ବିଦେଶୀ କିଏ

ଆଜି ଭାରତବର୍ଷ ଅଟୋଇମୁନୋ ରୋଗରେ ଆକ୍ରାନ୍ତ। ଏହା ଏଭଳି ଏକ ଅବସ୍ଥା, ଯେଉଁଥିରେ ନିଜର ରୋଗ ପ୍ରତିରୋଧକାରୀ ବ୍ୟବସ୍ଥା ସ୍ବୟଂ ସେହି ଦେହକୁ ବିନାଶ କରିଥାଏ। ଏହାଫଳରେ ଦେହର ବିଭିନ୍ନ ଅଙ୍ଗକୁ ଶତ୍ରୁ ଭାବି ନଷ୍ଟ କରିବାର ପ୍ରକ୍ରିୟା ଆରମ୍ଭ ହୋଇଯିବା ଯୋଗୁ ସୁସ୍ଥ ଶରୀର ମଧ୍ୟ ଅତିଶୀଘ୍ର ଅସୁସ୍ଥ ହୋଇ ମୃତ୍ୟୁମୁଖୀ ହୋଇଯାଏ। ଉଦାହରଣ ସ୍ବରୂପ, କଶ୍ମୀର ଉପରେ ଲାଗୁ ହୋଇ ଆସିଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସୃଷ୍ଟି ହୋଇଥିବା ଅଶାନ୍ତ ପରିସ୍ଥିତି ଏବେ ଥମି ନ ଥିବାବେଳେ ଆସାମରେ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବାରୁ ଅନ୍ୟ ଏକ ନିଆଁ ଲାଗିଛି। ଏନ୍‌ଆର୍‌ସିରୁ ୧୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାଦ୍‌ ପଡ଼ିଥିବାରୁ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ଦେଖାଦେଇଛି। ଏହି ସଦ୍ୟ ତାଲିକା ପ୍ରକାଶ ପାଇବା ପଛରେ ଚିନ୍ତାଧାରା ଥିଲା ଯେ, ବେଆଇନ ଭାବେ ଭାରତରେ ଅନୁପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା। ସେଥିପାଇଁ ୨୪ ମାର୍ଚ୍ଚ ୧୯୭୧କୁ କଟ୍‌ ଅଫ୍‌ ତାରିଖ ଭାବେ ରଖାଯାଇଥିଲା। ହେଲେ ଦେଖାଯାଇଛି, ତା’ ପୂର୍ବରୁ ଏହି ରାଜ୍ୟରେ ରହିଆସିଥିବା କେତେକ ବ୍ୟକ୍ତିଙ୍କ ନାମ ମଧ୍ୟ ତାଲିକାରେ ରହି ନାହିଁ। ସାଧାରଣରେ ଆଲୋଚନା ହେଉଥିଲା ଯେ, ବାଂଲାଦେଶରୁ ଆସିଥିବା ମୁସଲମାନ ଅନୁପ୍ରବେଶକାରୀଙ୍କୁ ବଛାଯାଇ ସେମାନଙ୍କୁ ତଡ଼ିଦେବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ହେଲେ ତାଲିକାକୁ ଦେଖିଲେ ପୂର୍ବ ପାକିସ୍ତାନରୁ ୧୯୬୦ରୁ ଆସି ରହିଥିବା ବହୁ ହିନ୍ଦୁ ମଧ୍ୟ ଏନ୍‌ଆର୍‌ସିରୁ ବାଦ୍‌ ପଡ଼ିଛନ୍ତି। ପିଢ଼ି ପରେ ପିଢ଼ି ସରକାରୀ ଜାଗା ପାଇ ଆସାମରେ ରହିଆସିଥିଲେ ମଧ୍ୟ ସେମାନଙ୍କ ନାମ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇ ନାହିଁ। ଏପରି କି ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରିଥିବା ବିମଳ ଚୌଧୁରୀଙ୍କ ଭଳି ବ୍ୟକ୍ତିଙ୍କ ନାମ ଉକ୍ତ ତାଲିକାରେ ନାହିଁ। ଦେଶ ପାଇଁ ସଂଗ୍ରାମ କରିଥିବା ବ୍ୟକ୍ତିଙ୍କୁ ଆସାମ ଚିହ୍ନିବାରେ ଅକ୍ଷମ ରହିବା ଜଣାଇ ଦେଉଛି ଯେ ଏନ୍‌ଆର୍‌ସି ଠିକ୍‌ ଭାବେ ପ୍ରସ୍ତୁତ କରାଯାଇ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଏନ୍‌ଆରସି ସମ୍ପୂର୍ଣ୍ଣ ଭାବେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଛି ବୋଲି ଜନସାଧାରଣଙ୍କୁ କୁହାଯାଉଛି। ଏହାର ଅର୍ଥ ହେଲା ଆଜିର ଭାରତୀୟ ନ୍ୟାୟାଳୟ, ରାଜନୈତିକ ଓ ପ୍ରଶାସନିକ ବ୍ୟବସ୍ଥା ସବୁଥିରେ ‘ବିଦେଶୀ’ ଠାବ କରି ବହିଷ୍କାର କରିବାର ମାନସିକତା ସୃଷ୍ଟି ହୋଇଛି। ଆଜି ବିଦେଶୀଙ୍କୁ ତଡ଼ିବା ବାହାନାରେ ଯେଉଁ କାର୍ଯ୍ୟ କରାଯାଉଛି, ତାହା ଏକ ବିକୃତ ଚିନ୍ତାଧାରା ବୋଲି ଅନ୍ୟ ଦେଶଗୁଡ଼ିକର ଇତିହାସରୁ ବୁଝାପଡୁଛି। ଏଠାରେ ସମସ୍ୟା ହେଉଛି, ସାଧାରଣ ଲୋକଙ୍କ ପାଇଁ ଇତିହାସ ସବୁବେଳେ ଏକ ଅସ୍ତ୍ର ସାଜିଥାଏ। ଇତିହାସକୁ ଧ୍ୱଂସ କରିଦେଇପାରିଲେ ମୁଷ୍ଟିମେୟ ଶାସକ ଗୋଷ୍ଠୀ ନିଜ ଆଧିପତ୍ୟ ବିସ୍ତାର କରିବା ସହଜ ହୋଇଥାଏ। ୟୁରୋପର ଇତିହାସକୁ ଦେଖିଲେ ଏହିଭଳି ବିଦେଶୀ ବିରୋଧୀ ନୀତି ଗତ ଶତାବ୍ଦୀରେ ଜର୍ମାନୀରେ ଜନ୍ମ ନେଇଥିଲା। ସେତେବେଳେ ଇହୁଦୀମାନଙ୍କୁ ଠାବ କରି ନିର୍ଯାତନା ଦିଆଯିବା ସହ ପରବର୍ତ୍ତୀ ସମୟରେ ଗଣହତ୍ୟା କରାଯାଉଥିଲା। ଏପରି କି କମ୍ୟୁନିଷ୍ଟ, ସମଲିଙ୍ଗୀ, ବିରୋଧୀ ଭଳି ବିଭିନ୍ନ ଆଖ୍ୟା ଦିଆଯାଇ ଜର୍ମାନ୍‌ ଲୋକଙ୍କୁ ମଧ୍ୟ ମାରିଦିଆଯାଉଥିଲା। ଏହି ପ୍ରକ୍ରିୟାର ସ୍ବାଭାବିକ ଅନ୍ତ ଘଟିଲା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ା ସେହି ଯୁଦ୍ଧ ପରେ ଜର୍ମାନ୍‌ ଜାତି ବିଶ୍ୱ ଆଗରେ ଅବିଶ୍ୱାସର ପାତ୍ର ହେବା ଫଳରେ ସେହି ଦେଶ ତଳିତଳାନ୍ତ ହୋଇଯାଇଥିଲା। ଅବଶ୍ୟ ଏବେ ସେହି ଜାତିର ସଚେତନତା ବୃଦ୍ଧି ପାଇଥିବାରୁ ତାହା ୟୁରୋପର ସବୁଠାରୁ ଅଧିକ ସହନଶୀଳ ରାଷ୍ଟ୍ର ଭାବେ ନିଜକୁ ପୁନଃ ଆବିଷ୍କାର କରିଛି। ଏହାଫଳରେ ଜର୍ମାନୀରେ ଏବେ ସର୍ବାଧିକ ଶରଣାର୍ଥୀ ଆଶ୍ରୟ ନେଇପାରୁଛନ୍ତି ା ତେଣୁ ଆଜିର ପରିସ୍ଥିତିରେ ଇତିହାସକୁ ବିଶ୍ଳେଷଣ କରିବା ସକାଶେ ଅନେକ ଲୋକଙ୍କ ଅନିଚ୍ଛା ରହିଛି। କାରଣ ପୂର୍ବରୁ ଯାହା କୁହାଯାଇଛି, ଜନସାଧାରଣ ଯଦି ଇତିହାସ ଜାଣିବେ ତେବେ ସଚେତନତା ବୃଦ୍ଧି ପାଇବ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କଠାରୁ ଆରମ୍ଭ କରି ଭାରତର ସୁପ୍ରିମକୋର୍ଟ ବିଚାରପତିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମତ ହେଉଛି ଏକ ରାଷ୍ଟ୍ରରେ ବେଆଇନ ଭାବେ ଅନୁପ୍ରବେଶ କରୁଥିବା ଲୋକଙ୍କୁ ସେଠାରେ ସ୍ଥାନ ମିଳିବା ଠିକ୍‌ ନୁହେଁ। ତେବେ ଭାରତର ଅଧିକାଂଶ ନାଗରିକଙ୍କୁ ଯାଞ୍ଚ କଲେ ସମ୍ଭବତଃ କ୍ୱଚିତ୍‌ ନିଜର ଭାରତୀୟତାର ପ୍ରମାଣ ଦେଇପାରିବେ। ଉଦାହରଣ ସ୍ବରୂପ ପାସ୍‌ପୋର୍ଟ, ଯାହାକି ସମସ୍ତଙ୍କ ପାଖରେ ନ ଥାଏ, ତାହା ନାଗରିକତ୍ୱର ପରିଚୟ ଦେଉନାହିଁ। ସେହିଭଳି ପାନ୍‌ କାର୍ଡକୁ ନକଲ କରାଯାଉଛି ବୋଲି କହି ତାହାକୁ ଏକପ୍ରକାର ଅକାମୀ କରିଦିଆଗଲାଣି। ତା’ ବଦଳରେ ବାଧ୍ୟବାଧକତା କରାଯାଇଥିବା ଆଧାର କେବଳ ଏକ ପରିଚୟପତ୍ର, ଯାହା ଜାତୀୟତାର ପ୍ରମାଣ ନୁହେଁ ବୋଲି ବିବେଚନା କରାଯାଉଛି। ଶହେ ବର୍ଷର ପୁରୁଣା ଜମିପଟ୍ଟା ବିଭିନ୍ନ ସମୟରେ ରାଜସ୍ବ ବନ୍ଦୋବସ୍ତ ଯୋଗୁ ବଦଳିଥିବାରୁ ତାହାକୁ ନେଇ ଜାତୀୟତାର ପ୍ରମାଣ ଦେବା ଅତ୍ୟନ୍ତ କଷ୍ଟକର। ସହରାଞ୍ଚଳରେ ବାସ କରୁଥିବା ଅନେକ ବ୍ୟକ୍ତି ଭଡ଼ା ଘରେ ରହୁଛନ୍ତି। ଭଡ଼ାଟିଆଙ୍କୁ ଅଧିକ ଦିନ ରଖିବାକୁ ଅମଙ୍ଗ ଘର ମାଲିକ ବିଭିନ୍ନ ସମୟରେ ଚୁକ୍ତିକୁ ଶେଷ କରିଦେଉଥିବାରୁ ତାହା ମଧ୍ୟ ଜାତୀୟତା ପ୍ରମାଣପତ୍ର ଭାବେ ଦେଖାଇ ହେବ ନାହିଁ। ସ୍କୁଲ, କଲେଜ ପ୍ରମାଣପତ୍ର ମଧ୍ୟ ବୈଧ ହୋଇପାରୁନାହିଁ। ଆସାମର ବିମଳ ଚୌଧୁରୀଙ୍କ ଉଦାହରଣ ଅନୁଯାୟୀ ଦେଶର ସେନାରେ ଆଜୀବନ ଚାକିରି କରିଥିବା ବ୍ୟକ୍ତି ମଧ୍ୟ ଜାତୀୟତା ପ୍ରମାଣ କରିପାରୁ ନାହାନ୍ତି। ଏହି ପ୍ରଚ୍ଛଦପଟରେ ଦେଖିବାକୁ ଗଲେ ଆମ ରାଜ୍ୟ ଓଡ଼ିଶାରେ ଯଦି ଏନ୍‌ଆର୍‌ସି ଲାଗୁ ହୁଏ, ତେବେ ଅଧିକାଂଶ ରାଜ୍ୟବାସୀ ନିଜର ସ୍ଥିତି ପ୍ରମାଣ କରିବା ପାଇଁ ଅସମ୍ଭବ ସମସ୍ୟାର ସମ୍ମୁଖୀନ ହେବେ। ଯଦି କେହି ଭାବୁଥାନ୍ତି ଯେ, ଓଡ଼ିଶାରେ ଏନ୍‌ଆର୍‌ସି ଲାଗୁହେଲେ କେବଳ କେନ୍ଦ୍ରାପଡ଼ା ଜିଲାର ମୁସଲମାନ ବାଂଲାଦେଶୀ, ମାଲକାନଗିରି ଜିଲାର ଦଣ୍ଡକାରଣ୍ୟରେ ରହୁଥିବା ବାଂଲାଦେଶୀ ହିନ୍ଦୁ, ଜଗତ୍‌ସିଂହପୁର, ବାଲେଶ୍ୱର, ଭଦ୍ରକ ଆଦି ଉପକୂଳରେ ରହୁଥିବା ବଙ୍ଗାଳୀ ନାଗରିକ ବିଦା ହେବେ, ତାହା ଏକ ଭ୍ରମ। ଓଡ଼ିଶାର ଗ୍ରାମାଞ୍ଚଳରେ ଅଧିକାଂଶ ଲୋକଙ୍କ ପାଖରେ ଜାତୀୟତାର ପ୍ରମାଣ ଦେବା ଲାଗି ଦଲିଲ୍‌ ନାହିଁ। ବିଶେଷକରି ଦୀର୍ଘବର୍ଷ ଧରି ବନ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକର ଜନସାଧାରଣଙ୍କ ପୁରାତନ ନଥିପତ୍ର ନଷ୍ଟ କିମ୍ବା ହଜିଯାଇଛି। ସେମାନେ ନିଜର ମୂଳବାସିନ୍ଦାପଣିଆ ପ୍ରମାଣ ଦେଲାବେଳକୁ ନୟାନ୍ତ ହୋଇଯିବେ। ଏତେ ଅଧିକ ସଂଖ୍ୟାରେ ଲୋକଙ୍କୁ ଯେତେବେଳେ ଦେଶର ବ୍ୟବସ୍ଥା ‘ବିଦେଶୀ’ ଭାବେ ଠାବ କରିବ, ସେତେବେଳେ ‘ସ୍ବଦେଶୀ’ କିଏ ରହିବେ ତାହା ଦେଖିବାକୁ ବାକି ଅଛି।
ଏଠାରେ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ ହିନ୍ଦୁ ପରିବାରର ଦୁଇ କିମ୍ବା ସର୍ବାଧିକ ତିନି ପୁରୁଷଙ୍କ ନାମ ମନେରହିଥାଏ, ଯାହାକି ପୂଜା ସମୟରେ ପୁରୋହିତ ଉଲ୍ଲେଖ କରିଥାନ୍ତି। ଯେଉଁଠାରେ ଅଧିକ ଆବଶ୍ୟକ ପଡ଼େ, ସେଠାରେ ପୁରୁଷଙ୍କ ପାଇଁ ଜଗନ୍ନାଥ ଏବଂ ମହିଳାଙ୍କ ପାଇଁ ଲକ୍ଷ୍ମୀ, ସରସ୍ବତୀ କୁହାଯାଇ ସ୍ବାହା କରାଯାଇଥାଏ। ଏହି ଗୋଟିଏ ବାସ୍ତବ ପରିସ୍ଥିତିରୁ ବୁଝାପଡୁଛି ଯେ, ଆମେ ଯେତେବେଳେ ନିଜ ପୂର୍ବପୁରୁଷଙ୍କ ନାମ ମନେପକାଇବାକୁ ଅସଫଳ ହେଉଛେ, ସେତେବେଳେ ଆମ ମଧ୍ୟରୁ କେତେଜଣ ଆଠ ଦଶ ପୁରୁଷ ଅମଳର ଦଲିଲ୍‌ ପ୍ରସ୍ତୁତ କରିପାରିବେ, ତାହା ବିଚାର୍ଯ୍ୟର ବିଷୟ।


All Right Reserved By Dharitri.Com

ଏଇ ଭାରତରେ

ଶିକ୍ଷାର ବିକାଶ ଲାଗି ସରକାର ଯାହା କରନ୍ତୁ ନା କାହିଁକି ଏଥିଲାଗି ମହାରାଷ୍ଟ୍ରର ଏକ ଗାଁର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ। ଓରଙ୍ଗାବାଦ ଜିଲାର ଗାଁ ପୋଖ୍‌ରୀର...

ଆମ ଭାଷା ଓ ଶବ୍ଦ

ଅରୁଣ ଦାସ ପୂର୍ବାପେକ୍ଷା ସମୟ ସହ ତାଳଦେଇ ଓଡ଼ିଆ ଭାଷାରେ ଲେଖାଲେଖି ବଢ଼ିଛି। କାରଣ ଖବରକାଗଜ ଓ ପତ୍ରିକା ସଂଖ୍ୟା ବଢ଼ିବା ସହିତ ଅନେକେ ଫେସ୍‌ବୁକ୍‌...

ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର...

ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ବିଜୟାଦଶମୀରେ ରାବଣ ପୋଡି ସହ ଦଶହରା ଶେଷ ହେଉଥିବାବେଳେ ଛତିଶଗଡ଼ରେ ଏହି ପର୍ବରେ କିଛି ଭିନ୍ନତା ଦେଖିବାକୁ ମିଳେ। ଏହି ରାଜ୍ୟର...

ଉଦ୍ଭାବନରେ ପଛୁଆ

ଆକାର ପଟେଲ କିଛି ସପ୍ତାହ ତଳେ ଭାରତରେ ସ୍ମାର୍ଟଫୋନ୍‌ ଶିଳ୍ପ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଖାଉଟି ଅର୍ଥନୀତିର ଏହା ଅନ୍ୟତମ ଅତି ଗୁରୁତ୍ୱପୂର୍ଣ୍ଣ...

ଆଜିର ଅର୍ଥନୀତି/ଆହ୍ବାନର ବର୍ଷ

ମାନ୍ଦାବସ୍ଥା ଓ ନୈରାଶ୍ୟ ଦେଇ ୨୦୧୯ ବିତିଲା। ବିଗତବର୍ଷରେ ଅର୍ଥନୀତି କ୍ଷେତ୍ରରେ ଯେଉଁସବୁ ସମସ୍ୟା ଦେଖିବାକୁ ମିଳିଲା, ସେଗୁଡ଼ିକ ଭିତରେ ଅଛି: ଜିଡିପିରେ ରେକର୍ଡ ପରିମାଣ...

କାଠଗଡ଼ାରେ କୁକୁଡ଼ା

ତୁଳସୀଦାସ ମିଶ୍ର ଗତ ଦଶହରା ସମୟରେ ଅଭିଯୋଗକାରୀଙ୍କୁ ସେବାର ପ୍ରତିଦାନରେ ଜଣେ ପୋଲିସ ବାବୁ କୁକୁଡ଼ା ଏବଂ ଅଣ୍ଡା ଦେବାକୁ କହିବାରୁ ତାଙ୍କ ମୁଣ୍ଡରେ ଖଣ୍ଡା...

ମୋଦି-୨ ସରକାର

ଆକାର ପଟେଲ ନରେନ୍ଦ୍ର ମୋଦିଙ୍କ ଭବ୍ୟ ଶପଥଗ୍ରହଣ ଉତ୍ସବର ଖବର ସହ ଗଣମାଧ୍ୟମରେ ଅର୍ଥନୀତି ସମ୍ପର୍କିତ ଦୁଇଟି ଖବର ପ୍ରକାଶ ପାଇଛି। ପ୍ରଥମଟି ହେଉଛି ଭାରତର...

Leave a comment

Your email address will not be published. Required fields are marked *