ୍ୟ)।...

ବଜେଟରେ କୃଷି ଓ କୃଷକଙ୍କୁ ଅବହେଳା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ଉପସ୍ଥାପିତ ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟଟି ସରକାରଙ୍କ ପୂର୍ବ ବର୍ଷଗୁଡ଼ିକର ବଜେଟର ଧାରାବାହିକତାକୁ ଅବ୍ୟାହତ...

ଏଇ ଭାରତରେ

ମଧ୍ୟପ୍ରଦେଶର ମଣ୍ଡଲା ଜିଲାର ଏକ ଗାଁରେ ରହିଛି ଏକ ଅଦ୍ଭୁତ ପରମ୍ପରା। ଏଠାରେ ବସବାସ କରୁଥିବା ଗୋଣ୍ଡ ଜନଜାତିରେ କୌଣସି ମହିଳା ଜୀବନକାଳ ମଧ୍ୟରେ ବିଧବା...

ନିରୁତ୍ସାହିତ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତ ସପ୍ତାହରେ ରାଷ୍ଟ୍ରପତିଙ୍କ ‘ଆଟ୍‌ ହୋମ୍‌’ କାର୍ଯ୍ୟକ୍ରମରେ ସ୍ବଳ୍ପ ଉପସ୍ଥିତିକୁ ଦେଖି ବାବୁମାନେ ନିରୁତ୍ସାହିତ ହୋଇ ପଡ଼ିଥିଲେ। ସାଧାରଣତଃ ଏ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *