ତଥାପି ବଞ୍ଚିଛି ମାନବିକତା

ଡ. ରମେଶ ଚନ୍ଦ୍ର ପରିଡ଼ା
ମଣିଷ କ୍ରମେ ଅଧିକରୁ ଅଧିକ କ୍ରୂର ହୋଇଚାଲିଛି। ଫଳରେ ବଢ଼ି ବଢ଼ି ଚାଲିଛି ଯୁଦ୍ଧ ଘନଘଟା, ଅପରାଧ, ଆତଙ୍କବାଦ ଭଳି ବିବିଧ ଅପକର୍ମ ଏବଂ ବ୍ୟକ୍ତିଗତ ସ୍ତରରେ ହତ୍ୟା, ବଳାତ୍କାର, ଚୋରି, ଡକାୟତି ଇତ୍ୟାଦି। ତାହା ଘଟାଇଚାଲିଛି ବିପୁଳ ଧନଜୀବନର ଅପଚୟ। ମାନବ ସମାଜର ଭବିଷ୍ୟତ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। କୁହାଯାଏ, ମଣିଷ ମଣିଷ ଭିତରେ ଭ୍ରାତୃଭାବର ଉଦ୍ରେକ ହିଁ ପରିବାର ଓ ସମାଜ ଗଠନରେ ସହାୟକ ହୋଇଥିଲା, ଯାହାକି ତାକୁ ଅନ୍ୟ ସମସ୍ତ ଜୀବଜନ୍ତୁଙ୍କଠାରୁ ଭିନ୍ନ ଏବଂ ଏକ ଉନ୍ନତ ତଥା ‘ବୁଦ୍ଧିମାନ ଜୀବ’ରେ ପରିଣତ କଲା। ତା’ର ଏହି ମନୋଭାବ ହିଁ ହେଲା ମାନବିକତା ବା ମଣିଷପଣିଆ। ପରସ୍ପର ପ୍ରତି ଶ୍ରଦ୍ଧା, ଦୟା, କ୍ଷମା ଓ ବିଶ୍ୱାସ ପ୍ରକଟ କରି ଭଲମନ୍ଦ ବିଚାର କରି କାର୍ଯ୍ୟଟିଏ କରିବା, ସାମୂହିକ ଭାବେ ସମସ୍ତଙ୍କ ମଙ୍ଗଳକାମନା ଭଳି ସକାରାତ୍ମକ ମାନସିକତା ଏହାର ଅନ୍ତର୍ଭୁକ୍ତ। ଏଣୁ ମଣିଷଠାରେ କ୍ରମେ ଏସବୁର ଅବକ୍ଷୟ ଘଟିଚାଲିବା ଏବେ ଚିନ୍ତାର କାରଣ ହୋଇଛି।
ଏହା ଭିତରେ ମଧ୍ୟ ମାନବିକତା ତଥାପି ଯେ ବଞ୍ଚିରହିଛି, ତାହାର ଅନେକ ଛୋଟ ବଡ଼ ଦୃଷ୍ଟାନ୍ତ ମିଳିଥାଏ ଆମର ବିବିଧ କାର୍ଯ୍ୟକଳାପରୁ। ସେଥିପାଇଁ କୌଣସିଠାରେ ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟଟିଏ ଘଟିଗଲେ, ସମସ୍ତ ସଂକୀର୍ଣ୍ଣ ସ୍ବାର୍ଥର ଊର୍ଦ୍ଧ୍ୱକୁ ଯାଇ ସ୍ବତଃ ଛୁଟିଆସେ ଅଗଣିତ ସାହାଯ୍ୟ ଏବଂ ସହାନୁଭୂତିର ସୁଅ। ସମ୍ଭବତଃ ଏହା ଏବେ ବି ବିପର୍ଯ୍ୟୟରୁ ସମାଜକୁ ରକ୍ଷା କରିଆସୁଛି। ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅନେକ ସମୟରେ ଏଭଳି ‘ଭ୍ରାତୃଭାବ’ର ପ୍ରତିଫଳନ ଘଟିଥାଏ। ସେଥିପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କିମ୍ବା ଅନ୍ୟ କୌଣସି ବିପଦରେ ପଡିଥିବା ବ୍ୟକ୍ତିକୁ ଆମେ ସ୍ବତଃସ୍ଫୂର୍ତ୍ତଭାବେ ସହାୟତାର ହାତ ବଢ଼ାଇଥାଉ। ଏହା ପଛରେ ନ ଥାଏ ସ୍ବାର୍ଥ କିମ୍ବା ସେ ପ୍ରକାର ଅନ୍ୟ କୌଣସି ବିଚାର। ବସ୍‌ କିମ୍ବା ଅଟୋ ବା ରେଳରେ ଯାଉଥିବା କେତେକ ଯାତ୍ରୀ ଅଥବା ହୋଟେଲ ବା ଦୋକାନକୁ ଆସିଥିବା କୌଣସି ଗ୍ରାହକ ଅସାବଧାନତାବଶତଃ ଛାଡ଼ିଯାଉଥିବା ଯଥେଷ୍ଟ ଟଙ୍କା ବା ମୂଲ୍ୟବାନ ପଦାର୍ଥ ଥିବା ପର୍ସ ବା ବ୍ୟାଗକୁ ଏହାର କର୍ମଚାରୀମାନେ ଫେରସ୍ତ କରିଦେଉଥିବା ନେଇ ଏବେ ଘନ ଘନ ମିଳୁଥିବା ଖବର ଏହାର ଏକ ଉଜ୍ଜ୍ୱଳ ଉଦାହରଣ। ଅନେକ ସ୍ଥଳେ ଏହି କର୍ମଚାରୀମାନେ ନିମ୍ନ ଆୟକାରୀ ହୋଇଥିଲେ ମଧ୍ୟ ତହିଁରେ ଥିବା ଅର୍ଥ ସେମାନଙ୍କୁ ପ୍ରଲୁବ୍ଧ କରୁନାହିଁ। ଅନ୍ୟାନ୍ୟ ବହୁ କ୍ଷେତ୍ରରେ ମଧ୍ୟ ଏଭଳି ଭୂରି ଭୂରି ଉଦାହରଣମାନ ରହିଛି। ଏହା ମଣିଷର ଏକ ସହଜାତ ପ୍ରବୃତ୍ତି ବୋଲି ମତ ଦେଇଛନ୍ତି ମିଚିଗାନ ବିଶ୍ୱବିଦ୍ୟାଳୟର ଗବେଷକ ଆଲେନ କୋହେନ ଏବଂ ତାଙ୍କ ସହଯୋଗୀମାନେ। ନିକଟରେ ଗବେଷଣା ପତ୍ରିକା ସାଇନ୍ସର ଜୁନ୍‌ ୨୦୧୯ ସଂଖ୍ୟାରେ ପ୍ରକାଶିତ ‘ସିଭିକ୍‌ ଅନେଷ୍ଟି ଆରାଉଣ୍ଡ ଦ ଓ୍ବାର୍ଲଡ’ ଶୀର୍ଷକ ନିବନ୍ଧରେ ସେମାନେ ସୂଚାଇଛନ୍ତି ଯେ, ଅନେକ କ୍ଷେତ୍ରରେ ଭ୍ରାତୃଭାବ ଏବଂ ନିଜକୁ ଚୋରଟିଏ ରୂପେ ଦେଖିବା ପ୍ରତି ବିରାଗଭାବ ଅର୍ଥନୈତିକ ଲାଭର ଊର୍ଦ୍ଧ୍ୱକୁ ଯାଇଥାଏ। ତାହା ଆମକୁ ସହାନୁଭୂତିଶୀଳ ଏବଂ ସାଧୁତା ପ୍ରଦର୍ଶନ କରିବାକୁ ପ୍ରରୋଚିତ କରେ।
କୋହେନଙ୍କ ନେତୃତ୍ୱରେ ଗବେଷଣା ଚଳାଇଥିବା ଗବେଷକ ଦଳ ଦ୍ୱାରା ଅନୁଷ୍ଠିତ ଏହି ଅଧ୍ୟୟନର ଅନ୍ତର୍ଭୁକ୍ତ ଥିଲା ବିଶ୍ୱର ୪୦ଟି ଦେଶର ୩୫୫ଟି ନଗର ଏବଂ ୧୭,୦୦୦ ଲୋକ। ଅର୍ଥନୀତି ଓ ମନସ୍ତତ୍ତ୍ୱର ଅନ୍ତଃକ୍ରିୟାକୁ ନେଇ ଅଦ୍ୟାବଧି କରାଯାଇଥିବା ବ୍ୟାପକ ଅଧ୍ୟୟନ ମଧ୍ୟରୁ ଏହା ଥିଲା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ଦେଇଛି ସୁପ୍ରସିଦ୍ଧ ଅର୍ଥନୈତିକ ପତ୍ରିକା ‘ଦ ଇକୋନୋମିଷ୍ଟ’। ଏଥିରେ ସ୍ବେଚ୍ଛାସେବୀମାନଙ୍କୁ କୁହାଯାଉଥିଲା ବିଭିନ୍ନ ବ୍ୟାଙ୍କ, ହୋଟେଲ, ରେଳଷ୍ଟେଶନ ଆଦି ସର୍ବସାଧାରଣ ସ୍ଥାନରେ ପର୍ସଟିଏ ଲେଖାଏ ଫିଙ୍ଗି ଦେଇ ଆସିବାକୁ। ତହିଁରୁ କେତେକରେ ଆଦୌ କିଛି ଅର୍ଥ ନ ଥିଲା ବେଳେ ଅନ୍ୟ କେତେକରେ ତାହା କମ୍‌ କିମ୍ବା ବେଶି ଥିଲା। ପୁନଶ୍ଚ ଯଥେଷ୍ଟ ଅର୍ଥ ସହିତ କିଛି ଚାବି, ଜାଲ୍‌ ବ୍ୟାଙ୍କ କାର୍ଡ କିମ୍ବା ପରିଚୟ ପ୍ରମାଣପତ୍ର ମଧ୍ୟ ରଖାଯାଉଥିଲା ଆଉ କେତେକରେ। ଆଶା କରାଯାଉଥିଲା ଯେ ଅଧିକ ଅର୍ଥ ଥିବା ପର୍ସଗୁଡ଼ିକ ପାଉଥିବା ଲୋକେ ଲୋଭର ବଶବର୍ତ୍ତୀ ହୋଇ ତାହା ଫେରାଇବାକୁ କୁଣ୍ଠିତ ହେବେ। କିନ୍ତୁ ଫଳ ମିଳିଲା ଠିକ୍‌ ଓଲଟା। ଦେଖାଗଲା ଯେ ଖାଲି କିମ୍ବା କମ୍‌ ଅର୍ଥ ଥିବା ପର୍ସ ଫେରାଇବାରେ କେହି ଆଗ୍ରହ ଦେଖାଇଲେ ନାହିଁ। ଅନ୍ୟପକ୍ଷରେ ଅଧିକ ଅର୍ଥ ଥିବା ଏବଂ ବିଶେଷକରି ସେଥିସହିତ ଚାବି ଓ ଦରକାରୀ କାଗଜପତ୍ର ଥିବା ପର୍ସ ଫେରାଇବା ପାଇଁ ପ୍ରକାଶ ପାଉଥିଲା ଅଧିକ ତତ୍ପରତା। ଅତଏବ ସେମାନେ ଯଥାଶୀଘ୍ର ସମ୍ଭବ ଏହା ହଜାଇଥିବା ଲୋକଙ୍କୁ କିମ୍ବା ନିକଟସ୍ଥ ପୋଲିସ ଷ୍ଟେଶନକୁ ଏ ସମ୍ପର୍କରେ ସୂଚନା ଦେଉଥିଲେ।
ଏଥିପୂର୍ବରୁ (୨୦୧୭ରେ) ଏହି ଗବେଷକଙ୍କ ଦ୍ୱାରା ବିଭିନ୍ନ ଦେଶରେ ସାଧୁତାର ମାପକାଠି ନାମକ ଅନୁଧ୍ୟାନଟିଏ କରାଯାଇଥିଲା। ଅଲଗା ଅଲଗା ଦେଶର ଲୋକଙ୍କଠାରେ ଏ ପ୍ରବୃତ୍ତିର ତାରତମ୍ୟ ଯଥେଷ୍ଟ ବୋଲି ସେଥିରୁ ଜଣାପଡ଼ିଥିଲା। ଉଦାହରଣସ୍ବରୂପ ସୁଇଜରଲାଣ୍ଡ, ନରଓ୍ବେ ଭଳି ଦେଶରେ ଲୋକଙ୍କ ସାଧୁତାର ମାନଦଣ୍ଡ ସର୍ବୋଚ୍ଚ (୭୦%) ହେଲାବେଳେ ଚାଇନାରେ ସର୍ବନିମ୍ନ (୧୦%)। ତେବେ ଅଧିକ ଅର୍ଥ ବା ସେଥିସହିତ ଦରକାରୀ କାଗଜପତ୍ର ଥିବା ପର୍ସ ଫେରାଇବା କ୍ଷେତ୍ରରେ ଏ ପ୍ରଭେଦ ଖୁବ୍‌ ସଂକୀର୍ଣ୍ଣ। ପ୍ରାୟ ସବୁ ଦେଶରେ ଏହା ଥିଲା ୫୧ରୁ ୭୧ ଶତାଂଶ ମଧ୍ୟରେ। ଅତଏବ ଅର୍ଥନୈତିକ ମାନଦଣ୍ଡ, ଶିକ୍ଷା, ଲୋଭ ଆଦିର ପ୍ରଭାବ ଏହା ଉପରେ ବିସ୍ମୟକର ଭାବେ କମ୍‌ ବୋଲି ମନେହୁଏ।
କୋହନ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଅନୁଷ୍ଠିତ ଏହି ପରୀକ୍ଷାଟି ଥିଲା ଅତ୍ୟନ୍ତ ବ୍ୟୟବହୁଳ। କାରଣ ଏଥିରେ ନିୟୋଜିତ ହୋଇଥିଲା ୬,୦୦,୦୦୦ ଡଲାର ଏବଂ ୧୭,୦୦୦ଟି ପର୍ସ। ତେବେ ତହିଁରୁ ବାହାରିଥିବା ଫଳାଫଳ ଏପରିକି ମନସ୍ତତ୍ତ୍ୱବିତ୍‌ଙ୍କୁ ବିସ୍ମିତ କରିଛି। ସେମାନେ ଏହାକୁ ନାନାପ୍ରକାର ବ୍ୟାଖ୍ୟା କରୁଛନ୍ତି। ତାଙ୍କ ମଧ୍ୟରୁ କେତେକଙ୍କ ମତରେ ସବୁ ମଣିଷ ଭିତରେ ଲୁକ୍କାୟିତ ରହିଛି କିଛି କିଛି ମାନବିକତା। ତାହା ଆମ ଜନ୍ମଗତ ପ୍ରବୃତ୍ତି ଏବଂ ସମ୍ଭବତଃ ଆମ ଜିନୀୟ ବ୍ୟବସ୍ଥା ସହିତ ସମ୍ପୃକ୍ତ। ଅବଶ୍ୟ ପରିବେଶ ଓ ପରିସ୍ଥିତି ଏହାର ପ୍ରଭାବକୁ କ୍ଷୁଣ୍ଣ କରିଥାଏ। ତାହା ହିଁ ମଣିଷଠାରେ କ୍ରୂରତା ବଢ଼ାଇବା ସହିତ ତାକୁ ଅସାମାଜିକ କାର୍ଯ୍ୟ କରିବାକୁ ପ୍ରରୋଚିତ କରୁଛି। ତେବେ ସବୁ ପରିସ୍ଥିତିରେ ଏବଂ ସବୁବେଳେ ତା’ ମନରେ ଅର୍ଥ ଲାଭ ବା ସ୍ବାର୍ଥର ବିଚାର ନ ଥାଏ। ବିବର୍ତ୍ତନୀୟ ଜୀବବିଜ୍ଞାନୀମାନେ ୟାକୁ ହିଁ ଭ୍ରାତୃଭାବ ବା ଅଲଟ୍ରୁଇଜ୍‌ମ ବୋଲି କହୁଛନ୍ତି। ମହୁମାଛି ବା ପିମ୍ପୁଡିଙ୍କଠାରୁ ଆରମ୍ଭକରି ଦଳଗତ ଜୀବନ ବିତାଉଥିବା ମଣିଷ ସମେତ ଅନେକ ଜୀବଙ୍କଠାରେ ଏହା ଦେଖାଯାଏ।
ମଣିଷଠାରେ ଏ ପ୍ରବୃତ୍ତିର ବିବର୍ତ୍ତନୀୟ ପ୍ରଭାବ ରହିଥିବା ଚିନ୍ତାଧାରାର ଅନ୍ୟତମ ପ୍ରମୁଖ ପ୍ରବର୍ତ୍ତକ ହେଲେ ଡ. ଡବ୍ଲ୍ୟୁ.ଡି. ହାମିଲଟନ୍‌ (୧୯୩୬-୨୦୦୦)। ତାଙ୍କ ମତରେ ପ୍ରାଗୈତିହାସିକ କାଳରୁ ଏହା ତାଙ୍କୁ ଜୀବନ ସଂଗ୍ରାମକୁ ସମୂହ ଭାବେ ଲଢ଼ିବା ଏବଂ ସେଥିରେ ସଫଳତା ଅର୍ଜନ କରିବାରେ ସହାୟତା କରିଆସିଛି। ଏଣୁ ଏହା କେବଳ ଜିନୀୟ ହୋଇ ନ ପାରେ। ପରିବେଶ ଓ ପରିସ୍ଥିତି ମଧ୍ୟ ଏ ପ୍ରବୃତ୍ତିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ଏପରି ସ୍ଥଳେ ବର୍ତ୍ତମାନର ବସ୍ତୁବାଦୀ ଦୁନିଆରେ ସ୍ବାର୍ଥସାଧନ ପାଇଁ ମଣିଷ କ୍ରୂର ହେବା, ସନ୍ତ୍ରାସବାଦ, ନରହତ୍ୟା ଓ ବଳାତ୍କାରକୁ ଆପଣାଇବାର ବିକୃତ ମାନସିକତା ବୃଦ୍ଧି ପାଉଥିଲେ ହେଁ ତା’ ମଧ୍ୟରେ ମାନବିକତା ବଞ୍ଚିରହିଛି ଏବଂ ବଞ୍ଚିରହିବ। ତାହାକୁ କେବଳ ଉଦ୍ଦୀପିତ କରିବାର ପରିବେଶ ସୃଷ୍ଟି କରାଯାଇପାରିଲେ ତାହାର ପରିପ୍ରକାଶ ଘଟିପାରିବ ଅଧିକ ବ୍ୟାପକ ଭାବେ ଏବଂ ଶକ୍ତିଶାଳୀ ରୂପେ। ଚାଲନ୍ତୁ ଆମେ ଏହାର ସାଧନରେ ବ୍ରତୀ ହେବା।
ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


All Right Reserved By Dharitri.Com

ବେସାଲିସ୍‌ ସ୍ବାଭିମାନ

ଡ. ହୃଷୀକେଶ ମଲ୍ଲିକ ନନ୍ଦିନୀ ଶତପଥୀ ଥିଲେ ଭାରତୀୟ ସଂସ୍କୃତି ଓ ରାଜନୀତିରେ ବିସ୍ମୟ। ବିଜୁଳି ପରି ଉଜ୍ଜ୍ୱଳ ଓ ତୀବ୍ର। ୧୯୩୧ ମସିହା ଜୁନ୍‌...

ମାନ୍ଦାବସ୍ଥାର ମହୌଷଧି

ବିଚିତ୍ର ବିଶ୍ୱାଳ ଚାଷୀର ଫସଲ ଅମଳ ସମୟରେ ତଥା ବଜାରରେ ଚାହିଦା ନ ଥିବା ବେଳେ ଚାଷୀ ଯେମିତି ତା’ ତିରିଶ ଟଙ୍କା କିଲୋ ପିଆଜକୁ...

କୁକୁର ଓ ମାଲିକ ଭିତରେ ସାଦୃଶ୍ୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅଧିକାଂଶ ଲୋକ ଯେଉଁ ଜାତିର କୁକୁର ପାଳିବାକୁ ବାଛିଥାନ୍ତି, ସେହି କୁକୁରଙ୍କ ସହ ସେମାନଙ୍କର କିଛି ଶାରୀରିକ ସାଦୃଶ୍ୟ ଥିବା...

ଏଇ ଭାରତରେ

ଚଳିତ ଲୋକ ସଭା ନିର୍ବାଚନରେ ନରେନ୍ଦ୍ର ମୋଦି ତଥା ତାଙ୍କ ନେତୃତ୍ୱାଧୀନ ଭାଜପାର ବିଜୟରେ ଖୁସି ହୋଇ କେତେକ ବ୍ୟକ୍ତି ଭିନ୍ନରୁଚିର କାର୍ଯ୍ୟକ୍ରମ କରି ଲୋକଙ୍କ...

ଏଇ ଭାରତରେ

ପଟିଆଲାର ଝିଅ ସନ୍ଧ୍ୟା। ପଟିଆଲା ଟ୍ରକ୍‌ ସଂଘ ନିକଟସ୍ଥ ଏକ ବସ୍ତିରେ ଝୁମ୍ପୁଡି ଘରେ ପାଞ୍ଚ ଭଉଣୀ-ଭାଇ ଓ ମାଆବାପାଙ୍କ ସହ ରହନ୍ତି ସେ। ସକାଳ...

ସଙ୍କଟରେ ସଂସ୍କୃତି

ଡ. ପ୍ରଫୁଲ୍ଲ କୁମାର ସାହୁ ସଂସ୍କୃତିର ସଂଜ୍ଞା ଓ ପରିସର ଦିଗ୍‌ବଳୟ ପରି ବ୍ୟାପକ ଓ ବିସ୍ତୃତ। ଦିଗ୍‌ବଳୟକୁ ଯେମିତି ଦେଖିହୁଏ କିନ୍ତୁ ଛୁଇଁ ହୁଏନି,...

ସମସ୍ୟାର ବୌଦ୍ଧିକ ସମାଧାନ

ବୈକୁଣ୍ଠନାଥ ମିଶ୍ର ମନୁଷ୍ୟ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେଉଥାଏ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ସେ ନିରନ୍ତର ପ୍ରୟାସ...

ଓଡ଼ିଶା ରାଜନୀତିରେ ନାରୀଶକ୍ତି

ଶରତଚନ୍ଦ୍ର ମିଶ୍ର ଏଥର ନିର୍ବାଚନ(୨୦୧୯)ରେ ବିଜେଡି ଓଡ଼ିଶାର ସମୁଦାୟ ଲୋକ ସଭା ସିଟ୍‌ର ତିନିଭାଗରୁ ଏକଭାଗ ମହିଳାଙ୍କୁ ପ୍ରଦାନ କରି ଏକ ସକାରାତ୍ମକ ଉଦାହରଣ ସୃଷ୍ଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *