ସମ୍ପାଦକୀୟ/ଲାଠି

ଆୟକର (ଆଇଟି) ବିଭାଗ ଦେଶରେ ଟିକସ ଆତଙ୍କରାଜ ଚଳାଇଛି ବୋଲି ବ୍ୟକ୍ତିଗତ ଟିକସଦାତା ଓ ଉଦ୍ୟୋଗ ଜଗତ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ନିକଟରେ କାଫେ କଫି ଡେ (ସିସିଡି) ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ ଆୟକର ଅଧିକାରୀଙ୍କ ଦ୍ୱାରା ନିର୍ଯାତିତ ହେବାରୁ ଆତ୍ମହତ୍ୟା କରିଥିବା ବିଷୟ ପଦାକୁ ଆସିଥିଲା। ଟିକସଦାତାଙ୍କ ପ୍ରତି ଆଇଟି ବିଭାଗ ଅଧିକାରୀଙ୍କ ବ୍ୟବହାର ଭଲ ହେଉ ନ ଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। କରଦାତାଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ସେ ଆୟକର ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। ଏଠାରେ ମତ ପ୍ରକାଶ ପାଉଛି ଯେ, ଏଭଳି ଦୁର୍ବ୍ୟବହାର ନୂଆ ଘଟଣା ନୁହେଁ। ସମ୍ଭବତଃ ଏବକାର ଅର୍ଥମନ୍ତ୍ରୀ ପୂର୍ବରୁ ସାଧାରଣ କରଦାତା ଭାବେ ଆୟକର ବିଭାଗର ସମ୍ମୁଖୀନ ହୋଇ ନାହାନ୍ତି। ମଧ୍ୟବିତ୍ତ ରୋଜଗାର ଗୋଷ୍ଠୀର କଳାଧନ ଉପାର୍ଜନ କରିବାର ସମ୍ଭାବନା ଅତ୍ୟନ୍ତ ସୀମିତ। ଯେତେ ସଚ୍ଚୋଟ ରହିଲେ ମଧ୍ୟ ଆୟକର ବିଭାଗର ଛନ୍ଦି ହେଉଥିବା ଆଇନ ଫଳରେ ସାଧାରଣ କରଦାତା ସବୁବେଳେ ହଇରାଣ ହୋଇଥାଆନ୍ତି। ବିଶେଷକରି ଏହି ବିଭାଗର ଆଇନକୁ ଜାଣିଶୁଣି ଜଟିଳ ରଖାଯାଇଛି ବୋଲି ଅନେକ ଟିକସଦାତା ମତ ଦିଅନ୍ତି। ଏବେ ବ୍ୟକ୍ତିଗତ ଟିକସ ଭରଣା କରିବା ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ସହଯୋଗ ଲୋଡ଼ିବା ଆବଶ୍ୟକ ହୋଇପଡ଼ିଲାଣି। ଅନ୍ୟପଟେ ଆମେରିକା ଭଳି ଦେଶରେ ବ୍ୟକ୍ତିଗତ ଟିକସଦାତାଙ୍କ ପାଇଁ ଆଇନକୁ ଅତି ସହଜ କରି ଦିଆଯାଇଥିବାରୁ ଯେକୌଣସି ବ୍ୟକ୍ତି ନିଜର ରିଟର୍ନ ଫାଇଲ କରିପାରୁଛନ୍ତି। ତଥାକଥିତ ‘ନୂଆ ଭାରତ’ର ପ୍ରାରମ୍ଭିକ ଲକ୍ଷଣ ଦେଖିବାକୁ ଇଚ୍ଛୁକ ଥିବା ନାଗରିକ ପ୍ରଥମେ ଟିକସ ଦେବା ବ୍ୟବସ୍ଥାର ସରଳୀକରଣ ଆଶା ରଖୁଛନ୍ତି। ଏପର୍ଯ୍ୟନ୍ତ ସେ ଦିଗରେ କେହି ଦୃଷ୍ଟି ପକାଇବାର ଉଦାହରଣ ମିଳୁନାହିଁ।
ଦେଶର ବିକାଶ ଲାଗି ଟିକସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଯେଉଁ ଟିକସଦାତାମାନେ ଆୟକର ବିଭାଗ ନିକଟରେ ଠିକ୍‌ ସମୟରେ ଅର୍ଥ ପଇଠ କରୁଛନ୍ତି, ସେମାନଙ୍କୁ ଯେମିତି ସରକାରୀ ସ୍ତରରେ ଦୋଷୀ ଭାବେ ଗଣାଯାଉଛି। ଭାରତରେ ପ୍ରତ୍ୟେକ ନାଗରିକ କରଦାତା। ରୋଜଗାର କରୁ ନ ଥିବା ଯୁବତୀଯୁବକ ଯେତେବେଳେ କୌଣସି ଦୋକାନରୁ ହଳେ ଜିନ୍ସ କିଣୁଛନ୍ତି କିମ୍ବା ନିଜ ଦୁଇଚକିଆରେ ପେଟ୍ରୋଲ ପକାଉଛନ୍ତି, ସେତେବେଳେ ସେମାନେ ପ୍ରବଳ ମାତ୍ରାରେ ପରୋକ୍ଷ ଟିକସ ଦେଉଛନ୍ତି। ତେବେ ଆୟକର ଦେଉଥିବା ନାଗରିକ ସେମାନଙ୍କଠାରୁ ଭିନ୍ନ। ସବୁ ସାମଗ୍ରୀ ପାଇଁ ପରୋକ୍ଷ ଟିକସ ଦେବା ସହିତ ବ୍ୟକ୍ତିଗତ ଆୟକର ଦେଇଥାଆନ୍ତି। ଅର୍ଥାତ୍‌ ‘ବେଡ଼ି ଉପରେ କୋରଡ଼ା ମାଡ଼’ ଭଳି ଭାରତରେ ଏହି ଟିକସଦାତା ସବୁ ପ୍ରକାର କର ଦେବା ସହିତ ଆୟକର ମଧ୍ୟ ଦେଉଛନ୍ତି। ଏଭଳି ନାଗରିକଙ୍କ ସକାଶେ ଦେଶର ପ୍ରଶାସନରେ କୌଣସି ଭିନ୍ନ ସମ୍ମାନ ରହୁ ନାହିଁ। ଏବେ କୁହାଯାଉଛି ଯେ, ପାନ୍‌ କାର୍ଡ ଠକେଇ ହେଉଥିବାରୁ ତାହା ମୂଲ୍ୟହୀନ। ସେଥିପାଇଁ ପାନ୍‌ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଉଛି। ଭବିଷ୍ୟତରେ ଆଧାରରେ ମଧ୍ୟ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇପାରେ। ଏହା ଏବେଠାରୁ ଅନେକ ସ୍ଥାନରେ ଜଣାପଡ଼ିଲାଣି। ଭାରତ ସରକାର ପୁନର୍ବାର ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ କରି ଏକ ନୂଆ କାର୍ଡ ସୃଷ୍ଟି କରିବା ଅସମ୍ଭବ ନୁହେଁ। ତାହାର ସଂଯୋଗ ପଛରେ ଧାଇଁ ନାଗରିକର ପାଞ୍ଚବର୍ଷ ବିତିଯିବ।
ଏହି ଭାରତରେ ବିଭିନ୍ନ ଉପାୟରେ ଅର୍ଥ ଠୁଳ କରୁଥିବା ନିର୍ଦ୍ଦିଷ୍ଟ ବର୍ଗ ଟିକସ ପରିଧିରେ ଆସୁ ନାହାନ୍ତି। ଏଥିପାଇଁ ତ୍ରୁଟିପୂର୍ଣ୍ଣ ଭାରତୀୟ ଟିକସ ବ୍ୟବସ୍ଥା ଦାୟୀ। ସଚ୍ଚୋଟ କରଦାତା ଉଚିତ ସମୟରେ ଟିକସ ଦେଇଦେଉଥିବାରୁ ସେମାନଙ୍କ ଉପରେ ବିଭିନ୍ନ ପ୍ରକାର ସେସ୍‌ ବସାଯାଉଛି। ଅର୍ଥାତ୍‌ ୧୫୦ କୋଟି ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ମାତ୍ର ୨ କୋଟି ୭୦ ଲକ୍ଷ ଲୋକ ଟିକସ ଦେଉଛନ୍ତି। ଅବଶିଷ୍ଟ ବିଭିନ୍ନ ଉପାୟରେ ରୋଜଗାର କରୁଥିଲେ ମଧ୍ୟ ସେମାନଙ୍କୁ ଟିକସ ପରିସରକୁ ଅଣାଯିବାକୁ ଚେଷ୍ଟା କରାଯାଉ ନାହିଁ। ତେଣୁ ଯେଉଁମାନେ ଟିକସ ଦେଉଛନ୍ତି, ସେମାନଙ୍କଠାରୁ ଅଧିକ ଶୋଷିବାର ନୀତି ସର୍ବଦା କାର୍ଯ୍ୟ କରୁଛି। ଫଳରେ କେତେକେ ଟିକସ ଫାଙ୍କିବାର କୌଶଳ ଆପଣାଇବାକୁ ବାଧ୍ୟ ହେଉଛନ୍ତି। ଆୟକର ଅଧିକାରୀମାନେ ଯେତେବେଳେ କୌଣସି ଟିକସଦାତାଙ୍କ ରିଟର୍ନ ଫାଇଲ୍‌ରେ ତ୍ରୁଟି ଥିବା ଅନୁଭବ କରୁଛନ୍ତି, ସେତେବେଳେ ସେମାନଙ୍କ ଉପରେ ପର୍ଯ୍ୟାପ୍ତ ଜରିମାନା ଭିଡ଼ି ଦେଉଛନ୍ତି। ନିକଟ ଅତୀତରେ ଅର୍ଥ ମନ୍ତ୍ରଣାଳୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ, ଦୁର୍ନୀତିରେ ଜଡ଼ିତ ଥିବା ଆୟକର ବିଭାଗର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ। ଏଥିରୁ ବୁଝିବାକୁ ହେବ ଯେ, ଆୟକର ବିଭାଗରେ କାର୍ଯ୍ୟରତ ଅଧିକାରୀଙ୍କ ହାତରେ ଟିକସ ଆଦାୟର ରଜ୍ଜୁ ରହିଯାଇଥିବାରୁ ସେମାନଙ୍କ ମଧ୍ୟରୁ କେତେ ଜଣ ଏହାର ଅପବ୍ୟବହାର କରୁଥିବା ଭଳି ମନେହେଉଛି। ତେଣୁ ଟିକସଦାତାଙ୍କୁ କୌଣସି ପ୍ରକାରେ ହଇରାଣ ନ କରି ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ପ୍ରୋତ୍ସାହନ ପ୍ରଦାନ କରାଗଲେ ଆୟକର ବିଭାଗ ପ୍ରତି ଥିବା ଭୟ ଦୂର ହୋଇପାରନ୍ତା। କିନ୍ତୁ ଏବେ ନୂଆ ଭାରତରେ କୌଣସି ସ୍ଥାନରେ ଭୟକୁ ଦୂର କରିବା ପରିବର୍ତ୍ତେ ଅଧିକ ଭୀତି ସଞ୍ଚାର କରାଯାଉଛି।
ଅର୍ଥ ମନ୍ତ୍ରଣାଳୟ ଡେରିରେ ହେଉ ପଛେ ଟିକସଦାତାଙ୍କ ଅସୁବିଧା ବୁଝି ଉପରଲିଖିତ ନିର୍ଦ୍ଦେଶ ଦେବା ଏକ ସକାରାତ୍ମକ ଦିଗକୁ ସୂଚାଇଛି। ଦେଶର ଧନ ସୃଷ୍ଟିକାରୀଙ୍କୁ ନାଲିଆଖି ନ ଦେଖାଇ ସେମାନଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କଲେ ସୁଫଳ ମିଳିବ ବୋଲି ହୃଦ୍‌ବୋଧ ହେଉଛି। ହେଲେ ସରକାରଙ୍କ ଏଭଳି ଉପଦେଶ କେତେଦୂର ପାଳନ କରାଯାଉଛି, ତାହା ଠିକ୍‌ ଭାବେ ତଦାରଖ କରାଯିବା କଥା। ଆୟକର ବିଭାଗ ଅଧିକାରୀଙ୍କ ମନୋଭାବରେ ପରିବର୍ତ୍ତନ ହେଲେ ଟିକସଦାତାମାନେ ସ୍ବତଃପ୍ରବୃତ୍ତ ନିଜ ଆୟର ଉଚିତ ବିବରଣୀ ପ୍ରଦାନ କରିବାକୁ ଆଗେଇ ଆସିବେ। କିନ୍ତୁ ଏହି ବିଭାଗୀୟ କର୍ମଚାରୀଙ୍କ ମନୋଭାବ ସହଜରେ ପରିବର୍ତ୍ତନ ହୋଇପାରିବ ବୋଲି ବିଶ୍ୱାସ ହେଉନାହିଁ। ଅନେକ କାଳ ଧରି କରଦାତାଙ୍କ ଉପରେ ଦାଉ ସାଜି ଆସିଥିବା ଆଇଟି ବିଭାଗ ନିଜ ଡିଏନ୍‌ଏ ବଦଳାଇପାରିବ ନାହିଁ। ସେଥିପାଇଁ ଆଇନକୁ ପରିବର୍ତ୍ତନ କରି ବିଭାଗୀୟ ସରକାରୀ କର୍ମଚାରୀଙ୍କ କ୍ଷମତା ହ୍ରାସ କରାଯାଇପାରିଲେ, ସମସ୍ୟାର କିଛି ସମାଧାନ ଆସିପାରେ। ମାତ୍ର ଆଜି ଗଢ଼ା ଯାଉଥିବା ନୂଆ ଭାରତ ପାଇଁ ଏହି ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ସାଜିଛି, ଯଦ୍ଦ୍ବାରା ନିରୀହ ଜନସାଧାରଣଙ୍କୁ ସାବାଡ଼ କରି ରଖିହେବ। ସରକାରଙ୍କ ଏହା ହେଉଛି ଶକ୍ତିଶାଳୀ ଲାଠି।


All Right Reserved By

ଏଇ ଭାରତରେ

ଗୁଜରାଟର ପାଳନପୁର ତହସିଲ ଅନ୍ତର୍ଗତ ବାଘଣା ଗାଁର ଲୋକଙ୍କ ସହ ଯୋଡିହୋଇ ରହିଛି ଏକ ଅଜବ ପରମ୍ପରା। ଆଷାଢ ଚତୁର୍ଦ୍ଦଶୀରୁ ଦଶହରା ଯାଏ ଓଟଗାଡି, ବଳଦଗାଡି,...

ପୁନରୁଦ୍ଧାରରେ ପ୍ରତିବନ୍ଧକ

ସହଦେବ ସାହୁ ଫଣୀ (ଫନୀ) (ଫଣା ଥିବା ସାପ, ବାଂଲାଦେଶ ଦ୍ୱାରା ନାମିତ) ମହାବାତ୍ୟା ପୁରୀ କୂଳରେ ସ୍ଥଳଭାଗକୁ ମାଡ଼ି ଆସି ପୁରୀ-ଭୁବନେଶ୍ୱର-କଟକ ତଥା ଓଡ଼ିଶା...

ସମ୍ପାଦକୀୟ/କଠୁଆ: ଦଣ୍ଡ ନୁହେଁ, କ୍ଷମା

ବହୁଚର୍ଚ୍ଚିତ କଠୁଆ ବଳାତ୍କାର ଓ ହତ୍ୟା ମାମଲାର ରାୟ ୧୦ ଜୁନ୍‌ ୨୦୧୯ରେ ପ୍ରକାଶ ପାଇଛି। ୭ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ...

କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ...

ମୋଦି କାହିଁକି ଜିଣିଲେ

ସହଦେବ ସାହୁ ମେ ୨୧ର ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ ସତ ହେଲା- ଆଉ ୫ବର୍ଷ ମିଳିଗଲା ମୋଦିଙ୍କୁ। ଭାରତର ପସନ୍ଦ- ଆମର ମୋଦି ନା ଏକ...

ପାରିବେଶିକ ଅସନ୍ତୁଳନ

ସବ୍ୟସାଚୀ ଅମିତାଭ ଜୁନ୍‌ ୫ ବିଶ୍ୱ ପରିବେଶ ଦିବସ। ବର୍ତ୍ତମାନ ସମୟରେ ଯେଉଁ ମାତ୍ରାରେ ପ୍ରକୃତି ବିଗିଡ଼ିବାରେ ଲାଗିଲାଣି, ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ...

ଫନୀରୁ ଫାଇଦା

ଡ. ଚିନ୍ତାମଣି ପଣ୍ଡା ଚକ୍ରବାତ ଫନୀ ତାଣ୍ଡବ ରଚିବା ପରେ ଅପସରି ଯାଇଛି। କିନ୍ତୁ ପଛରେ ଛାଡିଯାଇଛି ଧ୍ୱଂସସ୍ତୂପର ବିଭୀଷିକା, ଛାରଖାର କରିଯାଇଛି ସଂସାରର ସବୁଜିମା।...

ଅମର ଶହୀଦ ବାଜି ରାଉତ

ଡ. ଉଦ୍ଧବ ଚରଣ ନାୟକ ଢେଙ୍କାନାଳ ଏକ ପୂର୍ବତନ ଗଡ଼ଜାତ ରାଜ୍ୟ। ୧୯୨୫ ଡିସେମ୍ବର ୧୮ରେ ଏ ରାଜ୍ୟର ଶାସନ ଭାର ଗ୍ରହଣ କଲେ ରାଜା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *