ପ୍ଲାଷ୍ଟିକ୍‌ ବର୍ଜ୍ୟରେ ଅଣନିଃଶ୍ୱାସୀ ପୃଥିବୀ

ବୈକୁଣ୍ଠନାଥ ମିଶ୍ର
କିଛିବର୍ଷ ପୂର୍ବେ ସାଧାରଣ ପରିବହନ, ହାଟବଜାର ସଉଦା ଓ ଘରକରଣା ସାମଗ୍ରୀ ସବୁକିଛି ଝୋଟ କିମ୍ବା କପଡା ବ୍ୟାଗ୍‌ ଦ୍ୱାରା ହେଉଥିଲା। ବନ୍ଧୁ ଘରକୁ ମିଠା ନେବା ପାଇଁ ତାଳପତ୍ର ଭୋଗେଇ ଓ ମାଟି ହାଣ୍ଡି ବ୍ୟବହାର କରାଯାଉଥିଲା। ତେଜରାତି ଦୋକାନରେ ଝୋଟ ଅଖା, ଟିଣ, ମାଟିପାତ୍ର ଓ ସ୍ଥଳ ବିଶେଷରେ କାଚପାତ୍ର ବ୍ୟବହୃତ ହେଉଥିଲା। କିନ୍ତୁ ଆଜିକାଲି ଏସବୁ ବଦଳରେ କେବଳ ପ୍ଲାଷ୍ଟିକ୍‌୍‌ର ରାଜତ୍ୱ ଚାଲିଛି। ମନେହୁଏ ସତେଯେପରି ପ୍ଲାଷ୍ଟିକ୍‌୍‌ ଆମ ଜୀବନରେଖା ଓ ଏହା ବ୍ୟତିରେକେ ସାଧାରଣ ଜୀବନଯାତ୍ରା ଅଚଳ ହୋଇଯିବ। ମାଛ, ମାଂସ, ଫଳ, ପନିପରିବା ଏପରିକି ତରଳ ପଦାର୍ଥ ଓ ପାନୀୟ ଜଳ ମଧ୍ୟ ପ୍ଲାଷ୍ଟିକ୍‌୍‌ ଥଳି ଓ ପ୍ଲାଷ୍ଟିକ୍‌୍‌ ବୋତଲ ମାଧ୍ୟମରେ ପରିବାହିତ ହେଉଛି। ଏହା ଶସ୍ତା, ସୁନ୍ଦର ଓ ସହଜ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାଆଣିବା କରାଯାଇ ପାରୁଛି। ସାଧାରଣ ପାନଦୋକାନରେ ମାଳମାଳ ଗୁଟ୍‌ଖା ଓ ମସଲା ପ୍ୟାକେଟ୍‌ ଦେଖିଲେ ଏଥିରୁ ମୁକ୍ତି ସମ୍ଭବ ବୋଲି ମନେହୁଏ ନାହିଁ। ଥରେମାତ୍ର ବ୍ୟବହୃତ ହୋଇ ଏଗୁଡ଼ିକ ବର୍ଜ୍ୟବସ୍ତୁରେ ପରିଣତ ହେଲା ପରେ ଏଗୁଡ଼ିକୁ ଇତସ୍ତତଃ ନିକ୍ଷେପ କରିବା ଦ୍ୱାରା ମାଟି, ପାଣି, ପବନ ସବୁକିଛି ପ୍ଲାଷ୍ଟିକ୍‌ମୟ ହୋଇଯାଉଛି।
ଅଚଳ ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ଟିଭି, ଫ୍ରିଜ୍‌, ଏସି ଇତ୍ୟାଦି ଅଚଳ ହୋଇ ବର୍ଜ୍ୟରେ ପରିଣତ ହେଉଛି, ଯାହା ପରିବେଶ ଓ ସ୍ବାସ୍ଥ୍ୟ ଉଭୟକୁ ପ୍ରଭାବିତ କରୁଛି। ପ୍ରତିବର୍ଷ ବିଶ୍ୱରେ ନିୟୁତ ନିୟୁତ ଟନ୍‌ ବୈଦ୍ୟୁତିକ ସରଞ୍ଜାମ ବର୍ଜ୍ୟରେ ପରିଣତ ହେଉଛି। ୨୦୧୬ରେ ୪୪.୭ ନିୟୁତ ଟନ୍‌ ବର୍ଜ୍ୟ ସୃଷ୍ଟି ହୋଇଥିଲା। ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ଆଶାତୀତ ଭାବେ ବୃଦ୍ଧି ପାଇଚାଲିଛି। ଚାଇନା ହେଉଛି ବିଶ୍ୱରେ ସର୍ବାଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ସୃଷ୍ଟିକାରୀ ଦେଶ। ତା’ ପଛକୁ ଅଛି ଭାରତ। ବିଶ୍ୱର ୬୬ ପ୍ରତିଶତ ଲୋକ ବର୍ଜ୍ୟବସ୍ତୁ କବଳରେ ଅଛନ୍ତି। ୨୦୧୯ ଜୁନ୍‌ ୧୬ରେ ଅନୁଷ୍ଠିତ ଜି୨୦ ଦେଶଗୁଡ଼ିକର ପରିବେଶ ସଂକ୍ରାନ୍ତ ଆଲୋଚନା ଏକପ୍ରକାର ବିଫଳ ହୋଇଛି। ଉକ୍ତ ଆଲୋଚନାରେ ସାମୁଦ୍ରିକ ପ୍ଲାଷ୍ଟିକ୍‌ ଆବର୍ଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲେ ମଧ୍ୟ ଏହାର ପ୍ରତିକାର ତଥା ନିରାକରଣ ପାଇଁ ଏକମତତା ପ୍ରକାଶ ପାଇପାରିଲା ନାହିଁ। ସମ୍ପ୍ରତି ମଣିଷର ବ୍ୟବହାର ପ୍ରାକୃତିକ ଜୈବବିବିଧତାକୁ କ୍ଷତି ପହଞ୍ଚାଇବା ସହ ଉଭୟ ଜଳ ଓ ସ୍ଥଳଚର ପ୍ରାଣୀ ଏବଂ ଉଦ୍ଭିଦ ପ୍ରଜାତିର ବିଲୁପ୍ତିର କାରଣ ସାଜିଛି।
ଜାତିସଂଘର ଏକ ସଦ୍ୟ ଅନୁଶୀଳନ ଅନୁଯାୟୀ ବିଶ୍ୱବ୍ୟାପୀ ପ୍ରକୃତି ଏକ ବୃହତ୍‌ ପରିବର୍ତ୍ତନର ଦ୍ୱାରଦେଶରେ ଉପନୀତ। ସକାରାତ୍ମକ ମାନବୀୟ ପ୍ରକ୍ରିୟା ହୁଏ ତ ଏ ଧ୍ୱଂସମୁଖୀ ପରିବର୍ତ୍ତନକୁ ରୋକିପାରେ। ୨୦୧୯ ମେ’ର ଜର୍ନାଲ ଅଫ୍‌ ସାଇନ୍ସର ରିପୋର୍ଟ ଅନୁସାରେ ଅଧିକାଂଶ ବୃହତ୍‌ ନଦୀର ଜଳ ମାନବକୃତ ଭାବେ ବ୍ୟାହତ ହୋଇସାରିଲାଣି। ୧୯୭୦ ଦଶକଠାରୁ କ୍ରମାଗତ ଭାବେ ଭୂପୃଷ୍ଠ ଓ ସମୁଦ୍ର ଉଭୟତଃ ଜୈବବିବିଧତା ଓ ସନ୍ତୁଳନ ନଷ୍ଟ ହୋଇଚାଲିଛି। ସବୁଠାରୁ ବିପଜ୍ଜନକ ଧ୍ୱଂସକାରୀ ଶକ୍ତି ହେଉଛି ପ୍ଲାଷ୍ଟିକ୍‌ ବର୍ଜ୍ୟଜନିତ ପ୍ରଦୂଷଣ। ପ୍ରସିଦ୍ଧ ଦାର୍ଶନିକ ଆଲଡସ୍‌ ହକ୍ସଲେ ୫୦/୬୦ବର୍ଷ ତଳେ କହିଥିଲେ, ”ନିକଟ ଭବିଷ୍ୟତରେ ବିଜ୍ଞାନ ହେବ ସମାଜର ଏକ ଅକଲ୍ୟାଣକାରୀ ଶକ୍ତି, ଯାହା ଏବେ ସତ୍ୟରେ ପରିଣତ ହୋଇଛି।“
ସାମ୍ପ୍ରତିକ ସମୟରେ ପ୍ଲାଷ୍ଟିକ୍‌ ବୋତଲରେ ପାନୀୟ ଜଳ ପରିବହନ ଅପରିହାର୍ଯ୍ୟ ହୋଇପଡ଼ିଛି। ଏଗୁଡ଼ିକର ବିକ୍ଷିପ୍ତୀକରଣ ସହ ଘରେ ବ୍ୟବହୃତ ପ୍ଲାଷ୍ଟିକ୍‌ର ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ୍‌ ବ୍ୟାଗ ଆଦି ନାଳ, ନର୍ଦ୍ଦମାରେ ଜମାହୋଇ ଜଳ ନିଷ୍କାସନର ପଥ ଅବରୋଧ କରୁଛି। ଫଳରେ ସାମାନ୍ୟ ବର୍ଷାରେ ପାହାଡ଼ି ସହରରେ ମଧ୍ୟ ବନ୍ୟାର ଭ୍ରମ ସୃଷ୍ଟି ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ଭଙ୍ଗା ଅଦରକାରୀ ପ୍ଲାଷ୍ଟିକ୍‌ ସ୍ତୂପ ଦୃଷ୍ଟିକଟୁ ହେବା ସହ ପୂତିଗନ୍ଧମୟ ପରିବେଶ ସୃଷ୍ଟି କରୁଛି।
ଘରେ ଘରେ ଅଜାଠାରୁ ନାତି ପର୍ଯ୍ୟନ୍ତ ସମସ୍ତେ ପ୍ଲାଷ୍ଟିକ୍‌ ବୋତଲରେ ପାଣି ପିଉଛନ୍ତି। ଏପରିକି ସଭାସମିତିରେ ଭିଆଇପିଙ୍କ ଉଦ୍ଦେଶ୍ୟରେ ଟେବୁଲ ଉପରେ ପ୍ଲାଷ୍ଟିକ୍‌ ପାଣି ବୋତଲ ରଖାଯିବା ଏକ ଆଭିଜାତ୍ୟ ସୂଚକରେ ପରିଣତ ହେଲାଣି। ପ୍ଲାଷ୍ଟିକ୍‌ ବୋତଲ ଜଳ କେବଳ ଶରୀର ପାଇଁ କ୍ଷତିକାରକ ନୁହେଁ, ଏହା ପରିବେଶ ପାଇଁ ମଧ୍ୟ ଘାତକ। ଜଳଧାରକ ହିସାବରେ ପ୍ଲାଷ୍ଟିକ୍‌ ବୋତଲ ତ କ୍ଷତିକାରକ, ଅପରପକ୍ଷେ ଏକ ଲିଟର ଜଳ ଧରୁଥିବା ପ୍ଲାଷ୍ଟିକ୍‌ ବୋତଲ ତିଆରିରେ ପ୍ରାୟ ୧.୬ ଲିଟର ବିଶୁଦ୍ଧ ଜଳ ଆବଶ୍ୟକ ହୋଇଥାଏ। ଚିନ୍ତାର ବିଷୟ ଏହି ଯେ, ପ୍ଲାଷ୍ଟିକ୍‌ ବୋତଲରେ ପଛେ ଦୂଷିତ ଜଳ ଥାଉ କିନ୍ତୁ ବୋତଲ ତିଆରିରେ ବ୍ୟବହୃତ ହେଉଥିବା ଜଳ ଶୁଦ୍ଧ ଭୂତଳ ଜଳର ଅଂଶବିଶେଷ।
ଆଜକୁ ମାତ୍ର ୬ ଦଶକ ପୂର୍ବେ ପ୍ଲାଷ୍ଟିକ୍‌ ଉତ୍ପାଦନ ଆରମ୍ଭ ହେଲା। ପାନୀୟ ଜଳକୁ ବୋତଲରେ ପ୍ୟାକିଂ କରିବା କାର୍ଯ୍ୟ ୧୯୯୦ ଦଶକରେ ଆରମ୍ଭହୋଇ ଖୁବ୍‌ଶୀଘ୍ର ଲୋକପ୍ରିୟତା ଅର୍ଜନ କଲା। ବୋତଲ ତିଆରିର ପ୍ରମୁଖ ଉପାଦାନ ହେଉଛି ପଲିଥିନ ଟେରିଫ୍‌ଥାଲେଟ୍‌ (ପିଇଟି) କିମ୍ବା ପଲିଷ୍ଟର ପ୍ଲାଷ୍ଟିକ୍‌, ଯେଉଁଥିରେ ଜଳ, ଥଣ୍ଡାପାନୀୟ ଓ ବିଭିନ୍ନ କମ୍ପାନୀର ତରଳ ଉତ୍ପାଦ ବ୍ୟାପକ ଭାବେ ବଜାରରେ ବିକ୍ରି ହେଉଛି। ବୈଜ୍ଞାନିକଙ୍କ ମତରେ ଏହି ପିଇଟି ଶହ ଶହ ବର୍ଷ ପର୍ଯ୍ୟନ୍ତ ଜୀବାଣୁମାନଙ୍କ ଦ୍ୱାରା ଅପଘଟିତ ହୋଇ ପାରନ୍ତି ନାହିଁ। ଏହି ପିଇଟି କେବଳ ମନୁଷ୍ୟ ନୁହେଁ ସମଗ୍ର ପରିବେଶ ପାଇଁ ବିପଦ। ଏହାକୁ ଅଗ୍ନିରେ ଦଗ୍ଧ କଲେ ଏହା ଅଧିକ ବିଷାକ୍ତ ଧୂମ ନିର୍ଗତ କରି ଅପୋଡ଼ା ପ୍ଲାଷ୍ଟିକ୍‌ଠାରୁ ଅଧିକ କ୍ଷତିକାରକ ହୋଇଥାଏ। ସମୁଦ୍ରରେ ପ୍ଲାଷ୍ଟିକ୍‌ ଜମା ହୋଇ ମାଛ ଓ ଅନ୍ୟାନ୍ୟ ଜଳଚର ଜୀବଙ୍କ ପ୍ରତି ଘୋର ବିପଦ ସୃଷ୍ଟି କରୁଛି। ପ୍ଲାଷ୍ଟିକ୍‌ ଦ୍ରବ୍ୟ ଓ ଏହାର ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ସମୁଦ୍ରର ଲୁଣି ଜଳର ସଂସ୍ପର୍ଶରେ ଆସି ଜଳକୁ ବିଷାକ୍ତ କରିଦେଉଛି। ମାଛମାନେ ଏହି ରାସାୟନିକ ଦ୍ରବ୍ୟକୁ ସେବନ କରୁଛନ୍ତି ଓ ମଣିଷ ସେହି ମାଛ ଭକ୍ଷଣ କରୁଛି। ସୁତରାଂ ମଣିଷ ପ୍ରକାରାନ୍ତରେ ଏହି ବିଷାକ୍ତ ରସାୟନକୁ ସେବନ କରି ବିପଦକୁ ବରଣ କରୁଛି।
ସମୁଦ୍ରକୁ ପ୍ଲାଷ୍ଟିକ୍‌ ବର୍ଜ୍ୟମୁକ୍ତ କରିବାର ପ୍ରୟାସ ବିଶ୍ୱବ୍ୟାପୀ ଗ୍ରହଣ କରାଯିବା ଅତି ଜରୁରୀ। ନଚେତ୍‌ ସମୁଦ୍ରରେ ଜଳଚର ଜୀବ ଅପେକ୍ଷା ପ୍ଲାଷ୍ଟିକ୍‌ ବର୍ଜ୍ୟ ଅଧିକ ହୋଇଯିବ। ଏକ ଆକଳନ ଅନୁସାରେ ୨୦୫୦ ସୁଦ୍ଧା ସମୁଦ୍ରରୁ ମତ୍ସ୍ୟଜୀବୀଙ୍କ ଜାଲରେ ମାଛଠାରୁ କାହିଁ କେତେଗୁଣ ଅଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ପଡ଼ିବ। ଏପରି ସ୍ଥିତିରେ ପୃଥିବୀ ପ୍ଲାଷ୍ଟିକ୍‌ମୟ ହେବାକୁ ଆଉ ଡେରି ନାହିଁ। ଖବରକାଗଜରେ ପ୍ରକାଶିତ ଏକ ବିସ୍ମୟକର ତଥ୍ୟ ଅନୁଯାୟୀ ମହାକାଶରେ ଏବଂ ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟରେ ମଧ୍ୟ ବିପୁଳ ପରିମାଣରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ଜମାହେଲାଣି।
ବିଶ୍ୱବ୍ୟାପୀ ପ୍ଲାଷ୍ଟିକ୍‌ ବ୍ୟବହାର ଓ ତା’ର ବର୍ଜ୍ୟ ପରିଚାଳନା ଏକ ବୃହତ୍‌ ସମସ୍ୟା ରୂପେ ଦଣ୍ଡାୟମାନ ହେଲାଣି। ବିଶେଷକରି ଚାଇନା ଓ ଭାରତ ଭଳି ଘନ ଜନସଂଖ୍ୟା ବିଶିଷ୍ଟ ଦେଶଗୁଡ଼ିକ ପାଇଁ ଏହା ଉଦ୍‌ବେଗର କାରଣ ସାଜିଲାଣି। କେବଳ ଭାରତରେ ପ୍ରତ୍ୟହ ୨୬ ହଜାର ଟନ୍‌ ପ୍ଲାଷ୍ଟିକ୍‌ ଆବର୍ଜନା ସୃଷ୍ଟି ହେଉଛି। ମାଟି, ପାଣି ଓ ପବନକୁ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକ୍‌ ଆବର୍ଜନା ପରିଚାଳନା ପାଇଁ ଆମ ଦେଶରେ ଏ ଯାବତ୍‌ କୌଣସି ନିର୍ଦ୍ଦିଷ୍ଟ ଯୋଜନା କାର୍ଯ୍ୟକାରୀ ହୋଇନାହିଁ। ପ୍ଲାଷ୍ଟିକ୍‌ ଉତ୍ପାଦନ ଉପରେ ମଧ୍ୟ ନିୟନ୍ତ୍ରଣ ନାହିଁ। କେବଳ କେତେକ ରାଜ୍ୟ ସରକାର ନାମକୁମାତ୍ର ଏହାର ପ୍ରଚଳନକୁ ନିଷେଧ କରିଛନ୍ତି। ପିଇଟି ସାଧାରଣତଃ ଶସ୍ତା, ସହଜ ଓ ସୁଲଭ୍ୟ ହୋଇଥିବାରୁ କମ୍ପାନୀମାନେ ଅଧିକ ମହଙ୍ଗା ସାବ୍ୟସ୍ତ ହୋଇଥିବା ପ୍ରାକୃତିକ ଉପାଦାନ କଥା ଚିନ୍ତା କରୁନାହାନ୍ତି। ଯଦି ସାମାନ୍ୟ କିଛି ପାରିଶ୍ରମିକ ପ୍ରଦାନ କରାଯାଇ ଗ୍ରାମ ଓ ସହରରୁ ପ୍ଲାଷ୍ଟିକ୍‌ ଆବର୍ଜନା ସଫାକରି ଏହାର ପୁନଃଚକ୍ରୀକରଣର ବ୍ୟବସ୍ଥା କରାଯାନ୍ତା, ତେବେ ଆବର୍ଜନା ସଫା ହେବା ସହ କ୍ଷୁଦ୍ର ନିଯୁକ୍ତି ସମ୍ଭବ ହୋଇପାରନ୍ତା ଓ ନୂତନ ପ୍ଲାଷ୍ଟିକ୍‌ ଦ୍ରବ୍ୟ ଉତ୍ପାଦନ ହ୍ରାସ ପାଆନ୍ତା।
ବିଶ୍ୱର ସାମ୍ପ୍ରତିକ ପ୍ଲାଷ୍ଟିକ୍‌ ବର୍ଜ୍ୟଜନିତ ପ୍ରଦୂଷଣ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି, ରାଜ୍ୟ ବା ରାଷ୍ଟ୍ରର ଦୋଷ ନୁହେଁ। ଏହା ଏକ ସାମୂହିକ ସମସ୍ୟା। ସୁତରାଂ ଏ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସବୁସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବା ଉଚିତ। ତିବ୍ବତୀୟ ଧର୍ମଗୁରୁ ସନ୍ଥ ଦଲାଇଲାମା କହନ୍ତି- ଯେତେଦିନ ପର୍ଯ୍ୟନ୍ତ ଜଳ, ବାୟୁ, ମାଟି, ମହାକାଶ ସମସ୍ତ ପ୍ରତିକୂଳତାକୁ ସହ୍ୟକରି ପ୍ରାଣୀମାନଙ୍କର ଜୀବନଧାରଣ ପ୍ରକ୍ରିୟାକୁ ସୁଗମ ନ କରିଛନ୍ତି, ସେତେଦିନ ଯାଏ ଆମର ବିଶ୍ରାମ ନାହିଁ। ପୃଥିବୀକୁ ପ୍ଲାଷ୍ଟିକ୍‌ ବର୍ଜ୍ୟମୁକ୍ତ କରିବା ପାଇଁ ସବୁ ସ୍ତରରେ ଉଦ୍ୟମ ହେବା ଉଚିତ। ନଚେତ୍‌ ଏହାର ବିଷମୟ ପରିଣତି ପ୍ରାଣୀ, ଉଦ୍ଭିଦ ନିର୍ବିଶେଷରେ ସମସ୍ତଙ୍କୁ ଭୋଗିବାକୁ ହେବ।
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


All Right Reserved By

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ,...

ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା...

ତଥ୍ୟ ପ୍ରଦାନରେ ସରକାରଙ୍କ ପଛଘୁଞ୍ଚା

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ଲୋକଙ୍କଠାରୁ ତଥ୍ୟ ଲୁଚାଇବାରେ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ମନ୍ତ୍ରଣାଳୟ...

ବିଜ୍ଞାପନର ବିପଦ

ପରଂବ୍ରହ୍ମ ତ୍ରିପାଠୀ ‘ଆପଣଙ୍କ ଟୁଥ୍‌ପେଷ୍ଟରେ ରସୁଣ ଅଛି କି?’ -ଏମିତି ଗୋଟେ ବିଜ୍ଞାପନ ଦେଖିଥିଲେ କି? କ’ଣ? ସେଥିରେ, ମାନେ ସେ ବିଜ୍ଞାପନରେ କେବଳ ଲେମ୍ବୁ...

ଏଇ ଭାରତରେ

ପିଲାମାନେ ବିଦ୍ୟାଳୟ ଛାଡି କେମିତି ନ ଯିବେ କିମ୍ବା ବିଦ୍ୟାଳୟକୁ ଆସୁ ନ ଥିବା ପିଲାମାନଙ୍କୁ କେମିତି ଅଣାଯିବ ତାହା ପାଇଁ ଏକ ଭିନ୍ନ ଢଙ୍ଗରେ...

ଏଇ ଭାରତରେ

ଆସାମ ତିନସୁକିଆର ୪୦ବର୍ଷୀୟ ଡି. କ୍ରିଷ୍ଣ କୁମାର ସ୍କୁଟରରେ ମା’ଙ୍କୁ ୧୭ଟି ତୀର୍ଥସ୍ଥଳ ଭ୍ରମଣ କରାଇବାକୁ ବାହାରି ପଡିଛନ୍ତି। ପାଖାପାଖି ୪୦,୩୮୦ କିଲୋମିଟର ଭ୍ରମଣ କରିବାର...

ଜୈନ ଦର୍ଶନ ଓ କର୍ମବାଦ

ଡ. ଭାଗ୍ୟଲିପି ମଲ୍ଲ ବସନ୍ତର ମହୋତ୍ସବ। ଚତୁର୍ଦ୍ଦିଗରେ ବର୍ଣ୍ଣିଳ ସମାବେଶ। ପ୍ରକୃତିର ଅଙ୍ଗେ ଅଙ୍ଗେ ନବ ଉନ୍ମାଦନାର ଶିହରଣ। ଏହିଭଳି ଏକ କମନୀୟ ସକାଳରେ ପୃଥିବୀ...

ମା’ଙ୍କ ଧରାବତରଣ

ଡ. କିଶୋର ମହାନ୍ତି ମା’ ପ୍ରକୃତରେ କିଏ? କ’ଣ ତାଙ୍କର ସ୍ବରୂପ? ସେ ହେଉଛନ୍ତି ଜଗଜ୍ଜନନୀ ମା’ ଯୋଗମାୟା, ବିଶ୍ୱେଶ୍ୱରୀ, ଜଗନ୍ମାତା ମା’ ଦୁର୍ଗା। ମାତୃ୍‌ରୂପରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *