ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ
ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ ସଂଖ୍ୟାର ପ୍ରାୟ ତିନିଗୁଣ। କାର୍ଗିଲ ଯୁଦ୍ଧରେ ଭାରତ ଯେତିକି ସୈନିକଙ୍କୁ ହରାଇଛି, ତା’ର ଛଅଗୁଣ ମରିଛନ୍ତି କଶ୍ମୀର ଏବଂ ମାଓବାଦୀପ୍ରବଣ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ ଯୁଦ୍ଧ କରି। ୧୯୬୨ ଏବଂ ୧୯୭୧ (ପାକିସ୍ତାନ ସହ) ଯୁଦ୍ଧରେ ମରିଥିବା ଲୋକଙ୍କ ଅପେକ୍ଷା ଏହିସବୁ ସ୍ଥାନରେ ଅଧିକ ଭାରତୀୟ ମରିଛନ୍ତି। ଏହିସବୁ ମୃତ୍ୟୁ ଯୁଦ୍ଧ ପାଇଁ ନୁହେଁ ବରଂ ରାଜନୈତିକ ବିଫଳତା ପାଇଁ ହୋଇଛି। ଆଭ୍ୟନ୍ତରୀଣ ବିବାଦକୁ ମୁକାବିଲା କରିବାରେ ସରକାରୀ ନୀତି ସଫଳ ହେଉ ବା ବିଫଳ ତାକୁ ପରିବର୍ତ୍ତନ କରିବା ଲାଗି ସରକାରଙ୍କ ଉପରେ କୌଣସି ଚାପ ପଡ଼ୁନାହିଁ କାରଣ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁକୁ ଦେଶବାସୀ ଗ୍ରହଣ କରିନେଉଛନ୍ତି। ବର୍ତ୍ତମାନ କଶ୍ମୀରରେ ଯେଉଁ ମାଷ୍ଟର ଷ୍ଟ୍ରୋକ୍‌ ଦିଆଗଲା, ସେଠାରେ କାର୍ଯ୍ୟରତ ସଶସ୍ତ୍ର ବାହିନୀ ଉପରେ ତା’ର କି ପ୍ରଭାବ ପଡ଼ିବ ତାକୁ ନେଇ କୌଣସି ବିତର୍କ ନାହିଁ। ବର୍ତ୍ତମାନ କେହି ଶ୍ରୀନଗର ପରିଦର୍ଶନରେ ଗଲେ ଦେଖିବ ଦେଶର ବିଭିନ୍ନ ଅଞ୍ଚଳର ସଶସ୍ତ୍ର ସୈନିକମାନେ ପାଟ୍ରୋଲିଂ କରୁଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କ ପରି ଦେଖାଯାଉ ନାହାନ୍ତି କିମ୍ବା ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରୁନାହାନ୍ତି। ଅର୍ଦ୍ଧସାମରିକ ବାହିନୀ କଶ୍ମୀରର ସହରଗୁଡ଼ିକର ରାସ୍ତାରେ ପଦଚାରଣା କରୁଥିବା ବେଳେ ସୈନ୍ୟବାହିନୀ ପରିଧିସ୍ଥ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ସେମାନଙ୍କ କାମ ହେଲା ହିଂସାତ୍ମକ ଜନମତକୁ ଚାପିଦେବା। କାରଣ ଅନ୍ୟ ଉପାୟରେ ମତ ପ୍ରକାଶ କରିବାକୁ ସେମାନଙ୍କ ପାଖରେ କିଛି ସୁବିଧା ନାହିଁ। ବର୍ଷ ବର୍ଷ ଧରି କଶ୍ମୀରରେ ଯୋଗଯୋଗ ଓ ଗଣମାଧ୍ୟମର କଣ୍ଠରୋଧ କରାଯାଇ ଆସୁଛି। ବର୍ତ୍ତମାନ ସମଗ୍ର କଶ୍ମୀରରେ ଯେପରି ଯୋଗାଯୋଗ ବିଚ୍ଛିନ୍ନ କରିଦିଆଯାଇଛି, ତାହା ପ୍ରଥମ ଥର ପାଇଁ ଘଟିନାହିଁ। ସେଠାରେ ଯୋଗାଯୋଗ ବିଚ୍ଛିନ୍ନ କରିଦିଆଗଲେ ଭାରତର ଅବଶିଷ୍ଟ ଅଞ୍ଚଳରେ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ। ତାହାର ଗୋଟିଏ ମୁଖ୍ୟ କାରଣ ହେଲା ସେମାନଙ୍କ ସହ ଆମର କିଛି ନେଣଦେଣ ନାହିଁ କିମ୍ବା ସେମାନେ ଭୋଗୁଥିବା ସମସ୍ୟା ଆମକୁ ସ୍ପର୍ଶ କରେ ନାହିଁ।
ଆମେରିକା କଂଗ୍ରେସରେ ସାଧାରଣତଃ ୧୦୦ ସଦସ୍ୟ ଥାନ୍ତି, ଯେଉଁମାନେ ସେନାରେ ଏକଦା କାର୍ଯ୍ୟ କରିଥିଲେ। ଆମେରିକା ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ସୈନ୍ୟବାହିନୀ ଏବଂ ସେମାନେ ନିୟମିତ ଭାବେ ଓ ସହଜରେ କୋରିଆ, ଭିଏତନାମ, ଇରାକ ଓ ଆଫଗାନିସ୍ତାନ ପ୍ରଭୃତି ସହ ଯୁଦ୍ଧ କରିବାକୁ ଆଗଭର ହୋଇଥାନ୍ତି। ତେବେ ସେମାନେ ଆତ୍ମସଂଶୋଧନଶୀଳ। ସେମାନେ ନିଜର ଭୁଲ୍‌କୁ ସୁଧାରି ଯୁଦ୍ଧରୁ ନିଜକୁ ଓହରେଇ ଆଣିପାରନ୍ତି କାରଣ ସେମାନଙ୍କର ଅନେକ ନେତା ହେଉଛନ୍ତି ପୂର୍ବତନ ସୈନିକ। ଭାବପ୍ରବଣ ନ ହୋଇ କାଳ୍ପନିକ ଲାଭ ଅପେକ୍ଷା ବାସ୍ତବ କ୍ଷତିକୁ ସେମାନେ ଆକଳନ କରିପାରନ୍ତି। ଭିଏତ୍‌ନାମ ଯୁଦ୍ଧ ସମୟରେ ଓ ତା’ର ଠିକ୍‌ ପରେ ପରେ ସେମାନଙ୍କର ଯୋଦ୍ଧା-ନେତା ଅନୁପାତ ବହୁତ ଉଚ୍ଚ ରହିଥିଲା ଏବଂ ପ୍ରାୟ ତିନିଚତୁର୍ଥାଂଶ ନେତା ଥିଲେ ପୂର୍ବତନ ସୈନିକ। କିନ୍ତୁ ଭାରତ କଥା ପୂରା ଅଲଗା। ମଧ୍ୟବିତ୍ତ ବର୍ଗଙ୍କର ସେନାରେ ଚାକିରି କରିବା ପ୍ରତି କୌଣସି ଆଗ୍ରହ ନ ଥାଏ। ସେମାନେ କର୍ପୋରେଟ୍‌ ଚାକିରି ବା ସରକାରୀ ଚାକିରି, ବିଶେଷତଃ ଆଇଏଏସ୍‌, ଆଇପିଏସ୍‌ ହେବାକୁ ବେଶି ପସନ୍ଦ କରିଥାନ୍ତି। ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମୁଖ୍ୟତଃ ନିମ୍ନ ମଧ୍ୟବିତ୍ତ ବା କୃଷକ ପରିବାରରୁ ଆସିଥାନ୍ତି। ପାକିସ୍ତାନରେ ବି ଠିକ୍‌ ସେଇଆ। ଗଣମାଧ୍ୟମ, ଯାହାର ଅଧିକାଂଶ ସଦସ୍ୟ ମଧ୍ୟବିତ୍ତ ବର୍ଗରୁ ଆସିଥାନ୍ତି, ସେମାନେ ହିଂସାରୁ ପ୍ରାୟତଃ ଦୂରରେ ରହିଥାନ୍ତି। କଶ୍ମୀର ସମେତ ଦେଶର ବିଭିନ୍ନ ସ୍ଥାନରେ ସଶସ୍ତ୍ର ବାହିନୀ ଯାହା କରନ୍ତି, ତାକୁ ଗଣମାଧ୍ୟମରେ ଉଚ୍ଚମୂଲ୍ୟ ଦିଆଯାଏ। ଆମ ସାମ୍ବାଦିକମାନଙ୍କର ଚିନ୍ତା କରିବାର ସ୍ବାଧୀନତା ନ ଥାଏ। ନିରପେକ୍ଷ ଆଖି ନେଇ ଦେଖିବାର ସାମର୍ଥ୍ୟ ନ ଥାଏ। ସେଥିପାଇଁ ଆମେ ବାସ୍ତବତାକୁ ଉପେକ୍ଷା କରି ଗୋଟିଏ ପକ୍ଷ ନେଇଥାଉ। ପାଠକମାନେ ଜାଣି ବିସ୍ମିତ ହେବେ ଯେ, ପୂର୍ବ ପାକିସ୍ତାନରେ ଯେଉଁ ନୃଶଂସତା ଚାଲିଥିଲା ତାକୁ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ ଜଣେ ପାକିସ୍ତାନୀ ସାମ୍ବାଦିକ। ସେ ହେଉଛନ୍ତି କରାଚୀର ଆନ୍ଥୋନୀ ମାସ୍କାରେନ୍‌ହାସ, ଯାହାଙ୍କ ଲେଖା ବ୍ରିଟିଶ୍‌ ଖବରକାଗଜ ସନ୍‌ଡେ ଟାଇମ୍ସରେ ଜୁନ୍‌ ୧୯୭୧ରେ ପ୍ରକାଶ ପାଇଥିଲା। କିନ୍ତୁ କଶ୍ମୀର, ନକ୍ସଲ ଅଞ୍ଚଳ ଓ ଉତ୍ତରପୂର୍ବରେ ସେନାର କାର୍ଯ୍ୟକଳାପ ସମ୍ପର୍କରେ ପ୍ରକାଶ କରିବା ଭାରତୀୟ ସାମ୍ବାଦିକମାନଙ୍କ ପକ୍ଷେ କଷ୍ଟକର। ବାସ୍ତବତା ହେଉଛି ନିଜ ଘରଠାରୁ ଦୂରରେ ଶତ୍ରୁଭାବାପନ୍ନ ଲୋକଙ୍କ ଭିତରେ ରହୁଥିବା ସୈନିକମାନେ ସେହିପରି ବ୍ୟବହାର କରନ୍ତି। ଭିଏତ୍‌ନାମ, ଶ୍ରୀଲଙ୍କା ବା ଇରାକ ସବୁଠି ସେଇଆ ଦେଖାଯାଇଛି। ତାହା ହେଉଛି ମଣିଷର ପ୍ରକୃତି ଏବଂ ଏଥିପାଇଁ ଯଦି ଆମେ କାହାର ଦୋଷ ଦେବା ତେବେ ସେମାନେ ହେଉଛନ୍ତି ବିଭିନ୍ନ ଦେଶର ନେତୃତ୍ୱ, ଯେଉଁମାନେ ସୈନିକମାନଙ୍କୁ ସେହିସବୁ ସ୍ଥାନରେ ନିୟୋଜିତ କରିଛନ୍ତି। ଏହାଦ୍ୱାରା ହଜାର ହଜାର ସାଧାରଣ ଲୋକ ଓ ସୈନିକଙ୍କର ଜୀବନ ଯାଉଛି ଓ ଯାଉଥିବ। ଚାଇନା ଓ ପାକିସ୍ତାନ ସହ ଆମର ଯେଉଁ ବଡ଼ ଯୁଦ୍ଧ ହୋଇଥିଲା ତାହା ଭାରତର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି ଏବଂ ସେଥିରେ ଶହୀଦ ହୋଇଥିବା ଯବାନମାନଙ୍କୁ ବି ଆମେ ସ୍ମରଣ କରୁଛୁ। କିନ୍ତୁ ଦେଶର ଆଭ୍ୟନ୍ତରୀଣ କନ୍ଦଳରେ ପ୍ରାଣ ହରାଇଥିବା ବହୁ ଅଧିକ ସଂଖ୍ୟକ ଲୋକଙ୍କୁ କିଏ ମନେରଖୁଛି? ଏ କ୍ଷତରୁ ନିୟତ ରକ୍ତ ଝରିଚାଲିଛି, ସେଥିରେ ବ୍ୟାଣ୍ଡେଜ୍‌ କନା ଖଣ୍ଡେ ବାନ୍ଧିବାର ପ୍ରଚେଷ୍ଟା କେହି କେବେ କରିନାହାନ୍ତି।
Email: aakar.patel@gmail.com


All Right Reserved By Dharitri.Com

ଅଯୋଧ୍ୟା ରାୟ

ଆକାର ପଟେଲ ଅଯୋଧ୍ୟା ରାୟ ଏକ ନ୍ୟାୟିକ ଇତିହାସକୁ ସ୍ମରଣ କରାଇଦେଉଛି। ଭାରତୀୟ ଉପମହାଦେଶରେ ନ୍ୟାୟପାଳିକା ଆବଶ୍ୟକତାର ଡାକରାକୁ ଗ୍ରହଣ କରିଛି। ପାକିସ୍ତାନରେ ଏହା ୬୫...

ସରପଞ୍ଚଙ୍କୁ ଜିଲାପାଳ କ୍ଷମତା

ଘାସିରାମ ପଣ୍ଡା ସବୁ ସରପଞ୍ଚ ଏବେ ଜଣେ ଜଣେ ଜିଲାପାଳ। ବିପର୍ଯ୍ୟୟ ପରିଚାଳନା ଅଧିନିୟମ, ୨୦୦୫ର ଧାରା ୨୨ (ଛ) ଅନୁଯାୟୀ ବିପର୍ଯ୍ୟୟ ବା ଦୁର୍ବିପାକ...

ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା...

କରୋନା ଓ ଅସ୍ପୃଶ୍ୟ ମଣିଷ

ଗଣେଶ୍ୱର ନାୟକ ଭାରତରେ ଇଂରେଜମାନଙ୍କୁ ତଡ଼ିବା ପାଇଁ ମହାତ୍ମା ଗାନ୍ଧୀ ଯେଉଁ ବିଶାଳ ଆନ୍ଦୋଳନ ଚଳାଇଥିଲେ, ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ବି ଏହି ଆନ୍ଦୋଳନର ଏକ...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

ଏଇ ଭାରତରେ

ଉତ୍ତର କର୍ନାଟକର ଗଡଗ ଜିଲାସ୍ଥିତ ଏକ ଲିଙ୍ଗାୟତ ମଠ ଧାର୍ମିକ ବନ୍ଧନରୁ ମୁକ୍ତ ହୋଇ ସାମାଜିକ ସୌହାର୍ଦ୍ଦ୍ୟକୁ ଶ୍ରେଷ୍ଠ ସ୍ଥାନ ଦେଇଛି। ଏହି ମଠ ତା’...

ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି...

ଆୟକର ଓ ଭାରତର ପ୍ରଗତି

ସୁରେଶ ଚନ୍ଦ୍ର ମହାପାତ୍ର ୧୮୫୭ ମସିହାରେ ଭାରତରେ ସଂଘଟିତ ସିପାହୀ ବିଦ୍ରୋହରେ ତତ୍କାଳୀନ ବ୍ରିଟିଶ ସରକାରଙ୍କୁ ପ୍ରଭୂତ କ୍ଷତି ସହିବାକୁ ପଡ଼ିଥିଲା। ସେହି ଆର୍ଥିକ କ୍ଷତିକୁ...

Leave a comment

Your email address will not be published. Required fields are marked *