ସରିନି ସଂଗ୍ରାମ, ମିଳିନି ସ୍ବାଧୀନତା

ସବ୍ୟସାଚୀ ଅମିତାଭ
ଦେଶ ସ୍ବାଧୀନତାର ୭୩ତମ ବର୍ଷ ପାଳନ କରୁଛି। ଏହି ପବିତ୍ର ଦିନରେ ସ୍ବାଧୀନତାକୁ ନେଇ ପ୍ରକାଶ ପାଉଛି ଅନେକ ଅନୁଚିନ୍ତା। ହେଲେ ସ୍ବାଧୀନତାର ପରିଭାଷା ବଡ଼ ବ୍ୟାପକ ବୋଲି ସବୁବେଳେ ମତ ପ୍ରକାଶ ପାଏ। କେହି କେହି କହନ୍ତି, ଦେଶ ସ୍ବାଧୀନ ହୋଇଛି ସତ, କିନ୍ତୁ ଅନେକ କ୍ଷେତ୍ରରେ ସ୍ବାଧୀନତା ଆଜି ବି ଅପହଞ୍ଚ। ଅର୍ଥନୈତିକ ବୈଷମ୍ୟଠାରୁ ଆରମ୍ଭକରି ଲିଙ୍ଗଗତ ବିଭେଦକୁ ନେଇ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ଘଟୁଛି। ଯେଉଁ ଆଶା ଓ ସ୍ବପ୍ନ ଦେଖି ଆମ ପୂର୍ବପୁରୁଷମାନେ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେସବୁ ପୂରଣ ହୋଇପାରିଛି କି ନାହିଁ ତାହା ଏବେ ବି ପ୍ରଶ୍ନବାଚୀ।
ଏକ ସୁସ୍ଥ ଗଣତନ୍ତ୍ର ବ୍ୟବସ୍ଥା ଗଠନ ପାଇଁ ଗଣଙ୍କ ଭୂମିକା ସର୍ବାଗ୍ରେ। କିନ୍ତୁ ଲୋକପ୍ରତିନିଧି ଚୟନ ପ୍ରକ୍ରିୟାରେ ଏ ଦେଶର ଗଣ ଜାଗ୍ରତ ଥିବା ପରି ମନେହୁଏ ନାହିଁ। ସଂଖ୍ୟାଧିକ ଭୋଟ ଏ ଦେଶରେ ପ୍ରଲୋଭନ ଓ ଉତ୍କୋଚ ଜରିଆରେ ଅକ୍ତିଆର କରାଯାଇ ପାରୁଛି। ଶାସନ ବ୍ୟବସ୍ଥାକୁ ବିତ୍ତଶାଳୀ, ପୁଞ୍ଜିପତି ଓ ବାହୁବଳୀମାନେ କବ୍‌ଜା କରି ନିଜକୁ ସୁହାଇଲା ପରି ଶାସନତନ୍ତ୍ରକୁ ବ୍ୟବହାର କରିପାରୁଛନ୍ତି। ଆମ୍‌ ଆଦ୍‌ମୀ ପାଖରେ ଆଜି ଗଣତନ୍ତ୍ର ଅପହଞ୍ଚ ଅବସ୍ଥାରେ ରହିଛି।
ଦେଶ ସ୍ବାଧୀନ ହେବା ସମୟରେ ଜାତିର ପିତା ମହାତ୍ମାଗାନ୍ଧୀ ଥରେ କହିଥିଲେ, ”ଏବେ ଦେଶ ସ୍ବାଧୀନ ହୋଇନି, କେବଳ ଇଂରେଜମାନେ ଆମ ଦେଶ ଛାଡ଼ି ଯାଇଛନ୍ତି। ଇଂରେଜମାନେ ତିଆରି କରିଥିବା ବ୍ୟବସ୍ଥା, ନିୟମକାନୁନ ସବୁକୁ ଆମକୁ ବଦଳାଇବାକୁ ପଡ଼ିବ।“ ହେଲେ ଜାତିର ପିତାଙ୍କ ଏହି ଦର୍ଶନ ଆଜି କେବଳ ଇତିହାସର ପୃଷ୍ଠାରେ ଦେଖିବାକୁ ମିଳେ।
