କଶ୍ମୀରରେ ଆତଙ୍କବାଦ କମିବ

ସହଦେବ ସାହୁ
ଏ ପ୍ରବନ୍ଧ ପ୍ରକାଶିତ ହେବା ପୂର୍ବରୁ ଜମ୍ମୁ-କଶ୍ମୀର ଓ ଲଦାଖରେ ମୁସଲିମ୍‌ ଲୋକେ ଇଦୁଜ୍ଜୁହା ଉପଲକ୍ଷେ ଶାନ୍ତିଶୃଙ୍ଖଳାରେ ନମାଜ ପଢିସାରିଥିବେ ଏବଂ ଘରେ ଏକ ଭିନ୍ନ ବାତାବରଣରେ ଥିବେ। ଆଶଙ୍କା ବି ଥିବ- ପାକିସ୍ତାନ ପକ୍ଷରୁ ପ୍ରୋତ୍ସାହନ ପାଇଥିବା ଆତଙ୍କବାଦୀମାନେ କ’ଣ କରିବେ ଜଣାନାହିଁ। କିନ୍ତୁ ରାଜ୍ୟରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଓ ସମାଜରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଯେ କେନ୍ଦ୍ରର ମୋଦି ସରକାର ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରିଛନ୍ତି ତାହା ସେମାନେ ଭାବି ନ ଥିବେ। ଭାବିଥିବେ ପାକିସ୍ତାନୀ ଚିନ୍ତାଧାରାରେ ହିନ୍ଦୁବାଦୀ ଭାଜପା ଦଳ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାର ଏହା ଏକ ଚାଲ୍‌!
ଅନେକେ ଜାଣନ୍ତି ନାହିଁ ଯେ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଭଳି ସର୍ବଭାରତୀୟ ଚାକିରିରେ କାହିଁକି ରାଜ୍ୟମାନଙ୍କରେ ଶତକଡା ୬୬ ଭାଗ ବାହାରର ପିଲାଙ୍କୁ ନିଆଯାଉଛି? ଜାତୀୟ ସଂହତି ବଢାଇବା ମୁଖ୍ୟ ଲକ୍ଷ୍ୟ। ଏବେ ୨୦୧୭ରେ ନୀତି ହୋଇଛି ଯେ ରାଜ୍ୟସ୍ତରର ଆବଣ୍ଟନ ନ କରି ଜୋନ୍‌ ବା ରାଜ୍ୟଗୁଡିକର ଗୋଷ୍ଠୀରୁ ରାଜ୍ୟଟିଏ ବାଛିବାକୁ ପଡିବ। ଯେତେବେଳେ କଶ୍ମୀରରେ ବିଚ୍ଛିନ୍ନତାବାଦୀ ସାଙ୍ଗକୁ ପଞ୍ଜାବରେ ଖଲିସ୍ଥାନୀ ଆନ୍ଦୋଳନ ବଢିଲା ଏବଂ ଏଲ୍‌ଟିଟିଇକୁ ସମର୍ଥନ ଜଣାଇ ତତ୍କାଳୀନ ମାନ୍ଦ୍ରାଜ (ଏବେ ତାମିଲନାଡୁ)ର କେତେକ ନେତା ତାମିଲମାନଙ୍କ ସ୍ବତନ୍ତ୍ର ଦେଶ ଚାହିଁଲେ, ସେତେବେଳେ କେନ୍ଦ୍ର ସରକାର ଦେଖିଲେ ଯେ ସର୍ବଭାରତୀୟ ଚାକିରିର ଅଫିସରମାନେ ନିଜ ରାଜ୍ୟର ବିଚ୍ଛିନ୍ନତାବାଦୀମାନଙ୍କ ସାଙ୍ଗରେ ମିଶିଯାଉଛନ୍ତି ଓ ସାହାଯ୍ୟ କରୁଛନ୍ତି। ସମ୍ବିଧାନର ୩୭୦ ଧାରା ଜମ୍ମୁ-କଶ୍ମୀର ରାଜ୍ୟକୁ ଏକ ସ୍ବତନ୍ତ୍ର ରାଷ୍ଟ୍ର କରିଦେଇଥିଲା- ଆଇନ ଶୃଙ୍ଖଳା ଦାୟିତ୍ୱ ରାଜ୍ୟ ସରକାରଙ୍କର ଥିଲାବେଳେ ପ୍ରତିରକ୍ଷା ଓ ବହିର୍ବ୍ୟାପାର ଭାରତ ହାତରେ ଥିଲା। ସନ୍ତ୍ରାସବାଦୀମାନଙ୍କୁ ଦମନ କରିବାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସମର୍ଥନ ପାଉ ନ ଥିଲେ। ପୋଲିସ ଓ ସୈନ୍ୟବାହିନୀ ଗୋଟିଏ ସରକାର ହାତକୁ ଆସିଗଲେ ଆଇନଶୃଙ୍ଖଳାରେ ଉନ୍ନତି ଘଟିବ ଓ ରାଜ୍ୟର ବିକାଶ ବିପର୍ଯ୍ୟସ୍ତ ହେବ ନାହିଁ ବୋଲି କଂଗ୍ରେସ ନେତାଏ ବି ଭାବୁଛନ୍ତି।
ଜମ୍ମୁ-କଶ୍ମୀର ସମସ୍ୟା ଉପୁଜାଇଥିବା କଂଗ୍ରେସ ଦଳ ତା’ର ସଭ୍ୟମାନଙ୍କୁ ହୁଇପ୍‌ ଜାରି କରି ୩୭୦ ଧାରା ଉଚ୍ଛେଦ ପ୍ରସ୍ତାବ ବିରୋଧରେ ଭୋଟଦେବା ପାଇଁ କହିଲା; ଦଳର ବୟୋଜ୍ୟେଷ୍ଠ ନେତାମାନଙ୍କୁ ବକ୍ତା ଭାବେ ଛିଡା କରାଇଲା। ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଭୁବନେଶ୍ୱର କାଲିତା କହିଲେ, ଏ ପ୍ରକାର ହୁଇପ୍‌ ରାଷ୍ଟ୍ରର ମତ ବିରୋଧରେ ଯାଉଛି, ତେଣୁ ସେ ଦଳରୁ ଇସ୍ତଫା ଦେଉଛନ୍ତି। ଅନ୍ୟ ଜଣେ ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କହିଲେ, ଧାରା ୩୭୦ ଇତିହାସର ଏକ ଭୁଲ; ମୁଁ ଖୁସି ଯେ ସ୍ବାଧୀନତା ସମୟରେ କରାଯାଇଥିବା ଭୁଲକୁ ଏବେ ସଂଶୋଧନ କରାଯାଉଛି। ମୁମ୍ବାଇର କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା ନିଜ ପଦ ଛାଡି ଦେଇ ଭାରତର ସ୍ବାର୍ଥକୁ ଜଗିବେ ବୋଲି କହିଲେ। ଆଗର କଂଗ୍ରେସ ଏମ୍‌ପି ଦିପେନ୍ଦର ହୁଦା ୟୁଟ୍ୟୁବ୍‌ରେ କହିଲେ, ”ମୋର ବ୍ୟକ୍ତିଗତ ମତ ଯେ ଏକବିଂଶ ଶତାବ୍ଦୀରେ ଧାରା ୩୭୦ର ଆବଶ୍ୟକତା ନାହିଁ। ଏହାକୁ ଉଠାଇଦେଲେ ଜମ୍ମୁ-କଶ୍ମୀରବାସୀଙ୍କ ଲାଭ ହେବ।“ ପ୍ରାକ୍ତନ ଆଇନମନ୍ତ୍ରୀ ବରିଷ୍ଠ ନେତା ଅଶ୍ୱିନୀ କୁମାର ଏହାକୁ ସାହସିକ ପଦକ୍ଷେପ ଏବଂ ଏହା ରାଷ୍ଟ୍ରର ମିଜାଜ ସହିତ ମେଳ ଖାଉଛି ବୋଲି କହିଲେ। ରାଏବରେଲିର ବିଧାୟକ ଅଜିତ୍‌ ସିଂ ଓ ରାଜସ୍ଥାନର ମନ୍ତ୍ରୀ ଅଶୋକ ଚନ୍ଦନା ମୋଦିଙ୍କ ପ୍ରସ୍ତାବକୁ ସମର୍ଥନ କଲେ। ଦଳର ମୁଖପାତ୍ର ଜୟବୀର ସେର୍‌ଗିଲ ଏହାକୁ ସମର୍ଥନ କଲେ। ସବୁଠୁ ବଡ଼କଥା ଯେ ଜମ୍ମୁ-କଶ୍ମୀରର ରାଜବଂଶଜ କରଣ ସିଂ ମଧ୍ୟ ମୋଦିଙ୍କ କାମକୁ ପସନ୍ଦ କରିଛନ୍ତି। ସୋନିଆ ଗାନ୍ଧୀ ଏଥିରେ ଅବାକ୍‌୍‌ ଏବଂ ପ୍ରିୟଙ୍କା ଗାନ୍ଧୀ ବି ଚୁପ୍‌। ଜାତୀୟ ସଂହତି ଯେ ଜମ୍ମୁ-କଶ୍ମୀରର ୩୭୦ ଧାରା ଉଚ୍ଛେଦ ପକ୍ଷରେ ତାହା ସ୍ପଷ୍ଟ ହୋଇଯାଇଛି।
ଆଉ ଗୋଟିଏ କଥା ସମସ୍ତେ ଭୁଲିଯାଉଛନ୍ତି। ବିଶ୍ୱରେ ମୁସଲମାନଙ୍କ ସଂଖ୍ୟାର ମାତ୍ର ୨୦% ଆରବ ଦେଶମାନଙ୍କରେ, ୧୨.୭% ଇଣ୍ଡୋନେସିଆରେ। ପାକିସ୍ତାନରେ ମାତ୍ର ୧୧%, ଭାରତରେ ୧୦.୯%; ପ୍ରାୟ ପାକିସ୍ତାନ ସାଙ୍ଗେ ସମାନ; ସେଥିରେ ପୁଣି ମୁସଲମାନଙ୍କ ସ୍ବାର୍ଥରକ୍ଷାରେ ଭାରତଠାରୁ ପାକିସ୍ତାନ କୁଆଡେ ବେଶି ଚିନ୍ତିତ! ଏହି କାରଣରୁ ତ ୧୯୬୫ ଯୁଦ୍ଧରେ ଭାରତୀୟ ସାମରିକ ବାହିନୀ ଲାହୋର ପର୍ଯ୍ୟନ୍ତ ଯାଇ ଫେରି ଆସିଲା; ୧୯୭୧ରେ ବାଂଲାଦେଶ ଯୁଦ୍ଧରେ ବନ୍ଦୀ କରିଥିବା ୯୦ ହଜାର ସୈନ୍ୟଙ୍କୁ ଛାଡିଦେଲା।
ସମ୍ବିଧାନର ବ୍ୟବସ୍ଥା ଦେଖନ୍ତୁ। ଅଧ୍ୟାୟ ୨୧ ‘ଅସ୍ଥାୟୀ, ମଧ୍ୟବର୍ତ୍ତୀ ଓ ସ୍ବତନ୍ତ୍ର ବ୍ୟବସ୍ଥା’ ଶିରୋନାମା ତଳେ ଅଛି ୩୭୦ ଧାରା। ୧୯୫୨ ନଭେମ୍ବର ୧୭ରେ ଭାରତର ରାଷ୍ଟ୍ରପତି ୩୭୦ ଧାରା ଯୋଡିଦେଲେ; ଭାରତର ସାମ୍ବିଧାନିକ ସଭା (କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି) ଏହା କରିନାହିଁ। ୩୭୦(୧) କହୁଛି ଯେ କେବଳ ଇନ୍‌ଷ୍ଟ୍ରୁମେଣ୍ଟ ଅଫ୍‌ ଆକ୍ସେସନ୍‌ (ମିଶ୍ରଣ ଦଲିଲ)ରେ ଯାହା ଅଛି ତଦନୁଯାୟୀ ୟୁନିୟନ ଓ କଙ୍କରେଣ୍ଟ ତାଲିକାଭୁକ୍ତ ବିଷୟରେ ଭାରତ ସରକାର ଆଇନ କରିପାରିବେ, (୨) ଜମ୍ମୁ-କଶ୍ମୀର ରାଜ୍ୟ ସରକାରଙ୍କ ସମ୍ମତିରେ ଉପରୋକ୍ତ ତାଲିକାରେ ଅନ୍ୟ ବିଷୟରେ ଆଇନ କରିପାରିବେ। (୩) ତା’ ସତ୍ତ୍ବେ ରାଷ୍ଟ୍ରପତି ସାଧାରଣ ନୋଟିସ୍‌ ଜରିଆରେ ଏହି ଧାରା କେଉଁ ତାରିଖରୁ ନାକଚ ହୋଇଯିବ ବା କେତେକ ବ୍ୟତିକ୍ରମ ଓ ସଂଶୋଧନ ସହ ଜାରି ରହିଥିବ ତାହା ଘୋଷଣା କରିପାରିବେ, କିନ୍ତୁ ଏଥିଲାଗି ରାଜ୍ୟର ସମ୍ବିଧାନ ପ୍ରଣୟନକାରୀ ଆସେମ୍ବ୍ଲିର ସୁପାରିସ ଆବଶ୍ୟକ ହେବ। ୧୯୫୪ର ସେହି ଆଦେଶ ସହିତ ଧାରା ୩୫ ‘କ’ ବି ଯୋଡାଗଲା। ୩୫ ‘କ’ ଧାରାର ଶିରୋନାମା- ସ୍ଥାୟୀ ଅଧିବାସୀ ଓ ସେମାନଙ୍କ ଅଧିକାର ସ୍ଥିତି- ଏବଂ ଏହା କହେ ଯେ ସମ୍ବିଧାନରେ ଯାହା ଥିଲେ ବି ଜମ୍ମୁ-କଶ୍ମୀରର ବିଧାନସଭା କ) ସ୍ଥାୟୀ ଅଧିବାସୀ ସଂଜ୍ଞା କରିବେ, ଖ) ସ୍ଥାୟୀ ଅଧିବାସୀଙ୍କୁ ଅଧିକାର ଓ ସୁବିଧା ଦେଇପାରିବେ ଏବଂ ଅନ୍ୟମାନଙ୍କ ଉପରେ କଟକଣା ଜାରି କରିପାରିବେ, ଯଥା ୧) ରାଜ୍ୟରେ ଚାକିରି, ୨) ଅସ୍ଥାବର ସମ୍ପତ୍ତି ହାସଲ, ୩) ରାଜ୍ୟରେ ଅଧିବାସୀ ହେବା, ୪) ରାଜ୍ୟ ଯୋଗାଉଥିବା ଅଧ୍ୟୟନ-ବୃତ୍ତି ଓ ଅନ୍ୟାନ୍ୟ ପ୍ରକାରର ସହାୟତା ପାଇବା।
ପିପୁଲସ୍‌ ୟୁନିୟନ ଅଫ୍‌ ସିଭିଲ ଲିବର୍ଟି (ପିୟୁସିଏଲ୍‌) ୩୭୦ ଧାରା ଉଚ୍ଛେଦ ବିରୋଧରେ ସୁପ୍ରିମ୍‌କୋର୍ଟ ଯାଇଥିଲା। କହିଥିଲା ୩୭୦ ଏକ ସ୍ବୟଂସମ୍ପୂର୍ଣ୍ଣ ଧାରା। ଧାରା ୩୭୦(୧) (ଡି) ଅନୁଯାୟୀ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ଆଉ ଥରେ ନ ବସିଲା ଯାଏ ଭାରତର ରାଷ୍ଟ୍ରପତି କିଛି କରିପାରିବେ ନାହିଁ। କିନ୍ତୁ ମୋଦି ସରକାରଙ୍କ ପରାମର୍ଶରେ ରାଷ୍ଟ୍ରପତି ଧାରା ୩୬୭କୁ ସଂଶୋଧନ କରି ସବ୍‌କ୍ଲଜ୍‌ ୪ ଭର୍ତ୍ତି କରିଛନ୍ତି। ତେଣୁ ୩୭୦ (୩) ଅନୁସାରେ କନ୍‌ଷ୍ଟିଚ୍ୟୁଏଣ୍ଟ ଆସେମ୍ବ୍ଲି ମାନେ ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲି ଅଫ୍‌ ଦି ଷ୍ଟେଟ୍‌ ବୋଲି ପଢାଯିବ। ୨୦୧୮ ଡିସେମ୍ବରରୁ ପ୍ରେସିଡେଣ୍ଟଙ୍କ ରୁଲ୍‌ ଥିବାରୁ ରାଷ୍ଟ୍ରପତି ବି ଲେଜିସ୍‌ଲେଟିଭ୍‌ ଆସେମ୍ବ୍ଲି ଅଫ୍‌ ଦି ଷ୍ଟେଟ୍‌, ତେଣୁ ସେ ଆସେମ୍ବ୍ଲି, ସେ କନ୍‌ଷ୍ଟିଚୁଏଣ୍ଟ ଆସେମ୍ବ୍ଲି ଏବଂ ସେ ରାଷ୍ଟ୍ରପତି। ମୋଦିଙ୍କ ପରାମର୍ଶଦାତାମାନଙ୍କ ବିଚକ୍ଷଣତା ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ କରିବା ସହଜ କରିଦେଲା। ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା ଦରକାର ପଡିଲା ନାହିଁ। ପିୟୁସିଏଲ୍‌ ଦାବି କରିଥିଲା ଯେ ୫ ଅଗଷ୍ଟରେ ଅଣାଯାଇଥିବା (୧) ଦି କନ୍‌ଷ୍ଟିଚ୍ୟୁଶନ୍‌ (ଆପ୍ଲିକେଶନ୍‌ ଟୁ ଜମ୍ମୁ ଆଣ୍ଡ କଶ୍ମୀର) ଅର୍ଡର ୨୦୧୯- ପ୍ରେସିଡେନ୍ସ୍‌ିିଆଲ୍‌ ଅର୍ଡର୍‌ ସିଓ ୨୭୨, (୨) ରାଜ୍ୟ ସଭାରେ ପେସ୍‌ କରାଯାଇଥିବା ଷ୍ଟାଚ୍ୟୁଟୋରୀ ରିଜୋଲ୍ୟୁଶନ ଏବଂ (୩) ଦି ଜମ୍ମୁ-କଶ୍ମୀର ରିଅର୍ଗାନାଇଜେଶନ୍‌ ବିଲ୍‌ଗୁଡିକୁ ଫେରାଇ ନିଆଯାଉ। କିନ୍ତୁ ସୁପ୍ରିମ୍‌କୋର୍ଟ ତାହା ଗ୍ରହଣ କରିନାହାନ୍ତି। ୩୭୦ ଧାରା ବଳବତ୍ତର ରହିଲେ ଦିନେ କଶ୍ମୀର ସ୍ବାଧୀନ ହୋଇପାରିବ ବା ପାକିସ୍ତାନରେ ମିଶିପାରିବ- ଏ ସ୍ବପ୍ନ ଦେଖିବାର ଅବସର ଆଉ ରହିଲା ନାହିଁ। ବରଂ ଜମ୍ମୁ-କଶ୍ମୀରର ଯେଉଁ ଅଂଶ ପାକିସ୍ତାନ ଓ ଚାଇନା ମାଡିବସିଛନ୍ତି ତାହା ଭାରତର ଅଂଶ ବୋଲି କହିବାରେ ଜୋର୍‌ ଆସିବ।
ଇମେଲ୍‌ : sahadevas@yahoo.com


All Right Reserved By Dharitri.Com

ସମ୍ପାଦକୀୟ/ଦେଖଣାହାରି

ଗୁଜରାଟ ସୁରଟର ଏକ କୋଚିଂ ସେଣ୍ଟରରେ ୨୪ ମେ’ରେ ହୋଇଥିବା ଅଗ୍ନିକାଣ୍ଡରେ ୨୨ ଛାତ୍ରଙ୍କ ମୃତ୍ୟୁ ଘଟିଛି । ନିଅଁା ଲାଗିଯିବା ପରେ ଭୟରେ ଉକ୍ତ...

ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା...

କେତେଦିନକୁ ମନ ବାନ୍ଧିଛୁ ଆଣ୍ଟ

ଡ. ତ୍ରିନାଥ ପଟ୍ଟନାୟକ ଜ୍ଞାନ, ଗରିମା ଓ ଚରିତ୍ରରୁ ତେଜସ୍ବିତା ପ୍ରକାଶ ପାଇଥାଏ। ତା’ ପାଇଁ କେହି ଶରୀରକୁ ସଜାଇ ଅହଂପୂର୍ଣ୍ଣ ବାର୍ତ୍ତା ବାଣ୍ଟି ତେଜସ୍ବୀ...

ଛବିରେ ହାତୀ

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୨୬ ଦିନ ମଧ୍ୟରେ ୪ ହାତୀଙ୍କ ପ୍ରାଣ ଯାଇସାରିଲାଣି। ସେପ୍ଟେମ୍ବର ୧୯ ଓ ୨୦ରେ ଯଥାକ୍ରମେ ମାଈହାତୀ ‘କମଳା’ ଓ ‘ଗୌରୀ’ର ମୃତ୍ୟୁ...

ସମ୍ପାଦକୀୟ/ସିଏସ୍‌ଆର୍‌ ପାଇଁ ଦଣ୍ଡ

ନିକଟରେ ଭାରତୀୟ ପାର୍ଲାମେଣ୍ଟ କମ୍ପାନୀ ଆଇନରେ କେତେକ ସଂଶୋଧନ ଆଣିଛିି। କମ୍ପାନୀ (ସଂଶୋଧନ) ଆଇନ ୨୦୧୯ରେ ଅନ୍ୟତମ ମୁଖ୍ୟ ଦିଗ ଯାହା ଉପରେ ବିଶେଷ ଗୁରୁତ୍ୱ...

ଖଣିରେ ମୃତ୍ୟୁ

ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ...

ନିର୍ବାଚନ ସଂସ୍କାର

ଶରତ ଚନ୍ଦ୍ର ମିଶ୍ର ସପ୍ତଦଶ ଲୋକ ସଭା ନିର୍ବାଚନ ନିର୍ବାଚନ କମିଶନ, ନିର୍ବାଚନ ଅଧିକାରୀ, ରାଜ୍ୟ ପୋଲିସ ଓ ଅର୍ଦ୍ଧସାମରିକ ବାହିନୀଙ୍କ ନିଷ୍ଠା ଓ କର୍ତ୍ତବ୍ୟ...

ଶିକ୍ଷାରେ ବ୍ୟବସାୟ

ସହଦେବ ସାହୁ ସ୍କୁଲ-କଲେଜରେ ନାମ ଲେଖାଇବା ସମୟ ଆସିଗଲା, ତେଣୁ ଖବରକାଗଜ ପୃଷ୍ଠାଗୁଡିକ, ବିଶେଷତଃ ପ୍ରଥମ କେଇ ପୃଷ୍ଠା ଘରୋଇ ଶିକ୍ଷାନୁଷ୍ଠାନର ବିଜ୍ଞାପନରେ ଭର୍ତ୍ତି। ଟେଲିଭିଜନ...

Leave a comment

Your email address will not be published. Required fields are marked *