ଭାରତୀୟମାନେ ବେଶି ଗୌରବାନ୍ବିତ ମନେକରନ୍ତି ଦେଶର ବିଶାଳ ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ, ମାତ୍ର ଏହା ସବୁଠାରୁ ବେଶି ତ୍ରୁଟିପୂର୍ଣ୍ଣ ଆଉ ସଂକ୍ରମିତ। ଯେଉଁଠି ଜାତିବାଦ, ସାମ୍ପ୍ରଦାୟିକତା, ପରିବାରବାଦ, ଆଞ୍ଚଳିକତାବାଦ ଓ ସଂରକ୍ଷଣ ଆଧାରରେ ଭୋଟ ଦିଆଯାଏ, ସେଇଟା କ’ଣ ଏକ ସ୍ବାଧୀନ ଦେଶର ସମୃଦ୍ଧ ଗଣତନ୍ତ୍ରର ପରିଭାଷା? ହଁ, ଏଇଟା ଆଶ୍ୱାସନାର ବିଷୟ ହୋଇପାରେ ଯେ ଏ ଦେଶରେ ଏଯାଏଁ କେହି ମିଲିଟାରି ଶାସନ କରିବାର ସ୍ପର୍ଦ୍ଧା କରିନାହାନ୍ତି।
ଦାରିଦ୍ର୍ୟ ଭିତରେ ଆମେ ଆର୍ଥିକ ପ୍ରଗତି ହାସଲ କରିଛୁ। ଅର୍ଥନୈତିକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ଦେଶ ମାନ୍ୟତା ପାଇଛି। ଏ କଥା ମଧ୍ୟ ସତ, ଏ ଦେଶରେ ଅଧିକାଂଶ ସମ୍ପତ୍ତି ମୁଷ୍ଟିମେୟ ପୁଞ୍ଜିପତିଙ୍କ କବ୍‌ଜାରେ। ଦେଶ ବିକାଶ ପଥରେ ଅନେକ ପ୍ରତିବନ୍ଧକ ଅଛି ଆଉ ରହିବ। ହେଲେ ଦୁଇଟି ବ୍ୟବସ୍ଥାରେ ସଂସ୍କାର ଆସିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା- ସମ୍ବିଧାନରେ ଯୁଗୋପଯୋଗୀ ସଂସ୍କାର ଓ ଆଉ ରାଜନୈତିକ ବ୍ୟକ୍ତିତ୍ୱ ଓ ଦଳରେ ସାଧୁତା।
ସ୍ବାଧୀନତାର ୭୨ବର୍ଷ ପରେ ବି ଆମ ନେତୃବୃନ୍ଦମାନଙ୍କର ଦୂରଦୃଷ୍ଟି ଓ ଦୃଢ଼ ସଂକଳ୍ପର ଅଭାବ ରହିଛି ଓ ଶାସନ ବା ଅମଲାତନ୍ତ୍ରରେ ଅଭାବ ରହିଛି ଦୃଢ଼ ଇଚ୍ଛାଶକ୍ତିର। ଅନେକ ସମୟରେ ଆମେ ଦେଖୁ, ସ୍ଥାଣୁତା ଯେପରି ସମଗ୍ର ପ୍ରଶାସନକୁ ଅବଶ କରିଦେଇଛି। ଜନତାଙ୍କ ସମୃଦ୍ଧି ପ୍ରତି ଆମ ରାଜନୈତିକ ଦଳଗୁଡ଼ିକ, ନେତୃବୃନ୍ଦ ଓ ପ୍ରଶାସନିକ କଳ କଦାପି ସଚେତନ ନୁହନ୍ତି। ପ୍ରତି ଦଳ ଓ ନେତା ନିଜ ନିଜର କ୍ଷମତାଲିପ୍ସାକୁ ନେଇ ଏତେ ମଗ୍ନ ଯେ, ଦେଶ ପାଇଁ ଚିନ୍ତାକରିବା ଲାଗି କାହା ପାଖରେ ସମୟ ନାହିଁ। ସବୁ ବିଫଳତା ପାଇଁ ଆମେ କେବଳ ଶାସନକୁ ଦୋଷ ଦେଲେ ଚଳିବ ନାହିଁ। କାରଣ ଆମମାନଙ୍କ ନିକଟରେ ମଧ୍ୟ ପାରିବାପଣ, ଆନ୍ତରିକତା, ଦକ୍ଷତା ଓ ପ୍ରତିବଦ୍ଧତାର ଯଥେଷ୍ଟ ଅଭାବ ରହିଛି। ରାଜ୍ୟ ବା ଦେଶ ପାଇଁ ନିର୍ମଳ ହୃଦୟରେ ଦୁଇ ମିନିଟ୍‌ ଚିନ୍ତା କରିବା ଲାଗି ଆମ ପାଖରେ ସମୟ ନାହିଁ। ଆଉ ଗୋଟିଏ ବଡ଼ ଦୁର୍ବଳତା ହେଲା, ସଚେତନ ଗୋଷ୍ଠୀଙ୍କ ଅଭାବ। ଏଠାରେ ପ୍ରତିବାଦର ସ୍ବର କ୍ଷୀଣ। ତେଣୁ ଲୋକମତର ଗୁରୁତ୍ୱ ହିଁ ନାହିଁ। ଫଳତଃ ଅର୍ଥନୈତିକ, ସାମାଜିକ ପ୍ରଗତି ଆଣିବା ପରି ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ଓ କ୍ଷୁଧା, ଅନାହାର ତଥା ଦାରିଦ୍ର୍ୟ ପରି ପ୍ରସଙ୍ଗ ଥିଲେ ବି ଆମର ରାଜନୈତିକ ନେତୃବୃନ୍ଦ ତାଙ୍କର ମୂଲ୍ୟବାନ୍‌ ସମୟ ନଷ୍ଟ କରିଥାନ୍ତି କାଦୁଅଫିଙ୍ଗା ରାଜନୀତି ତଥା ମୂଲ୍ୟହୀନ ଇସ୍ୟୁଗୁଡ଼ିକରେ।
୬୦ ପ୍ରତିଶତରୁ ଅଧିକ ଲୋକ ଦାରିଦ୍ର୍ୟ ଭିତରେ ଜୀଉଁଛନ୍ତି। ଏବେ ବି ହଜାର ହଜାର ଗାଁ ନିରକ୍ଷରତା ଓ ଅନ୍ଧବିଶ୍ୱାସର ଅନ୍ଧଗଳିରେ ରହିଛି। ପିଇବାକୁ ପାଣି ନାହିଁ, କି ମୁଣ୍ଡ ଉପରେ ଛାତ ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସବୁଥିରେ ପଛୁଆ। ଏହାରି ଭିତରେ ଆମେ ସ୍ବପ୍ନ ଦେଖୁଛେ ସମାନତାର। ଆମେ ଚିନ୍ତା କରୁଛେ, ସମସ୍ତେ ପଢ଼ିବେ ସମସ୍ତେ ବଢ଼ିବେ। ହଜାର ହଜାର ଗାଁରେ ଆଜି ବି ବିଜୁଳିବତି ସାତସପନ। ଋଣଭାରରେ ଚାଷୀ ଆତ୍ମହତ୍ୟା କରୁଛି। ଅପପୁଷ୍ଟିରେ ପିଲା ମରୁଛନ୍ତି। ଏହିସବୁ ଘଟଣାକୁ ଆମ ନେତୃବୃନ୍ଦ ଭଲଭାବରେ ଜାଣିଥିଲେ ବି ନୀରବ ରହିଛନ୍ତି। କାରଣ ଏହିସବୁ ପ୍ରସଙ୍ଗ ଓ ଦାରିଦ୍ର୍ୟକୁ ନେଇ ଭୋଟ ହାସଲ କରିହୁଏ ଏହା ସେମାନେ ଭଲଭାବେ ବୁଝିଛନ୍ତି।
ଯେ ପର୍ଯ୍ୟନ୍ତ ଲୋକେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୋଇନାହାନ୍ତି ସେ ଯାଏଁ ଦେଶ ବା ରାଜ୍ୟର ପ୍ରଗତି ଅସମ୍ଭବ। ଏଥିପାଇଁ ନିଜର ଲୋକଚରିତ୍ର, ଜୀବନଯାପନ ପ୍ରଣାଳୀ ଓ କର୍ମକ୍ଷେତ୍ରରେ ଆଗେ ନିଜକୁ ସୁସଙ୍ଗଠିତ, ପରିମାର୍ଜିତ କରି ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ହେବ। ଦୁର୍ନୀତିର ମୂଳୋପତ୍ାଟନ ପାଇଁ ସଂଘବଦ୍ଧ ଉଦ୍ୟମକରି ନିଜର ପ୍ରତିବାଦର ସ୍ବରକୁ ମଜଭୁତ, ସ୍ପଷ୍ଟ ଓ ଶାଣିତ କରିବାକୁ ପଡ଼ିବ।
ଭୁବନେଶ୍ୱର, ମୋ-୯୪୩୮୨୯୬୫୧୯


All Right Reserved By Dharitri.Com

ଅଧାଗ୍ଲାସ୍‌ ପାଣି

ପ୍ରକାଶ ତ୍ରିପାଠୀ ଆପଣଙ୍କୁ ଯେତିକି ଶୋଷ ଲାଗୁଛି, ସେତିକି ପାଣି ଗ୍ଲାସ୍‌ରେ ଢାଳି ପିଅନ୍ତୁ। ଅଯଥା ନଷ୍ଟ କରନ୍ତୁ ନାହିଁ। ଏଭଳି ଉପଦେଶ ଯଦି କେହି...

ପୋଲିସ ପର୍ବତରାଣୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ସର୍ବୋଚ୍ଚରେ ପହଞ୍ଚାଇଥାଏ। ସଫଳତା ପାଉଥିବା ବ୍ୟକ୍ତି ସର୍ବଦା ଆଗକୁ ବଢ଼ିବା ଲାଗି ଉଦ୍ୟମ କରିବା ହେଉଛି ସକାରାତ୍ମକ...

ସର୍ବକନିଷ୍ଠା ପ୍ରଧାନମନ୍ତ୍ରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ପ୍ରଜ୍ଞାର ପ୍ରତିଶବ୍ଦ ପୋଖତ କୁହାଯାଇପାରିବ ନାହିଁ। ସାଧାରଣରେ କୁହାଯାଇଥାଏ ଯେ, ରାଜନୀତିରେ ପୁରୁଖା ବ୍ୟକ୍ତିମାନେ ଉତ୍ତମ ଶାସନ ଦେଇଥାଆନ୍ତି। ସମ୍ଭବତଃ ଯୁବବର୍ଗଙ୍କୁ...

ରହିବନି ‘କଲେକ୍ଟର’ ପଦ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଇତିହାସରୁ ଜଣାପଡ଼େ, ଅଷ୍ଟାଦଶ ଶତାବ୍ଦୀରେ ଓ୍ବାରେନ୍‌ ହେଷ୍ଟିଙ୍ଗ୍ସ ରାଜସ୍ବ ଆଦାୟ କରିବା ପାଇଁ କଲେକ୍ଟରମାନଙ୍କୁ ନିଯୁକ୍ତ କରିବା ପରଠାରୁ ‘କଲେକ୍ଟର’...

ସ୍ଥାନାନ୍ତର: ଗାଁରୁ ସହର

ବିପିନ ବିହାରୀ ମିଶ୍ର ବୁଦ୍ଧିମତୀ ଅପେକ୍ଷା କରିଛି ଟ୍ରେନ୍‌କୁ ଏବଂ ତା’ ପରି ବହୁ ପୁରୁଷ ଓ ମହିଳା ବ୍ୟାଗ୍‌ରେ ଲୁଗାପଟା ଦିଖଣ୍ଡ ପକେଇ ନୁଖୁରାବାଳ...

ଏଇ ଭାରତରେ

ହିନ୍ଦୁ ଓ ମୁସଲମାନଙ୍କ ପର୍ବ, ପରମ୍ପରା ଭିନ୍ନ ହୋଇଥିଲେ ହେଁ ବିହାରର ଏକ ଗାଁରେ ହିନ୍ଦୁମାନେ ଯେଭଳି ମୁସଲମାନଙ୍କ ପରମ୍ପରାକୁ ଆଦରିନେଇଛନ୍ତି ତାହା ସହାବସ୍ଥାନ ଓ...

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ...

କୀଟପତଙ୍ଗରୁ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପ୍ରକୃତିରେ କୌଣସି କ୍ଷତିକାରକ କୀଟପତଙ୍ଗ (ପେଷ୍ଟ) ବା ଅବାଞ୍ଛିତ ଘାସ (ଓ୍ବିଡ୍‌) ନାହିଁ। କିନ୍ତୁ ମଣିଷ ନିଜ ପାଇଁ ଖାଦ୍ୟ...

Leave a comment

Your email address will not be published. Required fields are marked *